Unknown

 

 

 

 

 

 

 

 

 

ପଦ୍ମମାଳୀ

ଉମେଶଚନ୍ଦ୍ର ସରକାର

 

ଭୂମିକା

ପ୍ରଥମ ସଂସ୍କରଣ

 

ଉତ୍କଳସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ସ୍ୱକପୋଳକଳ୍ପିତ ଗ୍ରନ୍ଥରଚନା କରିବାର ଉଦ୍ୟମକୁ ଅସୀମ ସାହସିକତାର କାର୍ଯ୍ୟ ବୋଲିବାକୁ ହେବ । ଆମ୍ଭେ ଏ ଅସୀମ ସାହସିକତା-କାର୍ଯ୍ୟର ଅନୁଷ୍ଠାନ କରିଅଛୁଁ । ଉତ୍କଳଭାଷାନଭିଜ୍ଞ ଆମ୍ଭେ ହାସ୍ୟାସ୍ପଦ ହେବୁଁ ଜାଣି ସୁଦ୍ଧା, ଏ ଅନୁଷ୍ଠାନରେ ବ୍ରତୀ ହୋଇଅଛୁଁ । ବ୍ରତ ସଫଳ ବା ନିଷ୍ଫଳ ହେଉ ଆମ୍ଭେ ଆଉ ପଶ୍ଚାତ୍‍ପଦ ହୋଇ ନ ପାରୁଁ । ଜନସମାଜର ପ୍ରୀତିସମ୍ପାଦନ ଓ ଉତ୍କଳ ସାହିତ୍ୟର ଗୌରବ ବର୍ଦ୍ଧନକୁ ଲକ୍ଷ୍ୟ କରିଅକୃତକାର୍ଯ୍ୟ ହେଲେ ହେଁ, ଏପରି ମହତ୍ କାର୍ଯ୍ୟର ଅନୁଷ୍ଠାନ କରିଥିଲୁଁ; ଏହା ଆମ୍ଭର ନୈରାଶ୍ୟର ସମୟରେ ଶାନ୍ତି ପ୍ରଦାନ କରିବ ।

 

ଐତିହାସିକ ଘଟନାବଲମ୍ବିତ ହୋଇ କୌଣସି ଉପନ୍ୟାସ ଉତ୍କଳଭାଷାରେ ରଚିତ ହୋଇଥିବାର ଆମ୍ଭଙ୍କୁ ଜଣା ନାହିଁ । ଉତ୍କଳଦେଶର ଇତିହାସ ପର୍ଯ୍ୟାଲୋଚନା କଲେ ଭାବୁକ ଯୁବକ ଐତିହାସିକ ଉପନ୍ୟାସ ଲେଖିବାକୁ ଉପକରଣର ଅଭାବ ଦେଖିବେ ନାହିଁ । ଆମ୍ଭେ କେବଳ ଏହି କ୍ଷୁଦ୍ର ଆୟତନ ଓ ଅପେକ୍ଷାକୃତ ଅଖ୍ୟାତନାମା ରାଜ୍ୟର ସ୍ୱଳ୍ପବ୍ୟାପୀ ଘଟନାକୁ ଅବଲମ୍ବନ କରି ଏ ଗ୍ରନ୍ଥରଚନା କରିଅଛୁଁ ଓ ଏଥିରେ ସମ୍ପୂର୍ଣ୍ଣମନୋରଥ ହୋଇ ନ ଥିଲେ, ଆମ୍ଭଠାରୁ ଅଧିକ କୃତବିଦ୍ୟ ଯୁବକ ଆମ୍ଭର ପ୍ରଦର୍ଶିତ ମାର୍ଗ ଅବଲମ୍ବନ କରି କୃତକାର୍ଯ୍ୟ ହୋଇପାରିବେ ଓ ତଦ୍ଦ୍ୱାରା ଉତ୍କଳଭାଷାକୁ ସମଧିକ ଗୌରବାନ୍ୱିତ କରି ଆମ୍ଭର ନିଷ୍ଫଳତାର ସମୁଚିତ କ୍ଷତିପୂରଣ କରିବେ । ଇତି ।

 

ଢେଙ୍କାନାଳ

ଶ୍ରୀ ଉମେଶଚନ୍ଦ୍ର ସରକାର

୧୯ ଅକ୍ଟୋବର ୧୮୮୮

 

•••

 

ଦ୍ୱିତୀୟ ସଂସ୍କରଣ

 

ପଦ୍ମମାଳୀ ଉତ୍କଳଭାଷାରେ ଏକମାତ୍ର ଐତିହାସିକ ଉପନ୍ୟାସ । ପ୍ରାୟ ଅଦ୍ଧାର୍ଦ୍ଧଶତାବ୍ଦୀ ପୂର୍ବରେ ପ୍ରଥମ ପ୍ରକାଶିତ ହୋଇଥିଲେହେଁ, ପଦ୍ମମାଳୀର ପ୍ରତିଦ୍ୱନ୍ଦ୍ୱିନୀ କେହି ଉତ୍କଳଭାଷାର ଅଙ୍ଗପୁଷ୍ଟ କରିଥିବାର ଆମ୍ଭଙ୍କୁ ଜଣା ନାହିଁ । ଦୁଇଗୋଟି ସମସାମୟିକ ଐତିହାସିକ ଘଟନାର ସମନ୍ୱୟରେ ପଦ୍ମାମାଳୀ ରଚିତ ହୋଇଅଛି । ନୀଳଗିରି ରାଜ୍ୟର କର୍ମଚାରୀମାନଙ୍କଦ୍ୱାରା ପାଞ୍ଚଗଡ଼ର ଆକ୍ରମଣ–ଏକଗୋଟି, ଅପରଟି-ହରିହର ଭ୍ରମରବର ବାବୁଙ୍କଦ୍ୱାରା ନୀଳଗିରି ଆକ୍ରମଣ । ପୁରାତତ୍ତ୍ୱ ଅନୁସନ୍ଧିତ୍ସୁ ପାଠକ ସ୍ୱଳ୍ପ ଆୟାସ ବ୍ୟୟ କଲେ, ଏହି ଐତିହାସିକ ଘଟନା ଦ୍ୱୟର ମୌଳିକତା ଅବଗତ ହୋଇ ପାରିବେ । କ୍ରମେ ଅନ୍ୟାନ୍ୟ ଇତିବୃତ୍ତ ଗ୍ରନ୍ଥ ମଧ୍ୟରେ ସନ୍ନିବେଶିତ ହୋଇଅଛି ଯଥା, ନଳଗିରି ରାଜ୍ୟର, ଇତିହାସ, ପାଞ୍ଚଗଡ଼୍ ନୀଳଗିରିର ଅଧିକାରରୁ ଚ୍ୟୁତ ହୋଇ ଗଭର୍ଣ୍ଣମେଣ୍ଟଙ୍କର ଖାସମାହାଲଭୁକ୍ତ ହେବା, ପାଞ୍ଚଗଡ଼ ଲୁଣ୍ଠନକାରୀଙ୍କର ଓ ନୀଳଗିରି-ଆକ୍ରମଣକାରୀଙ୍କର, ବାଲେଶ୍ୱରର ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ହେନେରି ରିକେଟ୍‍ସଙ୍କଦ୍ୱାରା ବିଚାର ଇତ୍ୟାଦି । ଏ ସକଳ ବର୍ଣ୍ଣନାରେ ଏକପକ୍ଷରେ ଯେପରି ଇତିହାସର ଏକବର୍ଣ୍ଣର ଅପଳାପ କରିନାହୁଁ, ଅନ୍ୟ ପକ୍ଷରେ, ପାଠକଙ୍କର ଚିତ୍ତରଞ୍ଜନ କରିବାକୁ ସମଧିକ ଯତ୍ନବାନ୍ ହୋଇଅଛୁଁ । ବର୍ତ୍ତମାନ ସଂସ୍କରଣରେ ପୁସ୍ତକଖଣ୍ଡ ଅନେକ ପରିମାଣରେ ସଂଶୋଧିତ ଓ ପରିବର୍ଦ୍ଧିତ ହୋଇଅଛି-। ସେପରି କରିବାର ତାହାର ଚିତ୍ତାକର୍ଷିତା ବର୍ଦ୍ଧିତ ହୋଇଅଛି କି ନା, ଏହା ପାଠକମାନେ ବିଚାର କରିବେ । କଳେବର ବର୍ଦ୍ଧିତ ହୋଇଥିବାର ମୂଲ୍ୟ ମଧ୍ୟ କିଞ୍ଚିତ୍ ବୃଦ୍ଧି କରିବାକୁ ବାଧ୍ୟ ହେଲୁ ।

 

 

ତାଳଚେର ଦୁର୍ଗ

ଶ୍ରୀ ଉମେଶଚନ୍ଦ୍ର ସରକାର

୨୭ । ୧୧ । ୧୯୧୨

 

•••

 

ତୃତୀୟ ସଂସ୍କରଣ

 

ପଦ୍ମମାଳୀ ଉତ୍କଳ ଭାଷାରେ ଏକମାତ୍ର ଐତିହାସିକ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ, ଏହି ଉପନ୍ୟାସଟି ବିଶେଷ ଆଦୃତ ହେବାରୁ ଏହାର ଦ୍ୱିତୀୟ ସଂସ୍କରଣ ତାଳଚେର ଗଡ଼ର କିଶୋର ମେସିନ୍ ଯନ୍ତ୍ରାଳୟରେ ମୁଦ୍ରିତ ହୋଇଥିଲା । ସେହି ସଂସ୍କରଣର ପୁସ୍ତକଗୁଡିକ ବିକ୍ରୀ ହୋଇଯିବାରୁ ଗ୍ରାହକମାନଙ୍କର ଓ ସହୃଦୟ ବନ୍ଧୁ ବର୍ଗଙ୍କର ବିଶେଷ ଅନୁରୋଧରେ ଉକ୍ତ ଉପନ୍ୟାସର ଭ୍ରମଗୁଡ଼ିକ ଯଥାସାଧ୍ୟ ଯତ୍ନସହକାରେ ସଂଶୋଧନ କରି ତହିଁର କଳେବର ମଧ୍ୟ ବର୍ଦ୍ଧିତ କରି ମୋହର ନବ ପ୍ରତିଷ୍ଠିତ ଲକ୍ଷ୍ମୀନାରାୟଣ ପ୍ରେସରେ ବହୁ ଅର୍ଥ ଓ ପରିଶ୍ରମସହକାରେ ସାଧାରଣଙ୍କର ଅଭାବ ମୋଚନାର୍ଥ ଏହାର ତୃତୀୟ ସଂସ୍କରଣ ମୁଦ୍ରିତ କଲି । ଆଶାକରେ ପରୀକ୍ଷାସ୍ୱରୂପ ପ୍ରତ୍ୟେକେ ଏହି ପୁସ୍ତକରୁ ଖଣ୍ଡେ ଖଣ୍ଡେ କ୍ରୟ କଲେ ମୋର ଶ୍ରମ ସାର୍ଥକ ମଣିବ ।

 

ମୁଁ ଜଣେ ସାମାନ୍ୟ ପୁସ୍ତକଲେଖକ ଓ ପ୍ରକାଶକ । ମୋର ମଧ୍ୟ କେତେଖଣ୍ଡ ପୁସ୍ତକ ଅନ୍ୟାନ୍ୟ ପ୍ରେସମାନଙ୍କରେ ମୁଦ୍ରିତ ହୋଇଥିବା ସମସ୍ତଙ୍କୁ ବିଦିତ ଅଛି । ଉକ୍ତ ପୁସ୍ତକଗୁଡ଼ିକ ମଧ୍ୟରୁ ମହାରାଜା ପଞ୍ଚମଜର୍ଜ ଓ ଖନାବଚନ ଏହି ଦୁଇ ଖଣ୍ଡ ପୁସ୍ତକର ଦ୍ୱିତୀୟ ସଂସ୍କରଣ ହୋଇଅଛି । ଅନ୍ୟାନ୍ୟ ପୁସ୍ତକଗୁଡ଼ିକର ମଧ୍ୟ ଦ୍ୱିତୀୟ ସଂସ୍କରଣ ଶୀଘ୍ର ହେବାର ଆଶା ଅଛି ।

 

କାଜିବଜାର

ଶ୍ରୀ ବିମଳାଚରଣ ରାୟ ଚୌଧୁରୀ

୬ । ୬ । ୩୦

ପ୍ରୋପାଇଟର

କଟକ

ଲକ୍ଷ୍ମୀନାରାୟଣ ପ୍ରେସ, କଟକ

•••

 

ଚତୁର୍ଥ ସଂସ୍କରଣ

 

ଓଡ଼ିଆ ଉପନ୍ୟାସ ସାହିତ୍ୟ ଆଜି ବିଶେଷ ଭାବରେ ସମୃଦ୍ଧ । ଆଜିର ଏହି ସମୃଦ୍ଧ ଦେଖି ଓଡ଼ିଆ ଉପନ୍ୟାସର ଉନ୍ମେଷ କଥା ଭୁଲି ଗଲେ ଚଳିବ ନାହିଁ । ଓଡ଼ିଆ ଉପନ୍ୟାସର ଉନ୍ମେଷ ବିଷୟରେ ଆଲୋଚନା କରିବାକୁ ଗଲେ ପଦ୍ମମାଳୀ ବିଷୟ ହିଁ ପ୍ରଥମରେ ବିଚାର କରିବାର କଥା । ୧୮୮୮ ସାଲରେ ଏହା ଢେଙ୍କାନାଳରୁ ପ୍ରଥମ ଥର ପାଇଁ ଆତ୍ମପ୍ରକାଶ କରିଥିଲା-। ୧୯୧୨ ସାଲରେ ତାଳଚେର ଗଡ଼ରୁ ଏହାର ଦ୍ୱିତୀୟ ଆତ୍ମପ୍ରକାଶ ଓ ୧୯୩୦ ସାଲରେ କଟକରୁ ପୁଣି ଏହାର ତୃତୀୟ ଆତ୍ମପ୍ରକାଶ ହେବା ପରେ ଆଜି ୧୯୬୨ ସାଲରେ କଟକରୁ ଚତୁର୍ଥ ଥରପାଇଁ ଆତ୍ମପ୍ରକାଶ କରୁଅଛି । ଉକ୍ତ ପୁସ୍ତକର ଏକାଧିକବାର ଆତ୍ମପ୍ରକାଶହିଁ ଏହାର ଜନପ୍ରିୟତାର ସାକ୍ଷ ଦେବ ।

 

ନୀଳଗିରିର ରାଜକର୍ମଚାରୀମାନଙ୍କଦ୍ୱାରା ପାଞ୍ଚଗଡ଼ ଆକ୍ରମଣ ଓ ହରିହର ଭ୍ରମରବରଙ୍କଦ୍ୱାରା ନୀଳଗିରି ଆକ୍ରମଣକୁ ଭିତ୍ତି କରି ଉକ୍ତ ଉପନ୍ୟାସର କଥାବସ୍ତୁ ଗଢ଼ି ଉଠି ଥିଲେ ହେଁ କଥାବସ୍ତୁକୁ ମନୋରମ କରିବା ନିମିତ୍ତ ଲେଖକ ପଦ୍ମମାଳୀ ଜୀବନକୁ କେନ୍ଦ୍ର କରି ଘଟିଥିବା ରୋମାଣ୍ଟିକ୍ ପରିବେଶର ଚିତ୍ର ଯେପରି ଭାବରେ ପରିବେଷଣ କରିଛନ୍ତି ତାହାଦ୍ୱାରା ସେ ତାଙ୍କର ବିରାଟ ପ୍ରତିଭାର ପରିଚୟ ଦେଇ ଅଛନ୍ତି । ଏହି ଉପନ୍ୟାସର ରୋମାଣ୍ଟିକ୍ ପରିବେଶ ଭିତରେ ପ୍ରସଙ୍ଗକ୍ରମେ ନୀଳଗିରିର ଐତିହାସିକ ଘଟଣାବଳୀର ଚିତ୍ର ଅତି ସୁନ୍ଦର ଭାବରେ ପ୍ରକାଶ ପାଇଅଛି-। ପାଞ୍ଚଗଡ଼ ନୀଳଗିରିର ଅଧୀନରୁ ଚ୍ୟୁତ ହୋଇ ଇଂରେଜ ସରକାରଙ୍କ ଖାସମାହାଲଭୁକ୍ତ ହେବା ବିଷୟ ଦେବା ବେଳେ ଲେଖକ ଐତିହାସିକ ଘଟଣାବଳୀ ରକ୍ଷା କରିବାରେ ନିଜର କୃତିତ୍ୱ ପ୍ରଦର୍ଶନ କରି ଅଛନ୍ତି ।

 

ପଦ୍ମମାଳୀର ପ୍ରାଧାନ୍ୟ କେବଳ ଓଡ଼ିଆ ଉପନ୍ୟାସ ଜଗତରେ ନୁହେଁ ଓଡ଼ିଆ ସାହିତ୍ୟ ଜଗତରେ ସ୍ୱୀକୃତି ପାଇଅଛି । ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସରୂପେ ପଦ୍ମମାଳୀ ଓଡ଼ିଆ ପାଠକଠାରୁ ଯଥେଷ୍ଟ ସମ୍ମାନ ଦାବୀ କରେ । ପଦ୍ମମାଳୀ କଲିକତା ବିଶ୍ୱବଦ୍ୟାଳୟରେ ପାଠ୍ୟ ପୁସ୍ତକ ରୂପେ ଗୃହୀତ ହୋଇଥିଲା ଏବଂ ବର୍ତ୍ତମାନ ମଧ୍ୟ ଦୀର୍ଘକାଳ ଧରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଉପାଧ୍ୟୁତ୍ତର ପାଠ୍ୟ ପୁସ୍ତକରୂପେ ଚଳି ଆସୁଅଛି । ପଦ୍ମମାଳୀର ବିଶେଷ ପରିଚୟ ଦେବାର କିଛି ଆବଶ୍ୟକତା ଅଛି ବୋଲି ମନେ ହୁଏ ନାହିଁ । କାରଣ ପଦ୍ମମାଳୀ ତାର ନିଜର ପରିଚୟ ନିଜେ ଦେଇ ସାରିଛି ।

 

ଉମେଶଚନ୍ଦ୍ର : –

 

୧୮୫୭ ସାଲରେ ପୁରୀରେ ଉମେଶଚନ୍ଦ୍ରଙ୍କର ଜନ୍ମ । ତାଙ୍କର ପିତା ଈଶ୍ୱରଚନ୍ଦ୍ର ସରକାର ସରକାରୀ ନିମକ ଦାରୋଗାରୂପେ କାର୍ଯ୍ୟ କରୁଥିଲେ । ଈଶ୍ୱରଚନ୍ଦ୍ରଙ୍କର ଦୁଇ ପୁତ୍ର ଏବଂ ଏକ କନ୍ୟା ମଧ୍ୟରୁ ଉମେଶଚନ୍ଦ୍ର ସର୍ବ କନିଷ୍ଠ । ଉମେଶଚନ୍ଦ୍ରଙ୍କୁ ଯେତେବେଳେ ମାତ୍ର ଦୁଇବର୍ଷ ବୟସ ସେତେବେଳେ ଦୁର୍ଭାଗ୍ୟକ୍ରମେ ପିତାଙ୍କୁ ସେ ହରାଇଲେ । ପିତାଙ୍କ ମୃତ୍ୟୁ ପରେ ଜ୍ୟେଷ୍ଠ ଭ୍ରାତା, ଭଗିନୀ ଓ ଜନନୀଙ୍କ ସହିତ ଉମେଶଚନ୍ଦ୍ର ଆସିଲେ କଟକ । କଟକର କାଜିବଜାରସ୍ଥ ବାସଭବନରେ ରହି ଆତ୍ମୀୟମାନଙ୍କ ସାହାଯ୍ୟରେ ଉମେଶଚନ୍ଦ୍ର ବି. ଏ. ପର୍ଯ୍ୟନ୍ତ ଅଧ୍ୟୟନ କରି ଓଡ଼ିଶାର କମିସନରଙ୍କ ଅଫିସରେ କାର୍ଯ୍ୟ କଲେ । ତାଙ୍କର କର୍ମପ୍ରବଣତା ଓ ବୁଦ୍ଧିର ବିଚକ୍ଷଣତା ଯୋଗୁଁ ସେ ଢେଙ୍କାନାଳର ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ତାଳଚେର ଓ କନିକାର ମ୍ୟାନେଜର ପଦ ପାଇଥିଲେ । ସେତେବେଳେ ଉପରୋକ୍ତ ରାଜ୍ୟ ବା ଜମିଦାରୀଗୁଡ଼ିକ କୋଟ ଅଫ୍‍ଓ୍ୟାର୍ଡ଼ସ ଅଧୀନରେ ଥିଲା । ଢେଙ୍କାନାଳରେ କାର୍ଯ୍ୟ କରୁଥିବା ସମୟରେ ୧୮୮୮ ସାଲରେ ତାଙ୍କର ପଦ୍ମମାଳୀ ଆତ୍ମପ୍ରକାଶ କରିଥିଲା ।

 

କନିକାରେ କାର୍ଯ୍ୟ କରିବା ସମୟରେ ତାଙ୍କର ଶରୀର ବିଶେଷ ଅସୁସ୍ଥ ହେବାରୁ ସେ ବାଧ୍ୟ ହୋଇ ୧୮୯୯ ସାଲରେ କର୍ମରୁ ଅବସର ଗ୍ରହଣ କଲେ । କଟକସ୍ଥ କାଜିବଜାରରେ ନିଜର ବାସ ଭବନରେ ରହି ସୁସ୍ଥ ହେବା ପରେ ବିଶେଷ ଭାବରେ ସେ ଓଡ଼ିଆ ସାହିତ୍ୟ ସେବାରେ ମନୋଯୋଗ କଲେ । ସେହି ସମୟରେ ‘‘ଯତୋ ଧର୍ମ ସ୍ତତୋ ଜୟଃ’’ ନାମକ ଖଣ୍ଡିଏ ନାଟକ ତାଙ୍କର ପ୍ରକାଶ ପାଇଥିଲା । ସେ ଛଦ୍ମନାମ ଗ୍ରହଣ କରି ଓଡ଼ିଆ ଭାଷାରେ ଢଗଢମାଳି ଓ ମହିମ୍ନସ୍ତବ ନାମରେ ଦୁଇ ଖଣ୍ଡି ପୁସ୍ତିକା ପ୍ରକାଶ କରିଥିଲେ । ମୁକୁର ମାସିକ ପତ୍ରିକାରେ ସେ ନିୟମିତ ଭାବରେ ଲେଖା ପ୍ରକାଶ କରୁଥିଲେ । ‘‘ଉଦାସୀ’’ ଛଦ୍ମ ନାମରେ ସେ ‘‘କେନ୍ଦୁଝର ବିଦ୍ରୋହ’’ ନାମକ ଏକ ଐତିହାସିକ ଉପନ୍ୟାସ ଧାରାବାହିକରୂପେ ମୁକୁରରେ ପ୍ରକାଶ କରୁଥିଲେ, ମାତ୍ର ତାହା ସଂପୂର୍ଣ୍ଣ ହେଇ ପାରି ନାହିଁ ।

 

ଇଂରେଜୀ ସାହିତ୍ୟରେ ମଧ୍ୟ ଉମେଶଚନ୍ଦ୍ରଙ୍କର ଯଥେଷ୍ଟ ପାରଦର୍ଶିତା ଥିଲା । ସେ ଇଂରେଜୀରେ କେତେଖଣ୍ଡି ପୁସ୍ତକ ପ୍ରଣୟନ କରିଥିଲେ । ସେଥି ମଧ୍ୟରୁ Easy way to Learn English, Pat I; Temple of Truth, Speaking the Truth ଉଲ୍ଲେଖ ଯୋଗ୍ୟ । ସେ ହିତୋପଦେଶର ଇଂରେଜୀ ପଦ୍ୟାନୁବାଦ କରିଥିଲେ, ମାତ୍ର ଅର୍ଥାଭାବରୁ ତାହା ପ୍ରକାଶ ପାଇ ପାରିଲା ନାହିଁ ।

 

ଜୀବନର ଶେଷ ଭାଗରେ ଅର୍ଥାଭାବ ହେତୁ ୧୯୧୧ ସାଲରେ ସେ ପୁଣି ତାଳଚେର ରାଜାଙ୍କର ଅଡ଼ିଟରରୂପେ କାର୍ଯ୍ୟ କରିଥିଲେ । ତାଳଚେରରେ କାର୍ଯ୍ୟ କରିବା ସମୟରେ ୧୯୧୪ ସାଲରେ ସେ ଅମାଶୟ ରୋଗରେ ଇହଲୀଳା ସମ୍ବରଣ କଲେ ।

 

ଓଡ଼ିଆ ଉପନ୍ୟାସର ସ୍ରଷ୍ଟା ଏହି ବିଶିଷ୍ଟ ବାଣୀପୂଜକଙ୍କର ଏହି ପ୍ରଥମ ସୃଷ୍ଟି ‘‘ପଦ୍ମମାଳୀ’’କୁ ଆଜି ଓଡ଼ିଶାର ପାଠକସମାଜରେ ପୁଣି ଥରେ ଉପସ୍ଥାପିତ କରୁଅଛୁ । ଆଶା, ଓଡ଼ିଶାର ପାଠକସମାଜ ‘‘ପଦ୍ମମାଳୀ’’ର ମହତ୍ତ୍ୱ ହୃଦୟଙ୍ଗମ କରିବେ ।

 

କଟକ

ବିନୀତ

୧୯ । ୮ । ୧୯୬୨

ପ୍ରକାଶକ

•••

 

ସୂଚୀପତ୍ର

 

୧.

ପ୍ରଥମ ପରିଚ୍ଛେଦ

ଜାଗର ଯାତ୍ରା

୨.

ଦ୍ୱିତୀୟ ପରିଚ୍ଛେଦ

ପଦ୍ମମାଳୀର ମୁକ୍ତି

୩.

ତୃତୀୟ ପରିଚ୍ଛେଦ

ଅନୁରାଗ

୪.

ଚତୁର୍ଥ ପରିଚ୍ଛେଦ

ରାତ୍ରି ଯାପନ

୫.

ପଞ୍ଚମ ପରିଚ୍ଛେଦ

ପ୍ରେମକୀଟ

୬.

ଷଷ୍ଠ ପରିଚ୍ଛେଦ

ପ୍ରେମିକ-ପ୍ରେମିକା

୭.

ସପ୍ତମ ପରିଚ୍ଛେଦ

ମହନ୍ତ ହରିହର ରାମାନୁଜ ଦାସ

୮.

ଅଷ୍ଟମ ପରିଚ୍ଛେଦ

ପାପର ଫଳ

୯.

ନବମ ପରିଚ୍ଛେଦ

ଜନଶ୍ରୁତି

୧୦.

ଦଶମ ପରିଚ୍ଛେଦ

ଜନଶ୍ରୁତିର ବିସ୍ତାର

୧୧.

ଏକାଦଶ ପରିଚ୍ଛେଦ

ନୀଳଗିରିର ଇତିହାସ

୧୨.

ଦ୍ୱାଦଶ ପରିଚ୍ଛେଦ

ଦୁର୍ଯ୍ୟୋଧନର ମନ୍ତ୍ରଣା

୧୩.

ତ୍ରୟୋଦଶ ପରିଚ୍ଛେଦ

ପଦ୍ମମାଳୀର ପୀଡ଼ା

୧୪.

ଚତୁର୍ଦ୍ଦଶ ପରିଚ୍ଛେଦ

ପୀଡ଼ାର ଚର୍ଚ୍ଚା

୧୫.

ପାଞ୍ଚଦଶ ପରିଚ୍ଛେଦ

ଲକ୍ଷ୍ମଣ ପଣ୍ଡାର ଦୌତ୍ୟ

୧୬.

ଷୋଡ଼ଶ ପରିଚ୍ଛେଦ

ଜଗବନ୍ଧୁଙ୍କ ପରାମର୍ଶ

୧୭.

ସପ୍ତଦଶ ପରିଚ୍ଛେଦ

ରାଜା ପରୀକ୍ଷିତ ସିଂହ ଭୁଜଙ୍ଗ ମାନ୍ଧାତା ବିରାଟ ବସନ୍ତ ହରିଚନ୍ଦନ

୧୮.

ଅଷ୍ଟାଦଶ ପରିଚ୍ଛେଦ

କପତୀପଦାରେ ମହନ୍ତ

୧୯.

ଊନବିଂଶ ପରିଚ୍ଛେଦ

ନିର୍ବନ୍ଧ

୨୦.

ବିଂଶ ପରିଚ୍ଛେଦ

ଦୁର୍ଯ୍ୟୋଧନର ମନ୍ତ୍ରଣା

୨୧.

ଏକବିଂଶ ପରିଚ୍ଛେଦ

ସ୍ୱଜାତି ପରହିଂସ୍ରକ

୨୨.

ଦ୍ୱାବିଂଶ ପରିଚ୍ଛେଦ

ପଦ୍ମମାଳୀର ହରଣ

୨୩.

ତ୍ରୟୋବିଂଶ ପରିଚ୍ଛେଦ

ବଳବନ୍ତରାୟର ଅନୁଶୋଚନା

୨୪.

ଚତୁର୍ବିଂଶ ପରିଚ୍ଛେଦ

ସେନାପତି ମଠରେ

୨୫.

ପଞ୍ଚବିଂଶ ପରିଚ୍ଛେଦ

ଗଣ୍ଠି

୨୬.

ଷଡ଼ବିଂଶ ପରିଚ୍ଛେଦ

ଘଣ୍ଟଶୀଳା ଅଭିଯାନ

୨୭.

ସପ୍ତବିଂଶ ପରିଚ୍ଛେଦ

ଅପୂର୍ବ ମିଳନ

୨୮.

ଅଷ୍ଟାବିଂଶ ପରିଚ୍ଛେଦ

ବଳବନ୍ତାରା’ର ପ୍ରାୟଶ୍ଚିତ୍ତ

୨୯.

ଊନତ୍ରିଂଶ ପରିଚ୍ଛେଦ

ରାଣୀଙ୍କର ପଳାୟନ

୩୦.

ତ୍ରିଂଶତ୍‌ ପରିଚ୍ଛେଦ

ପରୀକ୍ଷିତ ସିଂହଙ୍କର ଶିବିର

୩୧.

ଏକତ୍ରିଂଶ ପରିଚ୍ଛେଦ

ପଦ୍ମମାଳୀର ଉଦ୍ଧାର

•••

 

ପ୍ରଥମ ପରିଚ୍ଛେଦ

ଜାଗର ଯାତ୍ରା

 

ସନ ୧୨୪୨ ସାଇ ଫାଲଗୁନମାସ କୃଷ୍ଣଚତୁର୍ଦ୍ଦଶୀ ଦିନ, ମୟୂରଭଞ୍ଜ ଜିଲାର ଦକ୍ଷିଣାଂଶରେ ଅବସ୍ଥିତ ମାଣତୀର (ସଚରାଚର ମାନ୍ତ୍ରୀନାମରେ ଖ୍ୟାତ) ନାମକ ଉପନଗର ନାନାଦିଗ୍‌ଦେଶାନ୍ତରୁ ଉପାଗତ ଆବାଳ ବୃଦ୍ଧବନିତାରେ ପରିପୂର୍ଣ୍ଣ ହୋଇଛି । ଚତୁର୍ଦ୍ଦିଗରେ କୋଳାହଳ, କଳରବ ବ୍ୟତିରେକେ ଆଉ କିଛି ଶ୍ରୁତିପଥର ଗୋଚର ହେଉ ନାହିଁ । ଆସୁଛନ୍ତି; ଯାଉଛନ୍ତି: କି ସଂଖ୍ୟାରେ, କିଏ ଗଣନା କରିପାରିବ ? ଯୁବତୀମାନେ, ପେଟିକାରେ ସଯତ୍ନ ସଂରକ୍ଷିତ ଶାଢ଼ୀରେ ଅଙ୍ଗସୌଷ୍ଠବ ଓ ଲାବଣ୍ୟକୁ ଆଚ୍ଛାଦିତ କରି, ଦେବାଦିଦେବ ଶ୍ରୀବୈଦ୍ୟନାଥଙ୍କ ଅର୍ଚ୍ଚନାଦ୍ୱାରା ଐହିକ ଓ ପାରତ୍ରିକ ସମ୍ବଳ ସଞ୍ଚୟ କରିବାକୁ ଆସିଛନ୍ତି । ଦଳବଦ୍ଧ ରମଣୀପୁଞ୍ଜି ସିଂହଦ୍ୱାର ଅତିକ୍ରମ କରି ମନ୍ଦିରାଭ୍ୟନ୍ତରରେ ପ୍ରବେଶପ୍ରାର୍ଥିନୀ ହୋଇ, ଜଗମୋହନରେ ପ୍ରବେଶରେ ଅବସର ଲୋଡ଼ୁଅଛନ୍ତି । ସ୍ତ୍ରୀ ପୁରୁଷ, ଏକ ମିଶ୍ରପୁଞ୍ଜ ହୋଇ ପ୍ରବେଶ କରିବାର ବ୍ୟଗ୍ରତାରେ ମନ୍ଦିରର ଅପ୍ରଶସ୍ତଦ୍ୱାରେ ମନ୍ଥିତ ହୋଉଅଛନ୍ତି ଓ ସମୟେ ସମୟେ ସେବକମାନଙ୍କର ବେତ୍ର ସେମାନଙ୍କ ପୃଷ୍ଠରେ ପତିତ ହେଉଅଛି । ଶିବଚତୁର୍ଦ୍ଦଶୀ ବ୍ରତଦିବସ ଏ ମନ୍ଦିରରେ ଏତେଲୋକ ସମାଗତ ହୁଅନ୍ତି, ଯେ କିମ୍ବଦନ୍ତୀ ଅଛି, ଏକବର୍ଷ ଏକ ପୂର୍ଣ୍ଣଗର୍ଭା ସ୍ତ୍ରୀର ଏହି ଲୋକମନ୍ଥନରେ ଗର୍ଭସ୍ରାବ ହୋଇଥିଲ। ।

 

ଅତି କଷ୍ଟେ ଜଗମୋହନ ଅତିକ୍ରମ କରି ଯାତ୍ରୀମାନେ ଭୋଗ ମଣ୍ଡପରେ ପ୍ରବେଶ କଲେ; ଏ ସ୍ଥାନଟି ଭୟଙ୍କର । ଦିବା ଦ୍ୱିପ୍ରହର ସମୟରେ ସୂର୍ଯ୍ୟଙ୍କ ଭୟରେ ଉଲୂକର ନ୍ୟାୟ ଅନ୍ଧକାର ଏହିଠାରେ ଆଶ୍ରୟ ନେଇଅଛି । ଚତୁର୍ଦ୍ଦିଗ ରୁଦ୍ଧ, ବାୟୁର ସମାଗତ ନାହିଁ ଓ ଅବରୁଦ୍ଧ ବାୟୁର ଏକ ଉତ୍କଟ ଦୁର୍ଗନ୍ଧ ନାସିକାକୁ ପିଡ଼ା ଦେଉଅଛି । କଷ୍ଟଭୋଗ ନ କଲେ ସୁଖ ହୁଏ ନାହିଁ । କଷ୍ଟ ଭୋଗ ନ କଲେ ପୁଣ୍ୟ ହୁଏ ନାହିଁ । କେତେ ଦୂର ଦେଶାନ୍ତରରୁ ପଥର କଷ୍ଟ ଅଙ୍ଗରେ ବହି କେବଳ ଶ୍ରୀବୈଦ୍ୟନାଥଙ୍କର ଏକ ମୁହୂର୍ତ୍ତ ସକାଶେ ଦର୍ଶନଲାଭ କରିବା ପାଇଁ ଯାତ୍ରୀମାନେ ଆସିଅଛନ୍ତି । କଷ୍ଟ ଉପରେ କଷ୍ଟ । ଆଗନ୍ତୁକ ଯାତ୍ରୀ ଦୂରରୁ ତ୍ରୀଶୂଳ ଦେଖି ପଥର କଷ୍ଟ ବିସ୍ମିତ ହେଲା: କିନ୍ତୁ ଏଠାରେ ତାହାର କଷ୍ଟ ଶେଷ ହେଲା ନାହିଁ । ଜଗମୋହନର ଭିଡ଼ ଓ ବେତ୍ରାଘାତ ସହ୍ୟ କରି ଅତି କଷ୍ଟରେ ଭୋଗମଣ୍ଡପରେ ପ୍ରବେଶ କରି ଏକ ଦୀର୍ଘଶ୍ୱାସ ପରିତ୍ୟାଗ କଲା; ଆଶା କଲା ଯେ ତାହାର କଷ୍ଟ ବାବା ବୈଦ୍ୟନାଥ ଏହିଠାରେ ଫେଡ଼ିଲେ; କିନ୍ତୁ ଶୀଘ୍ର ନିରାଶ ହେବାକୁ ହେଲା । ଅନ୍ଧକାରରେ କିଛି ଦୃଷ୍ଟିଗୋଚର ହେଉ ନାହିଁ ପୁନରାୟ, ପୂର୍ବବତ୍ ଭିଡ଼ । ଅତିକଷ୍ଟରେ ମନ୍ଦିରର କ୍ଷୁଦ୍ରଦ୍ୱାର ଦେଇ ପିଚ୍ଛିଳ ସୋପାନାବଳୀ ଅବତରଣ କରି ଶିବଲିଙ୍ଗର ଦର୍ଶନ ପ୍ରାପ୍ତ ହେଉ ହେଉ ଶକ୍ତିର ଉପରେ କାଳିମାଯୁକ୍ତ ଏକ ଜୀର୍ଣ୍ଣଶୀର୍ଣ୍ଣ ଚନ୍ଦ୍ରାତପ ନିବଦ୍ଧ ଥିବାର ଏକ କ୍ଷୀଣାଲୋକ ଦୀପଜ୍ୟୋତିରେ ଦେଖିଲା । ଯାତ୍ରୀମାନେ ଆପଣା ଆପଣାର ପତି-ପୁତ୍ର-ବନ୍ଧୁ ପରିଜନଙ୍କ ମଙ୍ଗଳ କାମନାରେ ମହାଦେବଙ୍କ ମସ୍ତକୋପରି ଉଦକ ଚଳାଉ ଥିଲେ ।

 

ନୀଳଗିରି କିଲ୍ଳାର ଅଧୀନସ୍ଥ ପାଞ୍ଚଗଡ଼ ଗ୍ରାମରୁ କେତେ ଗୁଡ଼ିଏ ସ୍ତ୍ରୀଲୋକ ଦର୍ଶନ କରିବାକୁ ଆସିଥିଲେ । ସେମାନଙ୍କ ପଞ୍ଚା ଦର୍ଶନ କରି ମନ୍ଦିରର ବାହାରକୁ ଆସିଲେ । ସେମାନଙ୍କ ମଧ୍ୟରେ ଏକଜଣ ଦ୍ୱାତ୍ରିଂଶଦ୍ ବର୍ଷୀୟା ଲଜ୍ଜାଶୀଳା ଆପଦ ମସ୍ତକ ଅବଗୁଣ୍ଠନବତୀ ଯୁବତୀ କୌଣସି ସମ୍ଭ୍ରନ୍ତକୂଳକୁ ଉଜ୍ଜ୍ୱଳ କରିଥିବାର ଅନୁମାନ ହେଉଥିଲା । ଯୁବତୀ ସ୍ୱଭାବିକ ଲଜ୍ଜାଶୀଳା ଓ ଅତି ଯତ୍ନରେ ଅବଗୁଣ୍ଠନକୁ ମସ୍ତକୋପରି ରକ୍ଷା କରୁଥିଲେହେଁ ଏକ ଏକ ସମୟରେ ତାହା ସ୍ଖଳିତ ହେଉଥିଲା ଓ ଏହି ଅବସରରେ ତାହାର କମନୀୟ ମୁଖକାନ୍ତି ଦର୍ଶକର ଦୃଷ୍ଟି ପଥରେ ପଡ଼ୁଥିଲା । ରମଣୀ ପୂର୍ଣ୍ଣଯୌବନା । କଠୋର ପ୍ରଷ୍ଫୁଟିତ ଶତଦଳର ନ୍ୟାୟ ତାହାର ଅଙ୍ଗଜ୍ୟୋତି ପରିହିତ ପଟ୍ଟଶାଟୀ ଭେଦକରି ବିକାଶ ପାଉଥିଲା । ଅଙ୍ଗ ଆଚ୍ଛାଦନ କରିବା ସକାଶେ ବସ୍ତ୍ରର ବିଧାନ ହୋଇଅଛି, କିନ୍ତୁ ରମଣୀର ପରିହିତ କଳହଂସଲକ୍ଷଣ ଦୁକୂଳ ତାହାର ପୀନୋନ୍ନତବକ୍ଷ ଓ ଚାରୁନିତମ୍ବର ଶୋଭାକୁ ଲୁକ୍‍କାୟିତ କରିପାରୁ ନ ଥିଲା । ଏ ରମଣୀର ସହିତ ଆମ୍ଭମାନଙ୍କର ବର୍ତ୍ତମାନ କୌଣସି ପ୍ରୟୋଜନ ନାହିଁ । ପାଞ୍ଚଗଡ଼ର ପଟୋୟାରୀ ଜଗବନ୍ଧୁ ପଟ୍ଟନାୟକଙ୍କୁ ଏ ରମଣୀ ଭାଗ୍ୟବାନ୍ କରିଥିଲେ ଏହା କହିଲେ ବର୍ତ୍ତମାନ ଯଥେଷ୍ଟ ହେବ ।

 

ତାହାଙ୍କ ପାର୍ଶ୍ୱରେ ଅବଲୋକନ କର । ବାଳିକା ପଦ୍ମମାଳୀ ବାଲ୍ୟସୁଲଭଚପଳତାରେ ଇତସ୍ତତଃ ଦୃଷ୍ଟି ନିକ୍ଷେପ କରୁଥିଲା । ତରୁଣୀ ପାର୍ଶ୍ୱରେ ବାଳିକା; ସମ୍ପୂର୍ଣ୍ଣପ୍ରଷ୍ଫୁଟିତ କମଳ ପାର୍ଶ୍ୱରେ ବିକାଶୋନ୍ମୁଖ କଳିକାର ନ୍ୟାୟ ଶୋଭା ପାଉଥିଲା । ସର୍ବଦା ସୌନ୍ଦର୍ଯ୍ୟପିପାସୁ ମନୁଷ୍ୟର ସେ ଦୃଶ୍ୟ ଦେଖି ଦର୍ଶନେନ୍ଦ୍ରିୟ ତହିଁରେ ତୃପ୍ତି ଲାଭ କରୁ ନାହିଁ । ଅଲୋକସାମାନ୍ୟ ସୌନ୍ଦର୍ଯ୍ୟବିଶିଷ୍ଟ କୌଣସି ପଦାର୍ଥ ଦୃଷ୍ଟିପଥରେ ଗୋଚର ହେଲେ, ପ୍ରଥମେ ବିସ୍ମୟ, ତତ୍ପରେ ପ୍ରଂଶସାଭୋଜନ ହୋଇଥାଏ । କିନ୍ତୁ ସେ ପଦାର୍ଥ ଦୁଇ ଚାରିଥର ପର୍ଯ୍ୟବେକ୍ଷଣ କଲା ଉତ୍ତାରୁ ଆମ୍ଭମାନଙ୍କର ପ୍ରବୃତ୍ତି ତହିଁରୁ ଶୀଘ୍ର ପରିତୃପ୍ତି ଲାଭ କରି ବିରତ ହୁଏ । ଏ ଦୃଶ୍ୟ ତାହା ନୁହେଁ । ପ୍ରଥମେ ବିସ୍ମୟ, ତତ୍ପରେ ପ୍ରଶଂସାବୃତ୍ତି ଲଭିଲା ଉତ୍ତାରୁ ମନୋମଧ୍ୟରେ ଆଉ ଏକ ନୂତନ ବୃତ୍ତିର ବିକାଶ ପାଉଅଛି । ଚକ୍ଷୁରେ ପାପ ଓ ପୁଣ୍ୟ ଉଭୟ ନିହିତ ଅଛନ୍ତି । ପୁଣ୍ୟଚକ୍ଷୁରେ ସନ୍ଦର୍ଶନ କର, ସମୁଦାୟ ଜଗତ୍ ପବିତ୍ର; ଅଦ୍ଭୁତ ଶିଳ୍ପୀ ଜଗତସ୍ରଷ୍ଟାଙ୍କ ସୃଷ୍ଟି ପଦାର୍ଥ ସମୁଦାୟ ପବିତ୍ର । କିନ୍ତୁ ପାପଚକ୍ଷୁରେ ଦେଖ ସମୁଦାୟ ନାରକୀୟ ଓ ସୟତାନର ସୃଷ୍ଟ । ଆମ୍ଭମାନଙ୍କ ସମ୍ମୁଖରେ ବିଦ୍ୟମାନ୍ ଦୃଶ୍ୟ ପୁଣ୍ୟବାନ୍ ପୁଣ୍ୟ ଚକ୍ଷୁରେ ଦେଖୁଥିଲେ ଓ ପାପାସକ୍ତ ଦୁରାତ୍ମା ପାପଚକ୍ଷୁରେ ଦେଖୁଥିଲା । ଧାର୍ମିକ ଓ ପାପୀ ଉଭୟ ସେହି ସୌନ୍ଦର୍ଯ୍ୟ ଦେଖି ମୁଗ୍‍ଧ ହେଉଥିଲେ, କିନ୍ତୁ ଧାର୍ମିକ ପୁଣ୍ୟଚକ୍ଷୁରେ ଦେଖି, ଏ ସୌନ୍ଦର୍ଯ୍ୟର ସୃଷ୍ଟିକର୍ତ୍ତା କେତେଦୂର ସୁନ୍ଦର ହୋଇ ନ ଥିବେ ଭାବନା କରି ମୁଗ୍‍ଧ; ପାପୀ ପାପଚକ୍ଷୁରେ ଦେଖି ପାଶବବୃତ୍ତିରେ ଏକାନ୍ତ ଅଧିନ ହୋଇ ମୁଗ୍‍ଧ ।

 

ଯେଉଁ ଦୃଶ୍ୟ କଥ‌ା । କହୁଅଛୁଁ ତାହା ବର୍ଣ୍ଣନା କରିବାକୁ ଆମ୍ଭେ ଆପଣାକୁ ସମ୍ପୂର୍ଣ୍ଣ ଅକ୍ଷମ ଜାଣି କବିଗୁରୁ କାଳିଦାସଙ୍କ ବଚନ ଉଦ୍ଧୃତ କଲୁଁ–

 

ଅସଂଭୃତଂ ମଣ୍ଡନମଙ୍ଗଯଷ୍ଟେ-

ରନାସବାଣ୍ୟଂ କରଣଂ ମଦସ୍ୟ ।

କାମସ୍ୟ ପୁଷ୍ପ ବ୍ୟତିରିକ୍ତ ମସ୍ତ୍ରଂ

ବାଲ୍ୟତ୍ ପରଂ ସାଥ ବୟଃପ୍ରପେଦେ ।

 

ଉଲ୍ଲିଖିତ ଶ୍ଳୋକଟି ଉଦ୍ଧୃତ କଲାଉତ୍ତାରୁ ପାଠକଙ୍କୁ ଏହା କହିଲେ ଯଥେଷ୍ଟ ହେବ ଯେ, ବାଲ୍ୟତ୍ ପରଂ ବୟଃ ପ୍ରାପ୍ତା ତାହାଙ୍କ ଘରଣୀ ସଦୃଶ ସେ ପଦ୍ମମାଳୀକୁ ଦେଖିବେ । ଏହା କହିଲା ଉତ୍ତାରୁ ଆଉ ଯେବେ କୌଣସି ବର୍ଣ୍ଣନା ଆମ୍ଭେ ପାଠକଙ୍କୁ ଦେବୁ; ତାହା ହେଲେ ତାଙ୍କର ଘରଣୀ ଅପେକ୍ଷା ଆମ୍ଭେ ପଦ୍ମମାଳୀକୁ ଅଧିକତରା ରୂପବତୀ ବିବେଚନା କରୁଁ ଏହା ଜ୍ଞାନକରି ପାଠକ ଆମ୍ଭପ୍ରତି ରୁଷ୍ଟା ହୋଇ ପାରନ୍ତି । ବିଜ୍ଞ ପାଠକ ! ଆପଣଙ୍କ ଘରଣୀ ପଦ୍ମମାଳୀଠାରୁ ସହସ୍ରଗୁଣେ ଅଧିକତରା ସୁନ୍ଦରୀ ହୋଇଥିବେ; କିନ୍ତୁ ଆପଣଙ୍କର ସ୍ମରଣ ରଖିବା ଉଚିତ ଯେ, ବର୍ତ୍ତମାନ ଆମ୍ଭେ ପଦ୍ମମାଳୀର ଆଖ୍ୟାୟିକା ଲେଖିବାକୁ ପ୍ରବୃତ୍ତ । ଯେତେବେଳେ ଆମ୍ଭେ ଆପଣଙ୍କ ଘରଣୀଙ୍କର ଜୀବନ ବୃତ୍ତାନ୍ତ ଲେଖିବୁଁ ସେତେବେଳେ ଆମ୍ଭ ସାଧ୍ୟାନୁଯାୟୀ ତାହାଙ୍କର ଅବିକଳ ଛବି ଜନସମାଜଙ୍କୁ ଦେବାରେ ତ୍ରୁଟି କରିବୁ ନାହିଁ ।

 

ପଦ୍ମମାଳୀର ଷୋଡ଼ଶବର୍ଷ ବୟସ୍କା । ସମ୍ପୂର୍ଣ୍ଣତାପ୍ରାପ୍ତ କମଳ କଳିକାର ନ୍ୟାୟ ତାହାର ଯୌବନ ବିକାଶୋନ୍କୁଖ ହୋଇଥିଲା । ମୁଖରେ ଲାବଣ୍ୟ ପ୍ରଭା ଢଳ ଢଳ କରୁଥିଲା । ମୁଖଶ୍ରୀ ସମ୍ବନ୍ଧେ ପଣ୍ଡିତମାନଙ୍କର ମତଭେଦ ଦେଖାଯାଏ; କିନ୍ତୁ ଆମ୍ଭେ କହୁଁ ଯେ, ମୁଖର ସୌନ୍ଦର୍ଯ୍ୟ ଚକ୍ଷୁ ଉପରେ ସମ୍ୟକ୍ ନିର୍ଭର କରେ । ଚିତ୍ରକର ତୁଳିକାଙ୍କିତର ନ୍ୟାୟ ଈଷତ୍ ବକ୍ର ଭ୍ରୁଯୁଗଳର ନିମ୍ନେ ନୀଳୋତ୍ପଳନିଭ ବିଶାଳନେତ୍ରଯୁଗଳ ବାରେ ବାରେ କଟାକ୍ଷ ନିକ୍ଷେପ କରି ଦର୍ଶକର ଅନ୍ତରତମ ପ୍ରଦେଶପର୍ଯ୍ୟନ୍ତ ବିଲୋଡ଼ିତ କରୁଥିଲା । ଚକ୍ଷୁରୁ ଏକ ସ୍ନିଗ୍‍ଧ ଜ୍ୟୋତି ପ୍ରକାଶ ପାଉଥିଲା । ପଦ୍ମମାଳୀର ସୁନ୍ଦର ଲଲାଟ, ବିଶାଳ ନେତ୍ର, ରଜୁ ନାସିକା, ବିମ୍ବାଧରୋଷ୍ଠ, ହାସ୍ୟକାଳେ ଚାରୁତରଙ୍ଗିତ କପୋଳ ଓ ସୁସ୍ପଷ୍ଟ ମୁଖାକୃତି ଗ୍ରୀକ୍‍ଦେଶୀୟ ଶିଳ୍ପକାରର ରମଣୀ ସୌନ୍ଦର୍ଯ୍ୟର ଆଦର୍ଶ ହୋଇପାରେ । ଆବାଲ୍ୟ ସମ୍ପଦସମୃଦ୍ଧ ପିତାମାତାଙ୍କର ଏକମାତ୍ର ଅପତ୍ୟ ଥିବାରୁ ଅତି ଯତ୍ନରେ ଲାଳିତା ପଦ୍ମମାଳୀର ମୁଖରୁ ବାଲ୍ୟଚାପଲ୍ୟ ଅପନୋଦିତ ହେଇ ନ ଥିଲା । ଏ ଚପଳତା ତାହାର କମନୀୟ ମୁଖକୁ ଅଧିକତର ଚିତ୍ତହର କରିଥିଲା । ପଦ୍ମମାଳୀର ଚତୁରସ୍ରଶୋଭିତା ଅଙ୍ଗ ସୌଷ୍ଠବସଂଯୁକ୍ତ (ଅଙ୍ଗଯଷ୍ଟି ‘କାମସ୍ୟ ପୁଷ୍ପ ବ୍ୟତିରିକ୍ତ ମସ୍ତ୍ରଂ’) ହୋଇଥିଲା ।

 

ପଦ୍ମମାଳୀର ମାତା ଓ ସଙ୍ଗିନୀମାନେ ମନ୍ଦିରର ବାହାରକୁ ଆସି ଏକ ସ୍ଥାନରେ ଉପବେଶନ କରି ଜାଗର ପାଳିବା ସକାଶେ ଏକ ଏକ ଘୃତପ୍ରଦୀପ ଜାଳିଲେ । ମନ୍ଦିର ମଧ୍ୟରୁ ସେମାନଙ୍କର ପଛେ ପଛେ ଏକତ୍ରିଂଶଦ୍ ବର୍ଷ ବୟସ୍କ ଯୁବକ ମଧ୍ୟ ଆସି ସେମାନଙ୍କଠାରୁ କିଛି ଦୂରରେ ଦଣ୍ଡାୟମାନ ହେଲା । ଯାତ୍ରା ପୂର୍ବୋପଲକ୍ଷରେ ଅନେକ ରମଣୀପୁଞ୍ଜ ଏକତ୍ର ସମବେତ ହେଲେ, କେତେକ ଯୌବନମଦୋଦ୍ଧତ ଯୁବକ ରମଣୀରୂପ ଦେଖିବା ଲାଳସାରେ ଉପସ୍ଥିତ ହୁଅନ୍ତି-। ଏ ଯୁବକ ସେମାନଙ୍କ ମଧ୍ୟରୁ ଏକଜଣ । ଇତସ୍ତତଃ ରମଣୀରୂପ ଦେଖୁ ଦେଖୁ ଏହାର ଦୃଷ୍ଟି ପଦ୍ମମାଳୀ ଉପରେ ନିପତିତ ହୁଅନ୍ତେ ଯୁବକ ପଦ୍ମମାଳୀର ରୂପରେ ବିମୋହିତ ହୋଇ ତାହାର ପଛେ ପଛେ ରହିଲା । ମନ୍ଦିରର ବାହାରକୁ ଆସି କାଷ୍ଠ ପୁତ୍ତଳିକାର ତୁଲ୍ୟ କିଛିକ୍ଷଣ ଦଣ୍ଡାୟମାନ ହେଲା ଉତ୍ତାରୁ ଅନ୍ୟଲୋକଙ୍କର ସଂଶଭଭାଜନ ହେବାର ଭୟରେ ସେଠାରୁ ଗମନ କରି ଏକ ଆମ୍ରବୃକ୍ଷ ମୂଳରେ ଉପବିଷ୍ଟ ହେଲା । ଅନନ୍ୟ ମନସ୍କ ହୋଇ କିଛିକ୍ଷଣ ଉପବେଶନ କଲାଉତ୍ତାରୁ ତାହାର ଅନୁଚର ଆସି ତାହା ସହିତ ମିଳିତ ହୋଇ ଏକ ସୁନ୍ଦରୀ ରମଣୀକୁ ଦେଖିବା ପାଇଁ ତାହାକୁ ଡାକିଲାରୁ ଯୁବକ କହିଲା–

 

ମୁଁ ଯାହା ଦେଖିଲିଣି ତୁ ତାହାଠାରୁ ଭଲ ଆଉ କ’ଣ ଦେଖାଇବୁ ?’ ଏହା କହି ପଦ୍ମମାଳୀ ଯେଉଁସ୍ଥାନରେ ଥିଲା ଅଙ୍ଗୁଳି ନିଦ୍ଦେର୍ଶ ଦ୍ୱାରା ଅନୁଚରକୁ ସେ ସ୍ଥାନ ଦେଖାଇଦେଲା । ଅନୁଚର ପଦ୍ମମାଳୀକୁ ଦେଖି ଫେରିଆସି କହିଲା–

 

‘ସତେତ । ତୁମ୍ଭେ ଯାହା କହୁଥିଲ ଠିକ୍ । ଏପରି ପିଲାତ ତିନି ଭୁବନରେ ନାହିଁ ।’ ଯୁବକ କହିଲା–

 

‘ବଳବନ୍ତରା’ ଆଜି ଏ ପିଲାକୁ ଏଠାରୁ ନେବାକୁ ହେବ’

 

‘ଆଜି କିପରି ହେବ ? ଏଡ଼େ ଭିଡ଼, ତହିଁରେ ରାଉତରା’ ବାବୁ ଏଠାରେ ଦୁଇଶ ପାଇକ ସଙ୍ଗରେ ଘେନି ଅଛନ୍ତି । ମଧ୍ୟ ଏ ପିଲାକୁ ଦେଖି ସାମାନ୍ୟ ଘରର ଝିଅ ବୋଲି ଅନୁମାନ ହେଉ ନାହିଁ ।

 

‘ତୁ କ’ଣ ଭୟ ପାଉଛୁ ? ଜାଣୁ ଆମ୍ଭର ଯହିଁରେ ମନ ବଳାଇଲାଣି ତାହା ଅବଶ୍ୟ ସାଧନ କରିବାକୁ ହେବ ।’

 

‘ଆଚ୍ଛା’ ଦେଖାଯିବ, ବାବା ବୈଦ୍ୟନାଥଙ୍କର ଇଚ୍ଛା ।’

 

ବଳବନ୍ତରା’ ଏହା କହିବା ସମୟରେ ଏକ ମନୁଷ୍ୟଛାୟୀ ଉଭୟଙ୍କ ଉପରେ ପତିତ ହୋଇ ବିଲୁପ୍ତ ହେଲା । ପଦ୍ମମାଳୀ ସଂଶୟାବିଷ୍ଟ ଚିତ୍ତରେ ଏ ଯୁବକର ଗତି ନିରୀକ୍ଷଣ କରୁଥିଲା ।

 

ରାତ୍ରିର ମଧ୍ୟଭାଗ ଅତୀତ ହେଲାଣି । ଯାତ୍ରୀମାନେ କେବଳ ମହାଦୀପ ଉଠିବାର ପ୍ରତୀକ୍ଷାରେ ଅଛନ୍ତି । ମହାଦୀପ ଉଠିଲେ ସେମାନେ ଯେ ଯାହାର ଆବାସକୁ ଯିବେ ଅଥବା ସେହିଠାରେ ବିଶ୍ରାମ କରିବେ । କୃଷ୍ଣପକ୍ଷ ଚତୁର୍ଦ୍ଦଶୀର ରାତ୍ରି, ତହିଁରେ ଆକାଶ ମେଘାଚ୍ଛନ୍ନ ଥିବାରୁ ଗୋଟିଏ ସୁଦ୍ଧା ନକ୍ଷତ୍ର ଦୃଷ୍ଟି ହେଉ ନ ଥିଲା । ସମସ୍ତେ ଏକ ଦୃଷ୍ଟିରେ ମନ୍ଦିରପ୍ରତି ଲକ୍ଷ୍ୟ କରି ରହିଅଛନ୍ତି, ଏପରି ସମୟେ ଶବ୍ଦ ହେଲା ଯେ ‘ମହାଦୀପ ଉଠୁଛି’ । ଦର୍ଶକବୃନ୍ଦଙ୍କର ଦୃଷ୍ଟି ମନ୍ଦିରପ୍ରତି ଚାଳିତ ହେଲା । ଏକ ବ୍ରାହ୍ମଣ ଦକ୍ଷିଣ ହସ୍ତରେ ଏକ ପ୍ରଜ୍ଜ୍ୱଳିତଘୃତ ପ୍ରଦୀପ ଧରି ମନ୍ଦିର ଶିଖରରୁ ଲମ୍ବିତ ଶୃଙ୍ଖଳାକୁ ବାମହସ୍ତରେ ଅବଲମ୍ବନ କରି କ୍ଷିପ୍ତ ପରିଚାଳନାଦ୍ୱାରା ମନ୍ଦିର ଶିଖରକୁ ଆରୋହଣ କରୁଅଛି । ପ୍ରାୟ ଶିଖର ପ୍ରାପ୍ତ ହେଲାଣି, ଏପରି ସମୟେ ସହସା ଘୋରଗର୍ଜନ ସହିତ ମୂଷଳ ଧାରାରେ ବୃଷ୍ଟି ପତିତ ହେଲା । ଦର୍ଶକବୃନ୍ଦଙ୍କ ମଧ୍ୟରେ ଚହଳ ପଡ଼ିଗଲା । ଆଶ୍ରୟ ଉଦ୍ଦେଶ୍ୟରେ ସମସ୍ତେ ବ୍ୟସ୍ତ । ଏହି ଗୋଳମାଳରେ ପୂର୍ବକଥିତ ଯୁବକ ଓ ତାହାର ଅନୁଚର ପଦ୍ମମାଳୀକୁ ବଳପୂର୍ବକ ଅପହରଣ କରି କଂସାରୀମାର୍ଗ ଅବଲମ୍ବନ କରି ଚାଲିଲେ ।

•••

 

ଦ୍ୱିତୀୟ ପରିଚ୍ଛେଦ

ପଦ୍ମମାଳୀର ମୁକ୍ତି

 

ଯୁବକ ଓ ତାହାର ଅନୁଚର ପଦ୍ମମାଳୀକୁ ଘେନି କଂସାରୀ ମାର୍ଗ ଅବଲମ୍ବନ କରି ଚାଲିଲେ । ସଂଜ୍ଞାଶୂନ୍ୟ ବାଳିକାର ମୃତବତ୍ ଦେହକୁ ବାଞ୍ଚ୍ଥାନିଧି ବଳବନ୍ତରାୟ ତାହାର ନିବିଡ଼ ମାଂସପେଶୀ ସଂଶ୍ଳିଷ୍ଟ ସ୍କନ୍ଧରେ ସ୍ଥାପନ କରି ଅବଲୀଳା କ୍ରମେ ମାର୍ଗ ଅତିକ୍ରମ କଲା । ଏପରି ଅବସ୍ଥାରେ ସେମାନେ ଅର୍ଦ୍ଧଘଣ୍ଟାମାର୍ଗ ଅତିବାହନ କଲେ । ବୃଷ୍ଟିଧାରା କ୍ରମେ କ୍ରମେ ବିରଳତା ପ୍ରାପ୍ତ ହେଲା; କିନ୍ତୁ ଅନ୍ଧକାର ନିବିଡ଼ତା ପରିତ୍ୟାଗ କରି ନ ଥିଲା । ପଥିକମାନେ ମୁହୂର୍ମୁହୂ ନିକ୍ଷିପ୍ତ ବିଦ୍ୟୁତ୍ ଆଲୋକଦ୍ୱାରା ଗନ୍ତବ୍ୟ ପଥ ଦେଖି ଚାଲିଲେ । ଅର୍ଦ୍ଧୟଘଣ୍ଟା ଚାଲିଲା ଉତ୍ତାରୁ ପଦ୍ମମାଳୀର ସ୍ପନ୍ଦହୀନ ଦେହରେ ଜୀବନର ଚିହ୍ନ ପୁନରୁଦ୍ରେକ ହେବାର ଦେଖି ଓ ଆପଣାକୁ ସମ୍ପୂର୍ଣ୍ଣ ନିରାପଦ ଜାଣି, ବଳବନ୍ତରାୟ ସେଠାରେ କିୟତ୍‍କ୍ଷଣ ବିଶ୍ରାମ କରିବାର ପ୍ରସ୍ତାବ କଲା । ଯୁବକ ଆଗ୍ରହ ସହକାରେ ଏ ପ୍ରସ୍ତାବ ଅନୁମୋଦନ କରି ଏକ ପ୍ରସ୍ତରଖଣ୍ଡ ଉପରେ ଉପବେଶନ କରି ପଦ୍ମମାଳୀକୁ ଆପଣାର ଅଙ୍କ ଉପରେ ସ୍ଥାପନ କଲା । କ୍ରମେ କ୍ରମେ ପଦ୍ମମାଳୀର ଚୈତନ୍ୟ ଲାଭ ହେଲା । ଘୋରତିମିରାଚ୍ଛନ୍ନ ରାତ୍ରିରେ ଏ ବିଜନ ପ୍ରଦେଶରେ ଅପରିଚିତ ବ୍ୟକ୍ତିଙ୍କର ହସ୍ତଗତା ଅସହାୟା ସରଳା ବାଳିକାର ମନୋଭାବ ପାଠକେ କଳ୍ପନା କରନ୍ତୁ । ଚୈତନ୍ୟ ଲାଭ କରି ଆପଣାକୁ ଏକ ଅପରିଚିତ ପୁରୁଷର ଅଙ୍କସ୍ଥିତା ଦେଖି ବାଳିକା ଭୟ ଓ ଲଜ୍ଜାରେ ଅଭିଭୂତ ହୋଇ ଯୁବକର ଅଙ୍କରୁ ଆପଣାକୁ ମୁକ୍ତ କରି ନିକଟରେ ଉପବିଷ୍ଟ ହେଲା । ବଳିଷ୍ଠ ଯୁବକର ବାହୁ ବନ୍ଧନରୁ ଆପଣାଙ୍କୁ ମୁକ୍ତ କରିବା ଅବଳା ବାଳିକା ପକ୍ଷରେ ଅସାଧ୍ୟ । ବାଳିକାର ମୁକ୍ତ ହେବାର ଇଚ୍ଛା ଦେଖି ଯୁବକ ତାହାକୁ ବାଧାଦେଲା ନାହିଁ । ପଦ୍ମମାଳୀ କିୟତ୍‍କ୍ଷଣ ନୀରବ ହୋଇ ରହିଲା । ଯୁବକ ଓ ତାହାର ଅନୁଚର ମଧ୍ୟ ନୀରବ । ଏହିପରି କେତେକ କାଳ ଅତିବାହିତ ହେଲାରୁ ପଦ୍ମମାଳୀ ତାହାର ଉପସ୍ଥିତ ଅବସ୍ଥା ପର୍ଯ୍ୟାଲୋଚନାନନ୍ତର ସାହସରେ ନିର୍ଭର କରି ଯୁବକକୁ ଜିଜ୍ଞାସା କଲା : –

 

“ଆପଣ କିଏ ? ମୋତେ କିପାଇଁ ଏଠାକୁ ଆଣି ଅଛନ୍ତି ?”

 

ଯୁବକ କହିଲା- ‘‘ସୁନ୍ଦରି ! ତୁମ୍ଭଙ୍କୁ ପ୍ରଥମ ବୈଦ୍ୟନାଥଙ୍କ ମନ୍ଦିରରେ ଦେଖିଲା ସମୟରୁ, ଆମ୍ଭର ଯୌବନ ଓ ସମ୍ପଦ ତୁମ୍ଭର ଚରଣତଳେ ଅର୍ପଣ କରିଅଛୁ । ତୁମ୍ଭେ ଆମ୍ଭପ୍ରତି ଥରେ କୃପାକଟାକ୍ଷ ନ କଲେ ଆମ୍ଭେ ଏ ଜୀବନ ରଖିବୁ ନାହିଁ । ତୁମ୍ଭଙ୍କୁ ପ୍ରାପ୍ତ ନ ହେଲେ ଆମ୍ଭର ଜୀବନ ସଂଶୟ ଜାଣି ତୁମ୍ଭର ପରିଜନମାନଙ୍କ ନିକଟରୁ ତୁମ୍ଭଙ୍କୁ ଆଣିଅଛୁଁ । ସେଥିରେ ଆମ୍ଭର ଯେଉଁ ଅପରାଧ ହୋଇଅଛି ତାହା କ୍ଷମାକର । ଆମ୍ଭଙ୍କୁ ତୁମ୍ଭର ଦାସ ବୋଲି ଦେଖ । ଆମ୍ଭେ ତୁମ୍ଭର ଆଜ୍ଞାକାରୀ ଭୃତ୍ୟ, ଆମ୍ଭ ନିକଟରେ ତୁମ୍ଭର କୌଣସି ଶଙ୍କା କରିବାର ଆବଶ୍ୟକ ନାହିଁ । ଆମେ ବର୍ତ୍ତମାନ ନୀଳଗିରି ରାଜ୍ୟର ପ୍ରଧାନ କର୍ମଚାରୀ । ଶିବପଟ୍ଟନାୟକ କେବଳ ନାମରେ ଦେଓ୍ୟାନ । ଆମ୍ଭର ଯୌବନ ଓ ଐଶ୍ୱର୍ଯ୍ୟ ଆଜିଠାରୁ ତୁମ୍ଭର ଚରଣତଳେ ସମର୍ପଣ କଲୁଁ । ବାରେ କୃପା କଟାକ୍ଷ କର ।” ଏହି ଦୀର୍ଘବକ୍ତୃତା କରି ଯୁବକ ପଦ୍ମମାଳୀର ଚରଣ ଯୁଗଳ ସ୍ୱୀୟକରେ ଧୃତ କରି ନାନାବିଧି ଅନୁନୟ ଆରମ୍ଭ କଲା ।

 

ପଦ୍ମମାଳୀ–“ଆପଣ ଯେଉଁ ରାଜ୍ୟରେ ପ୍ରଧାନ କର୍ମଚାରୀ ଆମ୍ଭେ ସେହି ରାଜ୍ୟର ପ୍ରଜା-। ଆମ୍ଭ ପ୍ରତି ଆପଣଙ୍କର ଏପରି ଅତ୍ୟାଚାର ଶୋଭା ଦିଶୁନାହିଁ । ଆମ୍ଭେ ଜଣେ ସାମାନ୍ୟ ପ୍ରଜା, ଆମ୍ଭର ଚରଣ ଧରିବାର ଆପଣଙ୍କର ଉଚିତ ନୁହେଁ । ଆମ୍ଭର ଚରଣ ଛାଡ଼ନ୍ତୁ ।”

 

ଯୁବକ (ଚରଣ ପରିତ୍ୟାଗ କରି) ‘‘ତୁମ୍ଭେ ନୀଳଗିରିର ପ୍ରଜା ଶୁଣି ଆମ୍ଭେ ବଡ଼ ସୁଖୀ ହେଲୁଁ । ଆମ୍ଭେ କୌଣସି ପ୍ରକାର ଅତ୍ୟାଚାର କରୁଅଛୁଁ ଏହା କ୍ଷଣମାତ୍ର ମନରେ ସ୍ଥାନ ଦିଅନା । ତୁମ୍ଭଙ୍କୁ ଦେଖିଲା ସମୟରୁ ଆମ୍ଭର ଜ୍ଞାନ ଲୋପ ହୋଇଅଛି; ଅଜ୍ଞାନ ଅବସ୍ଥାରେ ଆମ୍ଭେ କୌଣସି ପ୍ରକାର ରୂଢ଼ ବ୍ୟବହାର କରିଥିଲେ ଆମ୍ଭଙ୍କୁ କ୍ଷମା କର । ଆମ୍ଭ ନିକଟରେ ରହିଲେ ତୁମ୍ଭେ ନୀଳଗିରି ରାଜ୍ୟର ରାଣୀ ସଦୃଶ ସମ୍ମାନୋପଭୋଗ କରିବ ଜାଣି, ଯଦି ଆମ୍ଭେ ତୁମ୍ଭଙ୍କୁ ତୁମ୍ଭର ପରିଜନଙ୍କ ନିକଟକୁ ଆଣି କୌଣସି ଅପରାଧ କରି ଥାଉଁ, ତାହା କ୍ଷମାକର ।”

 

ପଦ୍ମମାଳୀ–‘‘ଆପଣ ବିଜ୍ଞ ବିବେଚକ । ନୀଳଗିରିର ଆପଣ ଶାସନକର୍ତ୍ତା । ଏପରି ଅବସ୍ଥାରେ ଆମ୍ଭଙ୍କୁ ଆଣି ଆପଣ ଶାସନକର୍ତ୍ତାର ଉପଯୁକ୍ତ କାର୍ଯ୍ୟ କରିଛନ୍ତି କି ? ଆମ୍ଭର ମାତାଙ୍କ ନିକଟରେ ବର୍ତ୍ତମାନ ଆମ୍ଭଙ୍କୁ ଛାଡ଼ି ଆସନ୍ତୁ । ତାହାହେଲେ ଆପଣ ଆମ ପ୍ରତି ଯେଉଁ ବଳ ପ୍ରକାଶ କରିଅଛନ୍ତି ତାହା ଆମ୍ଭେ ବିସ୍ମରଣ କରିବୁଁ । ଆମ୍ଭେ ପାଞ୍ଚଗଡ଼ର ପଟୋୟାରୀ ଜଗବନ୍ଧୁ ପଟ୍ଟନାୟକଙ୍କର ଦୁହିତା । ଆମ୍ଭଙ୍କୁ ଯେବେ ଆପଣ ବିବାହ ହେବାକୁ ଇଚ୍ଛା କରନ୍ତି ତାହାହେଲେ ତାହାଙ୍କ ନିକଟକୁ ଭଲଲୋକ ପଠାନ୍ତୁ । ପିତା ଆମ୍ଭଙ୍କୁ ଯାହାଙ୍କ ହସ୍ତେ ଅର୍ପଣ କରିବେ ଆମେ ତାହାଙ୍କର ଦାସୀ ହୋଇ ସୁଖରେ ରହିବୁଁ; କିନ୍ତୁ ତାଙ୍କର ଅନୁମତି ନ ନେଇ ଯେ ଆମ୍ଭଙ୍କୁ ଅଧୀନସ୍ଥ କରି ରଖିବ ସେ ପୃଥିବୀର ସମ୍ରାଟ ହେଲେହେଁ ଆମେ ଶତ୍ରୁ ବୋଲି ଜ୍ଞାନ କରିବୁଁ । ପିପାସାରେ ଆମ କଣ୍ଠ ଶୁଷ୍କ ହେଉଅଛି, ଆମ୍ଭଙ୍କୁ କିଞ୍ଚିତ୍ ଜଳ ଦେଉନ୍ତୁ ।”

 

ଯୁବକ ଅନୁଚରକୁ ଜଳ ଆଣିବା ନିମନ୍ତେ ଆଦେଶ କଲା ଓ ସେ ତତ୍‍କ୍ଷଣାତ ନିକଟସ୍ଥ ଗ୍ରାମରୁ ଜଳ ଆଣିବା ପାଇଁ ପ୍ରସ୍ଥାନ କଲା । ଧର୍ମଜ୍ଞାନଶୂନ୍ୟ ପାପାଶକ୍ତ ଯୁବକର ହୃଦୟରେ ପଦ୍ମମାଳୀ ସ୍ପର୍ଶସୁଖ ଅନୁଭବ କରି କାମାଗ୍ନି ପ୍ରଜ୍ଜ୍ଵଳିତ ହୋଇଥିଲା ଓ ପଦ୍ମମାଳୀ ସନ୍ନିକର୍ଷ ଥିବାରୁ ଯୁବକ ସେ ଅଗ୍ନିରେ ଦହ୍ୟମାନ ହେଉଥିଲା ।ବର୍ତ୍ତମାନ ପଦ୍ମମାଳୀକୁ ଏକାକିନୀ ପାଇ ତାହାର ଇଚ୍ଛା ଦ୍ୱିଗୁଣିତ ବର୍ଦ୍ଧିତ ହେଲା । ଯୁବକ ଧୀରେ ଧୀରେ ପଦ୍ମମାଳୀର କ୍ଷୁଦ୍ର ହସ୍ତର ଚମ୍ପକାଙ୍ଗୁଳି ସବୁ ହସ୍ତରେ ଧାରଣ କରି କରୁଣସ୍ୱରେ ଆରମ୍ଭ କଲା :–

 

‘‘ସୁନ୍ଦରି ! ତୁମ୍ଭର ଅଲକ୍ଷ୍ୟ ନିକ୍ଷିପ୍ତ କଟାକ୍ଷବାଣ ଆମ୍ଭର ହୃଦୟକୁ ଜର୍ଜ୍ଜରୀଭୂତ କରିଅଛି । ତୁମ୍ଭେ ଆଉ ଆମ୍ଭପ୍ରତି ନିଷ୍ଠୁର ହୁଅ ନାହିଁ । ଆମ୍ଭଙ୍କୁ ଅନୁଗ୍ରହ ନ କଲେ ନିଶ୍ଚୟ ବର୍ତ୍ତମାନ ଆମ୍ଭର ଏ ପ୍ରାଣକୁ ତୁମ୍ଭର ଚରଣତଳେ ବିସର୍ଜ୍ଜନ କରିବୁଁ । ବାରେ ବୋଲ ଯେ ଆମ୍ଭର ଏ ପ୍ରଗାଢ଼ ପ୍ରେମ ତୁମ୍ଭଠାରେ ନିରାଶ ହେବ ନାହିଁ ।”

 

ପଦ୍ମମାଳୀ–‘‘ଆମ୍ଭେ କହିଅଛୁଁ ଯେ ଆମ୍ଭଙ୍କୁ ସମର୍ପଣ କରିବା ବା ନ କରିବାର କ୍ଷମତା କେବଳ ଆମ୍ଭର ପିତାଙ୍କର ଅଛି । ଅତଏବ ଏ ବିଷୟରେ ଆପଣ ଆମ୍ଭଙ୍କୁ ଅଧିକ କହନ୍ତୁ ନାହିଁ ।’’ ଏହା କହି ପଦ୍ମମାଳୀ ଯୁବକର ହସ୍ତରୁ ଆପଣାର ହସ୍ତକୁ ଓଟାରି ନେଲା ।

 

ଯୁବକ–‘‘ପଟୁଆରୀ ଆମ୍ଭଙ୍କୁ ଜାମାତା କରିବା ଅଗୌରବ ଜ୍ଞାନ କରିବେ ନାହିଁ; ଏହା ଆମ୍ଭର ଭରସା ହେଉଅଛି, କିନ୍ତୁ ତାହାଙ୍କ ନିକଟରେ ଭଲଲୋକଦ୍ୱାରା ପ୍ରସ୍ତାବ କରିବା ପୂର୍ବରେ ତାହାଙ୍କ କନ୍ୟାର ଆମ୍ଭଠାରେ ଅନୁରାଗ ଅଛି, ଏହା ଜାଣିଲେ ଆମ୍ଭେ ଆପଣାକୁ ପରମସୁଖୀ ଓ ଭାଗ୍ୟବାନ୍‍ ମଣିବୁଁ ।’’

 

ପଦ୍ମମାଳୀ ଏଥର ସହଜରେ ଉତ୍ତର ଦେଇ ପାରିଲା ନାହିଁ । ସେ ବାଳିକା ତାହାର ଅନ୍ତରରେ ଅଦ୍ୟାବଧି ପ୍ରେମକୀଟ ପ୍ରବେଶ କରିନାହିଁ । ପ୍ରେମ କି ପଦାର୍ଥ ତାହା ସେ ହୃଦୟଙ୍ଗମ କରିନାହିଁ । ଅପହର୍ତ୍ତା ପ୍ରତି ତାହାର ଅନୁରାଗ ଜାତ ହେବା ଦୂରେ ଥାଉ ସେ ତାକୁ ପରମ ଶତ୍ରୁ ତୁଲ୍ୟ ଦେଖୁଥିଲା ଓ ଲୋକେ କୌଣସି ଘୃଣିତ ପଦାର୍ଥକୁ ପରିତ୍ୟାଗ କରିବାକୁ ଯେରୂପ ବ୍ୟଗ୍ର ହୁଅନ୍ତି ଓ ତଦ୍ରୁପ ଯୁବକକୁ ସେ ପରିତ୍ୟାଗ କରିବାକୁ ବ୍ୟଗ୍ର ଥିଲା । ତାହାର ଉପସ୍ଥିତ ଅବସ୍ଥା ସେ ମନେ ମନେ ପର୍ଯ୍ୟାଲୋଚନା କଲା । ଦେଖିଲା ଯେବେ ସେ ଅଳୀକବାକ୍ୟ ଦ୍ୱାରା ଯୁବକ ପ୍ରତି ଅନୁରାଗଶୀଳତାର ଭାବ ବ୍ୟକ୍ତ କରିବ ତାହା ହେଲେ ତାହାର ଏ ମହାୟହୀନ ଅବସ୍ଥାର ସୁଯୋଗ ପାଇ, ଯୁବକ ତାହା ପ୍ରତି କୌଣସି ଅତ୍ୟାଚାର ବା ବଳପ୍ରକାଶ କଲେ ତାହାକୁ ଅନିଚ୍ଛାକ୍ରମେ ଯୁବକର ଅତ୍ୟାଚାରର ଫଳଭୋଗିନୀ ହେବାକୁ ହେବ । ଅନ୍ୟ ପକ୍ଷରେ ସେ ଯୁବକ ପ୍ରତି ତାହାର ମନୋଭାବ ପ୍ରକାଶ କଲେ ତଦ୍ଦ୍ୱାରା ଯୁବକର କ୍ରୋଧର ଉଦ୍ରେକ ହେବ । ଏ ବିଷମ ସଂକଟରେ ସେ ଥରେ ବାବା ବୈଦ୍ୟନାଥଙ୍କୁ (ଯାହାଙ୍କ ପ୍ରୀତି ସକାଶେ ସେ ଆଜି ବ୍ରତଧାରଣ କରିଥିଲା) ସ୍ମରଣ କଲା । ମା ମଙ୍ଗଳାଙ୍କୁ ଏ ବିପଦରୁ ଉଦ୍ଧାର ପାଇଲେ ଷୋଡ଼ଶୋପଚାରେ ପୂଜା ଦେବାର ମନସ୍ଥ କଲା । ଆର୍ତ୍ତତ୍ରାଣକୁ ଆର୍ତ୍ତ ବ୍ୟକ୍ତିକୁ ରକ୍ଷା କରିବା ସକାଶେ ପ୍ରାର୍ଥନା କଲା । ତାହାର ସମୁଦାୟ ମନୋବୃତ୍ତିକୁ ଏକତ୍ର କରି ସାହସରେ ନିର୍ଭର କରି ସେ ଯୁବକଙ୍କୁ କହିଲା–

 

“ଆପଣ ଆମ୍ଭଙ୍କୁ ଯେ ପ୍ରଶ୍ନ କରି ଅଛନ୍ତି ତହିଁରେ ଉତ୍ତରରେ ଆମ୍ଭେ କହିବାକୁ ଦୁଃଖିତ ହେଉଅଛୁଁ ଯେ ଆମ୍ଭେ ଆପଣଙ୍କର ଅଭିଷ୍ଠାନୁଯାୟୀ ଉତ୍ତର ଦେଇ ପାରୁନାହୁଁ । ପ୍ରକୃତକଥା କହିବାର ଦୋଷ କ’ଣ ? ଆପଣଙ୍କର ବ୍ୟବହାରରେ ଆମ୍ଭେ ଆପଣଙ୍କ ପ୍ରତି ଅନୁରାଗିଣୀ ହୋଇ ପାରିଲୁ ନାହିଁ ।”

 

ଏଥର ଯୁବକକୁ ଚିନ୍ତା କରିବାକୁ ପଡ଼ିଲା । ମନେ ମନେ ବିଚାର କଲା, ଯେବେ ଏ ଆମ୍ଭ ପ୍ରତି ଅନୁରାଗିଣୀ ନୁହେଁ, ତେବେ ଯେ ଏହାର ବାପ ଆମ୍ଭ ଦୁହିଙ୍କର ମିଳନରେ ସମ୍ମତ ହେବ ଏହା କଦାପି ନୁହେଁ । ଆମ୍ଭେ ଏହାକୁ ଏତେ ଅନୁନୟ ବିନୟ କଲୁଁ ତଥାପି ଏହାର ମନ ଫେରିଲା ନାହିଁ । କି !!! ଦୁର୍ଯ୍ୟୋଧନ ଦାସ ଯାହା ନାମରେ ନୀଳଗିରି ରାଜ୍ୟ କମ୍ପମାନ, ଏକ ସାମାନ୍ୟ ପ୍ରଜାର ଦୁହିତାର ଅବଜ୍ଞା ଓ ଅବମାନନା ସହ୍ୟ କରିବ ? ଦୁର୍ଯ୍ୟୋଧନ ଦାସ ଯାହାର କୃପା କଟାକ୍ଷକୁ ନୀଳଗିରି ରାଜ୍ୟର ସମଗ୍ର ସ୍ତ୍ରୀ ଅବିରତ କାମନା କରନ୍ତି, ସେ ଏକ ସାମାନ୍ୟ ପ୍ରଜାର କନ୍ୟାର ଅନୁଗ୍ରହାକାଙ୍‍କ୍ଷୀ ହୋଇ ତାହାର ପଦାନତ ହୋଇ ଦାସତ୍ୱ ସ୍ୱୀକାର କରିଥିଲେ ହେଁ, ତାହାର ଅବଜ୍ଞାର ପାତ୍ର ହେବ ? ଏହା କେବେହେଁ ହେବ ନାହିଁ । ଯେଉଁ ରମଣୀକୁ ଆମ୍ଭେ ଉପଭୋଗ କରିବାକୁ ଇଚ୍ଛା କରୁ ସେ ଆମ୍ଭର ହସ୍ତଗତ । ଆମ୍ଭଙ୍କୁ ପ୍ରୀତି କରିଥିଲେ ସେ ଆଜି ନୀଳଗିରି ରାଜ୍ୟର ରାଣୀର ସମ୍ମାନ ଲାଭ କରିଥାନ୍ତା; କିନ୍ତୁ ଆମ୍ଭପ୍ରତି ଏରୂପ ବ୍ୟବହାର କରୁଥିବାରୁ ଆମ୍ଭେ ତାହାକୁ ଉପଭୋଗ୍ୟା ସ୍ତ୍ରୀ କରି ରଖିବା । ବର୍ତ୍ତମାନ ସେ ଆମ୍ଭର ହସ୍ତଗତ । ଥରେ ତାହାର ସତୀତ୍ଵ ରତ୍ନରୁ ବଞ୍ଚିତ ହେଲେ ସେ ଚିରକାଳ ଆମ୍ଭର ଆୟତ୍ତାଧିନ ହୋଇ ରହିବ । ଏହା ମନେ ମନେ ଅନୁଧାବନ କରି ଦୁର୍ଯ୍ୟୋଧନ ଦାସ (ଆଉ ଯୁବକ ବୋଲି ପରିଚୟ ଦେବା ଆବଶ୍ୟକ ନାହିଁ) କହିଲା–

 

“ଦେଖ, ଆମ୍ଭେ ଦୁର୍ଯ୍ୟୋଧନ ଦାସ । ନୀଳଗିରି ରାଜ୍ୟରେ ଏପରି କୌଣସି ରମଣୀ ନାହିଁ, ଯେ ଆମ୍ଭର କୃପାର ପ୍ରାର୍ଥିନୀ ନୁହେ । ତୁମ୍ଭର ପଦାନତ ହୋଇ ଆମ୍ଭେ ତୁମ୍ଭର କୃପା ପ୍ରାର୍ଥନା କଲୁଁ । ଆମ୍ଭର ବାସନା ପୂର୍ଣ୍ଣ କରିଥିଲେ ତୁମ୍ଭେ ନୀଳଗିରି ରାଜ୍ୟର ରାଣୀର ସମ୍ପଦ ଉପଭୋଗ କରନ୍ତ; କିନ୍ତୁ ତୁମ୍ଭେ କାହା କଲ ନାହିଁ । ବରଂ ତୁମ୍ଭର ଆଚରଣ ଦ୍ୱାରା ଆମ୍ଭର କ୍ରୋଧ ଜାତ କଲ । ତୁମ୍ଭେ ଆମ୍ଭର ହସ୍ତଗତ । କଳରେ ହେଉ ବା କୌଶଳରେ ହେଉ ବା ବଳରେ ହେଉ ଆମ୍ଭେ, ତୁମ୍ଭଙ୍କୁ ହସ୍ତଗତ କରିଅଛୁଁ । ଆମ୍ଭର ଇଚ୍ଛା ସାଧନ କରିବା, ଦେଖିବା ଏଥିରେ କିଏ ପ୍ରତିବନ୍ଧକ ହେବ ?” ଏହା କହି ଦୁର୍ଯ୍ୟୋଧନ ପଦ୍ମମାଳୀକୁ ସବଳେ ଆପଣାର ଅଙ୍କୋପରିସ୍ଥାପନ କରିବାର ଉଦ୍ୟମ କଲା । ନିରାଶ୍ରୟା ବାଳିକା ଉପାୟବିହୀନା ହୋଇ ଉଚ୍ଚୈସ୍ୱରରେ ଆପଣାର ଜନ୍ମଧାତ୍ରୀଙ୍କୁ ସ୍ମରଣ କଲା ।

 

ପାଠକଙ୍କର ସ୍ମରଣ ଥିବ ଯେ ଯେତେବେଳେ ଦୁର୍ଯ୍ୟୋଧନ ଓ ବଳବନ୍ତରା ପଦ୍ମମାଳୀକୁ ଅପହରଣ କରିବାର ପରାମର୍ଶ କରୁଥିଲେ ସେମାନଙ୍କ ଉପରେ ଏକ ମନୁଷ୍ୟ ଛାୟା ପତିତ ହୋଇ ବିଲୁପ୍ତ ହୋଇଥିଲା । ଯେଉଁ ବ୍ୟକ୍ତିର ଛାୟା, ସେ ବ୍ୟକ୍ତି ଅଲକ୍ଷିତ ଭାବେ ଏ ଦୁହିଁଙ୍କର କଥୋପକଥନ ଶୁଣୁଥିଲେ ଓ ଛାୟାର ନ୍ୟାୟ ଏମାନଙ୍କର କାୟାର ଅଲକ୍ଷିତ ଭାବେ ପଶ୍ଚାତ୍ ପଶ୍ଚାତ୍ ରହିଥିଲେ । ସେ ବ୍ୟକ୍ତି ପ୍ରଚ୍ଛନ୍ନଭାବେ ଦୁର୍ଯ୍ୟୋଧନ ଦାସର ପଶ୍ଚାତ୍ ପଶ୍ଚାତ୍ ଆସିଥିଲେ ଓ ତାହାର କାର୍ଯ୍ୟାବଳୀ ମନୋଯୋଗର ସହିତ ଦେଖୁଥିଲେ । ଦୁର୍ଯ୍ୟୋଧନ ଦାସଠରୁ କିୟତ୍‍ଦୂରେ ଏକ ଆମ୍ର ବୃକ୍ଷର ଅନ୍ତରାଳେ ସ୍ଥିତ ହୋଇ ସେ ସମୁଦାୟ ଘଟନା ପର୍ଯ୍ୟବେକ୍ଷଣ କରୁଥିଲେ । ବର୍ତ୍ତମାନ ପଦ୍ମମାଳୀର ଆର୍ତ୍ତନାଦ ଶ୍ରବଣ କରି, ଦୁଷ୍ଟ ବାଳିକା ପ୍ରତି ଅତ୍ୟାଚାର ଆରମ୍ଭ କରୁଅଛି ଜାଣି ଅପରିଚିତ ବ୍ୟକ୍ତି ତାହାଙ୍କର ଲୁକ୍‍କାୟିତ ସ୍ଥାନରୁ ବହିର୍ଗତ ହୋଇ ବିଦ୍ୟୁତ୍‍ବେଗେ ଦୁର୍ଯ୍ୟୋଧନ ଦାସର ସମୀପରେ ଉପନୀତ ହେଲେ । ବୃଥା ବାକ୍ୟବ୍ୟୟ ନ କରି ପ୍ରଥମ ଉଦ୍ୟମରେ ସେ ପଦ୍ମମାଳୀକୁ ଦୁର୍ଯ୍ୟୋଧନ ହସ୍ତରୁ ମୁକ୍ତ କଲେ । ଦୁର୍ଯ୍ୟୋଧନ କ୍ରୋଧରେ କମ୍ପିତ କଳେବର ହୋଇ କହିଲା- “ତୁ କିଏ, ଯେ ଆମ୍ଭର କ୍ରୋଧର ଉଦ୍ଦ୍ରେକ କରିବାକୁ ସାହସ କରୁ ?”

 

ଆଗନ୍ତୁକ–“ଆମ୍ଭେ ନିରାଶ୍ରୟ ଓ ଅସହାୟ ବ୍ୟକ୍ତିଙ୍କର ସହାୟକାରୀ ।”

ଦୁର୍ଯ୍ୟୋଧନ–“ଆଛା, ଏହାକୁ କିପରି ଆମ୍ଭ ହସ୍ତରୁ ରକ୍ଷା କରିବୁ ଦେଖିବା ।”

 

ଏହା କହି ଆଗନ୍ତୁକ ପ୍ରତି ଏକମୁଷ୍ଟି ଚାଳନା କଲା । ବିନାକାରଣରେ ଦୁର୍ଯ୍ୟୋଧନକୁ ଆକ୍ରମଣ କରିବାର ଆଗନ୍ତୁକଙ୍କର ଇଚ୍ଛା ନ ଥିଲା, କିନ୍ତୁ ଦୁର୍ଯ୍ୟୋଧନ ପ୍ରଥମ ଆକ୍ରମଣ କଲାରୁ, ସେ ତାହାଙ୍କର ବଳିଷ୍ଠ ଭୁଜଯୁଗଳ ଦ୍ୱାରା ତାହାର କଟି ଦେଶକୁ ବେଷ୍ଟନ କଲେ । ପରସ୍ପର ବକ୍ଷକୁ ବକ୍ଷ ଦେଇ ଉଭୟଙ୍କର ତୁମୂଳ ମଲ୍ଲଯୁଦ୍ଧ ଆରମ୍ଭ ହେଲା ଉଭୟେ ବ୍ୟାୟାମ କୁଶଳ, କେହି କାହାକୁ ଊଣା ନୁହନ୍ତି, କ୍ଷଣକାଳ ଏପରି ମଲ୍ଳଯୁଦ୍ଧ ହେଲାଉତ୍ତାରୁ ଆଗନ୍ତୁକ ସିଂହବିକ୍ରମେ ଦୁର୍ଯ୍ୟୋଧନକୁ ଭୂପତିତ କରି, ତାହାର ବକ୍ଷୋପଦେଶେ ଜାନୁ ଓ କଣ୍ଠେ ମୁଷ୍ଟି ରୋପିତ କରି ଏକ ସାଙ୍କେତିକ ଶବ୍ଦ କରିବାମାତ୍ର, ଏକ ତୃତୀୟବ୍ୟକ୍ତି ସେଠାରେ ଆସି ଉପସ୍ଥିତ ହେଲା । ଆଗନ୍ତୁକ ତାହାଙ୍କ ଅନୁଚରର ସାହାଯ୍ୟରେ ଦୁର୍ଯ୍ୟୋଧନର ହସ୍ତଦ୍ୱୟକୁ ତାହାର ଉତ୍ତରୀୟ ବସ୍ତ୍ରଦ୍ୱାରା ପୃଷ୍ଠଦେଶେ ଦୃଢ଼ରୂପେ ବନ୍ଧନକରି, ସମୀପସ୍ଥ ଏକ ପ୍ରାଚୀନ ବଟବୃକ୍ଷର ମୂଳ ଦେଶେ ତାହାକୁ ବନ୍ଧନ କରି କହିଲେ । “ଦୁରାତ୍ମା ପାପର ଫଳ ଭୋଗ କର ।”

 

ଦୁର୍ଯ୍ୟୋଧନ କହିଲା–“ଦୁର୍ଯ୍ୟୋଧନ ଦାସ ଏହାର ଏକ ଦିନ ପ୍ରତିହିଂସା ନେବ ।” ଏହା କହି ବିଷହୀନ ଅଜଗର ନ୍ୟାୟ ତର୍ଜନ ଗର୍ଜନ କଲା । ଆଗନ୍ତୁକ ତାହାର ଆସ୍ଫାଳନରେ ଭ୍ରୂକ୍ଷେପ ମାତ୍ର ନ କରି ଅନୁଚର ସହିତ ପଦ୍ମମାଳୀ ଯେଉଁଠାରେ ଥିଲା ସେଠାକୁ ଆସିଲେ ।

•••

 

ତୃତୀୟ ପରିଚ୍ଛେଦ

ଅନୁରାଗ

 

ଅପରିଚିତବ୍ୟକ୍ତି ତା’ଙ୍କର ଅନୁଚର ସହିତ ପଦ୍ମମାଳୀ ନିକଟରେ ଉପସ୍ଥିତ ହେଲେ । ପଦ୍ମମାଳୀ ବାତାହତକଦଳୀର ନ୍ୟାୟ କମ୍ପିତ ହେଉଥିବାର ଦେଖି, ତାହାକୁ ନିର୍ଭୟ ହେବାକୁ ଆଶ୍ୱାସନା ଦେଲେ । ଆମ୍ଭମାନଙ୍କର ମନର ଏକ ଅତୀବ ଆଶ୍ଚର୍ଯ୍ୟ ଧର୍ମ ଅଛି, କି ଯଦ୍ଦ୍ୱାରା ସେ ଏକ ଏକ ବ୍ୟକ୍ତିଙ୍କ ପ୍ରତି ସହଜରେ ଆକୃଷ୍ଟ ହୁଏ ଓ କେତେକ ବ୍ୟକ୍ତିଙ୍କଠାରୁ ଦୂରରେ ରହିବାକୁ ଇଚ୍ଛାକରେ । ଦୁର୍ଯ୍ୟୋଧନ ସମ୍ବନ୍ଧେ ପଦ୍ମମାଳୀ ମନରେ ଶେଷୋକ୍ତ ଧର୍ମଟି ପ୍ରକାଶ ହୋଇଥିଲା, କିନ୍ତୁ ଅପରିଚିତ ବ୍ୟକ୍ତିଙ୍କ ସମ୍ବନ୍ଧେ ତହିଁର ବିପରିତ ଭାବ ଧାରଣ କଲା । ପଦ୍ମମାଳୀ ଇତିପୂର୍ବେ ଆଗନ୍ତୁକଙ୍କୁ ଦେଖି ନ ଥିଲା, କିମ୍ବା ତାହାଙ୍କ ସହିତ ପଦେ ବାକ୍ୟ ସୁଦ୍ଧା ବିନିମୟ ଏପରି କରି ନ ଥିଲା, ତଥାପି ଆଗନ୍ତୁକ ପଦ୍ମମାଳୀଙ୍କୁ ଆଶ୍ୱାସନା ଦେବା ପୂର୍ବରୁ ତାହାର ମନ ତା’ଙ୍କପ୍ରତି ସ୍ୱତଃ ଆକୃଷ୍ଟ ହୋଇଥିଲା ଓ ସେ ନିଶ୍ଚୟ କରିଥିଲା ଯେ ଏ ବ୍ୟକ୍ତି ତାହାର ମିତ୍ର; ଓ ଏହାଙ୍କଠାରେ ତାହାର କୌଣସି ଭୟ ନାହିଁ । ଏପରି କାହିଁକି ହୁଏ, ତାହା ଆମ୍ଭେ କହିବାକୁ ସମ୍ପୂର୍ଣ୍ଣ ଅକ୍ଷମ । ମନୋବିଜ୍ଞାନବେତ୍ତା ପାଠକେ ଏହାର ତଥ୍ୟାନୁସନ୍ଧାନ କରନ୍ତୁ, କିନ୍ତୁ ଇତିବୃତ୍ତ ଲେଖିବାକୁ ଆରମ୍ଭ କରି ଆମ୍ଭେ ସତ୍ୟର ଅପଳାପ କଲେ ଆମ୍ଭର କର୍ତ୍ତବ୍ୟକାର୍ଯ୍ୟରେ ତ୍ରୁଟି କରିବୁଁ । ଯାହା ପ୍ରକୃତ ଘଟିଥିଲା କେବଳ ତାହା ଆମ୍ଭେ ଲେଖୁଅଛୁଁ ।

 

ଅପରିଚିତ ବ୍ୟକ୍ତିଙ୍କଠାରୁ ଆଶ୍ୱାସନା ପାଇ ପଦ୍ମମାଳୀ କହିଲା, ‘‘ମହାଭାଗ ! ଆମ୍ଭର ବୋଧହୁଏ ଆପଣ କୌଣସି ଦେବତା ହେବେ, ଯେ କୃପାକରି ଆମ୍ଭଙ୍କୁ ବିପଦ୍‍ଗ୍ରସ୍ତ ଦେଖି ଉଦ୍ଧାର କରିବା ସକାଶେ ଅବତୀର୍ଣ୍ଣ ହୋଇ ଅଛନ୍ତି । ଆମ୍ଭ ପିତା ଆମ୍ଭଙ୍କୁ ଜନ୍ମଦାନ କରିଅଛନ୍ତି ସତ କିନ୍ତୁ ଆଜି ଆପଣ ଆମ୍ଭଙ୍କୁ ସ୍ୱଚ୍ଛାଚାରୀ ଦୁର୍ବୁତ୍ତ ହସ୍ତରୁ ରକ୍ଷାକରି ଆପଣଙ୍କର ଚିରକାଳ ସକାଶେ ଋଣୀ କରି ରଖିବା ହେଲେ । ଆପଣଙ୍କର ଋଣ ଆମ୍ଭେ କେବେହେଁ ପରିଶୋଧ କରି ପାରିବୁଁ ନାହିଁ ।”

 

ଷୋଡ଼ଶୀ ବାଳିକାର ଏ ଉତ୍ତରରେ ପାଠକ ଓ ପାଠିକାମାନେ ବିସ୍ମିତ ହୋଇ ପାରିବେ । କିନ୍ତୁ ସେମାନଙ୍କର ବିସ୍ମୟ ଦୂରୀକରଣ ସକାଶେ ଏଠାରେ ଆମ୍ଭର କହିବାର ଉଚିତ ଯେ ପଦ୍ମମାଳୀ ଜଗବନ୍ଧୁ ପଟ୍ଟନାୟକଙ୍କର ଏକମାତ୍ର ଅପତ୍ୟ । ପଟ୍ଟନାୟକ ମହାଶୟ ସ୍ୱଚ୍ଛଳ ଅବସ୍ଥାରେ ଥିଲେ ସେ କେବଳ ପାଞ୍ଚଗଡ଼ର ପଟୁଆରୀ ଓ ସେ ମୌଜାର ବାର୍ଷିକ ଜମା ଅଧିକ ନ ଥିବାରୁ ପାଠକ ପାଠିକାମାନେ ମନେ କରିବେ ନାହିଁ ଯେ ତାହାଙ୍କର ଅବସ୍ଥା ଏକ ସାଧାରଣ ପ୍ରଧାନ କିମ୍ବା ସରବରାକାରର ସଦୃଶ ଥିଲା । ପଟ୍ଟନାୟକଙ୍କର ପୁରାତନଘର । ଅନେକ ପୁରୁଷରୁ ସଞ୍ଚିତ ଧନରେ ସେ ପ୍ରଭୂତ ଲାଖରାଜ, ଜମିଦାରୀ, ଇଲାକାବାଡ଼ିର ଅଧିପତି ଥିଲେ । ଏତେ ଐଶ୍ୱର୍ଯ୍ୟରେ ପଦ୍ମମାଳୀ ତାହାଙ୍କର ଏକମାତ୍ର ଅପତ୍ୟ । ଦଶମବର୍ଷ ଉତ୍ତୀର୍ଣ୍ଣ ହେଲାପୂର୍ବରୁ ପଦ୍ମମାଳୀ କୋଇଲି, ଗୋପୀଭାଷା, ରାହାସ, ଭାଗବତ ଇତ୍ୟାଦି ଗ୍ରନ୍ଥ ସମାପ୍ତ କରିଥିଲା । ତାହାର ବୁଦ୍ଧିର ବିଚକ୍ଷଣତା ଦେଖି ପଟୁଆରୀଙ୍କ କୁଳପୁରୋହିତ ପୁରୁଷୋତ୍ତମ ବିଦ୍ୟାରତ୍ନଙ୍କ ବିଶେଷ ଅନୁରୋଧରେ ପଟ୍ଟୁଆରୀ ପଦ୍ମମାଳୀକୁ କୌମୁଦୀ, ଅମର, କାବ୍ୟ, ନାଟକ ପ୍ରଭୃତି ପଠନ କରାଇଥିଲେ । ଏତଦ୍‍ବ୍ୟତିରେକେ ଲାବଣ୍ୟବତୀ ରସକଲ୍ଲୋଳ, ପ୍ରେମସୁଧାନିଧି, ବିଦଗ୍‍ଧଚିନ୍ତାମଣି ପ୍ରଭୃତି ପୁସ୍ତକ ପଦ୍ମମାଳୀ ପାଠ କରିଥିଲା ଓ ପଦ୍ମମାଳୀ ଜଣେ “ଗୀତାର୍ଥୀ” ବୋଲି ପଟ୍ଟୁଆରୀ ସର୍ବଦା ଶ୍ଳାଘା କରୁଥିଲେ । ପଦ୍ମମାଳୀର ବାକ୍ୟ ଶ୍ରବଣ କରି ଅପରିଚିତବ୍ୟକ୍ତି ପାଠକଙ୍କ ଅପେକ୍ଷା ଅଧିକ ବିସ୍ମିତ ହୋଇଥିଲେ । ଏରୂପ ପ୍ରାଞ୍ଜଳଭାଷା ଓ ବିଶୁଦ୍ଧଭାବ ସେ ପଦ୍ମମାଳୀର ବୟସ୍କା ବାଳିକାଠାରୁ ଆଶା କରି ନ ଥିଲେ । ଅପରିଚିତବ୍ୟକ୍ତି ପ୍ରତ୍ୟୁତ୍ତରେ କହିଲେ–

 

“ଆପଣଙ୍କର କଥା ଶୁଣି ଆମ୍ଭେ ଆପଣଙ୍କର ଶାରୀରିକ ସୌନ୍ଦର୍ଯ୍ୟକୁ କି ଆପଣଙ୍କର ମାନସିକ ସୌନ୍ଦର୍ଯ୍ୟକୁ ଅଧିକ ଜ୍ଞାନ କରିବା, ଏହା ନିଶ୍ଚୟକରି ପାରୁନାହୁଁ । ପରୋପକାର ଓ ଦୁଷ୍ଟର ଦମନ ଆମର ବ୍ରତ । ଆପଣଙ୍କ ଭଳି ସୁନ୍ଦରୀ ଓ ଗୁଣବତୀ ରମଣୀର ଯତ୍ସାମାନ୍ୟ ସାହାଯ୍ୟ କରି ଆଜି ଆମ୍ଭର ବ୍ରତ ସାର୍ଥକ ହେଲା । ବର୍ତ୍ତମାନ ରାତ୍ରି ଅଧିକ ହୋଇଅଛି; ନିକଟରେ ଆଶ୍ରୟ ମିଳିବ । ସେହିଠାରେ ଅଦ୍ୟ ବିଶ୍ରାମ କରନ୍ତୁ, କଲ୍ୟ ପ୍ରତ୍ୟୁଷେ ଆପଣଙ୍କର ଜନନୀଙ୍କୁ ସମ୍ବାଦ ଦେବା ।”

 

ପଦ୍ମ–“ଆପଣଙ୍କର ଚରିତ୍ରର ମହାନୁଭବତା ଓ ନିସ୍ୱାର୍ଥପରତା ଦେଖି ଆମ୍ଭର ଭକ୍ତି ଉତ୍ତରୋତ୍ତର ଆପଣଙ୍କ ପ୍ରତି ଗାଢ଼ତର ହେଉଅଛି । ଆପଣ ଆମ୍ଭଙ୍କୁ “ଆପଣ” ଶବ୍ଦ ପ୍ରୟୋଗ କରିବାରେ ଆମ୍ଭେ ଅତିଶୟ ଲଜ୍ଜିତ ହେଉଅଛୁଁ । ଆମ୍ଭର ନାମ ପଦ୍ମମାଳୀ, ଆମ୍ଭଙ୍କୁ ନାମଦ୍ୱାରା ସମ୍ବୋଧନ କଲେ ଆମ୍ଭେ ସନ୍ତୁଷ୍ଟ ହେବୁଁ । ଆପଣଙ୍କ ଆଶ୍ରୟରେ ଆମ୍ଭେ ନିର୍ଭୟରେ ଅଛୁଁ । ଆପଣ ଆମ୍ଭକୁ ଯେଉଁସ୍ଥାନକୁ ଯିବାକୁ ଆଦେଶ କରିବେ ସେଠାକୁ ଯିବାପାଇଁ ଆମ୍ଭେ ପ୍ରସ୍ତୁତ ।’’

 

ଆଗନ୍ତୁକ–‘‘ଆଚ୍ଛା, ତୁମ୍ଭର ଇଚ୍ଛାନୁସାରେ ଆମ୍ଭେ ତୁମ୍ଭଙ୍କୁ ‘ପଦ୍ମମାଳୀ’ ବୋଲି ଡାକିବୁ । ବର୍ତ୍ତମାନ ଅତିନିକଟରେ ଆଶ୍ରୟ ଅଛି, ଚାଲ ଆଜି ରାତ୍ରି ସେହିଠାରେ ରହିବା । ରାତ୍ରି ଘୋର ଅନ୍ଧକାର ଓ ପଥ ଦୁର୍ଗମ । ଅତଏବ ଆମ୍ଭର ହସ୍ତ ଅବଲମ୍ବନ କରି ଚାଲ ।’’

 

ପଦ୍ମମାଳୀ ଅସଂକୁଚିତଚିତ୍ତେ ଆଗନ୍ତୁକର ବାମହସ୍ତ ଅବଲମ୍ବନ କଲା । କିନ୍ତୁ କି ଆଶ୍ଚର୍ଯ୍ୟ !

 

ସ୍ପର୍ଶମାତ୍ରେ ଉଭୟଙ୍କ ଶରୀର କଣ୍ଟକିତ ହେଲା । ମନୁଷ୍ୟ ହୃଦୟରେ ଏରୂପ ତଡ଼ିତ୍‍ଶକ୍ତି ନିହିତ ଅଛି କି ଯହିଁର ସ୍ରୋତ ଏହି ସ୍ପର୍ଶଦ୍ୱାରା ଉତ୍ପାଦିତ ହେଲା ? ବୈଜ୍ଞାନିକ ପାଠକେ ଏହାର ଉତ୍ତର ଦେଉନ୍ତୁ । ଉଭୟଙ୍କର ଶରୀର କଣ୍ଟକିତ ହେଲା ଓ ଉଭୟେ ଏକ ଅଭୂତପୂର୍ବ ଆନନ୍ଦ ଉପଭୋଗ କଲେ, କିନ୍ତୁ କେହି କାହାକୁ କିଛି ନ କହି ନିଃଶବ୍ଦେ ମାର୍ଗ ଅତିବାହନ କଲେ ।

•••

 

ଚତୁର୍ଥ ପରିଚ୍ଛେଦ

ରାତ୍ରି ଯାପନ

 

ପଥିକତ୍ରୟ ଅର୍ଦ୍ଧଦଣ୍ଡ ଚାଲି ଏକ ମନ୍ଦିର ନିକଟରେ ଉପସ୍ଥିତ ହେଲେ । ମନ୍ଦିର ଅତିକ୍ରମ କରି ଏକସୋପାନାବଳୀ ଆରୋହଣ କରି ଏକଦ୍ୱାର ପ୍ରାପ୍ତ ହେଲେ । ଦ୍ୱାରରେ କରାଘାତ କନନ୍ତେ ଏକଜଣ ଭୃତ୍ୟ ଦ୍ୱାର ଉଦ୍‍ଘାଟନ କଲା । ଭୃତ୍ୟ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ହସ୍ତସ୍ଥିତ ପ୍ରଦୀପ ଭୂମିରେ ରଖି ଭୂମିଷ୍ଠ ହୋଇ ପ୍ରଣାମ କଲା; ଅପରିଚିତବ୍ୟକ୍ତି ଭୃତ୍ୟକୁ ଜିଜ୍ଞାସା କଲେ,–

‘‘ମହନ୍ତ କି ପହଡ଼ ହୋଇଅଛନ୍ତି ?

ଭୃତ୍ୟ–‘‘ଆଜ୍ଞା, ନା ।’’

ଭୃତ୍ୟ ପ୍ରଦୀପହସ୍ତେ ଅଗ୍ରେ ଅଗ୍ରେ ଚାଲିଲା । ଅପରିଚିତ ଯୁବକ, ପଦ୍ମମାଳୀ ଓ ଅନୁଚର ପଶ୍ଚାତ୍ ପଶ୍ଚାତ୍ ଚାଲିଲେ । ଏକ ଦଶନ୍ଧିଖଞ୍ଜା ଅତିକ୍ରମ କରି ଅନ୍ୟ ଏକ ଖଞ୍ଜା ଦେଇ ମହନ୍ତଙ୍କ ଶୟନାଗାରରେ ଉପସ୍ଥିତ ହେଲେ । ଗୃହଟି କାଷ୍ଠନିର୍ମିତ ଦ୍ୱିତଳ । ଭୃତ୍ୟ ପ୍ରଥମେ ଯାଇ ମହନ୍ତଙ୍କୁ ଯୁବକଙ୍କର ଆଗମନ ସମ୍ବାଦ ଦିଅନ୍ତେ ମହନ୍ତ ଶୀଘ୍ର ତାହାଙ୍କୁ ପ୍ରବେଶ କରାଇବାର ଆଦେଶ ଦେଲେ । ଯୁବକ ଓ ପଦ୍ମମାଳୀ ଏକ କାଷ୍ଠନିର୍ମିତ ସୋପାନ ଦେଇ ମହନ୍ତଙ୍କର ଶୟନକକ୍ଷରେ ପ୍ରବେଶ କଲେ ଓ ଭୃତ୍ୟମାନେ ସେଠାରୁ ଅପସୃତ ହେଲେ । ଶୟନକକ୍ଷଟି ଦୀର୍ଘରେ ଚତୁର୍ଦ୍ଦଶ ହସ୍ତ ଓ ପ୍ରସ୍ଥରେ ନବମହସ୍ତ ପରିମିତ ହେବ । ପାର୍ଶ୍ୱରେ ଏକ କ୍ଷୁଦ୍ରାୟତନ ପ୍ରକୋଷ୍ଠ ଥିଲା । ମହନ୍ତ ଏକ କ୍ଷୁଦ୍ର ଚାରପାୟାରେ ଉପବିଷ୍ଟ ଥିଲେ । ତାହାଙ୍କର ସମ୍ମୁଖରେ ଏକଖଣ୍ଡ ତକ୍ତପୋଷ ଥିଲା । ତଦୁପରି ଯୁବକ ପଦ୍ମମାଳୀ ଶିରୋଽବନତ ହୋଇ ମହନ୍ତଙ୍କୁ ଅଭିବାଦନ କରି ଉପବେଶନ କଲେ । ଉପବେଶନାନନ୍ତର ଯୁବକ ପଦ୍ମମାଳୀ ସମ୍ବନ୍ଧେ ଯାହା ଯାହା ଘଟିଥିଲା ତାହା ଅବିକଳ ବର୍ଣ୍ଣନା କଲେ । ବୃଷ୍ଟିରେ ଯୁବକ ଓ ପଦ୍ମାମାଳୀର ବସ୍ତ୍ର ଆର୍ଦ୍ର ହୋଇଥିଲା । ମହନ୍ତ ଯୁବକ ଓ ପଦ୍ମମାଳୀକୁ ନୂତନ ପଟ୍ଟବସ୍ତ୍ର ଓ ଆହାରୀୟ ମିଷ୍ଟାନ୍ନ ଦେବା ପାଇଁ ଭୃତ୍ୟକୁ ଆଦେଶ କଲେ । ଯୁବକ ଓ ପଦ୍ମମାଳୀ ଅର୍ଦ୍ରବସ୍ତ୍ର ପରିତ୍ୟାଗ କରି ଆହାର ପାନୀୟ ଦ୍ୱାରା କ୍ଷୁଧା ତୃଷ୍ଣା ନିବାରଣ କଲା ଉତ୍ତାରୁ ପାର୍ଶ୍ୱସ୍ଥକକ୍ଷରେ ପଦ୍ମମାଳୀର ଶଯ୍ୟା ରଚିତ ହେଲା । ପଦ୍ମମାଳୀ ଶଯ୍ୟାରେ ଶୟନ କଲା, କିନ୍ତୁ ନିଦ୍ରାଭିଭୂତା ହେଲା କି ନାହିଁ ତାହା ପଶ୍ଚାତ୍ ଦେଖିବା ।

ଯୁବକ ଆହାରାଦି ସମାପନ କରି ପର୍ଯ୍ୟଙ୍କରେ ଉପବେଶନ କଲେ ମହନ୍ତ ତାହାଙ୍କୁ ଜିଜ୍ଞାସା କଲେ–

“ତେବେ ଏ କନ୍ୟାଟି ଜଗବନ୍ଧୁ ପଟ୍ଟନାୟକଙ୍କର ?”

ଯୁବକ–“ହଁ, ସେ ପାଞ୍ଚଗଡ଼ର ପଟୁଆରୀ ।”

ମହନ୍ତ–“ମୁଁ ତାହାକୁ ଭଲ କରି ଚିହ୍ନେ । ନୀଳାଦ୍ରି ପଟ୍ଟନାୟକଙ୍କ ପୁଅ ଜଗବନ୍ଧୁ । ମୁଁ ବାଲେଶ୍ୱରରେ ଥିବା ସମୟେ ନୀଳାଦ୍ରୀ ସର୍ବଦା ଆମ୍ଭ ନିକଟକୁ ଆସୁଥିଲା ଓ ମଧ୍ୟେ ମଧ୍ୟେ ମୁଁ ପାଞ୍ଚଗଡ଼ ଯାଉଥିଲି । ଜଗୁ ସେ ସମୟେ ନିହାତି ପିଲାଟି ଥିଲା ତେବେ ଏ ସେ ଜଗୁର ଝିଅ । ପିଲାଟି ଦେଖିବାକୁ ବଡ଼ ସୁନ୍ଦର ।

ଯୁବକ–“ଦେଖିବାକୁ ଯେଡ଼େ ସୁନ୍ଦର ତାହାଠାରୁ ଅଧିକ ଗୁଣବତୀ ।”

ମହନ୍ତ–(ବ୍ୟଙ୍ଗରେ) “କି ତୁମ୍ଭେ ଏତେ ଶୀଘ୍ର ତାହାର ପକ୍ଷପାତୀ ହେଲଣି ?”

ଯୁବକ–“ଆପଣ ଉପହାସ କରନ୍ତୁ, କିନ୍ତୁ ତାହାର ସହିତ ବାକ୍ୟାଳାପ କଲେ ଆମ୍ଭେ ସତ୍ୟ କହୁଅଛୁଁ କି ନା ଜାଣି ପାରିବେ ।”

ମହନ୍ତ–“ଆଚ୍ଛା, ତାହା ଦେଖିବା । ତେବେ ଦୁର୍ଯ୍ୟୋଧନ ଦାସ ଏହାକୁ ଚୋରୀ କରି ନେଉ ଥିଲା । ମୁଁ ଶୁଣି’ଛି ଯେ ଦୁଷ୍ଟ ନୀଳଗିରିରେ ଏକାଧିପତ୍ୟ କରୁଅଛି । ଲୋକଙ୍କର ଧନ, ମାନ, ମହତ୍ତ୍ଵର ରକ୍ଷା ନାହିଁ ।”

ଯୁବକ–‘‘ତେବେତ ସେ ପଦ୍ମମାଳୀ ପ୍ରତି ଅତ୍ୟାଚାର କରିବାରେ କ୍ଷାନ୍ତ ହେବ ନାହିଁ ।

ମହନ୍ତ–‘‘(ସ୍ୱଗତ) ଦେଖାଯା’ଉଛି ଯେ ଟୋକାଟା ଟୋକୀର ରୂପରେ ଭୁଲିଲାଣି । (ପ୍ରକାଶ୍ୟେ) ‘‘ବୋଧହୁଏ ଯେ ସେ ତାହାର କୌଣସି ଅନିଷ୍ଟ କରିପାରିବ ନାହିଁ । ନୀଳାଦ୍ରି ପଟ୍ଟନାୟକଙ୍କର ନାତୁଣୀ ପ୍ରତି ସେ ଅତ୍ୟାଚାର କରିବାକୁ ସାହସ କରିବ, ଏହା ବିଶ୍ୱାସ ହେଉ ନାହିଁ-। ବିଶେଷତଃ ପାଞ୍ଚଗଡ଼ ବାଲେଶ୍ୱରର ଅତି ନିକଟ ଓ ଶୁଣି’ଛୁ ଯେ ବାଲେଶ୍ୱରରେ ବର୍ତ୍ତମାନ ରିକଟ (Ricketts) ସାହେବ ବୋଲି ଜଣେ ମାଜେଷ୍ଟର (Magistrate) ଆସିଛନ୍ତି, ସେ ଅତି ଉତ୍ତମ ପ୍ରଜା ପାଳନ କରୁଅଛନ୍ତି । ତାହାର ନିକଟସ୍ଥ କୌଣସି ପ୍ରଜା ଉପରେ ଦୁର୍ଯ୍ୟୋଧନ ଉପଦ୍ରବ କରିବାକୁ ସମର୍ଥ ହେବ ଏହା ଅସମ୍ଭବ ।

ଯୁବକ–‘‘ସେ ଯାହା ହେଉ ଏହା ପୂର୍ବରୁ ଜାଣିଥିଲେ ତାହାକୁ ଏକ ବୃକ୍ଷରେ ବନ୍ଧନ ନ କରି ଆମ୍ଭ କ୍ଷମତାଧୀନ କରି ରଖିଥାନ୍ତୁ ।

ମହନ୍ତ–‘‘ନା, ତାହା କରିବାର ଆବଶ୍ୟକ ନାହିଁ । ତାହା ଦ୍ୱାରା କିଛି ଅନିଷ୍ଟ ହୋଇ ପାରିବ ନାହିଁ ।

ଯୁବକ–ନୀଳଗିରି ବର୍ତ୍ତମାନ ଅରାଜକ ହୋଇଅଛି; ରାଣୀ ଚିତ୍ରାଦେବୀ ନାବାଳକ ରାଜାଙ୍କର ମହାଫିସ ସ୍ୱରୂପ ରାଜ୍ୟଭାର ହସ୍ତରେ ରଖିଅଛନ୍ତି । ହରିବାକୁ କହନ୍ତି ଯେ ସେଠାରେ ପ୍ରଜାମାନେ ବଡ଼ କଷ୍ଟରେ ଦିନଯାପନ କରୁଅଛନ୍ତି ।’’

ମହନ୍ତ–‘‘ଏପରି ଅବସ୍ଥା ଅନେକ ଦିନ ରହିବ ନାହିଁ । ‘ଅତି ସର୍ବତ୍ର ବାଧ୍ୟତେ’ ।

ଦୁର୍ଯ୍ୟୋଧନ ଯେପରି ଆଚରଣ କରୁଅଛି ତହିଁରେ ତାହାର ପତନ ଅତି ନିକଟ ହେଲାଣି-।’’

ଯୁବକ–‘‘ଆମ୍ଭର ବୋଧ ହୁଏ ଏ ବିଷୟ ସବୁ ବାଲେଶ୍ୱର ସାହେବଙ୍କର କର୍ଣ୍ଣଗୋଚର ହେଲେ କିଛି ପ୍ରତିକାର ହୁଅନ୍ତା । ଆପଣ ସାହେବଙ୍କ ସହିତ ଥରେ ସାକ୍ଷାତ କରି ଏ ସବୁ ତାହାଙ୍କୁ ଜଣାଇଲେ ଭଲ ହେବ ।’’

ମହନ୍ତ–‘‘ହଁ, ବାଲେଶ୍ୱରକୁ ଥରେ ଯିବାର ଇଚ୍ଛା ଅଛି, ଗଲେ ସାହେବଙ୍କ ସହିତ ସାକ୍ଷାତ୍ ହେବ ।

ମହନ୍ତ ଓ ଯୁବକ ଉଭୟଙ୍କର ଏହିପରି କଥୋପକଥନ ହେଲାଉତ୍ତାରୁ ଉଭୟେ ଶୟନ କଲେ ।

•••

 

ପଞ୍ଚମ ପରିଚ୍ଛେଦ

ପ୍ରେମକୀଟ

 

ମଦ୍ମମାଳୀ ଯୁବକଙ୍କୁ ପୂର୍ବରେ ଦେଖି ନ ଥିଲା କିମ୍ବା ଯୁବକ ତାହାକୁ ଉତ୍ତମରୂପେ ଦେଖି ନ ଥିଲେ । ମହନ୍ତଙ୍କ ଶୟନାଗାରରେ ଏକ କ୍ଷୀଣାଲୋକ ଦୀପଜ୍ୟୋତିରେ ପରସ୍ପରଙ୍କର ଦୃଷ୍ଟି ପରସ୍ପରଙ୍କ ଉପରେ ନିପତିତ ହୁଅନ୍ତେ ଉଭୟେ ବିସ୍ମିତ ହେଲେ; ଜାଗ୍ରତ ଥିଲେ କି ସ୍ୱପ୍ନ ଦେଖୁଥିଲେ ଏହା ନିଶ୍ଚୟ କରି ପାରିଲେ ନାହିଁ । ଯୁବକ ମନେ ମେନେ ବିଚାରିଲେ ଯେ ଏପରି ସୁନ୍ଦରୀ ରମଣୀ ପୃଥିବୀରେ ଅଛି ଏହା ସେ ଜାଣି ନ ଥିଲେ । ଯୁବକଙ୍କୁ ଦେଖି ପଦ୍ମମାଳୀ ବିଚାରିଲା କି ସ୍ୱୟଂ କନ୍ଦର୍ପ ମନୁଷ୍ୟ ରୂପରେ ପୃଥିବୀରେ ଅବତୀର୍ଣ୍ଣ ହୋଇ ଅଛନ୍ତି କି ? ସ୍ଥୂଳତଃ ପ୍ରଥମ ଦର୍ଶନରେ ଉଭୟେ ପରସ୍ପର ପ୍ରତି ପ୍ରେମାକୃଷ୍ଟ ହୋଇଥିଲେ । ଯୁବକଙ୍କର ବୟସ ଏକବିଂଶତି ବର୍ଷ ହେବ । ଗୌରକାନ୍ତି ମୁଖରୁ ତେଜସ୍ୱୀପ୍ରଭା ଉଦିତ ହେଉଥିଲା । ବିସ୍ତୃତ ଲଲାଟର ଅଧୋଭାଗରେ ଇନ୍ଦ୍ରଚାପର ନ୍ୟାୟ ଭ୍ରୁଯୁଗଳ, ବିଶାଳ ଈଷତ୍ ଆରକ୍ତିମ ନେତ୍ର ଯୁଗଳର ଶୋଭା ବର୍ଦ୍ଧନ କରୁଥିଲା । ଚକ୍ଷୁଯୁଗଳ ଅଧ୍ୟବସାୟ ଭାବବ୍ୟଞ୍ଜକ ଅଥଚ ଚିତ୍ତହାରୀ ନବ ପ୍ରସୂତ ଶ୍ମଶ୍ରୁଗୁମ୍ପର ତନୁଲୋମରାଜି ମୁଖାବୟବର କମନୀୟତାକୁ ହ୍ରାସ ନ କରି ବରଂ ସମ୍ୟକ୍ ବର୍ଦ୍ଧିତ କରୁଥିଲା । ମହାର୍ଘ ପରିଚ୍ଛଦ ଯୁବକଙ୍କର ଅଙ୍ଗକୁ ମଣ୍ଡନ କରିଥିଲା । ଆକାର ପରିଚ୍ଛଦରୁ ସେ କୌଣସି ଉଚ୍ଚକୁଳକୁ ଅଳଂକୃତ କରିଥିବାର ବ୍ୟକ୍ତ ହେଉଥିଲା । ମହନ୍ତଙ୍କ ଶୟନାଗାରରେ ଉପସ୍ଥିତ ହେଲାରୁ, ମହନ୍ତ ଯୁବକ ଓ ପଦ୍ମମାଳୀକୁ ଉପବେଶନ କରିବାକୁ କହିଲେ । ପଦ୍ମମାଳୀ ଆଲୋକରେ ଯୁବକଙ୍କୁ ଦେଖି ତାହାଙ୍କର ସମାନ ଆସନରେ ଉପବେଶନର ଅନିଚ୍ଛା ପ୍ରକାଶ କଲାରୁ ଯୁବକ ବଳପୂର୍ବକ ହସ୍ତ ଧାରଣ କରି ଆପଣାର ପାର୍ଶ୍ୱରେ ବସାଇଲେ ଓ ତାହା ବାଧା ଦେବାପାଇଁ ପଦ୍ମମାଳୀ ସମର୍ଥା ହେଲା ନାହିଁ । ଲଜ୍ଜାବନତ ମୁଖୀ ହୋଇ ଯୁବକଙ୍କ ପାର୍ଶ୍ୱରେ ଉପବେଶନ କଲା । ଲଜ୍ଜାବନତ ପଦ୍ମମାଳୀର ମୁଖଶ୍ରୀ ଅଧିକତର ଶୋଭା ଧାରଣ କଲା । ଯୁବକ ସେ ମୁଖଶ୍ରୀର ସୌନ୍ଦର୍ଯ୍ୟରୁ ଚକ୍ଷୁ ଅପସୃତ କରି ପାରିଲେ ନାହିଁ । ପଦ୍ମମାଳୀ ମଧ୍ୟ ଯୁବକଙ୍କ ପ୍ରତି ସହସା ଦୃଷ୍ଟି ନିକ୍ଷେପ କରନ୍ତେ, ଉଭୟଙ୍କର ଦୃଷ୍ଟିରଶ୍ମି ସମସୂତ୍ରୀଭୂତ ହେଲା ଏବଂ ଯୁଗପତ୍ ଉଭୟଙ୍କର ହୃଦୟ ଚଞ୍ଚଳ ହେଲା । ବହିର୍ଜଗତର ସହିତ କି ସମ୍ବନ୍ଧ ଅଛି ତାହା ବିଜ୍ଞାନବିଦ୍ ତତ୍ତ୍ଵାନୁସନ୍ଧିତ୍ସୁ ପଣ୍ଡିତମାନେ ନିରୂପଣ କରନ୍ତୁ; କିନ୍ତୁ ଆମେ ଜାଣିଅଛୁଁ ଯେ ଯୁବକ ଯୁବତୀଙ୍କର ନେତ୍ରଯୁଗଳ ଏକତ୍ର ହୁଅନ୍ତେ ଉଭୟଙ୍କର ଅନ୍ତସ୍ତରଙ୍ଗ ବିଘଟିତ ହେଲା ।

 

ବୁଢ଼ାମହନ୍ତ ଉଭୟଙ୍କୁ ସଂଦର୍ଶନ କରି ମନେ ମନେ ବିଚାର କଲା ଯେ ଉଭୟେ ପରସ୍ପରଙ୍କର ମୁଖବର୍ଦ୍ଧନ କରିବା ସକାଶେ ବିଧାତା ଏ ଦୁହିଁଙ୍କୁ ଗଢ଼ିଅଛନ୍ତି । ଏ ଯୁଗଳ ମୂର୍ତ୍ତିଙ୍କୁ ପୃଥକ୍ ରଖିଲେ ଏକ ଅନନୁଭାବନୀୟଶୋଭାରୁ ବଞ୍ଚିତ ହେବ । ଆଉ କିଏ ଦେଖୁ ଅବା ନ ଦେଖୁ ବୁଢ଼ା ଏ ଶୋଭା ଦେଖି ଆପଣା ଚକ୍ଷୁକୁ ସାର୍ଥକ କରିନେଲା । ଯୁବକଙ୍କଠାରୁ ପଦ୍ମମାଳୀର ଅପହରଣ ବୃତ୍ତାନ୍ତ ଶ୍ରବଣ କରି ମହନ୍ତ କହିଲେ–

 

‘‘ଏ ପିଲାକୁ ଦେଖି ଦୁର୍ଯ୍ୟୋଧନ ପ୍ରଲୋଭିତ ହୋଇଥିଲେ ମୁଁ ତାହାଙ୍କୁ ଦୋଷୀ କରେ ନାହିଁ । କାରଣ ମୋହର ଏହି ବୃଦ୍ଧାବସ୍ଥା ହୋଇ ନ ଥିଲେ, ଦୁର୍ଯ୍ୟୋଧନ ପରି ମୁଁ ଏହାକୁ ଚୋରୀ କରିଥାନ୍ତି ।’’

 

ବୃଦ୍ଧର ଏ ବାକ୍ୟ ଶୁଣି ପଦ୍ମମାଳୀ ବ୍ରୀଡ଼ାଯୁକ୍ତ ହୋଇ ମୁଖ ତଳକୁ କରି ବସିଲା । ଅତିଥିଙ୍କର ସେବା ସକାଶେ ମହନ୍ତ ଭୃତ୍ୟଙ୍କୁ ଆଦେଶ କଲେ । ପଦ୍ମମାଳୀର ପରିଚର୍ଯ୍ୟା ନିମନ୍ତେ ଏକ ପରିଚାରିକା ନିଯୁକ୍ତ ହେଲା । ପଦ୍ମମାଳୀ ଆହାରାଦି ସମାପନ କରି ଶଯ୍ୟାରେ ଶୟନ କଲା; କିନ୍ତୁ ନିଦ୍ରା ସହଜରେ ଆସିଲା ନାହିଁ । ଗତ ଏକ ଘଣ୍ଟା ମଧ୍ୟରେ ଯେଉଁ ଯେଉଁ ଘଟଣାମାନ ହୋଇଥିଲା ସେ ତାହା ସବୁ ମନେ ମନେ ଆଲୋଚନା କଲା । ଦୁର୍ଯ୍ୟୋଧନ ଦ୍ୱାରା ତାହା ଅପହରଣ ଓ ଯୁବକ କର୍ତ୍ତୃକ ତାହାର ଉଦ୍ଧାର; ଦୁର୍ଯ୍ୟୋଧନ ପ୍ରତି ବିରାଗ ଓ ଯୁବକ ପ୍ରତି ଅନୁରାଗ, ସମୁଦାୟ ସେ ମନେ ମନେ ପର୍ଯ୍ୟାଲୋଚନା କଲା । ଯୁବକ ତାହାର ମହୋପକାର କରିଥିଲେ, ଏହା ମନେ ମନେ ଧାରଣା ଥିଲା । ଉପକାରକ ପ୍ରତି ସହଜରେ ମନ ଆକୃଷ୍ଟ ହୁଏ । ପଦ୍ମମାଳୀ ଆଲୋକରେ ଯୁବକକୁ ଦେଖିବା ପୂର୍ବରୁ ତାହାଙ୍କର ପକ୍ଷପାତିନୀ ହାଇଥିଲା । ଯେତେବେଳେ ଆଲୋକରେ ତାହାଙ୍କର ରମଣୀ ରଞ୍ଜନ ମୂର୍ତ୍ତି ଦେଖିଲା ତାହାର ହୃଦୟ କନ୍ଦରରେ ପ୍ରେମକୀଟ ପ୍ରବେଶ କଲା । ଯୁବକ ଯୁବତୀରୂପରେ ମୁଗ୍‍ଧ; ଘନ ଘନ ତାହା ପ୍ରତି ଅନିମେଷ ଲୋଚନରେ ଦୃଷ୍ଟି ନିକ୍ଷେପ କରୁଥିଲେ । ସହସା ଯୁବକ ଯୁବତୀଙ୍କର ଚକ୍ଷୁ ଦ୍ୱୟ ମିଳିତ ହେଲା । ଉଭୟଙ୍କର ଦୃଷ୍ଟି ରଶ୍ମି ସମସୂତ୍ରରେ ମିଳିତ ହୁଅନ୍ତେ, ଉଭୟେ କେହି କାହାଠାରୁ ଦୃଷ୍ଟି ଫେରାଇବାକୁ ଇଛା କଲେ ନାହିଁ । ଚକ୍ଷୁ ଦ୍ୱାରା ମନୋଭାବ ବ୍ୟକ୍ତ ହୁଏ କି ? ଆମ୍ଭ ଜାଣିବାରେ ଯୁବକ ଯୁବତୀ ସ୍ୱୀୟ ମନୋଭାବ ବିନିମୟ କଲେ ଯୁବତୀ ମନେ କଲା ସେ ଯୁବକ ସସ୍ନେହନେତ୍ରରେ ତାହା ପ୍ରତି ଦୃଷ୍ଟି କରୁଅଛନ୍ତି ଓ ଯୁବକ ଜାଣିଲେ ଯେ ଯୁବତୀ ତାହାଙ୍କ ପ୍ରତି ଅନୁରାଗବର୍ଜିତା ନୁହେଁ । ଉଭୟେ ପରସ୍ପରଙ୍କର ଚିତ୍ତ ଚୋରୀ କଲେ । ତୃତୀୟ ବ୍ୟକ୍ତି ନିକଟରେ ନ ଥିଲେ, ଏ ଦୁହିଁଙ୍କର କିରୂପ ବ୍ୟବହାର ହୋଇଥାନ୍ତା ତାହା ଆମ୍ଭେ କହି ନ ପାରୁଁ । କିନ୍ତୁ ବୁଢ଼ାଟା ପାଖରେ ଥିଲା । କିୟନ୍ମୁହୂର୍ତ୍ତ ଉଭୟଙ୍କର ଚକ୍ଷୁ ଏକତ୍ର ହୁଅନ୍ତେ ଯୁବତୀ ସଲଜ୍ଜା ହୋଇ ଅଧୋବଦନା ହେଲା ଓ ଯୁବକ ମଧ୍ୟ ଚକ୍ଷୁ ଅପସାରିତ କଲେ । ବୁଢ଼ା ଅଲକ୍ଷିତ ଭାବେ ଉଭୟଙ୍କର ଭାବଭଙ୍ଗି ଦେଖିନେଲେ ।

 

ମହନ୍ତ ଅତିଥିମାନଙ୍କର ପରିଚର୍ଯ୍ୟା କରିବା ନିମନ୍ତେ ଆଦେଶ କଲାରୁ, ନିଯୁକ୍ତାଦାସୀ ପଦ୍ମମାଳୀଙ୍କୁ ସାଙ୍ଗରେ ନେଇଗଲା । ପଦ୍ମମାଳୀ ଆର୍ଦ୍ରବସ୍ତ୍ର ପରିତ୍ୟାଗ କରି ନୂତନ ପଟ୍ଟଶାଟିକା କରିଧାନ କଲାଉତ୍ତାରୁ କିଞ୍ଚିତ୍ ମିଷ୍ଟାନ୍ନ ମୁଖରେ ଦେଇ ଶଯ୍ୟାରେ ଶୟନ କଲା । ମହନ୍ତଙ୍କର ଶୟନକକ୍ଷ ପାର୍ଶ୍ୱରେ ଯେ କ୍ଷୁଦ୍ର ପ୍ରକୋଷ୍ଠ ଥିଲା ତହିଁରେ ପଦ୍ମମାଳୀ ଶଯ୍ୟା ରଚିତ ହୋଇଥିଲା । ପଦ୍ମମାଳୀ ଶଯ୍ୟାରେ ହସ୍ତପଦ ବିସ୍ତାର କରି ବିଶ୍ରାମ ଲାଭ କଲା; କିନ୍ତୁ ନିଦ୍ରାଦେବୀ ତାହାର ଚକ୍ଷୁରେ ସହଜରେ ଆବିର୍ଭୂତା ହେଲେ ନାହିଁ । ମହନ୍ତଙ୍କର ଶୟନ କକ୍ଷ ଏବଂ ପଦ୍ମମାଳୀର ଶୟନକକ୍ଷ ମଧ୍ୟରେ, ଏକ କାଷ୍ଠ ନିର୍ମିତ ଅନ୍ତରାଳ ବ୍ୟବଧାନ ଥିଲା । ମହନ୍ତ ଓ ଯୁବକଙ୍କର ଯେଉଁ କଥୋପକଥନ ଇତିପୂର୍ବ ପରିଚ୍ଚେଦରେ ବର୍ଣ୍ଣିତ ହୋଇଅଛି ତାହା ସମୁଦାୟ ପଦ୍ମମାଳୀ ଶୁଣିଲା । ଯୁବକ ମହନ୍ତଙ୍କୁ ଯାହା କହିଥିଲେ ତହିଁରୁ ଯୁବକ ତାହାର ହିତାକାଙ୍‍କ୍ଷୀ ଏହା ସେ ଜାଣିଲା । ସେ ମନେ ମନେ ଅନେକ ଚିନ୍ତାକଲା । ଏକଘଣ୍ଟା ପୂର୍ବେ ସେ ବାଳିକା ଥିଲା । ଏହି ଏକଘଣ୍ଟା, ବାଳିକାକୁ ଚିନ୍ତାଶୀଳା ଯୁବତୀରେ ପରିଣତ କରିଥିଲା । ନିଦ୍ରାର ଅଭାବରୁ ପଦ୍ମମାଳୀ ପୁନଃ ପୁନଃ ପାର୍ଶ୍ୱ ପରିଦର୍ଶନ କଲା । ତାହା ଦେଖି ବୁଦ୍ଧିମତୀ ପରିଚାରିକା ପଦ୍ମମାଳୀ ପଥଶ୍ରାନ୍ତା ହୋଇଥିବାର ସିଦ୍ଧାନ୍ତ କରି ଓ ପଦ୍ମମାଳୀର ନିଷେଧ ନ ମାନି, ତାହାର ପଦସେବନରେ ନିବିଷ୍ଟ ହେଲା । ପରିଚାରିକାର ଏଠାରେ କିଞ୍ଚିତ ପରିଚୟ ଦେବାର ଆବଶ୍ୟକ ହେଉଅଛି । ତାହାର ନାମ ଜୟନ୍ତୀ ଓ ସେ ଘଣ୍ଟଶୀଳା ଗଡ଼ନାୟକର ଏକମାତ୍ର ଅପତ୍ୟ ଥିଲା । ସେ ପଦ୍ମମାଳୀ ପରି ଅନିନ୍ଦ୍ୟ ସୁନ୍ଦରୀ ନ ଥିଲେ ହେଁ ତାହାର ମୁଖାବୟବ ସୌନ୍ଦର୍ଯ୍ୟବିହୀନ ନ ଥିଲା । ସେ ଈଷତ୍ ସ୍ଥୂଳାଙ୍ଗୀ ଓ ତାହାର ବର୍ଣ୍ଣ ଉଜ୍ଜ୍ୱଳା ଶ୍ୟାମ ଥିଲା । ଆମ୍ଭମାନଙ୍କର ପରିଚିତ ବାଞ୍ଛାନିଧି ବଳବନ୍ତ ରାୟର ଜୟନ୍ତୀ ସୁପରିଚିତ ଥିଲା । ବଳବନ୍ତରାୟ ଏକ ମାତୃସ୍ୱସାଥିଲେ; ଜୟନ୍ତୀ ତାଙ୍କର ନନାନ୍ଦୃସୂତା । ତାଙ୍କର ଗୃହରେ ବାଞ୍ଛାନିଧି ଓ ଜୟନ୍ତୀ ବାଲ୍ୟକାଳରୁ ମିଳିତ ହେଉଥିବାରୁ ବୟୋବୃଦ୍ଧି ସହକାରେ ଉଭୟେ ପରସ୍ପର ପ୍ରତି ଅନୁରାଗଶୀଳ ହୋଇଥିଲେ । ମାତୃସ୍ୱସା ଉଭୟଙ୍କର ଉଦ୍‍ବାହର ପକ୍ଷପାତିନୀ ଥିଲେ ହେଁ ସେମାନଙ୍କର ବିବାହର ଗୋଟିଏ ପ୍ରଧାନ ଅନ୍ତରାୟ ଥିଲା । ଜୟନ୍ତୀର ପିତା ଶ୍ରୀରାମପୁରର ଦଳବେହେରାର ପୁତ୍ର ସହିତ ଜୟନ୍ତୀର ବିବାହ ଦେବା ପାଇଁ ପୂର୍ବରୁ ପ୍ରତିଶ୍ରୂତ ଥିଲେ, ଓ ବିବାହର-ଦିନ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ତେଣୁ ଜୟନ୍ତୀ ଏକ ପ୍ରକାର ଭଗ୍ନହୃଦୟ ହୋଇ ଅତି କଷ୍ଟରେ ଦିନାତିପାତ କରୁଥିଲା । ଜୟନ୍ତୀର ଇତିହାସ ମହନ୍ତ ଶୁଣି, ସ୍ଥାନପରିବର୍ତ୍ତନ ଦ୍ୱାରା କାଳସହକାରେ ତାହାର ମନ ସାନ୍ତ୍ୱନାଲାଭ କରି ପାରିବ, ଏହି ଆଶାରେ ତାହାକୁ ମଠକୁ ଅଣାଇଥିଲେ । ଜୟନ୍ତୀ ଧୀରେ ଧୀରେ ପଦସେବନ କରୁ କରୁ କହିଲା,–

 

‘‘ଦେଇ, ଆପଣ ବଡ଼ କଷ୍ଟ ପାଇଲେ’’

 

ପଦ୍ମମାଳୀ–‘‘କଷ୍ଟ ଏପରି କିଛି ନୁହେଁ, ତେବେ ମୁଁ ଗୋଟିଏ ବଡ଼ ବିପଦରେ ପଡ଼ିଥିଲି ଓ ଏହି ଯୁବକମୋତେ ତହିଁରୁ ଉଦ୍ଧାର କରି, ଚିରକାଳ ସକାଶେ ଋଣପାଶରେ ବନ୍ଧନ କରିଅଛନ୍ତି ।’’ ଜୟନ୍ତୀ – ‘‘ସବୁ ବିଧାତାଙ୍କର ଘଟନା ! ତାହା ନୋହିଲେ ଆପଣ ଦୁହିଙ୍କର ମିଳନ କି ସହଜ ଘଟନ୍ତା । ଭଗବାନ ଶୀଘ୍ର ଆପଣଙ୍କର ମନୋବାଞ୍ଛା ପୂରଣ କରନ୍ତୁ ।’’

 

ପଦ୍ମ–‘‘ତାହା କି କେଭେ ହେବ ?’’

ଜୟନ୍ତୀ–‘‘କାହିଁକି ?’’

 

ପଦ୍ମ–[ଦୀର୍ଘ ନିଶ୍ୱାସ ପରିତ୍ୟାଗ କରି] ‘‘ଏହା କି ବୁଝିପାରୁ ନାହିଁ ? ତାଙ୍କର ଆଚରଣ ଓ ଆକୃତିରୁ ସେ ଯେ ଜଣେ ପ୍ରବଳପରାକ୍ରାନ୍ତ ରାଜପୁତ୍ର ଏହା ଯେ କେହି କହି ପାରିବ । ସେ କିଏ ତୁମ୍ଭେ ଜାଣ କି ?’’

 

ଜୟନ୍ତୀ–‘‘ଆଜ୍ଞା ନା ! ମୁଁ ତାହାଙ୍କୁ ଏହି ପ୍ରଥମରେ ଦେଖୁ ଅଛି ।’’

 

ପଦ୍ମ–‘‘ସେ ଯେ ରାଉତରାୟ ସାହେବ ପୃଥ୍ୱୀନାଥ ଭଞ୍ଜ ନୁହନ୍ତି ଏହା ନିଶ୍ଚୟ, କାରଣ ରାଉତରାୟ ସାହେବଙ୍କୁ ମୁଁ ମାନ୍ତ୍ରୀରେ ଦେଖିଥିଲି ।’’ ଜୟନ୍ତୀ–‘‘ତେବେ ସେ କିଏ ହେବେ ?’’

 

ପଦ୍ମ-‘‘ଯେ ହେଉନ୍ତୁ, ତାଙ୍କ ସହିତ ବିବାହ ହେବାର ଆଶା, ଶିଶୁର ଚାନ୍ଦକୁ ଧରିବା ପାଇଁ ହାତ ବଢ଼ାଇବା ସମାନ ।’’

 

ଜୟନ୍ତୀ–‘‘ଆପଣ ଏଡ଼େ ନିରାଶ କାହିଁକି ହେଉଛନ୍ତି ?’’ ମହନ୍ତ ସହିତ ତାଙ୍କର ଯେଉଁ କଥାଭାଷା ହୋଇଥିଲା ତାହା ଶୁଣିଥିଲେ ଆପଣ କେଭେ ନିରାଶ ହୁଅନ୍ତେ ନାହିଁ ।

 

ପଦ୍ମ–[କିଛିକ୍ଷଣ ନୀରବ ରହି] ‘‘ଜୟନ୍ତୀ, ତୁମ୍ଭେ କି କାହାର ସହିତ ସମସ୍ତ ହୃଦୟ ଦେଇ ପ୍ରେମାଶକ୍ତ ହୋଇଅଛ ? ତାହାହେଲେ ମୋର ହୃଦୟ ବ୍ୟଥା କେତେକେ ବୁଝିପାରିବ ।’’

 

ଜୟନ୍ତୀ–‘‘ଦେଇ ! ମୋର ଦୁଃଖର କଥା କହ ନା, ମୋର ହୃଦୟ ପୋଡ଼ି ଯାଇଅଛି ।’’

 

ପଦ୍ମମାଳୀ ଜୟନ୍ତୀର ଦୁଃଖର କଥା ଶୁଣିବା ସକାଶେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କଲାରୁ ସେ ତାହାର ସମସ୍ତ ଦୁଃଖକାହାଣୀ ବିବୃତ କଲା । ଏହିପରି କଥୋପକଥନରେ ରାତ୍ରି ଅଧିକ ହେଲାରୁ ଉଭୟେ ନିଦ୍ରାଯିବାର ଚେଷ୍ଟା କଲେ ।

 

ପଥଶ୍ରମ ଯୋଗୁଁ ପଦ୍ମମାଳୀ ଶୀଘ୍ର ନିଦ୍ରାଭିଭୂତା ହେଲା, କିନ୍ତୁ ଜାଗ୍ରତ ଅବସ୍ଥାରେ ଯେଉଁ ମୂର୍ତ୍ତିଧ୍ୟାନ କରୁଥିଲା, ନିଦ୍ରିତ ହେଲେ ସୁଦ୍ଧା ସେ ମୂର୍ତ୍ତି ତାହା ହୃଦୟପଟରୁ ଅପନୀତ ହେଲା ନାହିଁ । ସ୍ୱପ୍ନରେ ଯୁବକ ତାହାର ମାନସପଟରେ ଉଦିତ ହେଲେ । ସେ ସ୍ୱପ୍ନରେ ଦେଖିଲା ଯେ ଏକ ସୁରମ୍ୟ ଉପବନରେ ସେ ଓ ଯୁବକ ପରିଭ୍ରମଣ କରୁଅଛନ୍ତି; ଚତୁର୍ଦ୍ଦିକ୍‍ରେ ଅରଣ୍ୟାନୀରଶୋଭା ଚକ୍ଷୁବିନୋଦନ କରୁଅଛି, ଅରଣ୍ୟ ମାଳତୀ ଓ ନବମଲ୍ଲିକାର ସୌରଭ ଚତୁର୍ଦ୍ଦିକ୍‍ରେ ବିକ୍ଷିପ୍ତ ହୋଇ ଘ୍ରାଣେନ୍ଦ୍ରିୟର ତୁଷ୍ଟି ସମ୍ପାଦାନ କରୁଅଛି; ମୃଦୁମନ୍ଦ ଦକ୍ଷିଣାନିକ ମୃଦୁତରଙ୍ଗଦ୍ୱାରା ଶରୀରକୁ ଶୀତଳ କରୁଅଛି; ଓ ଯୁବକଙ୍କ ସୁମଷ୍ଟି ପ୍ରେମୋକ୍ତିରେ ତାହାର କର୍ଣ୍ଣକୁହର ଓ ହୃଦୟର ଅନ୍ତଃସ୍ଥଳ ଆପ୍ୟାୟିତ ହେଉଅଛି । ଏହିପରି ବାହ୍ୟିକ ଓ ଆନ୍ତରିକ ସୁଖରେ ମୁଗ୍‍ଧଥିବା ସମୟେ ସହସା ଆକାଶ ମେଘାଚ୍ଛନ୍ନ ହେଲା । ଯେଉଁ ଅରଣ୍ୟାନୀ ଚକ୍ଷୁ ରଞ୍ଜନ କରୁଥିଲା ସେ ଭୀଷଣ ଆକାର ଧାରଣ କଲା; ମନ୍ଦସମୀରଣ ଝଟିକା ବେଗେ ବହି ଅରଣ୍ୟକୁସୁମର ସୌରଭକୁ ଘ୍ରାଣେନ୍ଦ୍ରିୟପଥର ଅତୀତ କଲା ଓ ଦୁର୍ଯ୍ୟୋଧନର ବିକଟମୂର୍ତ୍ତି ଅନ୍ତରୀକ୍ଷେ ଉଦିତ ଦେଖି, ପଦ୍ମମାଳୀ ଚିତ୍କାର କରି ଆପଣାର ଭୟ ପ୍ରକାଶ କଲା । ଚିତ୍କାରରେ ପାର୍ଶ୍ୱସ୍ଥ ପରିଚାରିକାର ନିଦ୍ରା ଭଙ୍ଗ ହେଲା । ସେ ପଦ୍ମମାଳୀ, ଦୁଃସ୍ୱପ୍ନ ଦେଖି ଭୀତା ହୋଇଥିବାର ଅନୁମାନ କରି, ତାହାର ସମୀପସ୍ଥା ହୋଇ ପଦ୍ମମାଳୀର ବକ୍ଷରେ ହସ୍ତ ସ୍ଥାପନ କରନ୍ତେ ପଦ୍ମମାଳୀ ନେତ୍ର ଉନ୍ମୀଳିତ କଲା । ପରିଚାରିକା କହିଲା–‘‘ଦେୟି, ଆପଣ ଭୟ ପାଇଲେ ?’’

 

ପଦ୍ମ–‘‘ହଁ, ଦୁଃସ୍ୱପ୍ନ ଦେଖି ମୋର ଭୟ ହୋଇଥିଲା ।’’

ପରି–‘‘ଆଜ୍ଞା, ସ୍ୱପ୍ନସବୁ ମିଥ୍ୟା; ତହିଁରେ ଭୟ କରିବାର ନୁହେଁ ।’’

 

ପଦ୍ମମାଳୀ ପରିଚାରିକାକୁ ଉତ୍ତର ନ ଦେଇ ମଳିନ ପ୍ରଦୀପଶିଖାକୁ ଦେଖି କହିଲା–‘‘ସକାଳ ହେଲାଣି ପରା ?’’

 

ପରି–‘‘ଆଜ୍ଞା ହଁ ।’’

ପଦ୍ମ–‘‘ତେବେ ଚାଲ ଉଠିବା ।’’

 

ପରିଚାରିକା କୌଣସି ଆପତ୍ତି ନ କରିବାରୁ ଉଭୟେ ଶଯ୍ୟାରୁ ଉତ୍‍ଥାନ କରି ଉଦ୍ୟାନକୁ ଗଲେ ।

•••

 

ଷଷ୍ଠ ପରିଚ୍ଛେଦ

ପ୍ରେମିକ-ପ୍ରେମିକା

 

ମହନ୍ତଙ୍କର ଶୟନମନ୍ଦିର ଉତ୍ତର ଦକ୍ଷିଣରେ ବିସ୍ତୃତ । ଦକ୍ଷିଣପ୍ରକୋଷ୍ଠ ମହନ୍ତଙ୍କର ଶୟନାଗାର, ଉତ୍ତର ପ୍ରକୋଷ୍ଠରେ ଆବଶ୍ୟକୀୟ ମୂଲ୍ୟବାନ୍ ପଦାର୍ଥ ସବୁ ରକ୍ଷିତ ହୁଏ । ସେହି ପ୍ରକୋଷ୍ଠରେ ପଦ୍ମମାଳୀ ଶୟନ କରିଥିଲା । ଶୟନମନ୍ଦିରର ପୂର୍ବରେ ଉଦ୍ୟାନ । ଶୟନମନ୍ଦିରର ଅବ୍ୟବହିତ ପରେ ପ୍ରାୟ ପାଞ୍ଚମାଣ ଭୂମି ଶାକସବ୍‍ଜି ସକାଶେ ରକ୍ଷିତ ହୋଇଥିଲା । ତହିଁରେ ବାର୍ତ୍ତାକୀ, କଦଳୀ, ଆଳୁ ପ୍ରଭୃତି ସାମୟିକ ସବ୍‍ଜି ରୋପିତ ହେଉଥାଏ । କୋବି, ସାଲଗମ୍, ମଟର, ଗାଜର ପ୍ରଭୃତି ବିଦେଶୀୟ ସବ୍‍ଜି ସେ ସମୟରେ ଏ ଦେଶରେ ପ୍ରଚଳିତ ହୋଇ ନ ଥିଲା । ଉଦ୍ୟାନ ଉତ୍ତାରୁ ଏକ ମଧ୍ୟମାକୃତି, ସ୍ୱଚ୍ଛସଲିଳା, ଚତୁପୁଷ୍କରିଣୀ, ତାହାର ଚତୁଷ୍ପାର୍ଶ୍ୱରେ ନାରିକେଳ ରୋପିତ । ପୁଷ୍କରିଣୀର ଉତ୍ତର କୂଳରେ ଏକ ପାଷାଣନିବଦ୍ଧ ସୋପାନାବଳୀ । ଏହି ପୁଷ୍କରିଣୀରେ ପଦ୍ମମାଳୀ ସ୍ନାନାଦି ପ୍ରାତକୃତ୍ୟ ସମାପନ କରି ନିର୍ଜନରେ କିୟତ୍‍କାଳ ଅତିବାହିତ କରିବାର ଇଚ୍ଛା ପ୍ରକାଶ କଲାରୁ, ପରିଚାରିକା ଗୃହକୁ ପ୍ରସ୍ଥାନ କଲା ।

 

ପୁଷ୍କରିଣୀର ଉତ୍ତର, ପୂର୍ବ, ଦକ୍ଷିଣ ଦିଗରେ ଆମ୍ର, ପଣସକାନନ; ତଦୁତ୍ତାରୁ ଶାଳ, ପିଆଶାଳ, ତାଳ, ତମାଳ ପ୍ରଭୃତି ଆରଣ୍ୟବୃକ୍ଷରାଜି ଏକ ଅନୁଚ୍ଚପର୍ବତର ଉପତ୍ୟକାକୁ ସ୍ପର୍ଶ କରିଥିଲା । ଏକ ଉପବନ ମଧ୍ୟରେ କିୟତ୍‍କାଳ ପରିଭ୍ରମଣ କଲା ଉତ୍ତାରୁ ଏକ ଛାୟାବିଶିଷ୍ଟ ବକୁଳମୂଳେ ଏକଖଣ୍ଡ ଚିକ୍‍କଣ ପ୍ରସ୍ତର ଉପରେ ପଦ୍ମମାଳୀ ଉପବେଶନ କଲା । ବକୁଳାଶ୍ରିତ ଏକ ମାଧବୀଲତା ସୌରଭରେ ଚତୁର୍ଦ୍ଦିକ୍ ଆମୋଦିତ କରୁଥିଲା । ସଦ୍ୟଃସ୍ନାତା ପଦ୍ମମାଳୀର ଅଙ୍ଗରାଗମାର୍ଜ୍ଜିତ ଅଙ୍ଗର ଉଜ୍ଜ୍ୱଳ ହେମଦ୍ୟୁତି ନୀଳବର୍ଣ୍ଣ ଶାଟୀରେଆବୃତ ଥିଲା । ସୁଗନ୍ଧି ଚର୍ଚ୍ଚିତ ଉନ୍ମୁକ୍ତ କବରୀର ନିବିଡ଼ କୃଷ୍ଣକେଶପାଶ ସ୍ନିଗ୍‍ଧସୌରଭ ବିସ୍ତାର କରି ପୁଷ୍ପୋପରି ବିଲମ୍ବିତ ଥିଲା । ଚିନ୍ତାଶୀଳା ପଦ୍ମମାଳୀର ପଦ୍ମମୁଖ ଗମ୍ଭୀରଭାବ ଧାରଣ କରିଥିଲା । ବିଶାଳ ନେତ୍ରଯୁଗଳ ସ୍ତିମିତ ସୁନ୍ଦର ଲଲାଟୋପରି ଏକ ଏକଗୁଚ୍ଛ ଅଳକାଦାମ ପ୍ରାତଃ ସମୀରଣର ମନ୍ଦ ମନ୍ଦ କଲ୍ଲୋଳେ ବିକମ୍ପିତ ହେଉଥିଲା । ଅଙ୍ଗରେ ବିଶେଷ ଅଳଙ୍କାର ନ ଥିଲା । ପଦ୍ମମାଳୀର ଅଳଂକାରରେ ବିଶେଷ ସ୍ପୃହା ନ ଥିଲା । ଅଳଂକାର ତାହାର ରୂପର ସ୍ୱାଭାବିକ ଶୋଭା ସଂବର୍ଦ୍ଧନ କରିବାକୁ ଅକ୍ଷମ । ହସ୍ତଦ୍ୱୟରେ ରତ୍ନଖଚିତ କଙ୍କଣ, କଣ୍ଠରେ ହୀରକ ଓ ମାଣିକ୍ୟଜଡ଼ିତ ଚାପସରୀ ଓ ଚାରକହାର, ନାସିକାରେ ଏକ ହୀରାକର ନାଟମୟୂର, ଅନାମିକାରେ ହୀରକ ଅଙ୍ଗୁରୀୟ ଓ ନିତମ୍ବରେ ସ୍ୱର୍ଣ୍ଣକାଞ୍ଚୀ-। ସେ ଯେଉଁଠାରେ ଥିଲା ସେ ସ୍ଥାନମାନଙ୍କର ସମ୍ୟକ ଶୋଭାବର୍ଦ୍ଧନ କରୁଥିଲା । ପଦ୍ମମାଳୀ ମନୋମଧ୍ୟରେ କି ଭାବନା କରୁଥିଲା ତାହା ଆମ୍ଭେ କହି ନ ପାରୁ । କିନ୍ତୁ ସେ ଏକଦୃଷ୍ଟିରେ ନବୋଦିତ ବାଳାର୍କର ଶୋଭା ଦେଖୁଥିଲା । ତରୁଣ-ଅରୁଣ-କିରଣ ତାହାର ଅଙ୍ଗସ୍ଥିତ ରତ୍ନରାଜିରେ ପ୍ରତିଫଳିତ ହୋଇ ଝକ ଝକ ହେଉଥିଲା । ଯୁବକ ଶଯ୍ୟାରୁ ଗାତ୍ରୋତ୍‍ଥାନ କରି ପଦ୍ମମାଳୀର ମାତାକୁ ପଦ୍ମମାଳୀର ସଂବାଦ ଦେବାପାଇଁ ଏକଜଣ ଅନୁଚର ପ୍ରେରଣ କଲେ । ତତ୍ପରେ ପୁଷ୍କରିଣୀରେ ସ୍ନାନାଦି କ୍ରିୟା ସମାପନ କରି ସ୍ଥାନଟିର ପ୍ରାକୃତିକ ଶୋଭାରେ ମୁଗ୍‍ଧହୋଇ ଇତସ୍ତତଃ ପରିଭ୍ରମଣ କଲେ । ଆମ୍ଭେମାନେ ଅଦୁଷ୍ଟର ଦାସ । ଘଟନାସୂତ୍ରରେ ଆବଦ୍ଧ ହୋଇ ଆମ୍ଭେମାନେ ଅଜ୍ଞାତସାରେ ଯାହା କରୁଅଛୁଁ ତଦ୍ଦ୍ୱାରା ଅଦୃଷ୍ଟର ଫଳ ସମ୍ପାଦିତ ହୋଇଅଛି । ଯୁବକ ଇତସ୍ତତଃ ପରିଭ୍ରମଣ କରୁ କରୁ ପଦ୍ମମାଳୀ ଯେଉଁ ବକୁଳମୂଳେ ଉପବିଷ୍ଟ ଥିଲା ତହିଁର କିଛିଦୂରରେ ଉପସ୍ଥିତ ହୋଇ ପଦ୍ମମାଳୀକୁ ଦେଖିଲେ । ସେ ସ୍ଥାନରେ ଓ ସେ ସମୟରେ ବନଦେବୀପ୍ରାୟ ପଦ୍ମମାଳୀକୁ ଦେଖି ଯୁବକର ଅନ୍ତରତନ୍ତ୍ରୀ ବିକମ୍ପିତ ହେଲା । ଅନେକକ୍ଷଣ ପଦ୍ମମାଳୀର ଆନନ୍ଦିତ ମନୋମୁଗ୍‍ଧକାରୀ ରୂପ ଅବଲୋକନ କରି ଯୁବକର ଦର୍ଶନେନ୍ଦ୍ରିୟ ପରିତୃପ୍ତି ଲାଭ କଲା ନାହିଁ । ଯୁବକ ଯେତେ ଅଧିକ ଦେଖନ୍ତି ତାହାଙ୍କର ଦର୍ଶନଲାଳସା ସେହିପରିମାଣରେ ପରିବର୍ଦ୍ଧିତ ହେଉଥାଏ । ଯୁବକ ପଦ୍ମମାଳୀର ରୂପଗୁଣରେ ମୁଗ୍‍ଧ ହୋଇଥିଲେ, ଏହା ପାଠକଙ୍କୁ କହିବା ବାହୁଲ୍ୟମାତ୍ର । ସେ ସ୍ଥାନରେ ଓ ସେ ସମୟରେ ପଦ୍ମମାଳୀକୁ ଏକାକିନୀ ଦେଖି, ଯୁବକ ତାହାର ସହିତ ବାକ୍ୟାଳାପ କରିବାର ପ୍ରଲୋଭନ ସମ୍ବରଣ କରି ପାରିଲେ ନାହିଁ । ସତର୍କ ହୋଇ ମନ୍ଦ ମନ୍ଦ ପଦବିକ୍ଷେପେ ପଦ୍ମମାଳୀର ସମୀପବର୍ତ୍ତି ହେଲେ । ପଦ୍ମମାଳୀ ଏକାଗ୍ରଚିତ୍ତେ ବାଳାର୍କର ତରୁଣ ଶୋଭା ଦେଖୁଥିଲା । ଯୁବକ ତାହା ନିକଟରେ ଦଣ୍ଡାୟମାନ ହେବାର ସେ ଜାଣି ପାରିଲା ନାହିଁ । ପଦ୍ମମାଳୀ ଅନେକକ୍ଷଣ ସେହି ଶୋଭା ଦେଖିଲା ଉତ୍ତାରୁ କହିଲା ।

 

‘‘ହେ ଦେବ ! ତୁମ୍ଭେ ଦିବାରାତ୍ର କରୁଅଛ । ଆମ୍ଭମାନଙ୍କର ଦୁଃଖ ସବୁ ଦେଖୁଛ । କାଲି ରାତ୍ରିରେ ଦୁର୍ଯ୍ୟୋଧନ ହସ୍ତରୁ ଉଦ୍ଧାର ହେଲି, କିନ୍ତୁ ଏ ଉପକାରକ ଯୁବକ ପ୍ରତି ଚିତ୍ତ କିପାଁ ଏରୂପ ଆକର୍ଷିତ ହେଉଅଛି; ଏହାଙ୍କର ଆକାର ସୌଜନ୍ୟରୁ ଅନୁମାନ ହୁଏ ଯେ ଏ କୌଣସି ଛଦ୍ମବେଶୀ ରାଜ ପୁତ୍ର ହେବେ । ପ୍ରଭୋ ! ତୁମ୍ଭେ ଆମ୍ଭର ସାକ୍ଷୀ, ଆମ୍ଭେ ସ୍ୱଇଚ୍ଛାରେ ଯୁବକଙ୍କ ପ୍ରତି ଅନୁରାଗଶାଳିନୀ ହୋଇ ନାହୁଁ । ଭଲ ମନ୍ଦ ତୁମ୍ଭେ ଜାଣ ।’’ ଏହା କହି ପଦ୍ମମାଳୀ ଭକ୍ତିଭାବେ ସୂର୍ଯ୍ୟଦେବଙ୍କୁ ପ୍ରଣାମ କଲା । ଭଗବାନ ସବିତା ବାଳିକାର ଦୁଃଖ ଶୁଣିଲେ କି ? ପଦ୍ମମାଳୀ ଯାହାଙ୍କମୂର୍ତ୍ତି ଧ୍ୟାନ କରୁଥିଲା, ନେତ୍ର ଫେରାଇ ଦେଖିଲା ଯେ ସେ ସଶରୀରରେ ତାହା ନିକଟରେ ଦଣ୍ଡାୟମାନ । ଯୁବକଙ୍କୁ ନିକଟରେ ଦେଖି ସେ ମନେ ମନେ ଚିନ୍ତା କଲା ଯେ ଯୁବକ ତାହାର ମନୋଭାବ ଜାଣିଅଛନ୍ତି । ଯେତେବେଳେ ମନେ ଏହା ନିଶ୍ଚୟକଲା ତାହାର ଲଜ୍ଜାର ପରିସୀମା ରହିଲା ନାହିଁ । ରମଣୀର ମନ ଏକ ଆଶ୍ଚର୍ଯ୍ୟ ପଦାର୍ଥରେ ନିର୍ମିତ । ଯାହାଙ୍କୁ ପଦ୍ମମାଳୀ ମନୋମଧ୍ୟରେ ଧ୍ୟାନ କରୁଥିଲା ତାହାଙ୍କୁ ନିକଟରେ ପ୍ରାପ୍ତହୋଇ ଲଜ୍ଜାବନତ ମୁଖରେ ସେ ସ୍ଥାନରୁ ପ୍ରସ୍ଥାନପରାୟଣ ହେଲା । ଯୁବକ କହିଲେ–

 

‘‘ପଦ୍ମମାଳୀ ! ଆମ୍ଭଙ୍କୁ ଦେଖିଲାମାତ୍ରେ ଏ ସ୍ଥାନ ପରିତ୍ୟାଗ କରି ଯାଉଅଛ ?’’ ଏହାଶୁଣି ଯୁବକଙ୍କଠାରେ ସେ କେତେଦୂର ଋଣୀ ସ୍ମରଣ କରି, ପଦ୍ମମାଳୀ ଆଉ ପଦମେକ ଅଗ୍ରସର ହୋଇ ପାରିଲେ ନାହିଁ, ପରିତ୍ୟକ୍ତ ଆସନୋପରି ଉପବେଶନ କଲା । ବ୍ରୀଡ଼ାବନତବଦନାର କମନୀୟ ମୁଖ ଅପୂର୍ବଲାବଣ୍ୟ ଧାରଣ କଲା । ଯୁବକ, ଦୁର୍ଭିକ୍ଷ ପ୍ରପୀଡ଼ିତ ନାନାବିଧ ଉପାଦେୟ ପ୍ରାପ୍ତହେଲେ ଯେରୂପ ଆଗ୍ରହ ସହକାରେ ଉପଭୋଗ କରେ, ତଦ୍ରୂପ ପଦ୍ମମାଳୀର ତଦାନୀନ୍ତନ ରୂପରାଶିକୁ ସକଳେନ୍ଦ୍ରିୟ ନେତ୍ରରେ ପ୍ରବିଷ୍ଟହେଲା ପ୍ରାୟ, ନେତ୍ରଦ୍ୱାରା ପାନ କଲେ । କିଛିକ୍ଷଣ ଉତ୍ତାରୁ ଯୁବକ କହିଲେ–

 

‘‘ପଦ୍ମମାଳୀ ! ଆମ୍ଭର ତୁମ୍ଭପ୍ରତି କି ପ୍ରଗାଢ଼ପ୍ରେମ ଜନ୍ମି ଅଛି ତାହା କହିବାର ସୁଯୋଗ ଖୋଜୁଥିଲୁଁ, ଭାଗ୍ୟକ୍ରମେ ସେ ସୁଯୋଗ ପାଇଲୁଁ ।’’

 

ପଦ୍ମ–‘‘ଆମ୍ଭର ବୋଧହୁଏ ଯେ ଆପଣ କୌଣସି ଛଦ୍ମବେଶୀ ରାଜପୁତ୍ର ହେବେ । ଆମ୍ଭେ ସାମାନ୍ୟବ୍ୟକ୍ତିର ଦୁହିତା । ଉଚ୍ଚ ଓ ଅଧମର ମିଳନ କେବେହେଁ ବାଞ୍ଛନୀୟ ନୁହେ, କାରଣ ଏରୂପ ମିଳନରେ ଅଧମର କ୍ଷତି ପ୍ରାୟ ହୋଇଥାଏ । ଅତଏବ ଆମ୍ଭପ୍ରତି ଯଦି ଆପଣଙ୍କର ଅନୁରାଗ ଜନ୍ମିଥାଏ, ଆମ୍ଭର ଆପଣଙ୍କଠାରେ ଏହି ପ୍ରାର୍ଥନା ଯେ ଆପଣ ତହିଁରୁ ବିରତ ହୁଅନ୍ତୁ ।’’

 

ଯୁବକ–‘‘ତୁମ୍ଭଠାରେ ଆମ୍ଭର ଚିତ୍ତ ଏପରି ଆଶକ୍ତ ହୋଇଅଛି ଯେ ତୁମ୍ଭବିନା ଜୀବନ ବୃଥା ହେବ । ଆମ୍ଭେ କିଏ ତାହା ଉପଯୁକ୍ତ ସମୟରେ ଜାଣିପାରିବ । ଆମ୍ଭର ପ୍ରେମକୁ ତୁମ୍ଭେ ପ୍ରତ୍ୟର୍ପଣ କଲେ, ଆମ୍ଭେ ଏ ଜୀବନରେ ସୁଖୀ ହେବୁ ନାହିଁ । ତୁମ୍ଭର ଓ ଆମ୍ଭର ମିଳନରେ ଆମ୍ଭର ପଦ ଓ ମର୍ଯ୍ୟାଦା ପ୍ରତିବନ୍ଧକ ହେବନାହିଁ ।

 

ପଦ୍ମାମାଳୀ ଏହା ଶୁଣି ମନେ ମନେ ଆନନ୍ଦିତ ହେଲା । କିନ୍ତୁ କୌଣସି ଉତ୍ତର ନ ଦେଇ ନୀରବ ହୋଇ ରହିଲାରୁ ‘ମୌନଂ ସମ୍ମତିଲକ୍ଷଣମ୍’ ବିବେଚନା କରି, ଯୁବକ ଧୀରେ ଧୀରେ ତାହା ନିକଟରେ ଉପବେଶନ କଲେ । ପୁନର୍ବାର ଉଭୟଙ୍କର ଶରୀର ସ୍ପର୍ଶସୁଖ ଅନୁଭବ କଲା ଓ ସାତ୍ୱିକଭାବରେ କଣ୍ଟକିତ ହେଲା । ଯୁବକ ଧୀରେ ଧୀରେ ପଦ୍ମମାଳୀର ଚମ୍ପକାଙ୍ଗୁଳିମାନ ଆପଣାହସ୍ତରେ ଧୃତକରି କହିଲେ–

 

ପଦ୍ମମାଳୀ ! ଆଜି ଆମ୍ଭେ ଆପଣକୁ ପରମସୁଖୀ ମଣିଲୁଁ । ତୁମ୍ଭପରି ରୂପବତୀ ଓ ଗୁଣବତୀ ରମଣୀକୁ ଆମ୍ଭେ ଆଜିଠାରୁ ଆମ୍ଭର ବୋଲି ବୋଲିବାକୁ ସମର୍ଥନ ହୋଇ ଆପଣାକୁ ଭାଗ୍ୟବାନ୍‍ ଜ୍ଞାନ କରୁଅଛୁଁ । ଯେତେଦିନ ଏ ଦେହରେ ପ୍ରାଣ ରହିବ, ତୁମ୍ଭଙ୍କୁ ସର୍ବତୋଭାବେ ସୁଖୀ କରିବା ଆମ୍ଭର ଜୀବନର ଏକମାତ୍ର ଉଦ୍ଦେଶ୍ୟ କରିବୁଁ ।’

 

ପଦ୍ମ–‘ଆଜିଠାରୁ ଆପଣଙ୍କର ଚରଣତଳେ ଆମ୍ଭେ ଦାସୀ ହୋଇ ରହିଲୁଁ ।’

ଯୁବକ–‘ନାଁ, ଦାସୀ ନୁହେ ? ଆଜିଠାରୁ ତୁମ୍ଭେ ଆମ୍ଭର ହୃଦୟେଶ୍ୱରୀ ହେଲ ।’

 

ଏହା କହି ଯୁବକ ପଦ୍ମମାଳୀକୁ ଆପଣାର ଅଙ୍କୋପରି ସ୍ଥାପନ କରି ତାହାର ଅନନ୍ଦିତ ପଦ୍ମମୁଖକୁ ସତୃଷ୍ଣନୟନରେ ନିରୀକ୍ଷଣ କଲେ । ସ୍ଥାନ ସମୟ ଓ ପ୍ରେମିକ-ପ୍ରେମିକାଙ୍କ ମନୋଗତ ଭାବକୁ ପାଠକପାଠିକା ସ୍ମରଣ କରି ଯୁବକ ତରୁଣୀର ବିମ୍ବାଧରରେ ସ୍ୱୀୟ ଅଧରୋଷ୍ଠ ସଂସ୍ଥାପନ କରି ଏକ ଚୁମ୍ବନ ଉପଭୋଗ କରିଥିବା ହେତୁ, ତାହାଙ୍କୁ ଦୋଷୀ କରିବେ ନାହିଁ । କିଛିକ୍ଷଣ ଉତ୍ତାରୁ ଯୁବକ ପଦ୍ମମାଳୀକୁ କହିଲେ,–

 

‘‘ପଦ୍ମମାଳୀ ! ତୁମ୍ଭଙ୍କୁ ପ୍ରାପ୍ତ ହେବାପାଇଁ ଅତିଶୀଘ୍ର ଯତ୍ନ କରିବା । ମହନ୍ତଙ୍କ ଭାବରୁ ଅନୁମାନ ହୁଏ ଯେ ସେ ତୁମ୍ଭର ଆମ୍ଭର ମିଳନ କାମନା କରନ୍ତି । ତୁମ ପିତା ତାହାଙ୍କର କଥା ଅବହେଳା କରିବେ ନାହିଁ । ଏଥିରୁ ଆମର ପ୍ରତୀତ ହେଉଅଛି, ଯେ ଶୀଘ୍ର ଆମମାନଙ୍କର ମନୋବାଞ୍ଛା ପୂର୍ଣ୍ଣହେବ; କିନ୍ତୁ ଯେତେଦିନ ଆମମାନଙ୍କର ପୁନର୍ମିଳନ ନ ହୁଏ, ତେତେଦିନ ଆମର ସ୍ମରଣାର୍ଥ ଏହି ହୀରକ ଅଙ୍ଗରୀୟ ଧାରଣ କରିବ ।’’ ଏହା କହି ଯୁବକ ଆପଣା ହସ୍ତରୁ ଏକ ବହୁମୂଲ୍ୟ ହୀରକାଙ୍ଗୁରୀୟ ଉନ୍ମୋଚନ କରି ପଦ୍ମମାଳୀର କ୍ଷୁଦ୍ର ଦକ୍ଷିଣ ହସ୍ତର ଅନାମିକାରେ ସ୍ଥାପନ କଲେ । ପଦ୍ମମାଳୀ ମଧ୍ୟ ଆପଣା ଆଙ୍ଗୁଳିରୁ ଏକ ବହୁମୂଲ୍ୟ ଅଙ୍ଗୁରୀୟ ଫିଟାଇ ଯୁବକଙ୍କର ଅଙ୍ଗୁଳିରେ ସ୍ଥାପନ କରି କହିଲେ–‘ଏହି ସାମାନ୍ୟ ଅଙ୍ଗୁରୀୟକୁ ଦେଖି ସମୟେ ସମୟେ ଆମ୍ଭଙ୍କୁ ସ୍ମରଣ କଲେ ଚରିତାର୍ଥ ହେବୁଁ ।’ ତଦୁତ୍ତାରୁ ପ୍ରେମିକ ଦ୍ୱୟ ଭିନ୍ନ ଭିନ୍ନ ମାର୍ଗ ଅନୁସରଣ କରି ମହନ୍ତଙ୍କର ଆବାସ ପ୍ରାପ୍ତ ହେଲେ ।

•••

 

ସପ୍ତମ ପରିଚ୍ଛେଦ

ମହନ୍ତ ହରିହର ରାମାନୁଜ ଦାସ

 

ଆମ୍ଭମାନଙ୍କର କ୍ଷୁଦ୍ର ଆଖ୍ୟାୟିକାରେ ମହନ୍ତ ହରିହର ରାମାନୁଜ ଦାସ ଏକଜଣ ପ୍ରଧାନ ଅଭିନେତା । ଅତଏବ ଏ ସ୍ଥଳେ ପାଠକ ପାଠିକାଙ୍କୁ ମହନ୍ତଙ୍କର ସବିଶେଷ ପରିଚୟ ଦେବା ଆବଶ୍ୟକ ହେଉଅଛି । ମହନ୍ତ ମହାରାଷ୍ଟ୍ରୀୟ ବ୍ରାହ୍ମଣ । ତାହାଙ୍କର ଜାତୀୟ ନାମ ବାଜୀରାଓ ସାହେବ ଥିଲା । ଉତ୍କଳଦେଶ ମରହଟ୍ଟାମାନଙ୍କର ଅଧିକାରଭୁକ୍ତ ଥିବା ସମୟେ ବାଜୀରାଓ ସାହେବ ବାଲେଶ୍ୱର ଜିଲ୍ଲାଦାରଙ୍କର ସହକାରୀ ଥିଲେ । ସନ ୧୮୦୩ ଖ୍ରୀଷ୍ଟାବ୍ଦରେ ଉତ୍କଳପ୍ରଦେଶ, ବନ୍ଦୋବସ୍ତ କମିଶନର ଜେନେରେଲ ହାରକୁଚ୍ ଓ ମେଲଭିଲଙ୍କ ହସ୍ତରେ ଅର୍ପଣ କରିବାର ଆଦେଶ ନାଗପୁର ଦରବାରରୁ ମହାରାଜା ରଘୁଜୀ ଭୋନ୍‍ସଲଙ୍କଠାରୁ ପ୍ରାପ୍ତ ହୋଇ, ବାଜୀରାଓ ସାହେବ ସିରସ୍ତାର କାଗଜପତ୍ର ଏବଂ ଇଂରାଜଙ୍କ ଜିମାରେ ଦେଇ ରାଜକାର୍ଯ୍ୟରୁ ଅବସୃତ ହେଲେ, କିନ୍ତୁ ସ୍ୱଦେଶକୁ ପ୍ରତ୍ୟାଗମନ କଲେ ନାହିଁ । ସ୍ୱଦେଶକୁ ନ ଯିବାର ବିଶେଷ କାରଣ ଏହି ଥିଲା କି ରାଓ ସାହେବଙ୍କର ପତ୍ନୀ ଓ ଏକମାତ୍ର ପୁତ୍ରସନ୍ତାନ ଅକାଳ କାଳଗ୍ରାସେ ପତିତ ହୋଇଥିବାରୁ, ତାହାଙ୍କର ମନ ସଂସାରରୁ ବୀତରାଗ ହୋଇଥିଲା । ରଜକାର୍ଯ୍ୟ ପରିତ୍ୟାଗ କରିବା ସମୟେ ସେ ପ୍ରୌଢ଼ାବସ୍ଥାକୁ ପ୍ରାପ୍ତ ହୋଇଥିଲେ ଓ ତାହାଙ୍କୁ ଅନ୍ୟତ୍ର କାର୍ଯ୍ୟରେ ନିଯୁକ୍ତ କରିବାର ହୁକୁମ ପରଓ୍ୟାନା ନାଗପୁର ଦରବାରରୁ ଆସିଥିଲେ ସୁଦ୍ଧା,ସେ ଅବଶିଷ୍ଟକାଳ ବାଲେଶ୍ୱରରେ ଅତିବାହିତ କରିବାର ମନସ୍ଥ କଲେ । ଏହି ପ୍ରକାରେ ଇଂରେଜମାନେ ରାଜ୍ୟର ଦଖଲପାଇଲା ଉତ୍ତାରୁ ବାଜୀରାଓ ସାହେବ ବାଲେଶ୍ୱରରେ ବାସ କରୁଥିଲେ । ସନ ୧୮୧୨ ଖ୍ରୀଷ୍ଟାବ୍ଦରେ ମହାରାଣୀ ସୁମିତ୍ରାଦେବୀଙ୍କର ପରଲୋକ ଉତ୍ତାରୁ, ବାଜୀରାଓ ସାହେବ ତ୍ରିବିକ୍ରମ ଭଞ୍ଜଦେବଙ୍କୁ, ମୟୂରଭଞ୍ଜ ରାଜ୍ୟର ସିଂହାସନ ପ୍ରାପ୍ତ ହେବା ସମ୍ବନ୍ଧେ ବିଶେଷ ସାହାଯ୍ୟ କରିଥିବା ହେତୁ, ମହାରାଜା ତ୍ରିବିକ୍ରମ ଭଞ୍ଜଦେବ ସିଂହାସନଆରୋହଣ କରି କୃତଜ୍ଞତାର ଚିହ୍ନ ସ୍ୱରୂପ ପ୍ରଥମ ଆଦେଶଦ୍ୱାରା ବାଜୀରାଓ ସାହେବଙ୍କୁ ମୟୂରଭଞ୍ଜ ଜିଲ୍ଳାରେ ସ୍ଥାପନ କଲେ । ସେହି ଦିନଠାରୁ ବାଜୀରାଓ ସାହେବ ନିଜକୌଳିକ ଗାଣପତ୍ୟ ଧର୍ମ ପରିତ୍ୟାଗ କରି, ବୈଷ୍ଣବଧର୍ମରେ ଦୀକ୍ଷିତ ହୋଇ ମହନ୍ତ ହରିହର ରାମାନୁଜ ଦାସ ନାମରେ ଅଭିହିତ ହୋଇ ମୟୂରଭଞ୍ଜ ଜିଲ୍ଳାରେ ନିବସିତ ହେଲେ । ପୂର୍ବରେ ଯେଉଁମଠ ଓ ମନ୍ଦିରର ଉଲ୍ଲେଖ କରା ହୋଇଅଛି, ମହାରାଜା ତ୍ରିବିକ୍ରମଭଞ୍ଜ ସେହି ମଠ ଓ ମନ୍ଦିର ନିର୍ମାଣ କରିଥିଲେ । ମହନ୍ତ ମଠାଧିକାରୀ ହୋଇ ନାନାବିଧି ହିତାନୁଷ୍ଠାନ ଓ ପରୋପକାର ଦ୍ୱାରା ଅତି ଅଳ୍ପକାଳ ମଧ୍ୟରେ ପ୍ରଜାବର୍ଗରେ ଅନୁରାଗଭାଜନ ହେଲେ । ପ୍ରତି ଦିନ ସନ୍ଧ୍ୟାଉତ୍ତାରୁ ନିକଟସ୍ଥ ଗ୍ରାମମାନଙ୍କର ପ୍ରଜାବର୍ଗ ମହନ୍ତଙ୍କ ଚତୁଷ୍ପାଠୀରେ ସମବେତ ହୁଅନ୍ତି । ସେଠାରେ ପ୍ରଜାମାନଙ୍କ ମଧ୍ୟରେ କୌଣସି ବିବାଦ କଳହ ଉପସ୍ଥିତ ହେଲେ ତାହା ମହନ୍ତଙ୍କର ବିଚାର ନିମନ୍ତେ ଆନୀତ ହୁଏ । ମହନ୍ତ ଯାହା ନିଷ୍ପତ୍ତି କରନ୍ତି ତାହା ଚୂଡ଼ାନ୍ତ । ମହନ୍ତଙ୍କର ଅପକ୍ଷପାତିତାରେ ପ୍ରଜାଙ୍କର ଏତେଦୂର ଦୃଢ଼ ବିଶ୍ୱାସ ଥିଲା ଯେ ମହନ୍ତ ଯାହା ବିଚାର କରନ୍ତି, ତାହା ବାଦୀ ଓ ପ୍ରତିବାଦୀ ଶିରୋଧାର୍ଯ୍ୟ ବରନ୍ତି । ତହିଁର ଅପୀଲ ନ ଥିଲା । ପର୍ବପର୍ବାଣୀ ଉପଲକ୍ଷେ ସମୟେ ସମୟେ ମଠରେ ମହୋତ୍ସବ ହେଉଥାଏ । ମହନ୍ତ ପୂର୍ବରେ ମରହଟ୍ଟାଙ୍କ ଅମଳରେ ପ୍ରଚୁର ବିତ୍ତ ସଞ୍ଚୟ କରିଥିବାରୁ ଏରୂପ ମହୋତ୍ସବ ବିରଳ ନ ଥିଲା । ସ୍ଥୂଳତଃ ମହନ୍ତ ରାଜକାର୍ଯ୍ୟରୁ ଅବସୃତ ହୋଇଥିଲେହେଁ, ନିକଟସ୍ଥ ଗ୍ରାମମାନଙ୍କରେ ଏକ କ୍ଷୁଦ୍ର ରାଜ୍ୟ ବିସ୍ତାର କରି ପ୍ରଜାମାନଙ୍କୁ ସୁଖରେ ପାଳନ କରୁଥିଲେ । ଆମ୍ଭେମାନେ ଯେଉଁ ସମୟର ଇତିହାସ ଲେଖିବାକୁ ପ୍ରବୃତ୍ତ ହୋଇଅଛୁଁ, ସେ ସମୟେ ଦୁଇପତ୍ର ଇଂରାଜୀପଢ଼ା କୁଳ-ଧର୍ମ-ଭ୍ରଷ୍ଟ ଅଧୁନାତନ ପ୍ରଗଳ୍‍ଭ ଯୁବକମାନଙ୍କର ନୀତିଜ୍ଞାନ ପ୍ରଚଳିତ ନ ଥିଲା । ସେ ସମୟରେ ଲୋକମାନେ ସେମାନଙ୍କର ପିତା ପିତାମହଙ୍କୁ ମୂର୍ଖ ବୋଲି ଘୋଷଣା କରିବାକୁ ଶିଖି ନ ଥିଲେ । ଆଜିକାଲିର ଚାଲ୍ ସବୁ ଇଂରାଜୀ ଓ ସେ ସମୟରେ ମରହଟ୍ଟୀ ଥିଲା । ଆଜିକାଲି କାହାକୁ ମରହଟ୍ଟୀ ବୋଲି ନିର୍ଦ୍ଦେଶ କଲେ ସେ ବ୍ୟକ୍ତି ଅଶ୍ରଦ୍ଧାର ପାତ୍ର ବୁଝିବାକୁ ହେବ । ମରହଟ୍ଟୀ ଲୋକମାନେ ଆଲୋକ-ବାୟୁ-ବିବର୍ଜିତ-ଗୃହରେ ବାସ କରୁଥିଲେ; ସେପରି ଗୃହରେ ଆମ୍ଭେମାନେ ରହିଲେ ଆମ୍ଭମାନଙ୍କର ହେଲ୍‍ଥ (ସ୍ୱାସ୍ଥ୍ୟ) ଖରାପ ହୁଏ-। ତାହାହେଲେ ସୁଦ୍ଧା ଆମ୍ଭଙ୍କୁ ଦୁଃଖର ସହିତ ସ୍ୱୀକାର କରିବାକୁ ହେଉଅଛି ଯେ ଆମ୍ଭମାନଙ୍କର ମରହଟ୍ଟୀ ପିତା ପିତାମହମାନେ ସେମାନଙ୍କର ଆଲୋକ-ବାୟୁ-ବିବର୍ଜିତ କ୍ଷୁଦ୍ରଗୃହରେ ବାସକରି ଯେପରି ଦୀର୍ଘଜୀବୀ ହୋଇଥିଲେ, ଆମ୍ଭେମାନେ ଆମ୍ଭମାନଙ୍କର ସଂଚାଳିତ-ବାୟୁ, ଆଲୋକିତ, ତୁଷାର-ଧବଳ-ଗୃହରେ, ବାସକରି ତଦ୍ରୂପ ଦୀର୍ଘଜୀବୀ ହୋଇ ପାରୁ ନାହୁଁ । ମହନ୍ତଙ୍କର ପ୍ରାୟ ଅଶୀତିବର୍ଷ ବୟସ ହୋଇଥିଲା । କିନ୍ତୁ ତାହାଙ୍କର ଦର୍ଶନେନ୍ଦ୍ରିୟର ତୀକ୍ଷ୍‍ଣତା ବର୍ଦ୍ଧିତ କରିବା ସକାଶେ ସଲୋମନ କମ୍ପାନୀ (Solomon & Co) ଭାର ବର୍ଷକୁ ଆସି ନ ଥିଲେ କିମ୍ବା ତାହାଙ୍କର ପାକଶକ୍ତିର ସାହାଯ୍ୟ କରିବାପାଇଁ କୌଣସି ଆମେରିକାନ୍ ଡେଣ୍ଟିଷ୍ଟ (American Dentist) ଆସି ନ ଥିଲେ । ମହନ୍ତ ଗୌରବର୍ଣ୍ଣ । ଅଶୀତିବର୍ଷ ବୟସରେ ସୁଦ୍ଧା ତାହାଙ୍କର ଗାତ୍ରଚର୍ମ ପଳିତପ୍ରାପ୍ତ ହୋଇ ନ ଥିଲା । ବୁଢ଼ାଟିର ଦେହ ପାଚିଲାଆମ୍ବ କହିଲେ ଆଉ କିଛି କହିବାର ଆବଶ୍ୟକ ହେବ ନାହିଁ ।

 

ଯୁବକ ଉଦ୍ୟାନରୁ ପ୍ରତ୍ୟାଗତ ହୋଇ ଦେଖିଲେ ଯେ ମହନ୍ତ ପୂଜାରେ ଆସୀନ । ପଦ୍ମମାଳୀର ମାତା ତତ୍‍କାଳେ ମଠରେ ଉପନୀତ ହେଲେ । ମାତା ପୁତ୍ରୀଙ୍କର ବିଚ୍ଛେଦାନନ୍ତର ମିଳନରେ ଉଭୟେ ଯେ ପରମସୁଖୀ ହେଲେ ତାହା ବୋଲିବା ବାହୁଲ୍ୟ । ମହନ୍ତଙ୍କର ଅନୁରୋଧରେ ଅତିଥିମାନେ ତିନି ଦିବସ ମଠରେ ଅତିବାହିତ କଲେ ଏବଂ ପଦ୍ମମାଳୀ ଓ ଯୁବକଙ୍କର ଆଉ ଅନେକଥର ସାକ୍ଷାତ ହେବାର ସୁଯୋଗ ହେଲା । ଚତୁର୍ଥଦିବସ ପ୍ରତ୍ୟୁଷରେ ଯେ ଯାହାର ଗୁହାଭିମୁଖେ ଗମନ କଲେ ଓ ଯୁବକଙ୍କର ଆଦେଶ ପ୍ରାପ୍ତହୋଇ ଦଶଜଣ ପାଇକ ପଦ୍ମମାଳୀ ଓ ପଦ୍ମମାଳୀର ମାତାଙ୍କର ଗହଣରେ ଚାଲିଲେ ।

•••

 

ଅଷ୍ଟମ ପରିଚ୍ଛେଦ

ପାପର ଫଳ

 

ଦୁର୍ଯ୍ୟୋଧନ ଦାସ ବୃକ୍ଷରେ ନିବଦ୍ଧ ଥାଇ ଯନ୍ତ୍ରଣାର ଏକଶେଷ ଭୋଗ କରୁଥିଲା । ଯୁବକ ଓ ପଦ୍ମମାଳୀ କିଛିକ୍ଷଣ ଆସିଲା ଉତ୍ତାରୁ ବାଞ୍ଛାନିଧି ବଳବନ୍ତରାୟ ଏକ ଜଳପାତ୍ର ସହିତରେ ଉପସ୍ଥିତ ହୋଇ, ଦୁର୍ଯ୍ୟୋଧନ ଓ ପଦ୍ମମାଳୀକୁ ସେମାନଙ୍କର ଉପବିଷ୍ଟସ୍ଥାନରେ ନ ପାଇ ଆଶ୍ଚର୍ଯ୍ୟ ହେଲା । ସେମାନଙ୍କର ପ୍ରତ୍ୟାଗମନ ଅପେକ୍ଷାରେ ସେ ସ୍ଥାନରେ ଉପବେଶନ କଲା । କିନ୍ତୁ ଦୀର୍ଘକାଳ ଅପେକ୍ଷା କଲାଉତ୍ତାରୁ ସେ ଚିନ୍ତିତ ହେଲା ଓ ଇତସ୍ତତଃ ସେମାନଙ୍କର ଅନ୍ୱେଷଣ କଲା । ଇତସ୍ତତଃ ବୁଲୁଁ ବୁଲୁଁ ଦୁର୍ଯ୍ୟୋଧନର ସ୍ୱର ତାହାର କର୍ଣ୍ଣକୁହରେ ପ୍ରବେଶ ହେଲା ପ୍ରାୟ ସେ ଅନୁମାନ କଲା । ଶବ୍ଦ କେଉଁ ଦିଗରୁ ଆସୁଅଛି ତାହା ଶୁଣିବା ନିମନ୍ତେ ସେ ଅବହିତ ହୋଇ କର୍ଣ୍ଣ ବିସ୍ତାର କଲା । ଦୁର୍ଯ୍ୟୋଧନ ତଦବସ୍ଥାଗତ ହୋଇ ଯନ୍ତ୍ରଣାର ଅତିଶଯ୍ୟରେ ଥରେ ଥରେ ବଳବନ୍ତରା’ର ନାମ ଉଚ୍ଚୈଃସ୍ୱରେ ଉଚ୍ଚାରଣ କରୁଥିଲା ଓ ସେ ଜଳ ସକାଶେ ଯାଇ ବିଳମ୍ବ କରୁଥିବା ହେତୁ ତାହାର ଓ ତାହାର ପିତୃ ପିତାମହଙ୍କର ଉଦ୍ଦେଶ୍ୟରେ ଅନେକ ବାକ୍ୟାଳଂକାର ପ୍ରୟୋଗ କରୁଥିଲେ । ସୁଖର ସମୟ ଯେରୂପ ଶୀଘ୍ର ଅତିବାହିତ ହୁଏ, ଦୁଃଖ ଓ କଷ୍ଟର ସମୟ ତଦ୍ରୂପ ନୁହେଁ । ବଳବନ୍ତରା’ର ଆସିବାକୁ ଯେତେ ବିଳମ୍ବ ହେଉଥିଲା ଦୁର୍ଯ୍ୟୋଧନର କଷ୍ଟ ତେତେ ଅଧିକ ହେଉଥିଲା । ବଳବନ୍ତରା ଦୁର୍ଯ୍ୟୋଧନର ସ୍ୱର ପ୍ରଥମ ଶୁଣି ଅବହିତ ହୋଇ କର୍ଣ୍ଣ ବିସ୍ତାର କଲା । ଦ୍ୱିତୀୟଥର ଦୁର୍ଯ୍ୟୋଧନ ଶବ୍ଦ କରିବା ସମୟରେ ଏକ ବଜ୍ରର ନିନାଦରେ ତାହାର ଶବ୍ଦ ନିମଗ୍ନ ହୋଇଥିଲା । ବଳବନ୍ତରା ପ୍ରଥମ ଶ୍ରୁତଶବ୍ଦକୁ ତାହାର କଳ୍ପନା ରଚିତ ସିଦ୍ଧାନ୍ତ କରି ଦୁର୍ଯ୍ୟୋଧନର ଅନ୍ୱେଷଣାର୍ଥ ଦୁର୍ଯ୍ୟୋଧନ ଯେଉଁଠାରେ ଥିଲା ତହିଁର ବିପରୀତ ଦିଗକୁ ଗମନ କଲା-। ଅନେକକକ୍ଷ ବୃଥାରେ ଦୁର୍ଯ୍ୟୋଧନକୁ ଅନୁସନ୍ଧାନକଲା ଉତ୍ତାରୁ ସେ ତାହାର ଅପେକ୍ଷା ନ କରି ଚାଲିଯାଇଥିବାରୁ ସିଦ୍ଧାନ୍ତ କଲା । ହସ୍ତସ୍ଥିତ ଜଳପାତ୍ର ପ୍ରତ୍ୟର୍ପଣ କରିବା ସକାଶେ ସେ ପୁନର୍ବାର ଗ୍ରାମଭିତରକୁ ଗଲା । ସେ ଯାଇ ଯେଉଁ ଗୃହସ୍ୱାମୀଠାରୁ ଜଳପାତ୍ର ବ୍ୟବହାର କରିବାସକାଶେ ଆଣିଥିଲା, ତାହାଙ୍କ ସହିତ ଅନ୍ୟ ଏକବ୍ୟକ୍ତିର କଥୋପକଥନ ହେଉଥିବାର ଶୁଣିଥିଲା; ଉକ୍ତ କଥୋପକଥନ ଶ୍ରବଣ କରି ବଳବନ୍ତ’ଙ୍କର ମନରେ କି କି ଭାବ ଉଦୟ ହେଲା, ତାହା ପାଠକ ମହାଶୟ ଅବଧାରଣ କରନ୍ତୁ । ଗୃହସ୍ୱାମୀଙ୍କର ବନ୍ଧୁ କହୁଥିଲେ–

 

‘‘ଆରେ ଶୁଣି ନାହଁ କି ? ଯେତେବେଳେ ବର୍ଷାହୋଇ ଯାତ୍ରା ଭଣ୍ଡୁର ହୋଇଗଲା, କିଏ ସେ ଦୁଷ୍ଟ ଗୋଟିଏ ବଡ଼ ସୁନ୍ଦରୀ ପିଲାଟିକୁ ନେଇ ପଳାଇଗଲା ।”

 

“କ’ଣ କହୁଛ !!!”

 

‘‘ଯାହା କହୁଛି’ ତ । ସେ ପିଲାଟିର ମା’ ରାଉତୁରାବାବୁଙ୍କର ତମ୍ବୁରେ ଯାଇ କାନ୍ଦି କହିଲା । ରାଉତୁରା’ବାବୁ ମଶାଲ ପଠାଇ ଅନେକ ଅନୁସନ୍ଧାନ କଲେ କିନ୍ତୁ କିଛି ସନ୍ଧାନ ମିଳିଲା ନାହିଁ ।’’

 

‘‘ଏପରି କାର୍ଯ୍ୟ କରିବାକୁ କୌଣସି ସାମାନ୍ୟ ବ୍ୟକ୍ତି ସାହସ କରିବ ନାହିଁ ।’’

 

‘‘ଏତିକି ମାତ୍ର ଜଣା ଯାଇଅଛି ଯେ ନୀଳଗିରିର ଦୁର୍ଯ୍ୟୋଧନ ଦାସ ତାହାର ପଛେପଛେ ଥିଲା ଓ ସେ ମଧ୍ୟ କେଉଁଠାକୁ ଯାଇଅଛି କେହି କହିପାରୁ ନାହାନ୍ତି । ତାହାର ବସାର ଲୋକେ ତାହାକୁ ଖୋଜୁଅଛନ୍ତି ।’’

 

‘‘ଦୁର୍ଯ୍ୟୋଧନର ଯେପରି ନାମ ଶୁଣା ଯାଇଅଛି ତହିଁରୁ ଏ କର୍ମ କରିବା ତାହାକୁ ବିଚିତ୍ର ନୁହେ । ସେଠାରୁ ରାଉତୁରାବାବୁ କି ଉପାୟ କଲେ ?’’

 

‘‘ରାଉତୁରାବାବୁ ଦୁର୍ଯ୍ୟୋଧନକୁ ଧରିବା ପାଇଁ କଇଁସାରି ଓ କାପ୍ତିପଦା ବାଟରେ ଆଠଜଣ ଘୋଡ଼ାସୁଅର ପଠାଇଅଛନ୍ତି ଓ ଆମ୍ଭର ବୋଧହୁଏ ଯେ ସେମାନେ ଏତେବେଳକୁ ଦୁର୍ଯ୍ୟୋଧନକୁ ଧରିନେଇ ତାହାଙ୍କ ଛାମୁରେ ପହୁଞ୍ଚିଲେଣି ।

 

ଦୁର୍ଯ୍ୟୋଧନ ଏକାକୀ ଏକ ଯୁବତୀ ରମଣୀକୁ ଭିଡ଼ରୁ ଅପହରଣ କରିଥିବା ଏହା ସମ୍ଭବ ହେଉନାହିଁ । ଅବଶ୍ୟ ତାହାର କେହି ସାହାଯ୍ୟକାରୀ ଥିବ ।

 

‘‘ଦୁର୍ଯ୍ୟୋଧନର ଚାକରଙ୍କର କହିବାରୁ ଜଣାଯାଉଅଛି ଯେ ସେ ଓ ତାହାର ବିଶ୍ୱାସୀ ଅନୁଚର ନିଧି ବଳବନ୍ତରା ବସାକୁ ଯାଇ ନାହାନ୍ତି ।’’

 

ଅପରିମିତ ସାହାସୀ ବଳବନ୍ତରା ଏ ଦୁହିଙ୍କର କଥୋପକଥନ ପ୍ରଥମରୁ ଆଗ୍ରହସହକାରେ ଶୁଣୁଥିଲା । ତହିଁରୁ ଦୁର୍ଯ୍ୟୋଧନକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରାନ୍ତ ନ ହେବାର କାରଣ ସ୍ଥିର କଲା; କିନ୍ତୁ ଯେତେବେଳେ ତାହାର ନିଜନାମର ଉଲ୍ଳେଖ ହେଲା, ସାହସ ତାହାକୁ ପରିତ୍ୟାଗ କଲା ଭୟରେ ଅଭିଭୂତ ହେଲାରୁ ତାହାର ହସ୍ତସ୍ଥିତ ପାତ୍ର ଠଣତ୍‍କାର କରି ଭୂତଳେ ପତିତ ହେଲା-। ଶବ୍ଦରେ ଗୃହସ୍ୱାମୀ ଓ ତାହାଙ୍କର ବନ୍ଧୁ ଚମକିତ ହେଲେ । ପ୍ରଦୀପ ହସ୍ତ ହୋଇ ବହିର୍ଦେଶକୁ ଆସି ଦେଖିଲେ, ଯେ ବଳବନ୍ତରା କାଷ୍ଠପୁତ୍ତଳିକାପରି ଦଣ୍ଡାୟମାନ । ତାହାର ହସ୍ତରୁ ତାହାର ଜଳପାତ୍ର ସ୍ଖଳିତ ହେଇଥିବାର ତାହାକୁ ଜଣା ନା ଥିଲା । ଗୃହସ୍ୱାମୀ ବଳବନ୍ତରାକୁ ତଦବସ୍ଥାଗତ ଦେଖି ଅନ୍ଧକାର ରାତ୍ରିରେ କୌଣସି ପ୍ରକାର ଭୟ ପାଇଥିବାର ଅନୁମାନ କରି ତାହାକୁ ଗୃହାଭ୍ୟନ୍ତରାକୁ ନେଲେ; ଜଳପାନ କରାଇ ସେ ରାତ୍ରି ତାହାଙ୍କର ଆବାସରେ ରହିବାକୁ ଅନୁରୋଧ କଲେ । ବଳବନ୍ତରା ତହିଁରେ ସମ୍ମତ ହୋଇ ସେ ରାତ୍ରି ସେଠାରେ ଶୟନ କଲା ଓ ଅତି ପ୍ରତ୍ୟୁଷରୁ ଗାତ୍ରୋତ୍ଥାନ କରି ଗୃହସ୍ୱାମୀଙ୍କଠାରୁ ବିଦାୟ ନେଇ କଂସାରିମାର୍ଗେ ଗମନ କଲା ।

 

ପ୍ରତ୍ୟୁଷେ ଉଷାଦେବୀ ଅପୂର୍ବଶୋଭା ଧାରଣ କରିଥିଲେ । ଗତ ରାତ୍ରିରେ ବର୍ଷାନନ୍ତର ବୃକ୍ଷ-ତୃଣ-ପଲ୍ଲବ ସତେଜ ଦିଶୁଥିଲା । ଦୟାଲ, କପୋତ, ବୁଲ୍‍ ବୁଲ୍ ଇତ୍ୟାଦି ପକ୍ଷୀଙ୍କର କୁଜନ କର୍ଣ୍ଣରେ ଅମୃତ ଢାଳୁଥିଲା । ମନ୍ଦ ମନ୍ଦ ସମୀରଣ ଅଙ୍ଗକୁ ଶୀତଳ କରୁଥିଲା । ଏ ସକଳ ଶୋଭାରେ ବଳବନ୍ତରାୟ ମନ ଉଲ୍ଲସିତ ହେଲାରୁ ସେ ଏକ ସ୍ୱରର ଆଳାପ କରି ଅଗ୍ରସର ହେଉଥିଲା । ଗତ ରାତ୍ରି ଦୁର୍ଯ୍ୟୋଧନ ଓ ପଦ୍ମମାଳୀ ଯେଉଁଠାରେ ବିଶ୍ରାମ ଲଭିବାକୁ ବସିଥିଲେ, ସେ ସେଠାରେ କିଛିକ୍ଷଣ ସ୍ଥିତ ହୋଇ ଚତୁର୍ଦ୍ଦିଗକୁ ଅବଲୋକନ କଲା । ମାର୍ଗରେ ସ୍ଥାନେ ସ୍ଥାନେ ଅଶ୍ୱପଦଚିହ୍ନ ଦେଖିଲା । ଅଶ୍ୱପଦଚିହ୍ନ ବିପରୀତ ଦିଗରେ ପଡ଼ି ନ ଥିବାରୁ ଅଶ୍ୱାରୋହୀମାନେ ଫେରି ଯାଇ ନ ଥିବାର ନିଶ୍ଚୟ କରି ଦୁର୍ଯ୍ୟୋଧନ ସମ୍ବନ୍ଧେ ତାହାର ସନ୍ଦେହ ଜାତ ହେଲା । ଚତୁର୍ଦ୍ଦିଗ ଅବଲୋକନ କରୁ କରୁ ସ୍ୱଳ୍ପଦୂରରେ ଏକ ମନୁଷ୍ୟ ଦେଖିଲା । ମୂର୍ତ୍ତିଟି ହସ୍ତପଦ ବିସ୍ତାର କରି ଭୂତଳେ ଶୟିତ କିମ୍ବା ଋଜୁଭାବେ ଆସୀନ ନ ଥିଲା । ବଳବନ୍ତରା’ ନିକଟସ୍ଥ ହୋଇ ଦେଖିଲା ଯେ ଦୁର୍ଯ୍ୟୋଧନ ଭିନ୍ନ ମୂର୍ତ୍ତିଟି ଅନ୍ୟ କାହାରି ନୁହେ । ସେ ତାହାକୁ ତଦବସ୍ଥାଗତ ଦେଖି କ୍ଷଣମାତ୍ର ବିଳମ୍ବ ନ କରି ତାହାର ବନ୍ଧନ ଉନ୍ମୋଚନ କଲା । କ୍ଳାନ୍ତ ଥିବା ହେତୁ ଦୁର୍ଯ୍ୟୋଧନର ଚକ୍ଷୁ ନିଦ୍ରାକୃଷ୍ଟ ହୋଇଥିଲା କିନ୍ତୁ ଗାଢ଼ ନିଦ୍ରାଭିଭୂତ ହୋଇ ନ ଥିଲା । ବଳବନ୍ତରା‘ ବନ୍ଧନ ମୋଚନ କଲାରୁ ଦୁର୍ଯ୍ୟୋଧନ ଉତ୍‍ଥାନ କଲା । କିନ୍ତୁ ପୂର୍ବ ଅବସ୍ଥାରେ ଯେଉଁ ଅସହ୍ୟ ଯନ୍ତ୍ରଣା ଭୋଗ କରିଥିଲା ତାହା ଶୀଘ୍ର ବିସ୍ମୃତ ହେଲା ନାହିଁ । ବଳବନ୍ତରା ସମ୍ୟକ୍ ଅନୁସନ୍ଧାନରେ ତ୍ରୁଟି କରିଥିବାରୁ ସେ ଅସହ୍ୟ ଯନ୍ତ୍ରଣା ଭୋଗ କରିଥିଲା, ଏହା ମନେ ମନେ ବିଚାର କଲା । ପର୍ଯ୍ୟାୟକ୍ରମେ ସମୁଦାୟ ଘଟନା ଆଲୋଚନା କରି ବଳବନ୍ତରା ଅବହେଳା କରିଥିବାର ସିଦ୍ଧାନ୍ତ କଲା । ଏ ସିଦ୍ଧାନ୍ତ କରିବାମାତ୍ରେ ତାହାର ମନ କ୍ରୋଧାବେଗ ସମ୍ବରଣ କରି ପାରିଲା ନାହିଁ । ସେ ବିନା ବାକ୍ୟବ୍ୟୟେ ନିରପରାଧୀ ବଳବନ୍ତରା’ର ପୃଷ୍ଠଦେଶରେ ଦୁଇ ବଜ୍ରମୁଷ୍ଟି ପ୍ରହାର କଲା । ବଳବନ୍ତରା ଏହାର ଅର୍ଥ ବୁଝିବାକୁ ଅକ୍ଷମ । ସେ କି ଅପରାଧ ସକାଶେ ଏ ଦଣ୍ଡ ପାଇଲା ଜାଣିପାରିଲା ନାହିଁ କିନ୍ତୁ ନୀରବ ହୋଇ କଂସାରିମାର୍ଗ ଅବଲମ୍ବନ କରି ଚାଲିଲା ଓ ଏ ଅପମାନ ଏକଦିନ ପ୍ରତିଶୋଧ କରିବାକୁ ପ୍ରତିଜ୍ଞା କଲା ।

•••

 

ନବମ ପରିଚ୍ଛେଦ

ଜନଶ୍ରୁତି

 

ପୂର୍ବ ପରିଚ୍ଛେଦରେ ଯେଉଁ ଘଟନା ବର୍ଣ୍ଣିତ ହୋଇଅଛି ତହିଁର କିଛିଦିନ ଉତ୍ତାରୁ ଅପରାହ୍ନରେ ପୁରୁଷୋତ୍ତମ ସେନାପତି (କିନ୍ତୁ ସଚରାଚର ପୁରୋସେନାପତି ନାମରେ ପରିଚିତ) ତାହାର ଶାଳରେ କର୍ମ କରୁଥିଲା । ସେନାପତିର ଗୃହ ପାଞ୍ଚଗଡ଼ରେ, ସେ ଜଗୁପଟ୍ଟନାୟକଙ୍କର ପ୍ରତିବେଶୀ । ସେନାପତି ନୀଳଗିରି-ରାଜା-ସର୍କାରର ଲୌହକାର ଥିଲା ଓ ଉପଯୁକ୍ତ ଜାଗିର ପ୍ରାପ୍ତ ହୋଇ ସ୍ୱଚ୍ଛଳ ଅବସ୍ଥାର ଲୋକଥିଲା । ସେନାପତି ଶାଳରୁ ଏକ ଏକ ଖଣ୍ଡ ତପ୍ତ ଲୌହ ସଣ୍ଡୁଆଶୀରେ ଧୃତ କରି ନୀହାଇ ଉପରେ ରକ୍ଷିତ କରୁଥିଲା ଓ ଏକଜଣ ସହକାରୀ ଏକ ଲୌହ ହାତୁଡ଼ି ଦ୍ୱାରା ଉକ୍ତ ଲୌହକୁ ଆଘାତ କରି ତାହାକୁ ଆବଶ୍ୟକୀୟ ଗଠନ ପ୍ରଦାନ କରୁଥିଲା । ଅନ୍ୟ ଏକଜଣ ସହକାରୀ ଏକ ଭସ୍ତ୍ରା ଦ୍ୱାରା ଶାଳକୁ ପ୍ରଭୂତ ବାୟୁପ୍ରଦାନ କରୁଥିଲା । ଏପରି ସମୟେ ବାଞ୍ଛାନିଧି ବଳବନ୍ତରାୟ’ ଧୀରେ ଧୀରେ ଆସି ସେନାପତିଙ୍କ ନିକଟରେ ଉପବିଷ୍ଟ ହେଲା । ବଳବନ୍ତରା’ ମୟୂରଭଞ୍ଜରୁ ପ୍ରତ୍ୟାଗତ ହୋଇ ମନୋଦୁଃଖରେ କାହାରି ସହିତ ସାକ୍ଷାତ କରି ନ ଥିଲା । ସେନାପତି ବଳବନ୍ତରା’କୁ ସ୍ନେହ କରୁଥିଲେ ଓ ସେ ଶାଳକୁ ଆସିଲେ ତାହାକୁ ଅନେକ ଉପଦେଶ ବାକ୍ୟ ପ୍ରଦାନ କରୁଥିଲେ, କିନ୍ତୁ ଆଜି ବଳବନ୍ତରା’ ଆସିଲାରୁ ସେନାପତି ତାହା ସହିତ ବାକ୍ୟାଳାପ ଦୂରେ ଥାଉ, ତାହାପ୍ରତି ଦୃଷ୍ଟି ସୁଦ୍ଧା ନିକ୍ଷେପ କଲେ ନାହିଁ । ବଳବନ୍ତରା’ ଏହାର ଅର୍ଥ ବୁଝିବାକୁ ଅକ୍ଷମ ହୋଇ ମୌନଭାବେ ବସି ରହିଲା । କିଛିକ୍ଷଣ ଏହିପରି ରହିଲା ଉତ୍ତାରୁ ସେନାପତି ବଳବନ୍ତରା’କୁ କହିଲେ–

 

‘‘କିହୋ ବଳବନ୍ତରା’ ! ମୟୂରଭଞ୍ଜରେ ବଡ଼ ବୀରପଣିୟାଟା ଦେଖାଇ ଆସିଲ ?’’

 

ଏହା ଶୁଣି ବଳବନ୍ତରା ନିର୍ବାକ୍ । ଘୋରତମସାଚ୍ଛନ୍ନ ନିଶୀଥକାଳରେ ମୟୂରଭଞ୍ଜକିଲ୍ଲାରେ ଯେଉଁ ଘଟଣା ହୋଇଥିଲା ତାହା ନୀଳଗିରିରେ ପ୍ରଚାରିତ ହୋଇଥିବାର ଦେଖି ସେ ଅତି ଆଶ୍ଚର୍ଯ୍ୟାନ୍ୱିତ ହେଲା; ମନେ ମନେ ବିଚାର କଲା ଯେ ଆକାଶ ଭାଙ୍ଗି ତାହା ମୁଣ୍ଡରେ ପଡ଼ିଲା । ସେନାପତି ଅବଶ୍ୟ ସମୁଦାୟ ଜାଣିଛନ୍ତି ଏହା ସ୍ଥିରକରି ସେ ଯେତେଦୂର ଜ୍ଞାତ ଥିଲା, ତାହାଙ୍କଠାରୁ ଗୋପନ କରିବାର ସୁବୁଦ୍ଧିର କାର୍ଯ୍ୟ ବିବେଚନା କଲା ନାହିଁ । ତଥାପି ସେନାପତି ପ୍ରକୃତରେ କେତେଦୂର ଜ୍ଞାତ ଥିଲେ ତାହା ଜାଣିବା ସକାଶେ ସେ କହିଲା,–

 

‘‘କି ବୀରପଣିୟା ?’’

 

‘‘ଆହୁରି କହୁ’ଛ କି ବୀରପଣିୟା ! ଆଛା, ଦୁର୍ଯ୍ୟୋଧନ ପାଷାଣ୍ଡ ବୋଲି ସମସ୍ତେ ଜାଣନ୍ତି । ତୁମ୍ଭେ କିପରି ଜଗୁପଟୁଆରୀଙ୍କ ଝିଅକୁ ନେଇଗଲ ?’’

 

ବଳବନ୍ତରା’ ଜାଣି ନ ଥିଲା ଯେ ପଦ୍ମମାଳୀ ପଟୁଆରୀଙ୍କ ଝିଅ । ଏହା ଜାଣି ସେ ଆପଣାକୁ ମନେ ମନେ ଶତ ଧିକ୍‍କାର କଲା ଓ ସେନାପତିକୁ ଉତ୍ତରରେ କହିଲା,–

 

ସେ ପିଲାଟି ପଟୁଆରୀଙ୍କ ଝିଅ, ଏହା ମୁଁ ଜାଣି ନ ଥିଲି । ଏହା ଜାଣିଥିଲେ ମୁଁ କେଭେଁ ଏ କାର୍ଯ୍ୟ କରି ନ ଥାନ୍ତି । ମୁଁ ଯେଉଁ କାର୍ଯ୍ୟକରି ଅଛି ତାହାପାଇଁ ମୁଁ ଯେତେଦିନ ବଞ୍ଚିଥିବି ମୋହର ମନର ଦୁଃଖ କେଭେଁ ଯିବ ନାହିଁ । ମୋତେ ଦୁର୍ଯ୍ୟୋଧନ ପାଣି ଆଣିବା ପାଇଁ ପଠାଇ ଦେଲା । ମୁଁ ପାଣିପାଇଁ ଗଲି । ତାହାବାଦ୍ ସେ ପିଲାଟିର କ’ଣ ହେଲା ମୁଁ ଆଉ ଜାଣି ନାହିଁ । ସେ ପିଲାଟିର କିଛି ଅନିଷ୍ଟ ହୋଇ ନାହିଁ ଏହା ଜାଣିଲେ ମଧ୍ୟ ମୋହର ମନର କଷ୍ଟ କେତେଦୂର ଶାନ୍ତ ହେବ ।’’

 

‘‘ନା, ପଦ୍ମମାଳୀର କୌଣସି ଅନିଷ୍ଟ ହୋଇ ନାହିଁ । ଭଗବାନ୍ ତାହାକୁ ଦୁର୍ଯ୍ୟୋଧନ ହସ୍ତରୁ ରକ୍ଷା କରି ଅଛନ୍ତି ।’’

 

‘‘ସେ କିପରି ? ଜାଣିବାକୁ ମୋହର ମନ ବଡ଼ ବ୍ୟଗ୍ର ହେଉଛି ।’’

 

‘‘ଦୁର୍ଯ୍ୟୋଧନ ଏକାକୀ ପିଲାଟିକୁ ପାଇ ତାହାକୁ ଅନେକ ବିନୟ କଲା, କିନ୍ତୁ ତଦ୍ଦ୍ୱାରା ତାହାକୁ ରାଜିକରି ନ ପାରି ଶେଷରେ ତାହାପ୍ରତି ବଳ ପ୍ରକାଶ କରିବାର ଆରମ୍ଭ କଲା । କିନ୍ତୁ ଅସହାୟର ସହାୟ ଭଗବାନ ! ଏପରି ସମୟରେ ରାଉତରାୟବାବୁ ପୃଥ୍ୱୀନାଥ ଭଞ୍ଜ ସେଠାରେ ପହୁଞ୍ଚି ପଦ୍ମମାଳୀକୁ ତାହା ହସ୍ତରୁ ରକ୍ଷା କଲେ ।’’

 

‘‘ତେବେ ରାଉତରାୟବାବୁ କେବଳ ପାଇକ ପଠାଇ ନିଶ୍ଚିନ୍ତ ନ ଥିଲେ । ସେ ନିଜେ ଦୁର୍ଯ୍ୟୋଧନକୁ ଧରିବା ପାଇଁ ଆସିଥିଲେ । ମୁଁ ଯେଉଁଠାରୁ ପାଣି ଆଣିଥିଲି ସେଠାକୁ ଲୋଟା ଫେରାଇ ଦେବାକୁ ଯାଇ ଶୁଣିଲି ଯେ ରାଉତୁରା’ବାବୁ ଦୁର୍ଯ୍ୟୋଧନକୁ ଧରିବା ପାଇଁ ପାଇକ ପଠାଇଲେ ।’’

 

‘‘ପାଇକଙ୍କୁ ସଙ୍ଗରେ ଘେନି ସେ ନିଜେ ଆସିଥିଲେ । ପଦ୍ମମାଳୀକୁ ଦୁର୍ଯ୍ୟୋଧନ ହସ୍ତରୁ ରକ୍ଷା କରି ଏକ ମଠରେ ସେ ରାତ୍ର ତାହାକୁ ରଖାଇ ତହିଁ ଆରଦିନ ତାହାର ମାଆକୁ ଅଣାଇ ଓ ମା’ ଝିଅଙ୍କ ସଙ୍ଗରେ ପାଇକ ଦେଇ ସେମାନଙ୍କୁ ଘରକୁ ପଠାଇ ଦେଲେ ।’’

 

‘‘ରାଜପୁଅର କଥା ଭିନ୍ନ । ତା ଉତ୍ତାରୁ ଦୁର୍ଯ୍ୟୋଧନର କଅଣ ହେଲା କିଛି ଶୁଣିଛ ?’’

‘‘ନା, ପଦ୍ମମାଳୀ ତାହା କିଛି କହିପାରୁ ନାହିଁ ।’’

 

‘‘ଦୁଷ୍ଟର ଉପଯୁକ୍ତ ଶାସ୍ତି ହୋଇଅଛି । ତଥାପି ଉପଯୁକ୍ତ ଶାସ୍ତି ହୋଇ ନାହିଁ । ଅବଶ୍ୟ ଦିନେ ଉଚିତ ଦଣ୍ଡ ପାଇବ ।’’

 

‘‘କି ଦଣ୍ଡ ପାଇଲା ?”

‘‘ଯାହା ପାଇ’ଛି ଖୁବ୍ ହୋଇ’ଛି, ତେବେ ମଧ୍ୟ ମୋହର ମନ ବୋଧ ହୋଇ ନାହିଁ ।’’

‘‘କଅଣ ପାଇଛି କହୁଁ ନାହୁଁ କାହିଁକି ?’’

‘‘ଯାହା ପାଇ’ଛି ତା ମନ ଜାଣିଥିବ ।’’

‘‘ତାହା କଅଣ କହ ।’’

‘‘ତୁମ୍ଭେ ଥରେ ତାହା ଦେଖିଥାନ୍ତ ।’’

‘‘ମଲା, ସେଇତା କହୁ ନାହୁଁ କାହିଁକି ?’’

 

‘‘ମୁଁ ପାଣି ଘେନି ଆସିଲି । ଦେଖିଲି ଯେ ଦୁର୍ଯ୍ୟୋଧନ ଯେଉଁଠାରେ ଥିଲା ସେହିଠାରେ ନାହିଁ ।

 

‘‘ତୁ କ’ଣ କଲୁ ?’’

‘‘ମୁଁ ଅନେକ ଖୋଜିଲି କୌଣସିଠେଇଁ ତାହାକୁ ପାଇଲି ନାହିଁ ।’’

‘‘ସେଠାରୁ କଣ କଲୁ ?’’

‘‘ମୁଁ ପାଣିଲୋଟା ଫେରାଇ ଦେବାକୁ ଗଲି ।’’

‘‘ସେଠାରୁ କଣ ହେଲା ?’’

 

‘‘ଯାହା ଘରୁ ପାଣି ଆଣିଥିଲି (ସେ ବିଚାରା ମୋତେ କେତେ ଯତ୍ନକଲା) ତାହାଘରେ ଯାଇ ଦେଖିଲି ସେ ମାନ୍ତ୍ରୀରୁ ଜଣେ ଆସି ପଦ୍ମମାଳୀକୁ ଦୁର୍ଯ୍ୟୋଧନ (ଦୁର୍ଯ୍ୟୋଧନ କାହିଁକି, ମୁଁ) ନେଇ ପଳାଇବାର କଥା କହୁଥିଲା । ତାହାଠାରୁ ଶୁଣିଲି ଯେ ରାଉତରାୟବାବୁ, ଦୁର୍ଯ୍ୟୋଧନକୁ ଧରିବାପାଇଁ ପାଇକ ପଠାଇ ଥିଲେ । ଏହା ଶୁଣି ମୋହର ଜ୍ଞାନ ଉଡ଼ିଲା । ମୁଁ ମନେ କଲି ଯେ ଏମାନେ କାଳେ ମୋତେ ଧରନ୍ତି । ଭୟରେ ମୋ ହାତରୁ ଲୋଟାଟା ଖସି ପଡ଼ିଲା । ଶବ୍ଦ ଶୁଣି ସେମାନେ ମୋ ପାଖକୁ ଆସିଲେ । ମୁଁ କହିଲି ଯେ ବରଗଛରେ ଧୋବଲୁଗା ପିନ୍ଧି ଭୂତଟା ଛିଡ଼ା ହୋଇଥିବାର ଦେଖି ମୋତେ ବଡ଼ ଭୟ ହେଲା ।’’

 

‘‘ମର୍ ଉଲୁ ମୁଁ ପଚାରି’ଛି ଯେ ଦୁର୍ଯ୍ୟୋଧନ କି ଦଣ୍ଡ ପାଇଲା; ତୁଏ ଗୁଡ଼ାକ କଣ କହୁ’ଛୁ-?’’

 

‘‘ମୁଁ ମୂଳରୁ ସବୁ କହୁଛି । ମୂଳଟା ନ କହି ଅଗଟା କିମିତି କହିବି ?’’

‘‘ହେଉ, ଯାହା ଜାଣୁ ତା’ କହ ।’’

 

‘‘ସେ ରାତିକ ମୁଁ ସେଠାରେ ରହିଲି । ସେମାନଙ୍କର କଥା ବାର୍ତ୍ତାରୁ ଜାଣିଲି ଯେ ଦୁର୍ଯ୍ୟୋଧନକୁ ରାଉତୁରା’ବାବୁ ଧରିନେଇ ଗଲେଣି । ସକାଳୁ ମୁଁ ଆସିଲି । ବାଟରେ ଘୋଡ଼ାର ଟାପୁ ଦେଖିଲି । ଘୋଡ଼ାସବୁ ଆସିଥିବାର ଦେଖିଲି, କିନ୍ତୁ ଫେରି ଯାଇ ଥିବାର ଦେଖିଲି ନାହିଁ । ଦୁର୍ଯ୍ୟୋଧନକୁ ନେଇ ଯାଇଥିଲେ, ଅବଶ୍ୟ ଘୋଡ଼ା ଫେରି ଯାଇଥିବାର ଚିହ୍ନ ଦେଖିଥାନ୍ତି, କିନ୍ତୁ ସେପରି ଚିହ୍ନ ନ ଦେଖି ମୋହ ମନରେ ସନ୍ଦେହ ହେଲା । ଦୁର୍ଯ୍ୟୋଧନ ଗତରାତ୍ରିରେ ଯେଉଁଠାରେ ବସିଥିଲା ସେଠାକୁ ଆସି ଚାରିଆଡ଼େ ଅନାଇଲି, ଦୂରରେ ଗୋଟିଏ ମଣିଷପରି ଦେଖାଗଲା ।’’

 

‘‘ସେ କି ଦୁର୍ଯ୍ୟୋଧନ ?’’

‘‘ହଁ, ସେ, ଦୁର୍ଯ୍ୟୋଧନ ।’’

‘‘ସେ ସେଠାରେ କ’ଣ କରୁଥିଲା ?’’

‘‘ଆଉ କ’ଣ କରୁଥିଲା । ଦାସଙ୍କର ସେଠାରୁ ଆସିବାର ଅକ୍ତ୍ୟାର ନ ଥିଲା ।’’

‘‘କାହିଁକି ?’’

‘‘ମୁଁ ଦେଖିଲି ଯେ ସେ ପଛମୁହାଁ ହୋଇ ଗୋଟାଏ ଗଛ ମୂଳରେ ବନ୍ଧା ହୋଇଥିଲା ।’’

‘‘କଣ କହୁଛ !!!’’

‘‘ଯାହା କହୁଛି ତ !’’

‘‘ରାତିଯାକ ସେହିପରି ଥିଲା ?’’

‘‘ତାହା ନୁହେ ତ ଆଉ କ’ଣ ।’’

‘‘ସେଠାରୁ କଣ ହେଲା ? ରାତିଯାକ ଖୁବ୍ କଷ୍ଟ ପାଇଛି ?’’

‘‘ତାହା ଆଉ ପଚାରୁଛ ! ଦୁଷ୍ଟର ଯେପରି କାର୍ଯ୍ୟ ତହିଁର ଉଚିତ ଫଳ ।’’

‘‘ସେଠାରୁ ଫିଟାଇଦେଲେ କିଏ ?’’

‘‘ମୋହରି ଅଭାଗ୍ୟ ।’’

‘‘କିଆଁ ?’’

 

‘‘ମୁଁ ପହୁଞ୍ଚିଲାବେଳେ ଦୁର୍ଯ୍ୟୋଧନ ଆଖି ମୁଦି ଥିଲା । ମୁଁ ତାହାର ଏ ଅବସ୍ତା ଦେଖି ବ୍ୟସ୍ତ ହୋଇ ବନ୍ଧନ ଫିଟାଇ ଦେଲି । କିନ୍ତୁ ଦୁଷ୍ଟ ଫିଟିଲାମାତ୍ରକେ ମୋହ ପିଠିରେ ଦୁଇବିଧା ବସାଇ ଦେଲା ।’’

 

‘‘ଦୁଷ୍ଟଲୋକର ଉପକାର ମଧ୍ୟ କରିବା ଉଚିତ ନୁହେଁ । ତୋତେ କାହିଁକି ମାଇଲା ?’

‘‘ତାହା ସେ ଜାଣେ । କିନ୍ତୁ ଏହାର ପ୍ରତିଫଳ ନ ଦେବା ପର୍ଯ୍ୟନ୍ତ ମୁଁ ନିଶ୍ଚିତ ହେବି ନାହିଁ-।’’

 

ଏପରି କଥାବାର୍ତ୍ତା ହେଉ ହେଉ ସୂର୍ଯ୍ୟ ଅସ୍ତ ହେଲେ । ସେନାପତି କାର୍ଯ୍ୟ ବନ୍ଦକରି ଗୃହକୁ ଯିବାର ଉଦ୍ୟମ କଲେ ଓ ତାହାଙ୍କର ସହକାରୀ ପହଲ ଗୋଛାଏତକୁ ବାର ବାର ସତର୍କ କରିଦେଲେ ଯେ ସେଠାରେ ଯେଉଁ କଥୋପକଥନ ହୋଇଥିଲା ତାହା ଯେପରି ପ୍ରକାଶ ନ ହୁଏ ।

•••

 

ଦଶମ ପରିଚ୍ଛେଦ

ଜନଶ୍ରୁତିର ବିସ୍ତାର

 

ପହଲ ଗୃହକୁ ଗଲା; ଭୋଜନାଦି ସମାପନ କରି ଶଯ୍ୟାରେ ଶୟନ କଲା, କିନ୍ତୁ ସେ ଦିବସ ନିଦ୍ରାଦେବୀ ତାହା ଚକ୍ଷୁରେ ଆବିର୍ଭୂତ ହେଲେ ନାହିଁ । ଅନ୍ୟାନ୍ୟ ଦିବସ ପହଲ ଭୋଜନାନ୍ତେ ଶଯ୍ୟାରେ ହସ୍ତ ବିସ୍ତାର କରି ଉପାଧାନରେ ମସ୍ତକ ରକ୍ଷାକଲାମାତ୍ର ନିଦ୍ରାରେ ଅଭିଭୂତ ହୁଏ, କିନ୍ତୁ ଆଜି ତାହାର ବ୍ୟତିକ୍ରମ ହେଲା । ତାହାର ପତ୍ନୀ ଗୃହକର୍ମ ସମାପନ କରି ଶୟନକକ୍ଷରେ ପ୍ରବେଶ କରି ଦେଖିଲା, ଯେ ପହଲ ନିଦ୍ରିତ ହୋଇ ନାହିଁ । ଏହା ଦେଖି ସେ ବିସ୍ମିତା ହୋଇ କହିଲା,–

 

‘‘କି, ଆଜି ବଡ଼ ଆଶ୍ଚର୍ଯ୍ୟ ଦେଖାଗଲା ?’’

‘‘କି ଆଶ୍ଚର୍ଯ୍ୟ ?’’

 

‘‘ମୁଁ ଘରକୁ ଆସିଲାବେଳେ କେଭେଁ ତୁମ୍ଭଙ୍କୁ ଶୋଇ ନ ଥିବାର ଦେଖେ ନାହିଁ । ଆଜି ତୁମ୍ଭଙ୍କୁ ଜାଗ୍ରତ ଦେଖି ବଡ଼ ଆଶ୍ଚର୍ଯ୍ୟ ହେଉଅଛି ।’’

 

ପହଲ ରସିକତାର ପରିଚୟ ଦେବାର ସୁବିଧା ପାଇ କହିଲା,-

 

‘‘ଆଜି ତୁମ୍ଭର ଚନ୍ଦ୍ରବଦନ ଦେଖିବାପାଇଁ ମୁଁ ଶୋଇ ନାହିଁ ।’’ ମୟନା କହିଲା,–ମୋହର ଭାଗ୍ୟ ଏହା ଶୁଣାଇଲା । ମୁଁ ନିତ୍ୟାନି ଆସି ଦେଖେଁ ଯେ ତୁମ୍ଭର ନିଦ୍ରାରେ ଚେତନା ନ ଥାଏ । ତୁମ୍ଭ ମୁଖରୁ ଦୁଇ ପଦ କଥା ଶୁଣିବାକୁ ମୁଁ କେତେ ଇଚ୍ଛା କରେ କିନ୍ତୁ ତୁମ୍ଭକୁ ଅଚେତନ ଦେଖି ନିରାଶ ହୋଇ ଶୋଇଥାଏ ।’’

 

‘‘ମୟନା ! ତୋହପରି ଭାର୍ଯ୍ୟା ଯାହାର, ସେ କେଡ଼େ ସୁଖୀ ନୁହେ, ତୁ ଏକଥା ମୋତେ କାହିଁକି କହି ନାହୁଁ ? ଆଜିଠାରୁ ତୁ ନ ଆସିଲା ପର୍ଯ୍ୟନ୍ତ ମୁଁ କେଭେଁ ଶୋଇବି ନାହିଁ । ଏହା ଶୁଣି ମୟନାର କ୍ଷୁଦ୍ର ଚିତ୍ତ ଏକାବେଳକେ ତରଳି ଗଲା ଓ ସେ କହିଲା–

 

‘‘ତୁମ୍ଭେ ଦିନଯାକ ପରିଶ୍ରମ କରି ଘରକୁ ଆସ ଓ ତୁମ୍ଭର ବିଶ୍ରାମ ନେବା ଭଲ । ସେଥିରେ ମୁଁ ବାଧା ଦେବାକୁ ଇଚ୍ଛା କରେ ନାହିଁ । ତୁମ୍ଭେ ସୁଖୀ ହେଲେ ମୁଁ ସୁଖୀ । ମୋର ବାପା ମା, ମୋତେ ତୁମ୍ଭହସ୍ତେ ଅର୍ପଣ କରି ନିଶ୍ଚିତ ଅଛନ୍ତି; ମୁଁ ମଧ୍ୟ ବଡ଼ ସୁଖୀ ଅଛି ।’’

 

ପହଲ ଶାୟିତଅବସ୍ଥାରୁ ଉତ୍‍ଥାନ କଲା । ଧୀରେ ଧୀରେ ମୟନାର ଗଣ୍ଡଦେଶରେ ଏଭଳି ଏକ ଦୀର୍ଘ ଚୁମ୍ବନ ପ୍ରଦାନ କଲା, ଯେ ତାହା ଏକ ମାଇଲ ପର୍ଯ୍ୟନ୍ତ ଶୁଣା ଯାଇଥିବ । ମୟନା କୌଣସି ବାଧା ଦେଲା ନାହିଁ । ପହଲ ପୂର୍ବବତ୍ ଶୟନ କଲା । ମୟନା ପଦସେବା ଆରମ୍ଭ କଲା । ପହଲର ଉଦରରେ ଅନ୍ତ୍ର ପରିପାକ ହୋଇ ନ ଥିଲା । ଉଦର ମଧ୍ୟରେ କ’ଣ ଥିଲା ଯେ ତାହା ଉଦ୍‍ଗାରିତ ନ ହୋଇ ଥିଲେ ବଦ୍‍ହଜମ ହୋଇଥାନ୍ତା ସେ ମୟନାକୁ କହିଲା,–

 

‘‘ଆଲୋ ଶୁଣି ନାହୁଁ କି ?’’

‘‘କ’ଣ ?’’

‘‘ତୁ ପରା ମାନ୍ତ୍ରୀ ଯିବାକୁ କହିଥିଲୁ ? ଯାଇଥିଲେ ଫଳଟା ପାଇଥାନ୍ତ ।’’

‘‘କାହିଁକି, କି ଫଳ ? ଏତେଲୋକ ଯାଇଥିଲେ ଯେ ସେମାନେ କ’ଣ ପାଇଲେ ?’’

‘‘ଯାହା ପାଇଛନ୍ତି ତାଙ୍କ ମନ ଜାଣୁଥିବ ।’’

‘‘କ’ଣ ପାଇଛନ୍ତି ?’’

‘‘ପଦ୍ମମାଳୀକୁ ଜଣେ ନେଇ ପଳାଇଥିଲା ।’’

‘‘କ’ଣ କହୁଛ ? ତେବେ ତାକୁ ପାଇଲେ କିପରି ?’’

 

‘‘ଅଦୃଷ୍ଟ ଭଲ ଥିଲା ବୋଲି ରକ୍ଷା ହେଲା, ନୋହିଲେ ଜଗୁ ପଟ୍ଟନାୟକଙ୍କର କଥା ସରିଥିଲା ।’’

 

‘‘କିଏ ନେଇ ପଳାଇଥିଲା ଜଣା ପଡ଼ିଛି ?’’

 

‘‘ହଁ ଜଣାପଡ଼ିଛି କିନ୍ତୁ ତାହାର ନାମ ମୁଁ ତୋତେ କହିବି ନାହିଁ; ତୁ ମାଇପିଲୋକ, କାଳେ କାହାକୁ କହି ଦେବୁ ।’’

 

ସ୍ୱାମୀର ସେ ବିଶ୍ୱାସଭାଜନ ନୁହେଁ ଏହା ଜାଣି ମୟନା ମାନ କରି ମୌନାଅବଲମ୍ବନ କରି ରହିଲା । ପହଲ ଦେଖିଲା ଯେ ସେ ମୟନାକୁ ଅବିଶ୍ୱାସ କରିବାରୁ ମୟନାର ମନରେ କଷ୍ଟ ହୋଇଅଛି ଓ ସକଳ କଥା କହିବା ନିମନ୍ତେ ତାହାର ମନ ଘାଣ୍ଟି ଚକଟି ହେଉଥିଲା । ସେ ମୟନାକୁ ବଳପୂର୍ବକ ଆପଣା ଅଙ୍କରେ ବସାଇ କହିଲା–

 

‘‘ଏଡ଼େ ଘୋସା କାହିଁକି ହେଉଅଛ, ମୁଁ କହୁଛି ଶୁଣ ।’’

 

‘‘ନା, ମୋତେ କହିବାର ଦରକାର ନାହିଁ । ମୁଁ ତୁମ୍ଭର ବିଶ୍ୱାସ ପାତ୍ର ହେଲି ନାହିଁ ।’’ ଏହା ବୋଲି ମୟନା ପିତାମାତାଙ୍କୁ ସ୍ମରଣ କରି କ୍ରନ୍ଦନ କଲା । ପହଲ କହିଲା,- ତୋତେ ବିଶ୍ୱାସ ନ କରିବାରୁ ମୋର ଦୋଷ ହୋଇଅଛି । ସେ କଥା ମନରେ ଘେନ ନାହିଁ । ପଦ୍ମମାଳୀକୁ ଆଉ କିଏ ନେଉଥିଲା ? ତୁମ୍ଭ ରାଣୀଙ୍କ ଯୋଗ୍ୟ ଭାଇ ଦୁର୍ଯ୍ୟୋଧନ ।’’

 

‘‘କି, ଦୁର୍ଯ୍ୟୋଧନ ପଟୁଆରୀଙ୍କ ଝିଅ ବୋଲି ମନରେ ଭୟ କଲା ନାହିଁ ?’’

‘‘ଦୁଷ୍ଟ ଯେପରି କାର୍ଯ୍ୟ କରିଥିଲା ତା’ର ଉପଯୁକ୍ତ ଦଣ୍ଡ ପାଇ’ଛି ।’’

‘‘କ’ଣ ଦଣ୍ଡ ପାଇ’ଛି ?’’

 

‘‘ଦୁର୍ଯ୍ୟୋଧନ ପଦ୍ମମାଳୀକୁ ନେଇ ପଳାଇଅଛି ଏହା ରାଉତୁରା’ ବାବୁ ଶୁଣି ତା’କୁ ଧରିବାପାଇଁ ତା’ର ପଛେ ପଛେ ଗଲେ, ବହେ ବାଟରେ ତା’କୁ ଭେଟିଲେ । ପଦ୍ମମାଳୀକୁ ତାହା ହାତରୁ ରକ୍ଷା କରି ତାହାକୁ ଯେତେ ମାଡ଼ ଦେବାର ଦେଲେ, ତାହାର ଦେହ ଫୁଲି ବେଙ୍ଗପରି ହୋଇଅଛି । ରାଉତୁରା’ବାବୁଙ୍କର ପାଇକମାନେ ତାହାକୁ ବିଧା, ଚାପୁଡା, ଗୋଇଠା ଯେତେ ମାରିବାର ମାଇଲେ, ଯେ ସେ ଚେତା ବୁଡ଼ି ପଡିଗଲା; ତହୁଁ ତାହାକୁ ପଛମୁହାଁ କରି ଗୋଟାଏ ଗଛରେ ବାନ୍ଧି ରଖିଲେ । ସେ ରାତିଯାକ ସେହିପରି ରହିଲା ।’’

 

‘‘ତାକୁ ଫିଟାଇଦେଲା କିଏ ?’’

‘‘ଆଉ କିଏ ଗଣବନ୍ତ ବଳବନ୍ତରା ।’’

‘‘ସେ ପୋଡ଼ା ମୁହାଁଟା କାହିଁକି ଫିଟାଇଦେଲା ?’’

‘‘ଯେପରି ଫିଟାଇଦେଲା ସେପରି ଫଳ ପାଇଲା ।’’

‘‘ସେ କି ଫଳ ପାଇଲା ?’’

 

‘‘ଦୁର୍ଯ୍ୟୋଧନ ଫିଟିଲାକ୍ଷଣି ( କ୍ରୋଧରେତ ଜ୍ଞାନଶୂନ୍ୟ ହୋଇଥିଲା) ବଳବନ୍ତରା’ ପିଠିକି ଦୁଇବିଧା ମାରିଲା ।’’

 

‘‘ଖୁବ୍ ହୋଇଛି ।’’

 

‘‘ହଁ, ତୁ ଏକା ଏ ସବୁ କଥା କାହାକୁ କହିବୁ ନାହିଁ; ସେ ଦୁଷ୍ଟ ଶୁଣିଲେ ଅନର୍ଥ କରିପାରେ-।’’

 

ଉକ୍ତ ରୂପ କଥୋପକଥନ କଲା ଉତ୍ତାରୁ ଦମ୍ପତୀ ସୁଖରେ ରାତ୍ରିଯାପନ କଲେ । ପ୍ରତ୍ୟୁଷେ ପହଲ ନିଜ କାର୍ଯ୍ୟକୁ ଗଲା ଓ ମୟନା ଗୃହକର୍ମରେ ପ୍ରବିଷ୍ଟ ହେଲା, କିନ୍ତୁ କୌଣସି କର୍ମରେ ତାହାର ମନ ନିବିଷ୍ଟ ହେଲା ନାହିଁ । ତାହାର ପେଟ ଭିତରେ କ’ଣ ଗୋଟାଏ ଗୋଳେଇ ଘାଣ୍ଟି ହେଉଥିଲା ଯେ ତାହା ବାହାରି ନ ଯିବା ପର୍ଯ୍ୟନ୍ତ ତାହାର ମନ ସ୍ଥିର ହେଉ ନ ଥିଲା । ଗୃହ ପରିମାର୍ଜନା କରୁ କରୁ ସମାର୍ଜନୀ ହସ୍ତେ ସେ ତାହା ଶାଶୁ ନିକଟରେ ଉପସ୍ଥିତ ହେଲା । ବୁଢ଼ୀ ଦନ୍ତଧାବନ କ୍ରିୟାରେ ବ୍ୟସ୍ତ ଥିଲା; ମୟନାକୁ ତାହା ନିକଟରେ ଦେଖି ପଚାରିଲା,–

 

‘‘କିଲୋ ବୋହୁ ! କ’ଣ ହୋଇଚି ?’’

 

‘‘ଆଉ କ’ଣ ହୋଇଛି, ତୁମ୍ଭେ ଶୁଣିନାହଁ କି ?’’ ଏହା କହି ପଦ୍ମମାଳୀ ଓ ଦୁର୍ଯ୍ୟୋଧନର ବୃତ୍ତାନ୍ତ ଯାହା ପହଲଠାରୁ ଶୁଣିଥିଲା ଅବିକଳ ବର୍ଣ୍ଣନା କଲା । ସବୁ ବର୍ଣ୍ଣନା କରି ମୟନା କହିଲା,–

 

‘‘ପଟୁଆରୀଙ୍କ ଭାରୀ ସୁକୃତ ଯେ ମୟୂରଭଞ୍ଜର ରାଉତରା’ ବାବୁ ଘୋଡ଼ାରେ ଚଢ଼ି ସେହି ଅନ୍ଧାରରାତିରେ ଦୁର୍ଯ୍ୟୋଧନଙ୍କୁ ଧଇଲେ ଓ ପଦ୍ମମାଳୀକୁ ତାହା ହାତରୁ ଛଡ଼ାଇ ନେଲେ,

 

କିନ୍ତୁ ତା’ ବାଦ୍ କ’ଣ କଲେ କିଏ ଜାଣେ ? ଆଚ୍ଛା, ତୁମ୍ଭେ କହିଲ, ଟୋକୀର ଇଚ୍ଛା ନ ଥିଲେ କି ଦୁର୍ଯ୍ୟୋଧନ ତାହାକୁ ନେଇ ପାରନ୍ତା । ଆଜି କାଲିର ଟୋକୀମାନେ ମଣିଷଙ୍କ ଉପରେ ପଡ଼ିବେ, ମଣିଷଙ୍କ ଦୋଷ କ’ଣ ? ଏପରି ହଜାର ଦୁର୍ଯ୍ୟୋଧନ ଆସନ୍ତୁ ମୁଁ ଦେଖିବି ।’’

 

ମୟନା ଏପରି ତାହାର ମନର ଭାବକୁ ଲାଘବ କରି ଗୃହ କର୍ମରେ ବ୍ୟସ୍ତ ହେଲା । ତାହାର ଶାଶୁ ଆସୁ କୌଣସି କର୍ମ କରିବାର ନ ଦେଖି, ତାହାର ପୁରାତନ ବନ୍ଧୁ ଜୟକୃଷ୍ଣ ପଟ୍ଟନାୟକଙ୍କ ମାତାଙ୍କ ସହିତ ଦୁଇଟା ଖୁସ୍ ଗଳ୍ପ କରିବା ସକାଶେ ତାହାଙ୍କ ସଦନରେ ଉପସ୍ଥିତ ହେଲା । ଉଭୟେ ସମବୟସ୍କା ଓ ପରସ୍ପରଙ୍କର ବନ୍ଧୁ । ପହଲର ମାତା ସର୍ବତ୍ର ଘୋଷଣା କରି କହିଥାଏ ଯେ, ‘‘ଜୟିମା’ପରି ଲୋକ ଜଗତରେ ନାହିଁ ଜୟିମା’ କହେ ଯେ, ‘‘ପହଲ ମା’ ପରି ଭଲଲୋକ ସେ ତାହାର ଜନ୍ମରେ ସୁଦ୍ଧା (ତାକୁ ତିନିକୋଡ଼ି ବର୍ଷ ହେଲାଣି) ଦେଖି ନାହିଁ । ପହଲ ମା’କୁ ଦେଖି ଜୟିମା’ କହିଲା,–

 

‘‘କି ପହଲ ମା’ ଆଜି ବହୁତ ଦିନରେ ଏଆଡ଼େ ମାଡ଼ିଲ ?’’ ପହଲ ମା’ କହିଲା,–

 

‘‘କଣ କହିବି ଭଉଣୀ, ଆଜିକାଲି କି ଆସିବାର ଫୁରସତ୍ ଅଛି ? ଟୋକାଟାତ ରାତିଦିନ କାମ କରିବାକୁ ଯାଇ ବାହାରେ ଥାଏ, ଆଜିକାଲି ଯେଉଁ ସମୟ ହେଲାଣି ଏଥିରେ କି ଭୂଆସୁଣୀ ବୋହୂକୁ ଛାଡ଼ି କେଉଁଠାକୁ ଯାଇପାରେ ?’’

 

‘‘କାହିଁକି ଆଜିକାଲି କଣ ହୋଇଛି ?’’

 

‘‘ବଡ଼ ବଡ଼ ଘରେ ଯେଉଁ କାରଖାନା ହେଉଛି, ଆମ୍ଭେ ଗରିବ ଗୁରୁବା ଶୁଣି ବଡ଼ ଅସ୍ତବ୍ୟସ୍ତ ହେଲୁଣି ।’’

 

‘‘ବଡ଼ ବଡ଼ ଘରେ କି କାରଖାନା ?’’

 

ପହଲ ମା’କୁ ଆଉ ବିଶେଷ ପଚାରିବାକୁ ନ ଥିଲା । ଏହି ପ୍ରଶ୍ନର ଉତ୍ତରରେ ସେ ତାହା ବୋହୂଠାରୁ ଯାହା ଯାହା ଶୁଣିଥିଲା, ସମୁଦାୟ ଆନୁପୂର୍ବକ ବର୍ଣ୍ଣନା କଲା ଓ ମଧ୍ୟରେ ମଧ୍ୟରେ ତାହାର ନିଜର ଟୀକା ଟିପ୍‍ପଣୀ ଲଗାଇଦେଲା । ସମୁଦାୟ କହିଲା ଉତ୍ତାରୁ ଏ ସବୁ କଥା ଆଉ କାହାକୁ କହିବା ପାଇଁ ଜୟି ମା’କୁ ପୁନଃ ପୁନଃ ସାବଧାନ କରି, ପହଲ ମା’ ଆପଣା ଘରକୁ ଫେରିଗଲା । ଏମାନଙ୍କର କଥୋପକଥନ ଜୟି ମା’ର ଚାକରାଣୀ ଯମୁନା ଗୁପ୍ତଭାବରେ ଶୁଣିଥିଲା-। ସବୁ ଶୁଣି ସେ ତୁନି ହୋଇ ରହି ପାରିଲା ନାହିଁ । ସେ ଯାଇ ତାହାର ପ୍ରିୟବନ୍ଧୁ ଦାମ ମା’କୁ ସବୁ କହିଲା; କହିକରି ଏ ସବୁ କଥା ଆଉ କାହାକୁ କହିବାକୁ ମନା କଲା । କିନ୍ତୁ ଦାମା ଖାଇବା ସକାଶେ ଘରକୁ ଆଇଲା ମାତ୍ରକେ ଦାମା ମା’ ତାହାକୁ ଆଦ୍ୟ ପ୍ରାନ୍ତ ସମୁଦାୟ କହିଲା । ଦାମା ଏହା ଶୁଣି ତାହାର ପ୍ରିୟବନ୍ଧୁମାନଙ୍କୁ ଏ ସମ୍ବାଦ ଦେବା ସକାସେ ମଦତ୍‍ଖଟୀକୁ ଦଉଡ଼ିଲା ଓ ସେ ଦିନ ତାହାର ବନ୍ଦୋବସ୍ତ ଅପେକ୍ଷା ଅଧିକ ଦୁଇଟା ଗୁଳା ଖାଇଥିଲା ବୋଲି ଆମ୍ଭେମାନେ ବିଶ୍ୱସ୍ତସୂତ୍ରେ ଅବଗତ ଅଛୁଁ । ସେଠାରେ ଏ ସମାଚାର ପ୍ରଚାର ହେଲାରୁ ଅନେକ ତର୍କ ବିତର୍କ ଓ ବାକ୍‍ବିତଣ୍ଡା ହେଲା ଓ ଏ ସଭାର ମେମ୍ବରମାନେ ଆପଣା ଆପଣା ପ୍ରିୟ ବ୍ୟକ୍ତିଙ୍କୁ ଏ ସମାଚାର ଦେଲାରୁ ସେହି ଦିନମଧ୍ୟରେ ପଦ୍ମମାଳୀର ହରଣ ଓ ଦୁର୍ଯ୍ୟୋଧନର ଶାସ୍ତି ଗଡ଼ ମଧ୍ୟରେ ରାଷ୍ଟ୍ର ହୋଇଗଲା ଓ ସର୍ବତ୍ର ଏବଂ ସକଳ ଲୋକଙ୍କର ମୁଖରେ ଏହି ବିଷୟ ସମାଲୋଚନା ହେବାର ଶୁଣା ଯାଇଥିଲା ।

•••

 

ଏକାଦଶ ପରିଚ୍ଛେଦ

ନୀଳଗିରିର ଇତିହାସ

 

ଆମ୍ଭମାନଙ୍କର ଆଖ୍ୟାୟିକାରେ ଆଉ ଅଧିକା ଅଗ୍ରସର ହେବାପୂର୍ବରୁ ନୀଳଗିରିର ଇତିହାସର ଦୁଇପୃଷ୍ଠା ଲେଉଟାଇ ଦେଖିବାର ଆବଶ୍ୟକ ହେଉଅଛି । ସନ ୧୮୩୨ ଖ୍ରୀଷ୍ଟାବ୍ଦରେ ରାଜା ଗୋବିନ୍ଦଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ତିନି ବିଧବା ରାଣୀ ଓ ଦୁଇ ନାବାଳକ ପୁତ୍ର ରଖି ସ୍ୱର୍ଗାରୋହଣ କରିଥିଲେ । କନିଷ୍ଠା ରାଣୀ ଚିତ୍ରା ଦେବୀ ମଧୁସୂଦନ ପଟ୍ଟନାୟକଙ୍କର କନ୍ୟା ଥିଲେ ଓ ତାହାଙ୍କ ଗର୍ଭରେ ରାଜାଙ୍କର ଦୁଇ ପୁତ୍ର ଜନ୍ମଗ୍ରହଣ କରିଥିଲେ । ଏହି ଦୁଇପୁତ୍ରଙ୍କ ମଧ୍ୟରୁ, ଜ୍ୟେଷ୍ଠ ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ନୀଳଗିରିର ବର୍ତ୍ତମାନ ଶାସନକର୍ତ୍ତା । ଆମ୍ଭମାନଙ୍କର ଆଖ୍ୟାୟିକାର ସମୟରେ ରାଜା କୃଷ୍ଣଚନ୍ଦ୍ରଙ୍କର ବ୧୦ର୍ଷରୁ ଅଧିକ ନ ଥିଲା ଓ ତାହାଙ୍କର ନାବାଳକ ସମୟରେ, ଓଡ଼ିଶା ବିଭାଗର କମିଶନର ଓ ଗଡ଼ଜାତ ସମୂହର ସୁପରିଣ୍ଟେଣ୍ଡେଣ୍ଟ ସାହେବଙ୍କର ଅନୁମତି କ୍ରମେ ରାଜ୍ୟ ଶାସନର ପୂର୍ଣ୍ଣ ଭାର ରାଣୀ ଚିତ୍ରାଦେବୀଙ୍କ ହସ୍ତରେ ନ୍ୟସ୍ତ ଥିଲା । ରାଣୀ ଅଳ୍ପବୟସ୍କା ଥିଲେ ଓ ରାଜକାର୍ଯ୍ୟରେ ସାହାଯ୍ୟ କରିବା ସକାଶେ ତାହାଙ୍କର ଭ୍ରାତା ଶିବଚରଣ ପଟ୍ଟନାୟକଙ୍କୁ ଦେୱାନ ପଦରେ ନିଯୁକ୍ତ କରିଥିଲେ । ଶିବ ପଟ୍ଟନାୟକଙ୍କ ଶସାନରେ ପ୍ରଜାମାନେ ଏତେଦୂର ଉତ୍ପୀଡ଼ିତ ହୋଇଥିଲେ ଯେ ଅଧିକାଂଶ ପ୍ରଜା ଓ ସମଗ୍ର ପାଇକମାନେ ହରିହର ଭ୍ରମରବରଙ୍କ (ସାଧାରଣତଃ ହରିବାବୁ ନାମରେ ପରିଚିତ) ପକ୍ଷ ଅବଲମ୍ବନ କରିଥିଲେ । ନୀଳଗିରିର ରାଜ୍ୟଶାସନ ନେଇ, ନୀଳଗିରିର ପ୍ରଜାମାନଙ୍କର ବିଶୃଙ୍ଖଳତା ଯେତେବେଳେ ଏକଶେଷ ଲାଭ କରିଥିଲା, କମିଶନର ସାହେବ ନୀଳଗିରି ଯିବାର ଆବଶ୍ୟକ ହେବାରୁ, ସେ ଯାଇ ରାଣୀଙ୍କ ପକ୍ଷରେ ଦଶଜଣ ସୁଦ୍ଧା ପାଇକ ଥିବାର ଦେଖିଲେ ନାହିଁ ।

ହରିବାବୁ ନୀଳଗିରି ରାଜ୍ୟର ସିଂହାସନପ୍ରତ୍ୟାଶୀ ଥିଲେ । ନୀଳଗିରିର ରାଜବଂଶ ସହିତ ତାହାଙ୍କର ସମ୍ବନ୍ଧ କେତେଦୂର ଘନିଷ୍ଠ ଥିଲା ତାହା ଇତିହାସରୁ ମିଳୁନାହିଁ; କିନ୍ତୁ ସେ ଉପଯୁକ୍ତ ଅଦାଲତରେ ମୋକଦ୍ଦମା କରି ଓ ନିଜ ବାହୁବଳ ଦ୍ୱାରା ନୀଳଗିରି ରାଜ୍ୟ ଅଧିକାର କରିବାକୁ ଚେଷ୍ଟା କରିଥିଲେହେଁ ଉଭୟତଃ ବ୍ୟର୍ଥମନୋରଥ ହୋଇଥିଲେ । ତାହାଙ୍କ ପୂର୍ବରୁ ତାହାଙ୍କର ପିତା ଦାଶରଥି ମଙ୍ଗରାଜ ନୀଳଗିରିର ଗଦି ପାଇବା ସକାଶେ ସଦର ଦେୱାନୀ ଅଦାଲତରେ ନାଲିଶ କରିଥିଲେ; କିନ୍ତୁ ଗୋବିନ୍ଦଚନ୍ଦ୍ର ମର୍ଦ୍ଦରାଜଙ୍କଠାରୁ ଏକଦଣ୍ଡ ଜୟଗିରି ପ୍ରାପ୍ତ ହୋଇ ମୋକଦ୍ଦମାରୁ ଦସ୍ତବରଦାର ହୋଇଥିଲେ । ହରିବାବୁ ମଧ୍ୟ ମୋକଦ୍ଦମା କରିଥିଲେ । ସେ କେବଳ ନୀଳଗିରିର ରାଜକୋଷରୁ ବାର୍ଷିକ ଟ୧୨୦ଙ୍କା ପେନ୍‍ସନ୍‍ ପାଉଥିଲେ । କିନ୍ତୁ ତାହା ପାଇ ସୁଦ୍ଧା ନୀଳଗିରିର ଗାଦିରୁ ଚକ୍ଷୁ ଅପସୃତ କରି ନ ଥିଲେ । ହରିବାବୁ କବତୀପଦା (ସାଧାରଣରେ କାପ୍ତିପଦା ବୋଲି ଖ୍ୟାତ) ରାଜାଙ୍କର ଭଗ୍ନିପତି ଥିଲେ । କବତୀପଦା ରାଜାଙ୍କର ଓ ମୟୂରଭଞ୍ଜର ରାଉତରାୟ ବାବୁ ପୃଥ୍ୱୀନାଥଭଞ୍ଜ ଦେବଙ୍କର ସାହାଯ୍ୟ ପ୍ରାପ୍ତ ହୋଇ, ହରିବାବୁ ସମୟେ ସମୟେ ଏକ ଏକ ଦଳ ପାଇକ ନେଇ, ନୀଳଗିରିର ପ୍ରଜାମାନଙ୍କର ଗୋରୁ, ମହିଷ, ଶସ୍ୟାଦି ଲୁଣ୍ଠନ କରି ନେଉଥିଲେ । ନୀଳଗିରିର ପ୍ରଜାମାନେ ସହଜରେ ଶିବଚରଣ ପଟ୍ଟନାୟକଙ୍କର ଶାସନରେ ଉଦ୍‍ବେଜିତ ହୋଇଥିଲେ, ତହିଁରେ ପୁଣି ସମୟେ ସମୟେ ହରିବାବୁଙ୍କର ଉପଦ୍ରବରେ ପ୍ରପୀଡ଼ିତ ହୋଇ ତାହାଙ୍କର ଆଶ୍ରୟ ନେବାକୁ ଅଗତ୍ୟା ବାଧ୍ୟ ହୋଇଥିଲେ । କେବଳ ପ୍ରଜାଙ୍କର ଉପରେ ଉତ୍ପୀଡ଼ନ କରି ହରିବାବୁ କ୍ଷାନ୍ତ ନ ଥିଲେ । ନୀଳଗିରିର ନାବାଳକ ରାଜାଙ୍କର ଜୀବନ ସୁଦ୍ଧା ତାହାଙ୍କର ଉପଦ୍ରବରେ ନିରାପଦ ନଥିଲା । ଏକଦିନ ନିଶୀଥ ସମୟେ ଏକ ରାଜଘ୍ନପୁତ୍ର ଭଗବାନବାବୁ ନାବାଳକ ରାଜାଙ୍କୁ ହତ୍ୟା କରିବା ସକାଶେ ନୀଳଗିରିର ରାଜବାଟୀ ମଧ୍ୟରେ ପ୍ରବେଶ କରିଥିଲେ କିନ୍ତୁ ତାହାର ଦୂରଭିସନ୍ଧି ସାଧନ କରିବା ପୂର୍ବରେ ଧରା ପଡ଼ିବାରୁ ନିଷ୍ଫଳ ହୋଇଥିଲା । ପୁନଃ ପୁନଃ ରାଜାଙ୍କର ଜୀବନ ପ୍ରତି ଏରୂପ ଉଦ୍ୟମ ହେବାର ଦେଖି ରାଣୀ ଚିତ୍ରାଦେବୀ ତାହାଙ୍କର ଦୁଇ ଆପୋଗଣ୍ଡ ଶିଶୁସନ୍ତାନକୁ ନେଇ ଶତ୍ରୁଘ୍ନ ପଟ୍ଟନାୟକଙ୍କର ଗୃହରେ ଆଶ୍ରୟ ନେବାକୁ ବାଧ୍ୟ ହୋଇ ଥିଲେ । ସେଠାରୁ ଯାଇ ବାଲେଶ୍ୱର ମାଜିଷ୍ଟ୍ରେଟଙ୍କର ଆଶ୍ରୟ ଗ୍ରହଣ କରିବାରେ, ସାହେବ ପ୍ରଶଂସିତ ତାହାଙ୍କର ଶରୀର ରକ୍ଷାର୍ଥ ଏକଜଣ ସରକାରୀ ହାଭିଲଦାର ଓ ଦଶଜଣ ଚପରାସୀ ସଙ୍ଗରେ ଦେଇ ତାହାଙ୍କୁ ଗଡ଼କୁ ପଠାଇଦେଲେ ।

ନୀଳଗିରିର ଯେଉଁ ଅବସ୍ଥା ଉପରେ ସଂକ୍ଷେପରେ ବର୍ଣ୍ଣନା ହେଲା, ତହିଁ ସକାଶେ

ନୀଳଗିରିର ଯେଉଁ ଅବସ୍ଥା ଉପରେ ସଂକ୍ଷେପରେ ବର୍ଣ୍ଣିତ ହେଲା, ତହିଁ ସକାଶେ ଦୁର୍ଯ୍ୟୋଧନ ଦାସ ଅନେକ ପରିମାଣରେ ଦାୟୀ ଥିଲା । ପାଠକଙ୍କର ଏହା ହୃଦୟଙ୍ଗମ କରାଇବାପାଇଁ, ଏଠାରେ ଦୁର୍ଯ୍ୟୋଧନ ସମ୍ୱନ୍ଧେ ଦୁଇଚାରି ପଦ ବୋଲିବାର ଆବଶ୍ୟକ । ଦୁର୍ଯ୍ୟୋଧନ ପ୍ରକୃତରେ କାହାର ପୁତ୍ର ଓ ପୌତ୍ର ଏହା ସାଧାରଣଙ୍କୁ ଜଣା ନ ଥିଲା । ଏକ ରାତ୍ରିରେ ମଧୁସୂଦନ ପଟ୍ଟନାୟକଙ୍କର ଏକ ବିଧବାଭଗିନୀ ଅକସ୍ମାତ୍‌ ତାହାଙ୍କର ଆବାସରେ ଉପସ୍ଥିତ ହେଲା-। ସ୍ତ୍ରୀର ନାମ କେତକୀ ଓ ପଟ୍ଟନାୟକଙ୍କ ମଉସୁଫ ବାଲ୍ୟାବସ୍ଥାରୁ ତାହାକୁ ଯଥେଷ୍ଟସ୍ନେହ କରୁଥିଲେ । କେତକୀ ପଟ୍ଟନାୟକଙ୍କରଗୃହରେ ଉପସ୍ଥିତ ହୋଇ ସେହି ରାତ୍ରିରେ ଏକପୁତ୍ର ସନ୍ତାନ ପ୍ରସବ କରି କାଳଗ୍ରାସେ ପତିତହେଲା । କେତକୀ ରୂପବତୀ ଥିଲା ଓ ପଟ୍ଟନାୟକ ତାହାର ଷୋଡ଼ଶ ବର୍ଷ ବୟସରେ ତାହାକୁ ଏକ ଯକ୍ଷ୍ମାରୋଗଗ୍ରସ୍ତ ଓ ଜୀବନର ଅପରାହ୍‍ଣ ପ୍ରାପ୍ତ ବ୍ୟକ୍ତିର ସହିତ ବିବାହ ଦେଇଥିଲେ । ତହିଁର ପରିଣାମ ଏହି ହେଲା ଯେ କେତକୀ ଶ୍ୱରୁରାଳୟକୁ ଯିବାର ଛ’ମାସ ଉତ୍ତାରୁ ବିଧବା ହେଲା । ଅବଳା ବାଳିକା ସଂସାରସୁଖ ଅନୁଭବ କରିବା ପୂର୍ବରୁ ଅଚିରେ ଚିରଦୁଃଖିନୀ ହେଲା । କେତକୀ ସ୍ୱାମୀର ମାତୁଳପୁତ୍ର ଘନଶ୍ୟାମ କେତକୀର ଶ୍ୱଶୁରାଳୟକୁ ସର୍ବଦା ଯାତାୟାତ କରୁଥାଏ ଓ ସମୟେ ସମୟେ ସେଠାରେ ଦୁଇ ଚାରିଦିନ ବାସ କରେ । ଘନଶ୍ୟାମ କେତକୀର ସମ୍ୱନ୍ଧେ ଦେବର ଥିବାରୁ କାଳକ୍ରମେ କେତକୀ ଘନଶ୍ୟାମ ନିକଟରେ ପ୍ରକାଶ୍ୟଭାବେ କଥୋପକଥନ ଓ ସମୟେ ସମୟେ ହାସ୍ୟରହସ୍ୟ ପର୍ଯ୍ୟନ୍ତ କରିବାକୁ ସାହସୀ ହୋଇଥିଲା । କେତକୀ ନୂତନ ବୈଧବ୍ୟ ପ୍ରାପ୍ତହୋଇ, କିଛିଦିନ ଅତି କଷ୍ଟରେ ଶୋକଭାର ବହନ କଲା । କାଳକ୍ରମେ ଶୋକାବେଗ ଶିଥିଳ ହେଲା ଓ ଘନଶ୍ୟାମର ପ୍ରଣୟୋକ୍ତିରେ କ୍ରମେ କ୍ରମେ ତାହାର ଚିତ୍ତ ଘନଶ୍ୟାମ ପ୍ରତି ଆକୃଷ୍ଟ ହେଲା ଓ ପରିଶେଷରେ ସେ ଘନଶ୍ୟାମର ପ୍ରଣୟ ଉପହାର ଗ୍ରହଣ କଲା-। ଯଥାସମୟରେ କେତକୀ ଗର୍ଭରେ ଦୁର୍ଯ୍ୟୋଧନର ଉଦୟ ହେଲା । ଗର୍ଭ କ୍ରମେ କ୍ରମେ ପ୍ରକାଶ ହେଲାରୁ ଘନଶ୍ୟାମ ଓ କେତକୀ ଭ୍ରୁଣହତ୍ୟା କରିବାର ଅନେକ ଚେଷ୍ଟା କଲେ କିନ୍ତୁ କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ପ୍ରଥମେ କେତକୀର ନଣନ୍ଦ, ତତ୍ପରେ ଶାଶୁ ଓ ତତ୍ପରେ ପ୍ରତିବେଶିନୀମାନେ କେତକୀର ଗର୍ଭୋଦୟ ହେବାର ଜାଣିଲେ ଓ ଦିବାରାତ୍ର ତାହାକୁ ଯତ୍ପରୋନାସ୍ତି ଭର୍ତ୍ସନା ଆରମ୍ଭ କଲେ । ଶାଶୁ ନଣନ୍ଦଙ୍କର ନିନ୍ଦା ଓ ଭର୍ତ୍ସନା କେତକୀ ସହ୍ୟ କରି ନ ପାରି ଏକରାତ୍ରିରେ ଗୁପ୍ତଭାବେ ପିତ୍ରାଳୟକୁ ପଳାୟନ କଲେ । ପିତ୍ରାଳୟରେ ଉପସ୍ଥିତ ହୋଇ ସେହି ରାତ୍ରରେ ଦୁର୍ଯ୍ୟୋଧନ ପ୍ରସବ କରି ପ୍ରାଣତ୍ୟାଗ କଲା । ମଧୁସୂଦନ ପଟ୍ଟନାୟକ ଓ ତାହାଙ୍କର ମାତା ଏବଂ ସ୍ତ୍ରୀ ବ୍ୟତୀରେକେ ଏ ବିଷୟ ଆଉ କାହାରିକୁ ଜଣା ନଥିଲା । ଦୁର୍ଯ୍ୟୋଧନ ମାତୁଳାଳୟରେ ଥାଇ କ୍ରମେ କ୍ରମେ ବୟଃପ୍ରାପ୍ତ ହେଲା ଓ ମଧୁସୂଦନଙ୍କର ଜ୍ୟେଷ୍ଠପୁତ୍ର ଶିବଚରଣ ପଟ୍ଟନାୟକ ଦେୱାନ ଥିବା ସମୟେ ଦୁର୍ଯ୍ୟୋଧନ ପ୍ରକୃତରେ ଦେୱାନ ହୋଇଥିଲା । ଦୁର୍ଯ୍ୟୋଧନ ହସ୍ତରେ କ୍ଷମତା ପ୍ରାପ୍ତହୋଇ ତହିଁର ଅପବ୍ୟବହାର କରିବାରେ ତ୍ରୁଟି କରି ନ ଥିଲା । ତାହାର ଶାସନରେ ପ୍ରଜାଙ୍କର ଧନ, ମାନ ଓ ଗୌରବର ରକ୍ଷା ନ ଥିଲା । ଅଧିକାଂଶ ପ୍ରଜାମାନେ ଦୁର୍ଯ୍ୟୋଧନର ଅତ୍ୟାଚାରରେ ରାଣୀ ଓ ନାବାଳକ ରାଜାଙ୍କ ପକ୍ଷ ପରିତ୍ୟାଗ କରି ହରିବାବୁଙ୍କ ଉପଦ୍ରବରୁ ରକ୍ଷା ପାଇବା ନିମନ୍ତେ ତାହାଙ୍କ ପକ୍ଷ ଅବଲମ୍ୱନ କରିବାକୁ ବାଧ୍ୟ ହୋଇଥିଲେ ।

•••

 

ଦ୍ୱାଦଶ ପରିଚ୍ଛେଦ

ଦୁର୍ଯ୍ୟୋଧନର ମନ୍ତ୍ରଣା

 

ଦୁର୍ଯ୍ୟୋଧନ ମୟୂରଭଞ୍ଜରୁ ପ୍ରତ୍ୟାଗତ ହୋଇ ଲଜ୍ଜା ଓ କ୍ରୋଧରେ ମନେ ମନେ ଗରଳବିଷ ଭକ୍ଷଣ କରୁଥିଲା । ସେ ଦୁଇ ତିନି ଦିବସ ଗୃହ ମଧ୍ୟରେ ଗୁପ୍ତ ହୋଇ ରହିଲା । ଅନୁଚର, ଖୋସାମଦିଆ ଓ ଅନୁସରଣିୟା କାହାରି ସହିତ ସାକ୍ଷାତ କଲା ନାହିଁ । ମାନ୍ତ୍ରୀରେ ଯେଉଁ ଶାସ୍ତି ପାଇଥିଲା ତହିଁରୁ ଜାତ ଶାରୀରିକ ପୀଡ଼ା ଶୀଘ୍ର ଆରୋଗ୍ୟ ହୋଇ ନ ଥିଲା । ଦୁର୍ଯ୍ୟୋଧନ ପ୍ରାତଃକାଳରେ ଶଯ୍ୟାରୁ ଉତ୍‍ଥାନ କରି ନିତ୍ୟନୈମିତ୍ତିକକ୍ରିୟା ସମାପନ କରି ପୁନରପି ଶଯ୍ୟାସ୍ଥ ହୁଏ; ଶଯ୍ୟାରେ ଥାଇ କି ପ୍ରକାରେ ପ୍ରତିହିଂସା ସାଧନ କରିବ ଅହର୍ନିଶ କେବଳ ଏହା ଚିନ୍ତାକରେ । ତାହା ନିକଟକୁ ଭୃତ୍ୟମାନେ ସୁଦ୍ଧା ତାହାର ଏ ଅବସ୍ଥା ଦେଖି ଯିବାକୁ ଭୀତ ହୋଇଥିଲେ ।

ପ୍ରଭୁର ପ୍ରଶଂସା ବା ଗ୍ଳାନି ରଟନା ହେଲେ ଭୃତ୍ୟମାନେ ତାହା ଅଗ୍ରେ ବିଦିତ ହୁଅନ୍ତି । ଦୁର୍ଯ୍ୟୋଧନ ପତ୍ୟାଗତ ହେବାର ତୃତୀୟ ଦିବସରେ ତାହାର ଭୃତ୍ୟ ଅତି ସାବଧାନ ସହିତ ଜନରବର କଥା ଦୁର୍ଯ୍ୟୋଧନକୁ ଜ୍ଞାପନ କଲା । ତାହା ଶୁଣି ଦୁର୍ଯ୍ୟୋଧନ କ୍ରୋଧରେ ପ୍ରଜ୍ଜ୍ୱଳିତ ହେଲା ଓ ଶୀଘ୍ର ଲକ୍ଷ୍ମଣ ପଣ୍ଡାକୁ ପ୍ରବେଶ କରାଇବାର ଆଦେଶ ଦେଲା । ଅବିଳମ୍ୱେ ଲକ୍ଷ୍ମଣ ପଣ୍ଡା ଆସି ଉପସ୍ଥିତ ହେଲା । ପଣ୍ଡା ମଜକୁର ଭୂପୃଷ୍ଠେ ଉପବେଶନ କଲା । କ୍ଷମତା ପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ବିନା ଆସନେ କେବଳ ଭୂପୃଷ୍ଠେ ବସିବାକୁ ଅଧୀନସ୍ଥ ବ୍ୟକ୍ତିମାନେ ଗଡ଼ଜାତରେ ମାନହାନିକର ନ ମଣି ବରଂ ସମ୍ମାନସୂଚକ ଜ୍ଞାନ କରନ୍ତି । ଲକ୍ଷ୍ମଣ ପଣ୍ଡା ନୀଳଗିରିର ହେଡ଼୍‌ ଅମିନ-। ସେ ଆସି ବସିବାର କିଛିକ୍ଷଣ ଉତ୍ତାରୁ ଦୁର୍ଯ୍ୟୋଧନ ପାର୍ଶ୍ୱ ପରିବର୍ତ୍ତନ କରି କହିଲା,–

‘‘ଲକ୍ଷ୍ମଣ ! ଆସିଲ ?’’

‘‘ଆଜ୍ଞା ହଁ ।’’

‘‘ଆଜି କାଲି ଖବର କଣ ?’’

‘‘ସବୁ ଭଲ ।’’

‘‘ଏ ତ ମାମୁଲିକଥା କହିଲ, ବିଶେଷ କିଛି ନାହିଁ ?’’

‘‘ଆଜ୍ଞା, ନା, ଏପରି ବିଶେଷ କିଛି ନାହିଁ ।’’

‘‘ତେବେ କିପରି ବିଶେଷ ?’’

‘‘ଆଜ୍ଞା, ତାହା ହଜୁରଙ୍କର ଶୁଣିବା ଯୋଗ୍ୟ ନୁହେ ।’’

‘‘ଆମ୍ଭର ଶୁଣିବା ଯୋଗ୍ୟ ନୁହେ ! ଯଦି କିଛି ବିଶେଷ ଖବର ଥାଏ ତାହାହେଲେ ତାହା ଶୁଣିବା ଆମ୍ଭର ସର୍ବାଗ୍ରେ ଉଚିତ ।’’

‘‘ଆଜ୍ଞା ତାହା ସତ୍ୟ । କିନ୍ତୁ ଯେଉଁ ବିଶେଷ ସମ୍ୱାଦ ଶୁଣୁଛି ତାହା ହଜୁର ନ ଶୁଣିଲେ ଭଲ ?’’

‘‘କାହିଁକି ?’’

‘‘ଆଜ୍ଞା ଜନରବ କେବେହେଁ ସତ୍ୟ ନୁହେ । ଦୁଇ ବିଶ୍ୱା ସତ୍ୟ ଥିଲେ ଜନରବରେ ସେ ସତ୍ୟ ଷୋଳବିଶ୍ୱାସରୂପ ଧାରଣ କରେ । ମିଥ୍ୟାକଥା ଗୁଡ଼ାକ ଶୁଣିଲେ ହଜୁରଙ୍କର କେବଳ କ୍ରୋଧ ହେବ ଅଥଚ ଏ ଜନରବର ମୂଳ କିଏ ହଜୁର ଜାଣିପାରିବେ ନାହିଁ ।’’

 

‘‘ତୁମେ ଯାହା କହିଲ ତଦ୍ଦ୍ୱାରା ଆମ୍ଭର କୌତୁହଳ ବୃଦ୍ଧି ହେଲାଣି । ତୁମର କଥା ଆମ୍ଭେ ସ୍ଥିରଚିତ୍ତରେ ଶୁଣିବାକୁ ପ୍ରସ୍ତୁତ ଅଛୁଁ, କହ ।’’

 

‘‘ଆଜ୍ଞା, ଲୋକେ କହୁଅଛନ୍ତି ଯେ ଆପଣ ଜଗୁପଟୁଆରୀଙ୍କର ଝିଅଙ୍କୁ ଅପହରଣ କରି ଆଣୁଥିଲେ । ବାଟରେ ରାଉତୁରା’ବାବୁ ତାହାକୁ ଆପଣଙ୍କ ହସ୍ତରୁ ଛଡ଼ାଇ ନେଲେ ଓ ଆପଣଙ୍କୁ ଯତ୍ପରୋନାସ୍ତି ପ୍ରହାର କରି ଗୋଟିଏ ଗଛରେ ବାନ୍ଧି ରଖିଲେ; ତା ବାଦ୍‌ ଦୁଷ୍ଟଲୋକେ କିଏ କେତେକଥା କହୁଅଛନ୍ତି ତାହା ଆପଣଙ୍କର ଶୁଣିବା ଉଚିତ ନୁହେ ।’’

 

ଏହା ଶୁଣି ଦୁର୍ଯ୍ୟୋଧନ କିଛିକ୍ଷଣ ନିସ୍ତବ୍‍ଧରହି କହିଲା,–

 

‘‘ଲକ୍ଷ୍ମଣ ! ତୁମ୍ଭେ ଯାହା କହିଲ ତାହା ଯଥାର୍ଥ । ଦୁଇବିଶ୍ୱା ସତ୍ୟ ଥିଲେ ଲୋକେ ତାହାକୁ ଷୋଳବିଶ୍ୱା କରି କହନ୍ତି ।’’

 

‘‘ଆଜ୍ଞା, ଏହା ମୁଁ କ’ଣ କହିଲି ? ଏହା ହଜୁରଙ୍କୁ ଅବଶ୍ୟ ଜଣାଥିବ ।’’

 

‘‘ଜଗୁ ପଟ୍ଟନାୟକର ଝିଅ ଗୋଟିଏ ସ୍ୱର୍ଗର ଅପ୍‌ସରୀ । ଘଟନାକ୍ରମେ ତାହାକୁ ଦେଖି ତାହାକୁ ପ୍ରାପ୍ତ ହେବାର ଇଚ୍ଛା ହେଲା । ଆଉ ତୁମ୍ଭେ ଜାଣ ଯେ, ଯହିଁରେ ମୋହର ଶ୍ରଦ୍ଧାହୁଏ ତାହା ମୁଁ ଯେଉଁପ୍ରକାରେ ହେଉ ଅବଶ୍ୟ ପ୍ରାପ୍ତ ହେବି । ପିଲାଟିକୁ ଦେଖି ଓ ସେ ପଟୁଆରୀଙ୍କର ଦୁହିତା ବୋଲି ନ ଜାଣି ମୁଁ ତାହାକୁ ଘେନି ଆସୁଥିଲି । ପଥ ମଧ୍ୟରେ ଦସ୍ୟୁମାନେ ତାହାକୁ ମୋହଠାରୁ ଛଡ଼ାଇ ନେଲେ । ପ୍ରକୃତ କଥାଟି ଏହି ।’’

 

‘‘ଏହି ଜନରବକୁ ମୁଁ କେଭେ ବିଶ୍ୱାସ କରି ନ ଥିଲି । ବର୍ତ୍ତମାନ ଆପଣଙ୍କ ମୁଖରୁ ପ୍ରକୃତ କଥା ଶୁଣି ମୋହର ସନ୍ଦେହ ଘୁଞ୍ଚିଲା । ଦୁଷ୍ଟଲୋକେ କ’ଣ ନ କରି ପାରନ୍ତି ?’’

 

‘‘ହେଉ କହନ୍ତୁ କିନ୍ତୁ ଦିନେ ଦେଖିବେ ଯେ ସେମାନେ କେତେ ଦୂର ମିଥ୍ୟାଭାଷୀ; ଆଉ ଦେଖିବେ ଯେ ଯାହା ସକାଶେ ଏତେ କଥା ହେଲାଣି, ସେହି ଜଗୁପଟୁଆରୀର ଝିଅ ଆମ୍ଭ ଗୋଡ଼ତଳେ ପଡ଼ି ଆମ୍ଭର କୃପାଭିକ୍ଷା କରିବ । ତୁମ୍ଭଙ୍କୁ ଗୋଟିଏ କାର୍ଯ୍ୟ କରିବାକୁ ହେବ ।’’

 

‘‘ଆଜ୍ଞା, ଅଧୀନ ହାଜର ଅଛି ।’’

‘‘ତୁମ୍ଭଙ୍କୁ ଥରେ ପାଞ୍ଚଗଡ଼ ଯିବାକୁ ହେବ ।’’

‘‘ଅଧୀନ ପ୍ରସ୍ତୁତ ।’’

 

‘‘ପଟୁଆରୀଙ୍କୁ କହିବ ଯେ ମାନ୍ତ୍ରୀରେ ବର୍ଷାରମ୍ଭରେ ଯେତେବେଳେ ଗୋଳମାଳ ହୋଇଗଲା, ତାହାଙ୍କ ଝିଅଙ୍କୁ ଏକାକୀ ଓ ଅସହାୟ ଦେଖି ଆମ୍ଭ ଆଶ୍ରମରେ ରଖିବାସକାଶେ ଆମ୍ଭେ ଆଣୁଥିଲୁଁ । ପଥ ମଧ୍ୟରେ ଦସ୍ୟୁଦ୍ୱାରା ଆକ୍ରାନ୍ତ ହୋଇ ତା’ଙ୍କର ଝିଅକୁ ଆମ୍ଭେ ରକ୍ଷ କରିପାରିଲୁ ନାହିଁ । ତା’ଙ୍କର ଝିଅ ନିରାପଦରେ ଘରେ ପହୁଞ୍ଚି ଅଛନ୍ତି ଶୁଣି ଆମ୍ଭେ ଯତ୍ପରୋନାସ୍ତି ସୁଖୀ ହୋଇଅଛୁଁ । ମାନ୍ତ୍ରୀରେ ତାହାଙ୍କ ଦୁହିତାଙ୍କୁ ଦେଖି ତାହାଙ୍କୁ ବିବାହ କରିବାର ଆମ୍ଭର ପ୍ରଗାଢ଼ ଇଚ୍ଛା ହୋଇଅଛି । ଆମ୍ଭର ବାଞ୍ଛା ସଫଳ କରିବାରେ ପଟୁଆରୀଙ୍କର କୌଣସି ଆପତ୍ତି ନ ଥିଲେ ଆମ୍ଭେ ପରମସୁଖୀ ହେବୁ । ଏହି ସ୍ଥୂଳକଥା । ତୁମ୍ଭେ ଆମ୍ଭର ଭଲଲୋକ ହୋଇଯିବ । ତୁମ୍ଭରି ଓକାଲତୀ ଦେଖା ଯିବ ।’’

 

‘‘ଆଜ୍ଞା, ଏହାକି ଛାରକଥା । ଆପଣ ନିଶ୍ଚିତ ରହନ୍ତୁ; ଆମ୍ଭେ ଶୀଘ୍ର ପାଞ୍ଚଗଡ଼କୁ ଯାତ୍ରାକରିବୁଁ ।’’

•••

 

ତ୍ରୟୋଦଶ ପରିଚ୍ଛେଦ

ପଦ୍ମମାଳୀର ପୀଡ଼ା

 

ଆମ୍ଭମାନଙ୍କର ପଦ୍ମମାଳୀ ସହିତ ଅନେକ ଦିନ ସାକ୍ଷାତ୍‌ ହୋଇନାହିଁ । ପାଠକ ପାଠିକା ଆଜି ଚାଲନ୍ତୁ ପାଞ୍ଚଗଡ଼କୁ ଯିବା । ସେହି ସର୍ବାବୟବାନବଦ୍ୟା ସୁକୁମାରୀ ସରଳା ବାଳିକା କୌତୁକାନ୍ୱିତା ହୋଇ ମାନ୍ତ୍ରୀ ଯାଇଥିଲା, କିନ୍ତୁ ଚିନ୍ତାଶୀଳା ଯୁବତୀରେ ପରିଣତ ହୋଇ ଗୃହକୁ ପ୍ରତ୍ୟାଗତ ହେଲା । ପଦ୍ମମାଳୀ ଚିନ୍ତାଶୀଳ, କାହିଁକି ? ପିତାର ଐଶ୍ୱର୍ଯ୍ୟର ସୀମା ନାହିଁ । ବିଦେଶୀୟ ଭାଷାରୁ ଅଳଙ୍କାର ମାଗିଆଣି, ସେ ଐଶ୍ୱର୍ଯ୍ୟରେ ଗଡ଼ୁଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ପିତା ମାତାର ସେ ଏକମାତ୍ର ଅପତ୍ୟ । ତେବେ ଯୌବନମାର୍ଗରେ ପ୍ରବିଷ୍ଟା ହୋଇ ସେ ଚିନ୍ତାଶୀଳା ହୋଇଥିଲା କି ? ତାହାରତ କିଛି କାରଣ ଦେଖୁ ନାହୁଁ । କାରଣ ଯାହାଙ୍କପ୍ରତି ସେ ଅନୁରାଗିଣୀ, ସେ ଅଭ୍ରାନ୍ତ ଅକ୍ଷରରେ ଆପଣାର ପ୍ରତ୍ୟାନୁରାଗ ଦେଖାଇଥିଲେ । ତଥାପି ପଦ୍ମମାଳୀ ତାହାର ଓ ଯୁବକଙ୍କର ପରିଣୟରେ ଅନେକ ବାଧା ଦେଖୁଥିଲା । ସେ ନିଶ୍ଚୟ ଜାଣିଥିଲା ଯେ ଯୁବକ ଅବଶ୍ୟ କୌଣସି ରାଜକୁଳକୁ ଅଳଂକୃତ କରିଥିଲେ । ଏକ ସାମାନ୍ୟ ମାହାନ୍ତି କନ୍ୟା ରାଜପୁତ୍ରକୁ ବିବାହ କରିବାକୁ ଆଶାକରେ–ଏ କି ସ୍ପର୍ଦ୍ଧା ? ମଠରେ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ପଦ୍ମମାଳୀ ବିସ୍ମୃତ ହୋଇ ନ ଥିଲା ଓ ଦୁର୍ଯ୍ୟୋଧନକୁ ସେମାନଙ୍କର ମିଳନରେ ଏକ ପ୍ରଧାନ ଅନ୍ତରାୟ ଦେଖୁଥିଲା । ଏକପକ୍ଷରେ ସେ ଯୁବକଙ୍କ ପ୍ରତି ଯେତେଦୂର ଅନୁରାଗିଣୀ ହୋଇଥିଲା, ଅନ୍ୟ ପକ୍ଷରେ ଯୁବକ ଓ ତାହାର ମିଳନରେ ତେତେଦୂର ସଂଶୟବିଶିଷ୍ଟା ହୋଇଥିଲା । ଏପରି ଅବସ୍ଥାରେ ସେ ଆପଣାକୁ ଏକ ବିଷମ ସଙ୍କଟସ୍ଥଳେ ଉପସ୍ଥିତ ଦେଖିଲା । ଏ ସମୟରେ ତାହାର ଏପରି କେହି ବନ୍ଧୁ ନ ଥିଲା ଯେ ଯାହାଠାରେ ଅକାତରରେ ମନର ଦ୍ୱାର ଫିଟାଇ ମନର ଗୁରୁ ଭାବକୁ ଲାଘବ କରିପାରେ । ଏପରି ସମୟେ ସେ ଜୟନ୍ତୀକୁ ସ୍ମରଣ କଲା । ଜୟନ୍ତୀ ନିକଟରେ ଥିଲେ ତାହାର ମନର କଷ୍ଟ ଅନେକ ପରିମାଣରେ ଲାଘବ ହୋଇ ପାରନ୍ତା । ପିତ୍ରାଳୟରେ ଅନୂଢ଼ା କନ୍ୟାମାନେ ସର୍ବଦା ହାସ୍ୟ କୌତୁକରେ ସମୟ ଅତିବାହିତ କରନ୍ତି କିନ୍ତୁ ପଦ୍ମମାଳୀ ହାସ୍ୟ କୌତୁକ ସକଳ ପରିତ୍ୟାଗ କଲା । ସେ ଏକାକିନୀ ରହି କେବଳ ଚିନ୍ତା କରେ । ଏପରି ସ୍ଥଳେ ଯାହା ସଚରାଚର ଘଟିଥାଏ, ତାହା ଘଟିଲା । କ୍ରମେ କ୍ରମେ ଯଥା ସମୟରେ ଆହାର ଓ ନିଦ୍ରା ପରିତ୍ୟାଗ କରିବା ହେତୁ ପଦ୍ମମାଳୀର ଶାରୀରିକ ଅସୁସ୍ଥତା ଜାତ ହେଲା ଏବଂ ଅବହେଳାରେ ରୋଗ କ୍ରମେ କ୍ରମେ ବୃଦ୍ଧି ପ୍ରାପ୍ତ ହେଲା ।

 

ଆଜି ପଦ୍ମମାଳୀ ଶଯ୍ୟାଗତା । ଗଦାଧର ତ୍ରିପାଠୀ ଅହୋରାତ୍ର ଉପସ୍ଥିତ ଥାଇ ନାନାବିଧ ଔଷଧ ପ୍ରଦାନ କରି ପଦ୍ମମାଳୀର ପୀଡ଼ାର ଉପଶମ ସାଧନ କରିପାରୁ ନ ଥିବାରୁ ବାଲେଶ୍ୱରର ସିଭିଲ ସାର୍ଜନଙ୍କୁ ଅଣାଇ ଚିକିତ୍ସା କରାଇବା ସକାଶେ କେହି କେହି ଉନ୍ନତିଶୀଳ ବନ୍ଧୁମାନେ ବ୍ୟବସ୍ଥା ଦେଇଥିଲେ । କିନ୍ତୁ ତାହା କିପରି ହୋଇପାରେ ? ଗୋ ଶୂକର-ଖାଦକ ମ୍ଳେଚ୍ଛ ସାହେବ ଚର୍ମପାଦୁକା ସହିତ ହିନ୍ଦୁଗୃହସ୍ଥର ପବିତ୍ର ଅନ୍ତଃପୁର ମଧ୍ୟରେ ପ୍ରବେଶ କରି, କୁଳକନ୍ୟାକୁ ତାହାର ବିଲାତ ଚକ୍ଷୁରେ ଦେଖି ମଦ୍ୟ ଓ ମାଂସର ବ୍ୟବସ୍ଥା ଦେବ, ଏହା କି କେବେହେଁ ମଞ୍ଜୁର କରାଯାଇପାରେ ? ଅଧିକାଂଶ ବନ୍ଧୁମାନେ ଉନ୍ନତିଶୀଳ ବନ୍ଧୁଙ୍କର ପ୍ରସ୍ତାବରେ ଅସମ୍ମତ ହେଲାରୁ, ସିଭିଲ ସାର୍ଜନଙ୍କର ଆସିବାର ହେଲା ନାହିଁ । କିନ୍ତୁ ବାଲେଶ୍ୱରର ଆୟୁର୍ବେଦୀୟ ଚିକିତ୍ସକ ଓ ନୀଳଗିରି ଏବଂ ବାରିପଦାର ରାଜବୈଦ୍ୟମାନେ ସମାହୂତ ହୋଇ ଚିକିତ୍ସା ଆରମ୍ଭ କଲେ । ନୀଳଗିରିର ରାଜବୈଦ୍ୟ କହିଲେ,–

 

‘‘ଏ ମଜ୍ଜାଗତ ଜ୍ୱର । ଏ ଜର ଛାଡ଼ିବାକୁ ଅନେକ ଦୀର୍ଘକାଳର ପ୍ରୟୋଜନ ।’’

ମୟୂରଭଞ୍ଜର ରାଜବୈଦ୍ୟ ଅନେକକ୍ଷଣ ସ୍ନାୟୁପୀଡ଼ନ କରି କହିଲେ,–

 

‘‘ନା, ଏମଜ୍ଜାଗତ ଜ୍ୱର ନୁହେଁ । ମୁଁ ଦେଖୁଛି ଏ ଅସ୍ଥିଗତ ଜ୍ୱର । ତୁମ୍ଭେ ନିଦାନ ପଢ଼ି ନାହଁ । ତୁମ୍ଭେ ଯେରୂପ ନିର୍ଣ୍ଣୟ କରୁଅଛ, ତଦନୁରୂପ ଚିକିତ୍ସା କଲେ ଗୋବିନ୍ଦଚନ୍ଦ୍ର ମର୍ଦ୍ଦରାଜ କାହିଁକି ପୃଥିବୀର ସମୁଦାୟ ଛତ୍ରପତିଙ୍କୁ ସ୍ୱର୍ଗପ୍ରାପ୍ତି କରାଇ ପାରିବ ।’’

 

ନୀଳଗିରିର ରାଜବୈଦ୍ୟ କ୍ରୁଦ୍ଧ ହୋଇ କହିଲେ,–

 

‘‘କି ! ମୁଁ, ମହେଶ୍ୱର ସାର୍ବଭୌମଙ୍କର ପୌତ୍ତ୍ର ବିଘ୍ନେଶ୍ୱର ବୈଦ୍ୟରାଜଙ୍କର ପୁତ୍ର, ଜମ୍ୱେଶ୍ୱର ତ୍ରିପାଠୀ ନିଦାନ ପଢ଼ି ନାହିଁ ? ଓଡ଼ିଶାରୁ ବାଲେଶ୍ୱର ପର୍ଯ୍ୟନ୍ତ ମୋତେ କିଏ ନ ଜାଣେ ? ତୁମ୍ଭେ କେଇଟା ବଡ଼ ବଡ଼ ରୋଗୀ ଭଲ କରି’ଛ କହିଲ ? ଏ ଯଦି ମଜ୍ଜାଗତ ଜ୍ୱର ନ ହୁଏ, ତେବେ ମୁଁ ମହେଶ୍ୱର ସାର୍ବଭୌମଙ୍କର ପୌତ୍ତ୍ର ନୁହେଁ ।’’

 

ଉଭୟଙ୍କର ଏ ବାଗ୍‌ବିତଣ୍ଡା ଦେଖି ବାଲେଶ୍ୱରରୁ ଆସିଥିବା ନରସିଂହ ତିହାଡ଼ୀ କହିଲେ ଯେ ‘‘ଆପଣମାନେ ଯାହା କହୁଅଛନ୍ତି ତହିଁରେ ଆମ୍ଭେ ଏକ ହୋଇ ପାରିଲୁ ନାହିଁ । ଆପଣମାନଙ୍କର କଥାରୁ ଆମ୍ଭର ଅନୁମାନ ହେଉଅଛି ଯେ ଆପଣମାନେ ବୈଦ୍ୟଶାସ୍ତ୍ରର ଏକବର୍ଣ୍ଣ ସୁଦ୍ଧା ପଢ଼ି ନାହାନ୍ତି । କାରଣ, ଆମ୍ଭେ ଯେତେଦୂର ପରୀକ୍ଷା କରି ଦେଖୁଅଛୁଁ, ଏ ଜ୍ୱର ଚର୍ମଗତ ଜ୍ୱର ଅଟେ । ଆପଣମାନଙ୍କ ପରି ରାଜବୈଦ୍ୟ ଥିଲେ ଗଡ଼ଜାତର ରାଜାମାନେ କାହିଁକି ଅକାଳେ ଯମପୁରୀକୁ ପ୍ରେରିତ ନ ହେବେ ।’’

 

ପଟୁଆରୀ ଦେଖିଲେ ବିଷମ ବ୍ୟାପର ଉପସ୍ଥିତ । ତାହାଙ୍କର ଜୀବନ ସ୍ୱରୂପ ଏମାତ୍ର ଅପତ୍ୟର ଚିକିତ୍ସା କରାଇବାପାଇଁ ସମସ୍ତଙ୍କୁ ଆହ୍ୱାନ କରି ଆଣିଛନ୍ତି । ସେ ଆଶା କରିଥିଲେ, ଯେ ଅନେକ ଭିଷକ ଏକତ୍ର ଉପସ୍ଥିତ ହେଲେ ପଦ୍ମମାଳୀର ରୋଗର ଲକ୍ଷଣ ନିରୂପଣ କରି, ସମସ୍ତେ ପରାମର୍ଶ କରି, ଚିକିତ୍ସାର ବିଧାନ କରିବେ, କିନ୍ତୁ ଭିଷକ୍‌ବର୍ଗଙ୍କର କଳହ ଦେଖି ସେ ସମ୍ପୂର୍ଣ୍ଣ ନିରାଶ ହେଲେ । ରୋଗୀର ବାସ ଗୃହମଧ୍ୟରେ ଏରୂପ କଳହ ହେଲେ, ରୋଗୀର ଅନିଷ୍ଟ ଭିନ୍ନ ଇଷ୍ଟ ସମ୍ପାଦନ ହେବାର ସମ୍ଭବ ନୁହେଁ । ପଟୁଆରୀ ଅନେକ ବିନୟ କରି କହିଲେ,–

 

‘‘ଆମ୍ଭର ଏ ବିପଦ ଉପସ୍ଥିତ ହେବାରୁ ଆପଣମାନଙ୍କୁ ଆମନ୍ତ୍ରଣ କରି ଆଣିଅଛୁଁ । ଆମ୍ଭର ଆଶା ଥିଲା ଯେ ଆପଣମାନେ ଏକତ୍ର ହେଲେ ରୋଗୀର ଅବସ୍ଥା ଦେଖି ତଦନୁଯାୟୀ ଚିକିତ୍ସାର ବିଧାନ କରିବେ, କିନ୍ତୁ ଆମ୍ଭର ଦୂରଦୃଷ୍ଟିକ୍ରମେ ଆପଣମାନେ ମତରେ ଏକ ହୋଇପାରିଲେ ନାହିଁ । ଆପଣମାନେ ଯେ ବାଗ୍‌ବିତଣ୍ଡା ଆରମ୍ଭ କରିଅଛନ୍ତି ତଦ୍ଦ୍ୱାରା ରୋଗୀର ପୀଡ଼ା ଭଲ ନ ହୋଇ ବୃଦ୍ଧି ହେବାର ସମ୍ଭାବନା । ଅତଏବ ଆମ୍ଭେ କୃତାଞ୍ଜଳିପୁଟେ ପ୍ରାର୍ଥନା କରୁଅଛୁଁ ଯେ ଆପଣମାନେ ଚଉପାଢ଼ୀରେ ବିରାଜମାନ ହୋଇ ରୋଗର ଯେଉଁ ଲକ୍ଷଣମାନ ଦେଖିବା ହେଲେ ତହିଁରୁ ରୋଗର ଉପଯୁକ୍ତ ଔଷଧ ବିଧାନ କରନ୍ତୁ ।’’

•••

 

ଚତୁର୍ଦ୍ଦଶ ପରିଚ୍ଛେଦ

ପୀଡ଼ାର ଚର୍ଚ୍ଚା

 

ସନ୍ଧ୍ୟା ଅତୀତ । ପଟୋୟାରୀ ଚତୁଷ୍ପାଠୀରେ ଅପ୍‌ସର ଉପରେ ପୃଷ୍ଠ ରକ୍ଷିତ କରି ଉପବିଷ୍ଟ । ସପ୍ତମୀର ଚନ୍ଦ୍ର ଶୁଭ୍ର ରଶ୍ମିଜାଳ ଦ୍ୱାରା ସମ୍ମୁଖସ୍ଥ ପ୍ରାଙ୍ଗଣକୁ ମଣ୍ଡିତ କରିଥିଲା । ମନ୍ଦ ମନ୍ଦ ଦକ୍ଷିଣାନିଳ ଶରୀରରେ ଅମୃତ ବର୍ଷଣ କରୁଥିଲା । କିନ୍ତୁ ତଦ୍ଦ୍ୱାରା ପଟୋୟାରୀଙ୍କର ଆଭ୍ୟନ୍ତରିକ ହୁତାଶନ ଶୀତଳ ହୋଇ ନ ଥିଲା । ପଟୋୟାରୀଙ୍କର ଅନତିଦୂରେ ଶଯ୍ୟୋପରି ତାହାଙ୍କର ଖୁଡ଼ତାତ ପୁତ୍ର ଶ୍ରୀହରି ଦାସ ଉପବିଷ୍ଟ ଥିଲେ । ଭୂପୃଷ୍ଠେ ପାଷାଣନିବଦ୍ଧ ମଣ୍ଡପ ଉପରେ ପ୍ରତିବେଶୀ, ଅନୁସରଣିୟା ଓ ଖୋସାମଦିୟାମାନେ ବସିଥିଲେ । ପୁରୋସେନାପତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପଦ୍ମମାଳୀ ପୀଡ଼ିତ ହେଳାଦିନୁ ଆଜି ତାହାର ପୀଡ଼ା ସଙ୍କଟାପନ୍ନ ଅବସ୍ଥା ପ୍ରାପ୍ତ ହୋଇଥିଲା । ପଟୋୟାରୀ ଏକମାତ୍ର କନ୍ୟାର ଏ ଅବସ୍ଥା ଦେଖି ଅତିଶୟ ବିଷଣ୍ଣବଦନରେ ଉପବିଷ୍ଟ ଥିଲେ । ତାହାଙ୍କର ବିଷାଦ ଉପସ୍ଥିତ ବ୍ୟକ୍ତିବୃନ୍ଦଙ୍କର ଅନ୍ତଃକରଣରେ ପ୍ରକୃତରେ ହେଉ ଅବା କୃତ୍ରିମରେ ହେଉ ପ୍ରତିଫଳିତ ହେଉଥିଲା । ସମସ୍ତେ ନୀରବ । ଅନେକକ୍ଷଣ ଉତ୍ତାରୁ ଶ୍ରୀ ହରି କହିଲ–‘‘ନରସିଂହ ତିହାଡ଼ୀ ଯାହା କହୁଅଛନ୍ତି ତାହା ମୋହର ମନକୁ ଆସୁଅଛି । ତୁମେ (ପଟୁୟାରୀ ସମ୍ୱୋଧନ କରି) ତାହାଙ୍କ ଦ୍ୱାରା ଚିକିତ୍ସା କରାଅ ।’’

 

ପୁରୋ ସେନାପତି କହିଲେ,–‘‘ଏ ରାଜବୈଦ୍ୟମାନେ କିଛି ନୁହନ୍ତି । ମହେଶ୍ୱର ସାର୍ବଭୌମଙ୍କର ପୁତ୍ର ବିଘ୍ନେଶ୍ୱର ବୈଦ୍ୟରାଜ ଯେଉଁ ବୈଦ୍ୟପଣିୟା ଦେଖାଇଥିଲେ ତାହା କେବଳ ରାଜାମାନେ ବିଶ୍ୱାସ କରନ୍ତି ।’’

 

ପ୍ରଥମ ପାରିଷଦ ଜିଜ୍ଞାସା କଲା–‘‘କାହିଁକି ?’’

 

ପୁ-ସେ–‘‘ରାଜାଙ୍କର ଯୁବା ସମୟରେ ପାଟମହାଦେଈଙ୍କର ଶ୍ରୀଅଙ୍ଗ ଅଳସ ହୋଇଲା । ରାଜବୈଦ୍ୟ ବିଘ୍ନେଶ୍ୱର ବୈଦ୍ୟରାଜ ଚିକିତ୍ସା କରିବାକୁ ଆସିଲେ । ପାଟମହାଦେଈଙ୍କର ପୀଡ଼ାର ହାଲ ସବୁ ଶୁଣିଲେ, ତଥାପି ନାଡ଼ୀ ନ ଦେଖି କିପରି ଚିକିତ୍ସା କରିବେ ? ଉଆସ ମଧ୍ୟରେ ପରପୁରୁଷ ପାଟମହାଦେଈଙ୍କର ହସ୍ତ ଧାରଣ କରିବ ଏହା କି ପ୍ରକାରେ ହୋଇପାରେ ? ଛାମୁରେ ପଢ଼ିଆରୀ ଏ ସବୁ କଥା ଜଣାଇଲା । ଛାମୁରୁ ଆଜ୍ଞା ହେଲେ ଯେ ପାଟମହାଦେଈ ଭଲ ନ ହେଉନ୍ତୁ, ତଥାପି ପରପୁରୁଷ ଉଆସ ମଧ୍ୟରେ ଯାଇ, ପାଟମହାଦେଈଙ୍କର ହସ୍ତ ଧରି ପାରିବେ ନାହିଁ-। ଏପରି ଅବସ୍ଥାରେ, ବୈଦ୍ୟରାଜ ଏକ ଉପାୟ ଉଦ୍ଭାବନ କଲେ । ସେ ଛାମୁରେ ହାଜର ହୋଇ କହିଲେ ଯେ ଛାମୁରୁ ଯାହା ଆଜ୍ଞା ହୋଇଅଛନ୍ତି ତାହା ଯଥାର୍ଥ । ଆମ୍ଭେ ଉଆସ ମଧ୍ୟରେ ପାଟମହାଦେଈଙ୍କର ହସ୍ତ ଧାରଣ କରିବୁଁ ନାହିଁ । କିନ୍ତୁ ଆମେ ମହେଶ୍ୱର ସାର୍ବଭୌମଙ୍କର ପୁତ୍ର ଥାଉଁ ଥାଉଁ ପାଟମହାଦେଈଙ୍କର ଛାମୁରୁ କ୍ଳେଶ ପାଇବେ ଏହା ଆମ୍ଭେ ସହ୍ୟ କରି ପାରିବୁ ନାହିଁ । ଆମ୍ଭେ ପଢ଼ିଆରୀଦ୍ୱାରେ ଛିଡ଼ା ହେବୁଁ, କେବଳ ପାଟମହାଦେଈଙ୍କର ହସ୍ତରେ ଏକଖଣ୍ଡ ଦଉଡ଼ି ବନ୍ଧା ହୋଇ ଆମ୍ଭ ନିକଟକୁ ଆସିଲେ ଆମ୍ଭେ ତାହାଙ୍କର ପ୍ରକୃତ ଅବସ୍ଥା ଜ୍ଞାତ ହେବୁଁ ।’’

 

ଶ୍ରୀହରି,–‘‘ଆଚ୍ଛା, ରାଜା ତହିଁରେ ସମ୍ମତ ହେଲେ ?’’

 

ପୁ-ସେ- ‘‘ନା, ତାହାଙ୍କ ସୂକ୍ଷ୍ମ ବୁଦ୍ଧିରେ ଏକ ବିଷମ ବାଧା ଦେଖିଲେ । ସେ ବୈଦ୍ୟରାଜଙ୍କୁ କହିଲେ ଯେ ତୁମ୍ଭର ପ୍ରସ୍ତାବରେ ଆମ୍ଭର ଏକ ଆପତ୍ତି ଏହି ଯେ ପାଟମହାଦେଈ କି କଇଦୀ ହୋଇଅଛନ୍ତି ଯେ ସେ ବନ୍ଧା ହେବେ ? ଦ୍ୱିତୀୟ, ରୋଗ ନିମନ୍ତେ ଯଦି ଏହି ଆପତ୍ତି ଏଡ଼େ ଗୁରୁତର ଜ୍ଞାନ କରା ନ ଯାଏ ତେବେ ଯେତେବେଳେ ଯାଏ ଦଉଡ଼ି ଢ଼ିଲାଥିବ, ତୁମ୍ଭେ ତ କିଛି ଜାଣି ପାରିବ ନାହିଁ । ଦଉଡ଼ିକୁ ଓଟାରିଲେ ତାଙ୍କର କୋମଳ ହସ୍ତରେ ବ୍ୟଥା ହେବ ।’’

 

ପ୍ରଥମ ପାରିଷଦ–‘‘ତାହା ନ ହେଲେ କି ରାଜା ।’’

 

ଶ୍ରୀହରି–(ପାରିଷଦ ବାକ୍ୟରେ କିଛିମାତ୍ର ମନୋନିବେଶ ନ କରି କହିଲେ) ‘‘ସେଠାରୁ କ’ଣ ହେଲା ?’’

 

ପୁ-ସେ–‘‘ବୈଦ୍ୟରାଜ କହିଲେ ଛାମୁରୁ ଯଥାର୍ଥ ଆଜ୍ଞା ହୋଇଅଛନ୍ତି । ପାଟମହାଦେଈ ବନ୍ଧନଦଣ୍ଡ ପାଇବେ, ଏହା କି ତାଙ୍କ ଶତ୍ରୁ ମଧ୍ୟ କେଭେ ଇଚ୍ଛା କରେ ? ତେବେ ଛାମୁରୁ ଯାହା ଆଜ୍ଞା ହେଲେ ରୋଗର ନିମନ୍ତେ ଅନେକ ସହ୍ୟ କରିବାକୁ ହୁଏ । ‘ଔଷଧାର୍ଥେ ସୁରାଂ ପିବେତ୍‌’ ଏହା ଶାସ୍ତ୍ରରେ ଲେଖା ଅଛି । ମୁଁ କିନ୍ତୁ ଉପାୟ କରିବି ଯେ ଯେପରି ପାଟମହାଦେଈଙ୍କର କୋମଳହସ୍ତ କିଛି ମାତ୍ର କ୍ଳେଶ ନ ପାଏ ।’’

 

ଦ୍ୱିତୀୟ ପାରିଷଦ–‘‘ଏହା କି କେବେ ସମ୍ଭବ ? ଆହା, ସେ କୋମଳ ଶ୍ରୀହସ୍ତଟି ଦଉଡ଼ିରେ ବନ୍ଧା ହୋଇ କି କଷ୍ଟଟା ପାଇ ନଥିବ ।’’

 

ପୁ-ସେ (ରୁଷ୍ଟ ହୋଇ) ‘‘ଏହା ତୁମ୍ଭ ବୁଦ୍ଧିକୁ ପାଉ ନାହିଁ, କିନ୍ତୁ ବୈଦ୍ୟରାଜ ତୁମ୍ଭପରି ଖୋସାମଦିଆ ଉଲ୍ଲୁ ନ ଥିଲେ ।’’

 

ଶ୍ରୀହରି–‘‘ଛାଡ଼, ସେ ସବୁ କଥାରୁ କି ପାଇବ, ରାଜା କି କହିଲେ ?’’

 

ପୁ–ସେ ‘‘ରାଜା ପଚାରିଲେ ଯେ ବୈଦ୍ୟରାଜ କି ଉପାୟ କରିବ ? ବୈଦ୍ୟରାଜ କହିଲେ ଯେ ଛାମୁରୁ ଯେଉଁ ଆପତ୍ତି ହୋଇଅଛି ତାହା ଆମ୍ଭେ ପୂର୍ବରୁ ଜାଣିଥିଲୁଁ ଓ ତାହାର ଉପାୟ ଜାଣି ନ ଥିଲେ ଏପରି ପ୍ରସ୍ତାବ ଛାମୁରେ କେଭେ କରନ୍ତୁ ନାହିଁ । ପାଟମହାଦେଈଙ୍କର ଶ୍ରୀହସ୍ତରେ ସାତପ୍ରସ୍ତ କରି ମଖମଲ ଗୁଡ଼ାଇବାକୁ ହେବ । ତାହା ଉପରେ ଏକଖଣ୍ଡ ପାଟର ସୂତା (ଟିକିଏ ବହଳ ହେବ) ବାନ୍ଧିବାକୁ ହେବ । ସେହି ସୂତାଖଣ୍ଡ ଆମ୍ଭ ନିକଟ ଆଣି ଦେଲେ ଆମ୍ଭେ ନାଡ଼ୀର ବୃତ୍ତାନ୍ତ ଜାଣି ପାରିବୁ ।’’

 

ପ୍ରଥମ ପାରିଷଦ–‘‘କି ଚମତ୍କାର ବୁଦ୍ଧି !’’

 

ପୁ–ସେ ‘‘ତୁମ୍ଭ ପରି ଲୋକଙ୍କ ବୁଦ୍ଧିକୁ ଏହା ଚମତ୍କାର । ବୈଦ୍ୟରାଜ ଓ ତୁମ୍ଭଙ୍କୁ ତୁଳନା କଲେ–’’

 

ଶ୍ରୀହରି– (ବାଧା ଦେଇ) ‘‘ଛାଡ଼ ସେ ସବୁ କଥା, ରାଜା କଣ କହିଲେ ?’

 

ପୁ–ସେ–(କ୍ରୋଧରୁ ଶାନ୍ତ ନ ହୋଇ) ‘‘ରାଜା ତାଙ୍କର ମୁଣ୍ଡ କହିଲେ । ବୈଦ୍ୟରାଜାଙ୍କର ବୁଦ୍ଧିକୁ ଅନେକ ପ୍ରଶଂସା କଲେ ଓ ତାଙ୍କର ପ୍ରସ୍ତାବ ଅନୁସାରେ ସମସ୍ତ ଆୟୋଜନ ହେଲା ।’’

 

ଶ୍ରୀହରି–‘‘ଫଳ କଣ ହେଲା ?’’

 

ପୁ–ସେ–‘‘ଏପରି ମୂର୍ଖାନ୍ତିର ଫଳ ଯାହା ହୋଇଥାଏ ତାହା ହେଲା । ରାଜା ସ୍ୱୟଂ ତାହାଙ୍କ ରାଣୀଙ୍କୁ ସମସ୍ତ କଥା କହିଲେ, କିନ୍ତୁ ରାଣୀ ରାଜାଙ୍କ ପରି ଉଲ୍ଲୁ ନ ଥିଲେ । ବୈଦ୍ୟରାଜ ଆସି ଖବର ଦେଲାରୁ, ରାଣୀ ତାଙ୍କର ଗୋଟିଏ ବିରାଡ଼ି ବାନ୍ଧି ବୈଦ୍ୟଙ୍କ ପାଖକୁ ଦଉଡ଼ିକୁ ପଠାଇ ଦେଲେ । ବୈଦ୍ୟରାଜ ଅନେକକ୍ଷଣ ଆଙ୍ଗୁଳିଦ୍ୱାରା ଦଉଡ଼ିଟିକୁ ଚିପିଲେ, ପଛେ ତାକୁ କାନରେ ଧଇଲେ, ତଦ୍‌ବାଦ୍‌ ଛାମୁରେ ଜଣାଇଲେ ଯେ ପାଟମହାଦେଈଙ୍କର ବାତକଫ ନାଡ଼ୀ ପ୍ରବଳ ହୋଇଅଛି ଓ ଶାସ୍ତ୍ର ଫିଟାଇ ଡାବ ପ୍ରସ୍ତୁତ କରିବାର ବ୍ୟବସ୍ଥା ଦେଲେ । ଔଷଧ ପ୍ରସ୍ତୁତ ହେଲା କିନ୍ତୁ ପାଟମହାଦେଈଙ୍କର ବୈଦ୍ୟରାଜଙ୍କଠାରୁ ଭଲ ବୁଦ୍ଧି ଥିଲା । ଆମ୍ଭେ ଉତ୍ତମରୂପେ ଜାଣିଅଛୁଁ ଯେ ସେ ଔଷଧି ପାଟମହାଦେଈ ଆଦୌ ସାରି ନାହାନ୍ତି । ଆପଣା ଇଚ୍ଛାରେ କିଛିଦିନ ଉତ୍ତାରେ ସେ ଆରୋଗ୍ୟ ଲାଭ କଲେ କିନ୍ତୁ ରାଜା ଜାଣିଲେ ଯେ ବୈଦ୍ୟରାଜଙ୍କର ଔଷଧି ଗୁଣରେ ରାଣୀ ଭଲ ହେଲେ ।’’

 

ଶ୍ରୀହରି–‘‘ଏ ରାଜବୈଦ୍ୟ ଗୁଡ଼ାକ ନିହାତି ଠକ । ଜଗବନ୍ଧୁ, ନରସିଂହ ତିହାଡ଼ୀ ଯାହା କହୁ ଅଛନ୍ତି ମୋର ମନକୁ ଘେନୁଅଛି ।’’

 

ଜଗବନ୍ଧୁ–‘‘ମୋତେ କିଛି କହ ନା, ତୁମ୍ଭର ଯାହା ଇଚ୍ଛା କର ।’’ ଏପରି କଥୋପକଥନ ହେଉ ଥିବା ସମୟେ ଲକ୍ଷ୍ମଣ ପଣ୍ଡା ଆସି ପହୁଞ୍ଚିଲେ ।

•••

 

Unknown

ପାଞ୍ଚଦଶ ପରିଚ୍ଛେଦ

ଲକ୍ଷ୍ମଣ ପଣ୍ଡାର ଦୌତ୍ୟ

 

ଦୁର୍ଯ୍ୟୋଧନର ଦୌତ୍ୟକର୍ମରେ ଲକ୍ଷ୍ମଣ ପଣ୍ଡା ଆସି ଅଛନ୍ତି । ସେ ଅତି ଅସମୟରେ ଆସିଥିଲେ ଏଥିରେ ସନ୍ଦେହ ନାହିଁ । କାରଣ ସେ ଯାହାର ଉଦ୍‌ବାହ ପ୍ରସ୍ତାବ କରି ଆସିଥିଲେ, ଆସି ଦେଖିଲେ ଯେ ସେ ପୀଡ଼ାରେ ମରଣାପନ୍ନ । ଆଜି ପନ୍ଦର ଦିନ ହେଲା ପଣ୍ଡା ପାଞ୍ଚଗଡ଼କୁ ଆସି ଅଛନ୍ତି । ଏ ପନ୍ଦର ଦିନ ମଧ୍ୟରେ ତାହାଙ୍କର ଦୌତ୍ୟକାର୍ଯ୍ୟ ସମ୍ପନ୍ନ କରିବାର ସୁଯୋଗ ପାଇଲେ ନାହିଁ । ଯେତେବେଳେ ପଟୋୟାରୀଙ୍କର ଚଉପାଢ଼ୀକୁ ଆସନ୍ତି, ଦେଖନ୍ତି ଯେ ବୈଦ୍ୟମାନେ ରୋଗୀର ପୀଡ଼ାର ଲକ୍ଷଣ ସମ୍ୱନ୍ଧେ ନାନାବିଧ ବାଦାନୁବାଦ କରୁଥାନ୍ତି ଓ ଔଷଧ ମୂଳ ଓ ବଳ୍‌କଳ ସଂଗ୍ରହ କରିବା ନିମନ୍ତେ ଭୃତ୍ୟମାନେ ଚତୁର୍ଦ୍ଦିଗକୁ ପ୍ରେରିତ ହେଉଥାନ୍ତି । ପଟୋୟାରୀ ସବୁବେଳେ ବିଷଣ୍ଣଚିତ୍ତ । ଏପରି ଅବସ୍ଥାରେ ସେ କିପରି ପଦ୍ମମାଳୀର ପରିଣୟବାର୍ତ୍ତା ଉତ୍‍ଥାପନ କରିବେ ? ଆସିଲାଦିନୁ ଲକ୍ଷ୍ମଣ ପଣ୍ଡା ପ୍ରତିଦିନ ସନ୍ଧ୍ୟା ସକାଳେ ପଟୋୟାରୀଙ୍କର ଚୌପାଢ଼ୀଙ୍କୁ ଆସନ୍ତି କିନ୍ତୁ ପ୍ରତିଦିନ ନା ପ୍ରତିଥର ଅବ୍ୟକ୍ତମନୋରଥ ହୋଇ ବାହୁଡ଼ି ଯାଇ ପଟୋୟାରୀଙ୍କର ପ୍ରଦତ୍ତ ଆହାରୀ ପଦାର୍ଥ ଧ୍ୱଂସକରନ୍ତି । ପଟୋୟାରୀଙ୍କୁ କେହି କେହି କହିବାରୁ ତାହାଙ୍କର ବର୍ତ୍ତମାନ ଅବସ୍ଥାରେ ଗ୍ରହର କୁଦୃଷ୍ଟି ପଡ଼ିଥିବାର ସନ୍ଦେହ କରି, ରାଜୀବ ନାୟକକୁ ଡକାଇ ତାହାଙ୍କର କୋଷ୍ଠୀ ଗଣାଇଥିଲେ । ରାଜୀବ ନାୟକ କହିଥିଲା ଯେ ବର୍ତ୍ତମାନ ଶନି ତାହାଙ୍କର ସପ୍ତମରେ ଥିଲା ଓ ସୂର୍ଯ୍ୟ ତୁଳାରାଶିରେ ପ୍ରବୋଶ ନ ହେଲା ପର୍ଯ୍ୟନ୍ତ ତାହାଙ୍କୁ ଶନିର କୋପଦୃଷ୍ଟିରେ ରହିବାକୁ ହେବ । ଲକ୍ଷ୍ମଣ ପଣ୍ଡାଙ୍କୁ ପାଞ୍ଚଗଡ଼ରେ ଉପସ୍ଥିତ ଦେଖି ପଟୋୟାରୀ ଜ୍ଞାନ କଲେ ମୂର୍ତ୍ତିମାନ ଶନି ଆସି ଉପସ୍ଥିତ ହେଲା କି ? ଲକ୍ଷ୍ମଣ ପଣ୍ଡାର ସହିତ ପଟୋୟାରୀଙ୍କର ଏହି ପନ୍ଦରଦିନ ମଧ୍ୟରେ କେବଳ ଦୁଇ ଚାରି ପଦ ବାକ୍ୟାଳାପ ହୋଇଥିଲା ଓ ତଦ୍ଦ୍ୱାରା ପଣ୍ଡା ମଜକୁର ପଟୋୟାରୀଙ୍କର ପ୍ରତି ତାହାଙ୍କର ଏ ଉପସ୍ଥିତ ବିପଦରେ ତାହାର ସହାନୁଭୂତି ଦେଖାଇଥିଲା ଏରୂପ ଅବସ୍ଥାରେ ଲକ୍ଷ୍ମଣ ପଣ୍ଡା ଆପଣଙ୍କୁ ଏକ ବିଷମ ସମସ୍ୟାରେ ପଡ଼ିଥିବାର ଜ୍ଞାନ କଲା । ସେ ପଟୋୟାରୀଙ୍କର ଏ ସମୟେ, ତାହାଙ୍କ କନ୍ୟାର ପରିଣୟ ବାର୍ତ୍ତା କିରୂପେ ଉତ୍‍ଥାପନ କରିବ ? ଏଣେ ଦୁର୍ଯ୍ୟୋଧନର ତାକିଦର ତ୍ରୁଟି ନାହିଁ । ସେହି ଦିବସ ପ୍ରାତଃକାଳରେ ଦୁର୍ଯ୍ୟୋଧନର ଏକ ପତ୍ର ପାଇଥିଲା । ତହିଁରେ ମର୍ମ ଏହି ଥିଲା ଯେ ଦୁର୍ଯ୍ୟୋଧନ ଅତି ବ୍ୟଗ୍ରତାର ସହିତ ପଣ୍ଡାର ପ୍ରତ୍ୟାଗମନ ପ୍ରତୀକ୍ଷା କରି ରହିଥିଲା ଓ ତାହାର ପ୍ରତ୍ୟ ଗମନ ପ୍ରତି ମୁହୂର୍ତ୍ତ ଆଶା କରୁଥିଲା ଏବଂ ପଣ୍ଡା ମଜକୁର ଫେରିଯିବାରେ ଯେଉଁ ବିଳମ୍ବ ହେଉଥିଲା ତାହା କେବଳ ତାହାର ଅଯୋଗ୍ୟତାରୁ ହେଉଥିଲା । ଏ ପତ୍ର ପାଇ ପଣ୍ଡା ମନେ ମନେ ବିରକ୍ତ ହେଲା ଓ ତାହାର କାର୍ଯ୍ୟ ସମାଧାନ କରିବା ପାଇଁ ବିଶେଷ ଉଦ୍‌ବିଗ୍ନ ହେଲା । ଦୁର୍ଯ୍ୟୋଧନର ଏ ପତ୍ର ସହିତ ପଣ୍ଡା ଆପଣା ଗୃହର ଏକଖଣ୍ଡ ପତ୍ର ପ୍ରାପ୍ତ ହୋଇଥିଲା । ତହିଁରୁ ଅବଗତ ହେଲା ଯେ ତାହାର ସଦ୍ୟ ପ୍ରସୂତା ପତ୍ନୀ ଓ ନବଜାତକୁମାର ସଂକଟାପନ୍ନ ଅବସ୍ଥା ପ୍ରାପ୍ତ ହୋଇଥିଲେ । ଏପରି ସମ୍ବାଦ ପାଇ ତାହାର ଚିତ୍ତ ବ୍ୟସ୍ତ ହେଲା । ପରିଣାମ ଯାହା ହେଉ, ଆଜି ସେ ତାହାର ଅଭିପ୍ରାୟ ବ୍ୟକ୍ତ କରି, ପ୍ରତ୍ୟୁଷେ ଗଡ଼କୁ ପ୍ରସ୍ଥାନକରିବାର ମନସ୍ଥ କଲା । ଏହି ସଂକଳ୍ପରେ ସେ ବର୍ତ୍ତମାନ ପଟୋୟାରୀଙ୍କର ଚଉପାଢ଼ୀରେ ଉପନୀତ । ତାହାକୁ ଦେଖି ସମସ୍ତେ ନୀରବ । କ୍ଷଣକାଳ ନିଃଶବ୍ଦରେ ଅତିବାହିତ ହେଲା ବାଦ, ଲକ୍ଷ୍ମଣ ପଣ୍ଡା ପଟୋୟାରୀଙ୍କୁ ସମ୍ବୋଧନ କରି କହିଲା–

‘‘ମୁଁ କାଲି ବିଦାୟ ହେଉଅଛି ।’’

ପଟୋୟାରୀ କୌଣସି ଉତ୍ତର ଦେବା ପୂର୍ବରେ ଶ୍ରୀହରି କହିଲେ–

‘‘ଆପଣ କେଉଁଆଡ଼େ ଆସିଥିଲେ ଓ କି ଅଭିପ୍ରାୟରେ ଆସିଥିଲେ, ଆମ୍ଭେମାନେ କିଛି ଜାଣି ପାରିଲୁ ନାହିଁ । ଆପଣ ଆମ୍ଭ ଘରେ ପଦଧୂଳି ପକାଇ ଅଛନ୍ତି, ଏହା ଆମ୍ଭମାନଙ୍କର ପରମ ସୌଭାଗ୍ୟ । କିନ୍ତୁ ଯେ ସମୟରେ ଆପଣ ଆସିବା ହୋଇ’ଛନ୍ତି ଆମ୍ଭେମାନେ ଆପଣଙ୍କର ସମୁଚିତ ଚର୍ଚ୍ଚା ଓ ଅଭ୍ୟର୍ଥନା କରି ପାରିଲୁ ନାହିଁ ।’’

ଶୀହରିକୁ ଆଉ ଅଧିକ କହିବାକୁ ନ ଦେଇ, ଲକ୍ଷ୍ମଣ ପଣ୍ଡା କହିଲା, ‘‘ଆମ୍ଭେ ଯେଉଁ ଆଦର ପ୍ରାପ୍ତ ହୋଇଅଛୁଁ ତାହା ଯଥେଷ୍ଟ ହୋଇଅଛି ।’’

ଶ୍ରୀହରି–‘‘ଆପଣ ଶ୍ଳେଷବାକ୍ୟରେ ଏହା କହୁଅଛନ୍ତି ।’’

ଲକ୍ଷ୍ମର–‘‘ନା, ଆମ୍ଭର ମନୋଗତ ଭାବ ଆମ୍ଭେ ବ୍ୟକ୍ତ କରୁଅଛୁ ।’’

ଶ୍ରୀହରି–ଏହା ଆପଣଙ୍କର ମହତ୍ୱର ପରିଚୟ ଦେଉଅଛି; ଆମ୍ଭେ ଜାଣୁଅଛୁଁ ଯେ ଆମ୍ଭେମାନେ ଆପଣଙ୍କୁ ଯଥୋଚିତ ସମାଦର କରିବାରେ ତ୍ରୁଟି କରୁଅଛୁଁ ଓ ତାହା ହୋଇଥିଲେ, ଆମ୍ଭମାନଙ୍କର ଉପସ୍ଥିତ ବିପଦ ଦେଖି, ଆପଣ ଆମ୍ଭମାନଙ୍କର କୌଣସି ଦୋଷ ଘେନିବା ହେବେ ନାହିଁ ।

ଲ–‘‘ଆପଣମାନଙ୍କର ସମାଦରେ କିଛିମାତ୍ର ତ୍ରୁଟି ହୋଇ ନାହିଁ । ଆପଣଙ୍କର ଏ ବିପଦ ଦେଖି ଆମ୍ଭେ ଅତିଶୟ ଦୁଃଖିତ ହେଲୁଁ । ଜଗଦୀଶ୍ୱରଙ୍କର ସକଳ ଇଚ୍ଛା ସେ ଶୀଘ୍ର ଆପଣମାନଙ୍କର ଦୁଃଖ ମୋଚନ କରିବେ ।’’

ଶ୍ରୀ–‘‘ଆମ୍ଭମାନଙ୍କର ଏ ବିପଦରେ ଆପଣ ଦୁଃଖୀ ହୋଇଥିବାରୁ, ଆମ୍ଭେମାନେ ଆପଣଙ୍କଠାରେ ବଡ଼ ବାଧିତ ହେଲୁଁ କିନ୍ତୁ ସବୁ ଭଗବାନଙ୍କର ଇଚ୍ଛା ।’’

ଲ–‘‘ଗଡ଼ରେ ଶୁଣିଲୁଁ ଯେ ମାନ୍ତ୍ରୀରେ କି ଏକ ଦୁର୍ଘଟନା ହୋଇଥିଲା ?’’

ଏ ପ୍ରଶ୍ନ ପଟୋୟାରୀଙ୍କର ହୃଦୟପଟେ ବିଦ୍ୟୁତ୍‌ବେଗେ ପ୍ରତିଘାତ ହେଲା । ସେନାପତି ମନେ ମନେ ବିଚାର କଲେ ଯେ ଏ ଦୁଷ୍ଟ ଦୁର୍ଯ୍ୟୋଧନର ଲୋକ, ଏହାର ଅଭିପ୍ରାୟ ଭଲ ନୁହେଁ । ଶ୍ରୀହରି କହିଲେ,–

‘‘ହଁ ଏକ ଦୁର୍ଘଟନା ହୋଇଥିଲା । କିନ୍ତୁ ତହିଁରୁ ଭଗବାନ ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି-।’’

ଲ–‘‘ମୁଁ ଏହା ଶୁଣି ଯତ୍ପୋରନାସ୍ତି ସୁଖୀ ହେଲି । ଆପଣ ଯାହା କହିବା ହେଲେ ତାହା କେବେହେଁ ମିଥ୍ୟା ହୋଇ ନ ପାରେ ।’’

କିଛିକ୍ଷଣ ନିର୍ବାକ ହୋଇ ଲକ୍ଷ୍ମଣ ପୁନର୍ବାର କହିଲା,–

‘‘ଗଡ଼ରେ ହୁରି ହୋଇଅଛି ଯେ, ମାନ୍ତ୍ରୀରେ ବର୍ଷା ହେଲାବେଳେ ଯେତେବେଳେ ଗୋଳମାଳ ହେଲା ଓ ସମସ୍ତେ କିଏ କେଉଁ ଆଡ଼େ ପଳାଇଲେ, ପଦ୍ମମାଳୀକୁ ଏକାକିନୀ ଓ ସହାୟହୀନା ଦେଖି ଦୁର୍ଯ୍ୟୋଧନ ଦାସ ତାହାଙ୍କୁ ଆପଣା ବସାକୁ ନେଉଥିଲେ । ଏଥିରେ ପଥ ମଧ୍ୟରେ କିଏ ଏକ ଜଣ (ଜନରବ ହୋଇଅଛି ଯେ ମୟୂରଭଞ୍ଜର ରାଉତରା ବାବୁ) ଦୁର୍ଯ୍ୟୋଧନଙ୍କର ସହିତ ପ୍ରଚୁର ରକ୍ଷକ ନ ଥିବାରୁ, ଚଢ଼ାଉ କରି, ଦୁର୍ଯ୍ୟୋଧନ ହସ୍ତରୁ ପଦ୍ମମାଳୀଙ୍କୁ ବଳପୂର୍ବକ ଘେନିଗଲେ ଓ ପଦ୍ମମାଳୀଙ୍କୁ ସେ ରାତ୍ର ତାହାଙ୍କର ତମ୍ବୁରେ ରଖିଲେ । ଏହି କଥାକୁ ଦୁଷ୍ଟଲୋକେ କେତେପ୍ରକାର ଶାଖା ପ୍ରଶାଖା କରି ପ୍ରଚାର କରୁଅଛନ୍ତି ।’’

ଏହାଶୁଣି ଉପସ୍ଥିତ ସମସ୍ତଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଲା । କ୍ଷଣକାଳ ଉତ୍ତାରୁ ଶ୍ରୀହରି କହିଲେ,–

‘‘ଦୁଷ୍ଟଲୋକଙ୍କର ପ୍ରକୃତି ଏହି ଯେ ସେମାନେ ଓ ସଜ୍ଜନଙ୍କର ନିନ୍ଦା ଓ କୁତ୍ସା କରିପାରିଲେ ବଡ଼ସୁଖୀ ହୁଅନ୍ତି ଓ ତିଳମାତ୍ର ଦୋଷ ଦେଖିଲେ ତାହାକୁ ପର୍ବତ କରି ବର୍ଣ୍ଣନା କରନ୍ତି-। ଏଥିରେ କେବଳ ଦୁଷ୍ଟଲୋକେ ଈଶ୍ୱରଙ୍କର ନିକଟରେ ଦୋଷୀ ହୁଅନ୍ତି, ତାହା ନୁହେଁ, ଯେଉଁମାନେ ଦୁଷ୍ଟଲୋକଙ୍କ କୁତ୍ସା ଓ ଗ୍ଳାନି ରଟନା କରିବାକୁ ଉତ୍ସାହ ଦିଅନ୍ତି ସେମାନେ ମଧ୍ୟ ସମାନ ଦୋଷୀ ଅଟନ୍ତି ।’’

ଲ–‘‘ଯଥାର୍ଥ କହିବା ହେଲେ । କିନ୍ତୁ ଆପଣଙ୍କ ପରିସଦ୍‌ ବିବେଚକ ବ୍ୟକ୍ତି ଅଛନ୍ତି । ଏ ପୃଥିବୀରେ ମୂର୍ଖଙ୍କର ଦଳ ଅଧିକ । ଏ ଜନରବ ଶୁଣି ଦୁର୍ଯ୍ୟୋଧନ ଦାସ ବଡ଼ ଦୁଃଖିତ ଅଛନ୍ତି । ତାହାଙ୍କର ବିଶେଷ ମନର କଷ୍ଟ ଏହି ହେଉଅଛି ଯେ ତାହାଙ୍କର ହସ୍ତରୁ ଦୁଷ୍ଟ ପଦ୍ମମାଳୀକୁ ଛଡ଼ାଇ ନେଇ ତାହାର ଅପବାଦ ଘଟାଇଲା । ଜନରବ କ’ଣ ହେଉଅଛି ତାହା ଆପଣମାନଙ୍କୁ ଜଣାଇବା ସକାଶେ ଦାସେ ଆମ୍ଭଙ୍କୁ ଏଠାକୁ ପ୍ରେରଣ କରିଅଛନ୍ତି ।’’

ଶ୍ରୀ–‘‘ତଦ୍ଦ୍ୱାରା ଦୁର୍ଯ୍ୟୋଧନ ଦାସ ପ୍ରକୃତବନ୍ଧୁର କାର୍ଯ୍ୟ କରିଅଛନ୍ତି ଓ ଆପଣାର ମହତ୍‌ଚରିତ୍ରର ପରିଚୟ ଦେଇଅଛନ୍ତି ଏବଂ ତଜ୍ଜନ୍ୟ ଆମ୍ଭେମାନେ ତାହାଙ୍କଠାରେ ଋଣୀ ହୋଇ ରହିଲୁଁ ।’’

ଲ–‘‘ଏହିକଥା ଆପଣମାନଙ୍କୁ ଜଣାଇବା ସକାଶେ ଆମ୍ଭଙ୍କୁ ଦାସେ ପଠାଇଥିଲେ । କିନ୍ତୁ ଏଠାକୁ ଆସିଲା ଦିନରୁ ପଦ୍ମମାଳୀ ଦେଈଙ୍କର ପୀଡ଼ାରେ ଆପଣମାନେ ଯେରୂପ ମନୋଦୁଃଖରେ ଅଛନ୍ତି ତାହା ଦେଖି ସକଳକଥା ଆପଣମାନଙ୍କୁ କହିବାର ଅବସର ଆମ୍ଭେ ପାଇ ନ ଥିଲୁଁ । ବର୍ତ୍ତମାନ ଘରୁଯେଉଁ ସମ୍ବାଦ ପାଇଲୁଁ ତାହା ଶୁଣି ଆମ୍ଭେ ଆଉ ଏକଘଣ୍ଟା ଏଠାରେ ରହି ନ ପାରୁଁ । ଆମ୍ଭେ ଏଠାକୁ ଆସିବାର ଏକ ସପ୍ତାହପୂର୍ବେ ଆମ୍ଭର ଏକଗୋଟି ନବକୁମାର ଜାତ ହୋଇଥିଲା । ବର୍ତ୍ତମାନ ପତ୍ର ପାଇଲୁଁ ଯେ ପ୍ରସୂତୀର ଅବସ୍ଥା ସଂକଟାପନ୍ନ ହେଲାଣି । ଆମ୍ଭେ କାଲି ସକାଳୁ ଏଠାରୁ ଯିବୁଁ । କିନ୍ତୁ କି ଉଦ୍ଦେଶ୍ୟରେ ଆସିଥିଲୁଁ ତାହା ଆପଣଙ୍କୁ ନ କହିଗଲେ ଅନୁଚିତ ହୁଅନ୍ତା । ଏଥିସକାଶେ ଆମ୍ଭର ଆସିବାର ଅଭିପ୍ରାୟ ଆପଣମାନଙ୍କୁ ଅବଗତ କରାଇବା ପାଇଁ ଓ ଆପଣମାନଙ୍କଠାରୁ ବିଦାୟ ହେବା ପାଇଁ ବର୍ତ୍ତମାନ ଆସିଅଛୁଁ । ଆପଣମାନଙ୍କର ଯେଉଁ ବିପଦ ଦେଖୁଅଛୁଁ ତହିଁରେ ଏ ସକଳ କଥା କହିବାର ଉଚିତ ନୁହେଁ । କିନ୍ତୁ ଏ ସବୁ କଥା ଆପଣମାନଙ୍କୁ ଗୋଚର କରାଇବା ସକାଶେ ଏଠାକୁ ଆସି ଓ ତାହା ଆପଣମାନଙ୍କୁ ଜଣାଇଲେ ଇଷ୍ଟ ଭିନ୍ନ ଅନିଷ୍ଟର ସମ୍ଭାବନା ନ ଦେଖି, ଏ ସକଳକଥା ଆପଣମାନଙ୍କର କର୍ଣ୍ଣଗୋଚର କରାଇଲି । ଏଥିରେ ଯଦି ଆମ୍ଭେ କୌଣସି ପ୍ରକାରେ ଦୋଷୀ ହୋଇ ଥାଉଁ ତାହା ହେଲେ ଆପଣମାନେ ଆମ୍ଭର ଦୋଷ ମାର୍ଜନା କରିବା ହେବେ ।’’

ଏଥର ମୌନାବଲମ୍ବି ପଟୋୟାରୀଙ୍କର ମୁଖରୁ ଦୁଇ ଚାରିପଦ ବାକ୍ୟ ନିସ୍ଫୁରିତ ହେଲା, ସେ କହିଲା,–

‘‘ଆପଣ ଏ ସକଳ କଥା ଆମ୍ଭଙ୍କୁ ଜଣାଇ ଆମ୍ଭର ପରମ ଉପକାର କଲେ । ବର୍ତ୍ତମାନ ଆମ୍ଭେ ଯେପରି ବ୍ୟସ୍ତ ଅଛୁଁ ତାହା ଦେଖୁଅଛନ୍ତି । ଏ ଅବସ୍ଥାରେ ଆପଣଙ୍କପ୍ରତି ଯଥୋଚିତ ସମାଦର କରିବାର ତ୍ରୁଟି ହୋଇଥିଲେ ତାହା ଘେନିବା ହେବେ ନାହିଁ ।’’

ଲ–‘‘ଆମ୍ଭେ ଏଠାରେ ଯେଉଁ ସମାଦର ପ୍ରାପ୍ତ ହୋଇଅଛୁଁ ତହିଁରେ ପରମ ପରିତୁଷ୍ଟ ହେଲୁଁ ।

କ୍ଷଣକାଳ ସମସ୍ତେ ନିସ୍ତବ୍‍ଧ ରହିଲାଉତ୍ତାରୁ ପଣ୍ଡା କହିଲେ,–‘‘ତେବେ ଆମ୍ଭେ ବର୍ତ୍ତମାନ ବିଦାୟ ଗ୍ରହଣ କରୁଅଛୁଁ !’’ ଏହା କହି ଦଣ୍ଡାୟମାନ ହେଲେ ଓ ଉପସ୍ଥିତ ବ୍ୟକ୍ତିମାନେ ସମସ୍ତେ ଦଣ୍ଡାୟମାନ ହେଲେ । ପଣ୍ଡା କହିଲେ,–

‘‘ଆପଣମାନେ ଆମ୍ଭପ୍ରତି ଯେପରି ସଦ୍‌ବ୍ୟବହାର କରି ଅଛନ୍ତି ସେଥିଲାଗି ଆମ୍ଭେ ଆପଣମାନଙ୍କୁ ପରମବନ୍ଧୁ ତୁଲ୍ୟ ଜ୍ଞାନ କରୁଁ ଓ ଆପଣମାନେ ଯଦି ଭିନ୍ନ ପ୍ରକାର ବିବେଚନା ନ କରନ୍ତି, ତାହାହେଲେ ଗୋଟିଏ କହିବାକୁ ଇଚ୍ଛାକରୁଁ ।’’

ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଚାରିଜଣ ଏକବାକ୍ୟେ ପଣ୍ଡାଙ୍କ ସାଧୁବାଦ କଲାରୁ ସେ କହିଲେ,–

‘‘ପଦ୍ମମାଳୀର ବର୍ତ୍ତମାନ ବିବାହର ସମୟ ଉପସ୍ଥିତ ହୋଇଅଛି ତାହାକୁ ଆଉ ଅଧିକକାଳ ଅବିବାହିତା ରଖିଲେ ଦୁର୍ନାମ ହେବାର ସମ୍ଭାବନା ।’’

ଶ୍ରୀହରି–‘‘ଯଥାର୍ଥ କହିବା ହେଲେ ।’’

ଲ–‘‘ବିବାହର ପାତ୍ର ସ୍ଥିର ହୋଇ ଅଛି କି ?’’

ଶ୍ରୀ–‘‘ନା’’

ଲ–‘‘ଆଚ୍ଛା, ଆମ୍ଭେ କେବଳ ଆପଣମାନଙ୍କର ବିବେଚନା କରିବା ସକାଶେ ଏ କଥା କହୁ ଅଛୁଁ । ଆପଣମାନେ ଆମ୍ଭ କଥା ଗ୍ରହଣ କରି ପାରନ୍ତି କିମ୍ବା ନାହିଁ । ଆଚ୍ଛା, ଦୁର୍ଯ୍ୟୋଧନ ଦାସ କି ଉପଯୁକ୍ତ ପାତ୍ର ହେବେ ନାହିଁ ?’’

ଶ୍ରୀ–‘‘ଅବଶ୍ୟ, ତାହାଙ୍କଠାରୁ ଆଉ ଉପଯୁକ୍ତ ପାତ୍ର କେଉଁଠାରେ ମିଳିବ ? ଆମ୍ଭେମାନେ ପ୍ରସ୍ତାବ କଲେ ଦାସେ ତ ଅଗ୍ରାହ୍ୟ କରିବେ ନାହିଁ ? ବର୍ତ୍ତମାନ ଏ ବିଷୟରେ ସମ୍ୟକ୍ ଉତ୍ତର ଦେବାକୁ ଆମ୍ଭେମାନେ ଅକ୍ଷମ । ପଦ୍ମମାଳୀ ଆରୋଗ୍ୟ ଲାଭ କଲେ ଆମ୍ଭେମାନେ ଦାସଙ୍କଠାକୁ ଭଲ ଲୋକ ପଠାଇବୁଁ ।’’

ଏହା କହିଲା ଉତ୍ତାରୁ ସଭା ଭଙ୍ଗ ହେଲା ।

•••

 

ଷୋଡ଼ଶ ପରିଚ୍ଛେଦ

ଜଗବନ୍ଧୁଙ୍କ ପରାମର୍ଶ

 

ଊଶନା ବଦ ଯଚ୍ଛାସ୍ତ୍ରଂ, ଯଚ୍ଚ ବେଦ ବୃହସ୍ପତିଃ ।

ସ୍ୱଭାବେନୈବ ତଚ୍ଛାସ୍ତ୍ରଂ ସ୍ତ୍ରୀବୁଦ୍ଧୌ ସୁପ୍ରତିଷ୍ପିତଂ ।।

 

ରାତ୍ର ମଧ୍ୟଗତା । ଜଗବନ୍ଧୁ ପଟ୍ଟନାୟକ ଆହାରାଦି ସମାପନ କରି ସୁକୋମଳ-ମହାର୍ଘବସ୍ତ୍ରମଣ୍ଡିତ ପର୍ଯ୍ୟଙ୍କରେ ଶାୟିତ, କିନ୍ତୁ ଦୁଗ୍‍ଧଫେନନିଭ ଶର୍ଯ୍ୟାରେ ନିଦ୍ରାଦେବୀ ବିରାଜିତ ହୁଅନ୍ତି ନାହିଁ । ଶିବିକାବାହକମାନେ ସ୍କନ୍ଧଭରା ଅବତରଣ କରି କେବଳ ଚିପିଟକ ଦ୍ୱାରା ଉଦରପୂର୍ତ୍ତି କରି, ଧୂଳିଶର୍ଯ୍ୟାରେ ଯେରୂପ ବିମଳଶାନ୍ତି ଉପଭୋଗ କରନ୍ତି, ସେମାନଙ୍କଦ୍ୱାରା ପରିବେଷ୍ଟିତ ଶିବକାରୂଢ଼ ପଲାନ୍ନଭୋଜୀ କୋମଳ ଶଯ୍ୟାରେ ତଦ୍ରୁପ ଶାନ୍ତିଲାଭ କରନ୍ତି କି ? ଉତ୍ତରରେ ନାସ୍ତି କରିବାକୁ ହେବ । ଏଥିପାଇଁ କହୁ, ମହାର୍ଘବସ୍ତ୍ରମଣ୍ଡିତ-ସୁକୋମଳ-ଶଯ୍ୟାରେ ନିଦ୍ରାଦେବୀ ଆବିର୍ଭୂତ ହୁଅନ୍ତି ନାହିଁ । ଏଥି ଉତ୍ତାରୁ ଶୟିତବ୍ୟକ୍ତିର ଯଦି କୌଣସି ମାନସିକଚିନ୍ତା ଜନ୍ମିଥାଏ, ତାହା ହେଲେ ନିଦ୍ରାଦେବୀ ଯେ ତାହା ପ୍ରତି ଅତିଶୟ ଅପ୍ରସନ୍ନା, ଏହା ବୋଲିବା ବାହୁଲ୍ୟ । ଜଗୁ ପଟ୍ଟନାୟକଙ୍କର ଆଜି ଏହି ଦଶା ଘଟିଥିଲା । ଆହାରାନ୍ତେ କିଛିକ୍ଷଣ ଶଯ୍ୟାରେ ବିଶ୍ରାମ ଲଭିବାକୁ ଗଲେ, କିନ୍ତୁ ସହଜରେ ନିଦ୍ରାଦେବୀ ତାହାଙ୍କ ଚକ୍ଷୁରେ ବିରାଜମାନ ହେଲେ ନାହିଁ । ଶଯ୍ୟାରେ ମୁହର୍ମୁହୂଃ ପାର୍ଶ୍ୱ ପରିବର୍ତ୍ତନ କରି ପଟୋୟାରୀ ଆପଣା ମନେ ମନେ କହିଲେ,–‘‘ହତଭାଗ୍ୟ ପିତା ମୁଁ । ପଦ୍ମମାଳୀର ଏ କଷ୍ଟ ଆଉ ଦେଖି ପାରିବି ନାହିଁ । ହେ ବିଧାତାଃ ! ତୁମ୍ଭର ଯଦି ଏପରି ବିଧାନ ଥିଲା, ତାହା ହେଲେ ମୋତେ କାହିଁକି ଏ ରତ୍ନ ଦେଲ ? ମୋହର ପୁଅ ବୋଲ ଝିଅ ବୋଲ; ପଦ୍ମମାଳୀ ମୋହର ସବୁ । ପଦ୍ମମାଳୀର କଷ୍ଟ ମୁଁ ଦେଖି ପାରିବି ନାହିଁ । ପଟ୍ଟନାୟକ ଏହାକହି ମାନସିକ ଶକ୍ତିର ଅତିଶଯ୍ୟ ହେତୁ ଶଯ୍ୟାରେ ବିଲୁଣ୍ଠିତ ହେଲେ ।

 

ପଦ୍ମମାଳୀର ମାତା ଚିତ୍ରଲେଖା ସମୁଦାୟ ଗୃହକାର୍ଯ୍ୟ ସମାପ୍ତ କରି, ପରିଜନ, ଦାସଦାସୀଙ୍କର ଭୋଜନାଦି ସ୍ୱୟଂ ତତ୍ତ୍ୱାବଧାନ କରି, କିନ୍ତୁ ନିଜେ ଗଣ୍ଡୁଷମାତ୍ର ଜଳ ଗ୍ରହଣ ନ କରି, ପଦ୍ମମାଳୀର ପୀଡ଼ିତାଗାରରେ ପ୍ରବେଶ କଲେ । ଆମ୍ଭେମାନେ ଯେଉଁ ପଦ୍ମମାଳୀକୁ ଦେଖିଥିଲୁ ଆଜି ଆଉ ସେ ପଦ୍ମମାଳୀ ନାହିଁ । ପଦ୍ମମାଳୀର ଆଜି ସେ ଉତ୍‌ପୁଲ୍ଲକମଳ ମୁଖଛବି ନାହିଁ । ଅନୁନ୍ମୀଳିତ ପଦ୍ମକଳିକା ଶୁଷ୍କ ହେଲାପ୍ରାୟ ତାହାର ମୁଖ ଦିଶୁଅଛି । ଅଙ୍ଗମାନ କୃଶତା ପ୍ରାପ୍ତ ହୋଇଅଛି । ଚିତ୍ରଲେଖା ତାହାଙ୍କର ପ୍ରିୟ ଦୁହିତାର ଏ ଅବସ୍ଥା ସଂଦର୍ଶନ କରି ନୀଳୋତ୍ପଳନିଭ-ଚକ୍ଷୁରୁ ଅଶ୍ରୁବିନ୍ଦୁ ନିପତିତ କଲେ । ପଦ୍ମମାଳୀ ତତ୍‍କାଳେ ନିଦ୍ରାଭିଭୂତ ଥିଲା । ଚିକିତ୍ସକମାନେ ପରାମର୍ଶ କରି ଆଜି ତାହାକୁ ନିଦ୍ରାର ଔଷଧ ଦେଇଥିଲେ । ଚିତ୍ରଲେଖା ପଦ୍ମମାଳୀକୁ ନିଦ୍ରିତ ଦେଖି ଜାଗ୍ରତ ପରିଚାରିକାକୁ ସତର୍କ ହୋଇ ରାତ୍ରି ରକ୍ଷଣ କରିବା ସକାଶେ ଆଦେଶ କରି, ଆପଣାର ଶୟନକକ୍ଷରେ ପ୍ରବେଶ କଲେ । ପ୍ରବେଶ କଲା ସମୟେ ଚିତ୍ରଲେଖାର ଅଶ୍ରୁବିନ୍ଦୁ ଶୁଷ୍କ ହୋଇ ନ ଥିଲା । ପଟୋୟାରୀ ଚିତ୍ରଲେଖାର ସଜଳନୟନ ଦେଖି ଶୋକାବେଗରେ ବିହ୍ୱଳ ହେଲେ । ଉଭୟେ ପରସ୍ପର ମୁଖକୁ ଚାହିଁ କିଛିକାଳ ଅତିବର୍ତ୍ତନ କଲେ । ଉଭୟେ ନିର୍ବାକ୍‌ । ଜଗବନ୍ଧୁ ଉତ୍‌ଥିତ ହୋଇ ଶଯ୍ୟାରେ ଉପବିଷ୍ଟ ହେଲେ ଓ ଚିତ୍ରଲେଖାକୁ ତାହାଙ୍କର ପାର୍ଶ୍ୱରେ ଉପବେଶନ କରାଇଲେ-। ଚିତ୍ରଲେଖା ଉପବିଷ୍ଟ ହେଲାରୁ ପଟୋୟାରୀ କହିଲେ,–

 

‘‘ପଦ୍ମମାଳୀ କିପରି ଅଛି ?’’

‘‘ମୁଁ ଆସିଲାବେଳେ ନିଦରେ ଶୋଇଥିଲା ।’’

 

‘‘ଏତେ ବୈଦ୍ୟ ଆସିଅଛନ୍ତି କିନ୍ତୁ ରୋଗର ନିର୍ଣ୍ଣୟ କେହି କରି ପାରୁ ନାହାନ୍ତି, ଏହା ଆମ୍ଭମାନଙ୍କର ଅଭାଗ୍ୟ ।’’

 

ଚିତ୍ରଲେଖା ନୀରବ ହୋଇ ରହିଲେ । ପଟୋୟାରୀ ପୁନଶ୍ଚ କହିଲେ,–

 

‘‘ତୁମେ ତୁନି ହୋଇ ରହିଲ । ମୋହର ତ ବୁଦ୍ଧି ଲୋପ ହେଲାଣି । ସବୁ କଥାରେ ତୁମ୍ଭର ପରାମର୍ଶ ନ ନେଲେ ମୁଁ ଆପଣାକୁ ଅତ୍ୟନ୍ତ ଅକ୍ଷମ ଜ୍ଞାନ କରେ । ତୁମେ ମୋହର ବୃହସ୍ପତି-। ତୁମ୍ଭର କି ବିବେଚନା ହେଉଅଛି ? ଏ ବିପଦରେ ପୁଣି ଏକ ନୂତନ ବିପଦ ଉପସ୍ଥିତ ।’’

 

‘‘ଏ ଘୋର ବିପଦ ଉପରେ ଆଉ କି ବିପଦ ହୋଇ ପାରେ ? ତୁମ୍ଭ କଥା ଶୁଣି ମୋହର ମନରେ ବଡ଼ ଆତଙ୍କ ହେଉଅଛି ?’’

 

‘‘ଦୁଷ୍ଟ ଦୁର୍ଯ୍ୟୋଧନ ଆମ୍ଭମାନଙ୍କର ଏ ବିପଦର ମୂଳ । ମୋହର କି କୁବୁଦ୍ଧି ହେଲା ମୁଁ ପିଲାକୁ ମାନ୍ତ୍ରୀ ପଠାଇଲି । ଦୁର୍ଯ୍ୟୋଧନ ଭଲ ଲୋକ ପଠାଇ ଅଛି ।’’

 

‘‘ଭଲ ଲୋକ ! ତାହାର କି ଭଲ ଲୋକ ?’’

‘‘ସେ ପଦ୍ମମାଳୀକୁ ବିବାହ କରିବାକୁ ଇଚ୍ଛା କରେ ।’’

‘‘କ’ଣ କହୁଛ ? ଦୁଷ୍ଟର ଏତେଦୂର ଆଶା !’’

‘‘ଏବେ କ’ଣ ହେଉଛି ?’’

 

‘‘ହେବ ଆଉ କଣ ? ଭଲ ଲୋକକୁ କହ ଯେ ଦୁର୍ଯ୍ୟୋଧନ କି ଭରସାରେ ଏପରି ଖବର ପଠାଇ ଅଛି ।’’

 

ପଦ୍ମମାଳୀକୁ ଦୁର୍ଯ୍ୟୋଧନ ହସ୍ତରେ ଦେବାଠାରୁ ତାହାକୁ ଅରଣ୍ୟ ମଧ୍ୟରେ ହିଂସ୍ର ଜନ୍ତୁଠାରେ ଛାଡ଼ି ଦେବାର ଭଲ, କିନ୍ତୁ ଦୁର୍ଯ୍ୟୋଧନ ଦୁଷ୍ଟ; ଅନର୍ଥ ଘଟାଇ ପାରେ । ପଦ୍ମମାଳୀକୁ ଶୀଘ୍ର ଉପଯୁକ୍ତ ପାତ୍ରସ୍ଥ କରି ପାରିଲେ ମୁଁ ନିଶ୍ଚିନ୍ତ ହୁଅନ୍ତି । କିନ୍ତୁ ସେପରି ପାତ୍ର କାହିଁ ? ମଧ୍ୟ ପଦ୍ମମାଳୀର ଏପରି ପୀଡ଼ିତ ଅବସ୍ଥାରେ ମୁଁ ଆରୋଗ୍ୟର ଚେଷ୍ଟା କରିବି ନା, ତାହାର ବିବାହ ପାଇଁ ଚତୁର୍ଦ୍ଦିଗକୁ ଲୋକ ପଠାଇବି ? ତାହା ହେଲେ ଲୋକେ କ’ଣ କହିବେ ?’’ ଏହା କହି ପଟୋୟାରୀ ନୀରବ ହେଲେ । କିଛିକ୍ଷଣ ଉତ୍ତାରୁ ଚିତ୍ରଲେଖା କହିଲେ,–

 

‘‘ପଦ୍ମମାଳୀର କି ପୀଡ଼ା ହେଲା, କିଛି ତ ବୁଝାଯାଉ ନାହିଁ ? ଏତେ ମହା ମହା ଧନୁର୍ଦ୍ଧର ବୈଦ୍ୟମାନେ ଚିକିତ୍ସା କରି ପାରୁନାହାନ୍ତି । ମୋହର ବୋଧ ହୁଏ ଯେ ତାହାର ମନରେ କିଛି ଭାବନା ଜାତ ହୋଇଅଛି । ସେ ଭାବନା ମନରୁ ନ ଗଲେ, ଏ ପୀଡ଼ା ଶାନ୍ତ ହେବ ନାହିଁ ।’’

 

‘‘ପଦ୍ମମାଳୀର ଅଭାବ କ’ଣ ଯେ ତାହା ମନରେ ଭାବନା ଜାତ ହେବ ? ସେ ତ ବର୍ତ୍ତମାନ ପିଲା ।’’

 

‘‘ସେ ବର୍ତ୍ତମାନ ପିଲା ନୁହେଁ । ମାନ୍ତ୍ରୀରୁ ଫେରି ଆସିଲା ଦିନୁ ମୁଁ ଦେଖୁଛି ଯେ ସେ ଆଉ ପିଲା ନୁହେଁ । ପୂର୍ବରେ ସେ ଯେପରି ହସି ଖେଳି ବୁଲୁଥିଲା ମାନ୍ତ୍ରୀରୁ ଆସିଲା ଦିନୁ ମୁଁ ତାକୁ ସେପରି ଦେଖୁନାହିଁ । ଏବେ ସେ କାହାରି ସଙ୍ଗରେ କଥା କହିବାକୁ ଚାହେ ନାହିଁ । ସବୁବେଳେ ମୌନ ହୋଇଥାଏ । ସେ ଯେପରି ମନେ ମନେ କ’ଣ ଭାଳୁଅଛି ।’’

 

‘‘ଏ, କି ଭାବନା ?’’

 

‘‘ମୋତେ ଜଣା ଯାଉଅଛି ଯେ ଦେଉଳସାହି ମହନ୍ତଙ୍କ ମଠରେ ଯେଉଁ ଯୁବାଙ୍କୁ ଦେଖିଥିଲି ପଦ୍ମମାଳୀ ତାହାକୁ ଚିନ୍ତା କରେ । ସେ ପଦ୍ମମାଳୀକୁ ଦୁର୍ଯ୍ୟୋଧନ ହସ୍ତରୁ ରକ୍ଷା କରିଥିଲେ । ତାଙ୍କୁ ଦେଖି ମୋହର ମନରେ ହୋଇଥିଲା ଯେ ପଦ୍ମମାଳୀର ଉପଯୁକ୍ତ ବର ବିଧାତା ମିଳାଇଲେ କି ? ମଧ୍ୟ ଯେତେଦୂର ଦେଖିଲି ମୋହର ବୋଧ ହେଲା ଯେ ଏ ଦୁହିଙ୍କର ମନ ମିଳିଅଛି ।’’

 

‘‘ସେ କିଏ ?’’

 

‘‘ମୁଁ ତାହା କହିପାରିବି ନାହିଁ । ଆକୃତିରୁ ବୋଧ ହୁଏ କୌଣସି ଉଚ୍ଚ ବଂଶରେ ସେ ଜନ୍ମିଥିବେ ।’’

 

‘‘ତୁମ୍ଭର କଥା ଶୁଣି ମୋହର ଏକ ନୂତନ ଭାବନା ଉପସ୍ଥିତ ହେଲା । ଶୁଣାଯାଏ ଯେ ପଦ୍ମମାଳୀକୁ ଦୁର୍ଯ୍ୟୋଧନ ହସ୍ତରୁ ରାଉତରା ବାବୁ ପୃଥ୍ୱିନାଥଭଞ୍ଜ ଦେବ ଉଦ୍ଧାର କରିଥିଲେ । ତାଙ୍କର ପ୍ରତି ପଦ୍ମମାଳୀର ଚିତ୍ତ ଆସକ୍ତ ହୋଇଥିଲେ ମୁଁ ତ କୌଣସି ଉପାୟ ଦେଖୁନାହିଁ । ମହାରାଜା ଯଦୁନାଥ ଭଞ୍ଜ ଦେବଙ୍କର କନିଷ୍ଠଭ୍ରାତା ମୋହର ଜାମାତା ହେବେ, ଏ ଆଶାକୁତ ମୁଁ କଦାଚିତ୍‌ ମନରେ ସ୍ଥାନ ଦେଇ ନ ପାରେ । ପଦ୍ମମାଳୀର ପୀଡ଼ା, ଦୁର୍ଯ୍ୟୋଧନ ସମ୍ୱାଦ ଓ ତୁମ୍ଭର କଥା ଶୁଣି ମୋହର ବିବେକ ଲୋପ ହେଲାଣି ।’’

 

‘‘ମଠରେ ଯାହାକୁ ଦେଖିଥିଲେ ସେ ଆଚାର ଓ ବ୍ୟବହାରରେ ରାଜପୁତ୍ର ପ୍ରାୟ ହେଲେହଁ ରାଉତରା ବାବୁ ନୁହନ୍ତି । କାରଣ, ମାନ୍ତ୍ରୀରେ ରାଉତରା ବାବୁଙ୍କୁ ମୁଁ ଦେଖିଥିଲି ।’’

 

‘‘ହଉ ରାଉତରା ବାବୁ ନ ହେଲେ ରାଜାର ପୁଅତ; ପୁଣି ମାନ୍ତ୍ରୀକୁ କେଉଁ ରାଜାର ପୁଅ ଆସିଲେ ? ମୋତେ କିଛି ଉପାୟ ଦିଶୁନାହିଁ ।’’

 

‘‘ରାଜାର ପୁଅ ନ ହେଲେ ହୋଇ ପାରନ୍ତି । ମହନ୍ତ ମଧ୍ୟ ଯାହା କହିଲେ ତହିଁରୁ ତାହାଙ୍କ ସହିତ ପଦ୍ମମାଳୀର ମଙ୍ଗଳକୃତ୍ୟ ହେବାର ବିଶେଷ କୌଣସି ବାଧା ଅଛି ଏମନ୍ତ ବୋଧ ହେଉନାହିଁ-।’’

 

‘‘ମହନ୍ତ କ’ଣ କହିଥିଲେ ?’’

 

ଆମ୍ଭେମାନେ ବିଦାୟ ହେଲାବେଳେ ପଦ୍ମମାଳୀ ଦଣ୍ଡବତ ହେବା ପାଇଁ ମହନ୍ତଙ୍କ ପାଖକୁ ଗଲାରୁ, ମହନ୍ତ ପଦ୍ମମାଳୀର ଓଠରେ ହାତ ଦେଇ ତାହାର ମୁଖକୁ ବହୁକାଳ ନିରୀକ୍ଷଣ କରି ଯୁବକଙ୍କ ପ୍ରତି ଚକ୍ଷୁ ଫେରାଇ କହିଲେ, -ଏ ଦୁହେଁ ଅବଶ୍ୟ ପରସ୍ପର ପାଇଁ ଜନ୍ମ ହୋଇଅଛନ୍ତି-। ବୋଧହୁଏ କୌଣସି ଦେବଦେବୀ ଅଭିଶପ୍ତ ହୋଇ ମର୍ତ୍ତ୍ୟରେ ଜନ୍ମି ଅଛନ୍ତି ।’’

 

‘‘ତୁମର ଏ କଥା ଶୁଣି କେତେକ ଭରସା ହେଉଅଛି; କିନ୍ତୁ ବର୍ତ୍ତମାନ କି ଉପାୟ କରିବା-? ଅନେକ ସଙ୍କଟ ସ୍ଥଳରେ ତୁମ୍ଭର ବୁଦ୍ଧିରେ ଚାଲି ମୁଁ ରକ୍ଷା ପାଇଅଛି । ଏଥର ବିଷମ ସଙ୍କଟ, କି ବୁଦ୍ଧି ଦେଉଅଛ ?’’

 

‘‘ମୁଁ କହେ ଯେ ଦିନାକେତେ ଆମ୍ଭେମାନେ ସମସ୍ତେ ମଠରେ ଯାଇ ରହିଲେ ହୁଅନ୍ତା ନାହିଁ ?’’

 

‘‘(ସୋଲ୍ଲାସେ) ଠିକ୍‌ କହିଅଛ । ତାହା ହେଲେ ସ୍ଥାନ ପରିବର୍ତ୍ତନ ଦ୍ୱାରା ପଦ୍ମମାଳୀର ଶରୀର ଅନେକ ସୁସ୍ଥ ହେବାର ସମ୍ଭବ; ଅପରିଚିତ ଯୁବକଙ୍କର ସହିତ ପଦ୍ମମାଳୀର ସାକ୍ଷାତ ହେବାର ସମ୍ଭବ ହୋଇପାରେ; ଆହୁର ମଧ୍ୟ ମୟୂରଭଞ୍ଜରେ ରହିଲେ ଦୁଷ୍ଟ ଦୁର୍ଯ୍ୟୋଧନ କିଛି ଅନର୍ଥ କରି ପାରିବ ନାହିଁ । ଚିତ୍ରଲେଖା ଠିକ୍‌ କହିଅଛ । ତାହା ନ ହେଲେ କି ତୁମ୍ଭେ ମୋହର ବୃହସ୍ପତି । ମୁଁ ମହନ୍ତଙ୍କ ସମୀପକୁ କାଲି ଭାଷା ପଠାଇବି ।’’

 

ଏହା କହି ଜଗବନ୍ଧୁ ଚିତ୍ରଲେଖାର ଚିତ୍ରକର-ତୁଳିକାଙ୍କତ ଲାବଣ୍ୟମୟ ମୁଖକୁ ସସ୍ନେହନେତ୍ରେ ନିରୀକ୍ଷର କରି କହିଲେ,–

 

‘‘ଚିତ୍ରଲେଖା, ତୁମ୍ଭର ବୁଦ୍ଧି କେଉଁଠାରେ ଅଛି ? ଏ ବିଷ୍ଫୋରିତ-ନିଳୋତ୍ପଳନିଭ-ନେତ୍ର-ଯୁଗଳରେ ଅଛି କି ?’’

 

ଚିତ୍ରଲେଖା କୌଣସି ଉତ୍ତର ଦେଲା ନାହିଁ । ପଟୋୟାରୀ ଚିତ୍ରଲେଖାର ଚିତ୍ତହରମୁଖ ଚୁମ୍ୱନ କରି, ଏକ ଗୁରୁଭାରରୁ ନିଷ୍କୃତି ଲାଭ କଲାପରି ଆପଣାକୁ ଜ୍ଞାନ କଲେ । ପଟୋୟାରୀ ଦମ୍ପତି ଏପରି ପରାମର୍ଶ କରି ଅନେକ ପରିମାଣରେ ସୁସ୍ଥିର ହୋଇ ରାତ୍ରି ଯାପନ କଲେ ।

•••

 

ସପ୍ତଦଶ ପରିଚ୍ଛେଦ

ରାଜା ପରୀକ୍ଷିତ ସିଂହ ଭୁଜଙ୍ଗ ମାନ୍ଧାତା ବିରାଟ ବସନ୍ତ ହରିଚନ୍ଦନ

 

ପାଠକଙ୍କୁ ଆଜି ଏକ ନୂତନ ସ୍ଥାନରେ ପ୍ରବେଶ କରାଇବୁଁ । କପତୀପଦା ରାଜବାଟୀର ସିଂହଦ୍ୱାରେ ପାଠକ ପ୍ରବେଶ କରନ୍ତୁ । ସଶସ୍ତ୍ର ଦୌବାରିକ ଉନ୍ମୋଚିତ-କୃପାଣ-ହସ୍ତେ ଦ୍ୱାର ରକ୍ଷା କରୁଅଛି । ସିଂହଦ୍ୱାରରେ ଅର୍ଥ ପ୍ରତ୍ୟର୍ଥୀ ବହୁବିଧ ଲୋକ ଠୁଳ ହୋଇଅଛନ୍ତି । ରାଜା ସାନ୍ଧ୍ୟ ସମୀରଣ ସେବନ ନିମିତ୍ତ ଉଦ୍ୟାନକୁ ବିରାଜମାନ ହେବେ ଏହା ପ୍ରତୀକ୍ଷା କରି ସମସ୍ତେ ରହିଅଛନ୍ତି-। କେହି ପିତୃଶ୍ରାଦ୍ଧର ଉପଯୁକ୍ତ ଉପକରଣ ପ୍ରାର୍ଥନା କରିବାକୁ ରହିଅଛି । କାହାର କନ୍ୟାଦାୟ ଉପସ୍ଥିତ ଥିବାରୁ ରାଜାଙ୍କର ସାହାଯ୍ୟ ବିନା କାର୍ଯ୍ୟନିର୍ବାହ ହେବ ନାହିଁ ବୋଲି ପ୍ରତୀକ୍ଷା କରିଅଛି । ବୃଦ୍ଧ ବ୍ରାହ୍ମଣ ତାହାର ଦଶମବର୍ଷ ବୟସ ପ୍ରାପ୍ତ ପୁତ୍ରର କୃତକାର୍ଯ୍ୟ କି ପ୍ରକାରେ ଉଦ୍ଧାର କରିବ ଏହାର ପରାମର୍ଶ ନେବାକୁ ଉପାଗତ । ଗଡ଼ନାୟକ ଦାମୋଦର ନରେନ୍ଦ୍ର ରାୟ ପାଇକମାନେ ବିଦ୍ରୋହୀ ହୋଇ ଅଛନ୍ତି, ଏହା ଏତଲା କରିବାକୁ ଆସିଅଛି । ଏମାନଙ୍କ ମଧ୍ୟରେ କେହି କେହି ଦୁର୍ବୃତ୍ତ ରଏତ ସରକାରୀ କାର୍ଯ୍ୟ ସକାଶେ ବେଠିଆ ନ ଦେବାରୁ କିରୂପେ ସରକାରୀ କାର୍ଯ୍ୟ ଚଳିବ ଏହା ଜାଣିବା ସକାଶେ ପଧାନ କୃପାସିନ୍ଧୁ ମହାପାତ୍ର ଆସିଅଛି । ରତ୍ନାକର ଭୂତିୟା, ତାହାର ତିନିପୁରୁଷ ଦଖଲ ତୈଲା ବୋଲି ଛଞ୍ଚାଣ ସିଂହଦ୍ୱାରା ବେଦଖଲ ହୋଇ ଥିବାରୁ ଗୁହାରି କରିବାକୁ ଆସିଅଛି । ଦୈତାରି ପବନ ସିଂହକୁ ତାହାର ପ୍ରତିବେଶୀ ଫକୀର ଇନ୍ଦ୍ରଜିତ ଅକାରଣେ ମାରିବାକୁ ମୁସ୍ତେଜ ହୋଇଥିବାରୁ ସେ ଅପମାନର ପ୍ରତିଶୋଧ ନେବା ଆକାଙ୍‍କ୍ଷାରେ ଆସିଅଛି । କେବଳ ଅନୁସରଣ କରିବା ସକାଶେ ଏକ ଫଉଜ ଉପସ୍ଥିତ ଥିଲେ ।

 

ସିଂହଦ୍ୱାର ଅତିକ୍ରମକରି ପାଠକେ ଚାଲନ୍ତୁ । ଛାମୁଦ୍ୱାର ପାରହୋଇ କଚେରୀରେ ପହୁଞ୍ଚିବେ । ସେଠାରେ ଦେୱାନ, ବେବର୍ତ୍ତା, ପାଞ୍ଜିୟା, ଛାମୁକରଣ, କୋଠକରଣ, ସରଘରିଆ, ପରୀକ୍ଷା ପଟ୍ଟନାୟକ ଇତ୍ୟାଦି କର୍ମଚାରୀମାନେ ସ୍ୱ ସ୍ୱ ବିଭାଗୀୟ ବ୍ୟକ୍ତିଙ୍କଦ୍ୱାରା ପରିବେଷ୍ଟିତ ହୋଇ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ଏ ଅଙ୍ଗନ ଅତିକ୍ରମ କରି ପାଠକ ଏକ ମନୋହର ବିସ୍ତୃତ ପୁଷ୍ପୋଦ୍ୟାନରେ ପ୍ରବେଶ କରିବେ । ଉଦ୍ୟାନରେ ନାନାଜାତି ବସନ୍ତପୁଷ୍ପ ପ୍ରସ୍ଫୁଟିତ ହୋଇ ମନ୍ଦ ମନ୍ଦ ଦକ୍ଷିଣାନିଳରେ ସେମାନଙ୍କର ସୌରଭକୁ ସଂଯୁକ୍ତ କରିଥିଲା । ପୁଷ୍ପବୃକ୍ଷମାନଙ୍କର ମଧ୍ୟରେ ସ୍ଥାନେ ସ୍ଥାନେ କୁସୁମିତ ଲତାଗୁଳ୍ମ ଉଦ୍ୟାନର ଶୋଭା ପରିବର୍ଦ୍ଧିତ କରିଥିଲା । ଉଦ୍ୟାନ ମଧ୍ୟସ୍ଥଳରେ ଏକ ଉଚ୍ଚ ପ୍ରସ୍ତରନିବଦ୍ଧ ଅଷ୍ଟକୋଣ ମଣ୍ଡପ ବା ଚାନ୍ଦିନୀ । ଏହି ଚାନ୍ଦିନୀର ସମ୍ମୁଖରେ ଏକ କୃତ୍ରିମ ଉତ୍ସର ଶୀକର ବାୟୁଦ୍ୱାରା ବାହିତ ହୋଇ କୁସୁମ ସୁରଭିରେ ମିଳିତ ହେଉଥିଲା । ଏହି ଚାନ୍ଦିନୀରେ ବିଚିତ୍ର କାରୁକାର୍ଯ୍ୟଖଚିତ ବାରାଣାସୀ ଶଯ୍ୟୋପରି ସୁକୋମଳ ଉପାଧାନରେ ପୃଷ୍ଠ ରକ୍ଷିତ କରି ରାଜା ପରୀକ୍ଷିତ ସିଂହ ଭୁଜଙ୍ଗ ମାନ୍ଧାତା ବିରାଧ ବସନ୍ତ ହରିଚନ୍ଦନ ସାୟାହ୍ନିକ ବସନ୍ତ ଅନିଳର ମନ୍ଦ ମନ୍ଦ ହିଲ୍ଲୋଳ ଉପଭୋଗ କରୁଥିଲେ । ପାର୍ଶ୍ୱରେ ଏକ ଭିନ୍ନ ଆସନରେ ହରିହର ଭ୍ରମରବର ବାବୁ ଉପବିଷ୍ଟ ଥିଲେ । ଅନୁଚରବର୍ଗ କେହି ନିକଟରେ ନ ଥିଲେ । ଉଭୟଙ୍କର କଥୋପକଥନ ହେଉଥିଲା । ପାଠକ ପ୍ରବେଶ କଲା ସମୟେ ପରୀକ୍ଷିତ ସିଂହ କହୁଥିଲେ,–

 

‘‘ନା ହରିବାବୁ, ଆପଣ ଯେଉଁ ପ୍ରସ୍ତାବ କରୁଅଛନ୍ତି ତହିଁରେ ମୁଁ ସମ୍ମତ ହୋଇ ପାରୁ ନାହିଁ । ମନୋରମା ରାଜରାଣୀ ହେଉ, ଏହା ଆମ୍ଭେ ସର୍ବଥା ଇଚ୍ଛା କରୁଁ କିନ୍ତୁ ଆପଣଙ୍କର ଅଭିଳାଷ ଅସାଧ୍ୟ ବୋଲି ଜ୍ଞାନ ହେଉଅଛି ।’’

‘‘ନୀଳଗିରିର ବର୍ତ୍ତମାନ ଅବସ୍ଥା ଆପଣ ଅବଗତ ନୁହନ୍ତି ବୋଲି ଏପରି କହୁଅଛନ୍ତି । ପାଞ୍ଚଶ ପାଇକ ହେଲେ ମୁଁ ନିର୍ବିଘ୍ନରେ ନୀଳଗିରିର ସିଂହାସନରେ ବସି ପାରିବି । ଆମ୍ଭର ଚରମାନେ କହନ୍ତି ଯେ ନୀଳଗିରିର ପ୍ରଜାମାନେ ଏତେଦୂର ଉତ୍ପୀଡ଼ିତ ହେଲେଣି ଯେ ସେମାନେ ଆମ୍ଭଙ୍କୁ କିଛିମାତ୍ର ବାଧା ଦେବେ ନାହିଁ, ବରଂ ସେମାନେ ଇଚ୍ଛା କରନ୍ତି ଯେ ଆମ୍ଭେ ଅତି ଶୀଘ୍ର ସିଂହାସନ ଅଧିକାର କରୁଁ ।’’

 

‘‘ଚରଙ୍କ କଥାରେ ମୋର ବିଶ୍ୱାସ ହୁଏ ନାହିଁ । ନୀଳଗିରିର ପ୍ରଜାମାନେ ବର୍ତ୍ତମାନ ରାଜାଙ୍କର ନାବାଳକ ଅବସ୍ଥାରେ ଉତ୍ପୀଡ଼ିତ ହୋଇଥିବେ ଓ କେତେକ ଦ୍ୱନ୍ଦପ୍ରିୟ ମେଳିଆ ସେମାନଙ୍କୁ ବିଦ୍ରୋହୀ ହେବାପାଇଁ ଉତ୍ତେଜନା ଦେଇଥିବେ । ତାହା ହେଲେ ସୁଦ୍ଧା ଆପଣ ଯେଉଁ ପ୍ରସ୍ତାବ କରୁ ଅଛନ୍ତି, ତାହା ଏ ଫିରିଙ୍ଗିଙ୍କ ଅମଳରେ ମୋତେ ଅସାଧ୍ୟ ବୋଲି ବୋଧ ହେଉଅଛି । ମରହଟ୍ଟାଙ୍କ ଅମଳ ଥିଲେ ଆପଣ ବାହୁବଳ ଦ୍ୱାରା ନୀଳଗିରି ଅଧିକାର କରି ପାରନ୍ତେ ।’’

 

‘‘ଆମ୍ଭର ଚରମାନେ ବିଶ୍ୱାସୀ । ଆପଣଙ୍କ ପରି ରାଜାମାନଙ୍କର ଚର ଅବିଶ୍ୱାସୀ ହୋଇ ପାରନ୍ତି । ଫିରିଙ୍ଗିଙ୍କର ଅମଳ ମୋଗଲବନ୍ଦୀରେ ଚଳିଲାଣି କିନ୍ତୁ ଗଡ଼ଜାତରେ ଚଳି ନାହିଁ ।’’

 

‘‘ଆପଣ ଯାହା କହନ୍ତୁ ନା କାହିଁକି ଆପଣଙ୍କର ଚରଙ୍କ ଉପରେ ମୁଁ ନିର୍ଭର କରି ନ ପାରେ । ଫିରିଙ୍ଗିଙ୍କର ଅମଳ ଗଡ଼ଜାତରେ ଚଳି ନାହିଁ ବୋଲି ଆପଣ କହୁଅଛନ୍ତି କିନ୍ତୁ ତାହା ହେଲେ ସେମାନେ ଆମ୍ଭମାନଙ୍କର ଘାଟମାସୁଲ କିପାଇଁ ବନ୍ଦ କଲେ ଓ ସୁମିତ୍ରାଦେଈଙ୍କର ଅନ୍ତେ ମୟୂରଭଞ୍ଜର ଗାଦିରେ ତ୍ରିବିକ୍ରମ ଭଞ୍ଜଙ୍କୁ କିପରି ବସାଇଲେ ।’’

 

‘‘ନୀଳଗିରିର ଅବସ୍ଥା ମୟୂରଭଞ୍ଜର ସମାନ ନୁହେ । ନୀଳଗିରିର ପ୍ରଜାମାନେ କୃଷ୍ଣଚନ୍ଦ୍ରଙ୍କୁ ଗାଦିରେ ବସାଇବାକୁ ଇଚ୍ଛା କରନ୍ତି ନାହିଁ କାରଣ ସେ ମହାନ୍ତିକନ୍ୟାର ପୁତ୍ର ।’’

 

ଏହା ଶୁଣି ପରୀକ୍ଷିତ ସିଂହଙ୍କର ପଦ୍ମମାଳୀ ପ୍ରତି ଅନୁରାଗ ସ୍ମରଣ ହେଲା । ସେ କହିଲେ,–‘‘ପ୍ରଜାମାନେ କୃଷ୍ଣଚନ୍ଦ୍ରଙ୍କୁ ରାଜ୍ୟର ଅଧିକାରୀ କରିବାକୁ ଇଚ୍ଛା କରନ୍ତୁ ଅବା ନ କରନ୍ତୁ, ଫିରିଙ୍ଗି ତାହାଙ୍କୁ ରାଜା କରିଅଛନ୍ତି ଓ ଆପଣଙ୍କର ନୀଳଗିରି ରାଜ ପରିବାରର ସହିତ ସମ୍ୱନ୍ଧ ଅସ୍ୱୀକାର କରି, ଆପଣଙ୍କୁ କେବଳ ପେନ୍‌ସନ୍‌ ଭୋଗୀ କରିଅଛନ୍ତି, ଏପରି ଅବସ୍ଥାରେ ଆପଣ ନୀଳଗିରିରେ କୌଣସି ଉପଦ୍ରବ ଘଟାଇଲେ, ଇଂରେଜମାନେ ଅବଶ୍ୟ ଆପଣଙ୍କୁ ଦଣ୍ଡରେ ପହୁଞ୍ଚାଇବେ । ଏଥିସକାଶେ ମୁଁ କହେଁ ଯେ ଆପଣ ଏ ଉଦ୍ୟମରୁ କ୍ଷାନ୍ତ ହେଉନ୍ତୁ ।’’

 

ହରିବାବୁ କିୟତ୍‌କାଳ ନିସ୍ତବ୍‍ଧ ହୋଇ ରହିଲେ । କି ଉତ୍ତର କରିବେ ସ୍ଥିରକରି ପାରିଲେ ନାହିଁ । ଏପରି ସମୟେ ପ୍ରତିହାରୀ ଉପସ୍ଥିତ ହୋଇ କରପୁଟେ ନିବେଦନ କଲା କି ମହନ୍ତ ହରିହର ଦାସ ସିଂହଦ୍ୱାରେ ଅପେକ୍ଷା କରି ରହିଅଛନ୍ତି । ଏହା ଶୁଣି ରାଜା ମହନ୍ତଙ୍କୁ ଶୀଘ୍ର ଛାମୁରେ ଉପସ୍ଥିତ କରାଇବାକୁ ଆଦେଶ ଦେଇ ହରିବାବୁଙ୍କୁ କହିଲେ–

 

‘‘ହରିବାବୁ ଆପଣ ଜାଣନ୍ତି, ଯେ ଆମ୍ଭେ ମନୋରମାକୁ କିପରି ସ୍ନେହ କରୁଁ । ଆପଣଙ୍କର ପଦଗୌରବ ବୃଦ୍ଧି ହେଲେ ତଦ୍ଦ୍ୱାରା ଆମ୍ଭେ ଗୌରବାନ୍ୱିତ ହେବୁଁ । କିନ୍ତୁ ବର୍ତ୍ତମାନ ଯେଉଁ ପ୍ରସ୍ତାବ କରୁଅଛନ୍ତି ତାହା ଆମ୍ଭ ମନକୁ ଆସୁନାହିଁ । ଏ ବିଷୟରେ ଆପଣ ଉତ୍ତମରୂପେ ଭାବି ଦେଖନ୍ତୁ ଓ ମୋହର ଆଶା ହେଉଅଛି, ସେ ଆପଣ ସ୍ଥିର ଓ ଅପକ୍ଷପାତି ମନରେ ଚିନ୍ତା କରି ଦେଖିଲେ, ଆମ୍ଭେ ଅଯଥା କହୁ ନାହୁଁ ଏହା ବୁଝି ପାରିବେ ।’’

 

ହରିହର ବାବୁ ଏହା ଶୁଣି ଏ ବିଷୟ ଉତ୍ତମରୂପେ ବିଚାର କରିବାର କହି ପ୍ରସ୍ଥାନ କଲେ-

•••

 

ଅଷ୍ଟାଦଶ ପରିଚ୍ଛେଦ

କପତୀପଦାରେ ମହନ୍ତ

 

ପରିକ୍ଷିତ ସିଂହ, ଆମ୍ଭମାନଙ୍କର ପୂର୍ବପରିଚିତ ପଦ୍ମମାଳୀର ଉଦ୍ଧାରକ ଯୁବକ, ଏହା ପାଠକେ ସହଜରେ ଅନୁମାନ କରିଥିବେ । ହରିହରବାବୁଙ୍କ ସହିତ ତାହାଙ୍କର ଯେ କଥୋପକଥନ ହେଉଥିଲା, ତଦ୍ଦ୍ୱାରା ପଦ୍ମମାଳୀ ସହସା ତାହାଙ୍କ ମନରେ ଉଦୟ ହୋଇଥିଲା । ମହନ୍ତଙ୍କର ଆଗମନ ସମ୍ୱାଦ ଶୁଣି ତା’ଙ୍କର ମନ ପଦ୍ମମାଳୀମୟ ହେଲା । ପଦ୍ମମାଳୀ ପ୍ରତି ସେ ଅତିଶୟ ଅନୁରକ୍ତ ହୋଇଥିଲେ ଓ ମହନ୍ତଙ୍କର ହଠାତ୍‌ ଏପରି ଆଗମନର ଅର୍ଥ ବୁଝି ନ ପାରି, ମନେ ମନେ ବଡ଼ ବ୍ୟସ୍ତ ହେଲେ । କିଛିକ୍ଷଣପରେ ମହନ୍ତ ଉପସ୍ଥିତ ହୁଅନ୍ତେ, ରାଜା ଶଯ୍ୟାରୁ ଗାତ୍ରୋତ୍‍ଥାନ ନ କରି କେବଳ ମସ୍ତକାବନତି ଓ କରପୁଟର ଉତ୍ତୋଳନ ଦ୍ୱାରା ମହନ୍ତଙ୍କୁ ଅଭିବାଦନ କରି ହରିବାବୁଙ୍କର ପରିତ୍ୟକ୍ତ ଆସନରେ ଉପବେଶନ କରିବାକୁ ଇଙ୍ଗିତ କଲେ । ମହନ୍ତ ଉପବିଷ୍ଟ ହେଲାରୁ ପରସ୍ପର ସ୍ୱଗତ ଜିଜ୍ଞାସା କଲେ । ପରୀକ୍ଷିତ ସିଂହ ମହନ୍ତଙ୍କୁ ପଚାରିଲେ,–

 

‘‘କି ଅଭିପ୍ରାୟରେ ଆପଣ ଏପରି ହଠାତ୍‌ ଆସିବା ହେଲେ ?’’

‘‘ଛାମୁରେ ପୂର୍ବରୁ ଏତଲା ନ ଦେଇ ଆସିବାର ଆବଶ୍ୟକ ହେଲା ।’’

 

‘‘ଆପଣଙ୍କ କଥାରୁ ମୁଁ ଅନୁମାନ କରୁଅଛି ଯେ କୌଣସି ଅତି ଆବଶ୍ୟକୀୟ କାର୍ଯ୍ୟରେ ଆସିଅଛନ୍ତି । ଆପଣଙ୍କର ଏ କାର୍ଯ୍ୟରେ ଆମ୍ଭ ଦ୍ୱାରା ଯାହା କିଛି ସାହାଯ୍ୟ ହୋଇ ପାରେ ତାହା ଆମ୍ଭେ କରିବାକୁ ପ୍ରସ୍ତୁତ ।’’

 

‘‘ଛାମୁରୁ ଏ ଆଜ୍ଞା ହେବେ ନାହିଁ ଏହା ମୁଁ ଜାଣିଥିଲେ ହଠାତ୍‌ ଛାମୁରେ ଏପରି ଅବସ୍ଥାରେ ଉପସ୍ଥିତ ହୋଇ ନ ଥାନ୍ତି ।’’

 

‘‘ଏହା ଆପଣଙ୍କର ବୋଲିବା ବାହୁଲ୍ୟ ମାତ୍ର । ଆପଣ ଆମ୍ଭଙ୍କୁ ପୁତ୍ରପତ୍‌ ସ୍ନେହ କରନ୍ତି, ଆପଣଙ୍କର ଅଭିପ୍ରେତ କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ ହେଲେ ଆମ୍ଭେ ଆପଣାକୁ ଧନ୍ୟ ମଣିବୁଁ-।’’

 

‘‘ଛାମୁରୁ ଏ ଆଜ୍ଞା ହେଲା ଉତ୍ତାରୁ ମୁଁ ଆଉ ଅଭିପ୍ରାୟ ଅବ୍ୟକ୍ତ ରଖି ନ ପାରେ ।’’

 

‘‘ଆପଣଙ୍କର ମୋ’ଦ୍ୱାରା କି କାର୍ଯ୍ୟ ସାଧିତ ହେବ ଆଦେଶ କରନ୍ତୁ । ମୁଁ ତାହା ସମ୍ପାଦନ କରିବାକୁ ପ୍ରସ୍ତୁତ ଅଛି । କାରଣ, ମୁଁ ଜାଣେ ଯେ ଆପଣ ଅନ୍ୟାୟ ବା ଅଯଥା ଆଦେଶ କରିବେ ନାହିଁ ।’’

 

‘‘ମୋହର ଅଭିପ୍ରାୟ ବ୍ୟକ୍ତ କରିବାପୂର୍ବରୁ ମୁଁ ଗୋଟିଏ ପ୍ରଶ୍ନ କରିବାକୁ ଇଚ୍ଛା କରେ ।’’

‘‘ସ୍ୱଚ୍ଛନ୍ଦେ କରନ୍ତୁ ।’’

‘‘ଆଚ୍ଛା, ଜାଗରଯାତ୍ରାଦିନ ଯେଉଁ ଘଟନା ହୋଇଥିଲା ତାହା ସ୍ମରଣ ଅଛି କି ?’’

‘‘ତାହା ଆମ୍ଭେ କେବେହେଁ ବିସ୍ମୃତ ହୋଇ ପାରିବୁ ନାହିଁ ।’’

 

‘‘କାହିଁକି ? ଛାମୁରୁ ଏକ ସହାୟହୀନା ବାଳିକାକୁ ଏକ ଦୁଷ୍ଟ ଦୁରାଚାରର ହସ୍ତରୁ ରକ୍ଷା କରି ଅକ୍ଷୟ ଯଶ ଲଭି ଅଛନ୍ତି । ଜୀବନରେ ଏପରି ଦୃଷ୍ଟାନ୍ତ ସହଜେ ବିସ୍ମରଣୀୟ ନୁହେଁ ।’’

 

‘‘ଆପଣଙ୍କ ସହିତ ମୁଁ ଏଥର ମତ ଦେଇ ପାରିଲି ନାହିଁ । ପଦ୍ମମାଳୀକୁ ଦୁର୍ଯ୍ୟୋଧନର ଦୁଷ୍ଟ ଅଭିଳାଷରୁ ରକ୍ଷା କରି ଆମ୍ଭେ କେବଳ ଆମ୍ଭର ପଦସ୍ଥ ବ୍ୟକ୍ତିର କର୍ତ୍ତବ୍ୟ କାର୍ଯ୍ୟ କରିଅଛୁଁ । ସୁତରାଂ ଆମ୍ଭେ ସେଥି ସକାଶେ କୌଣସି ପ୍ରକାରେ ପ୍ରଶଂସାଭାଜନ ହୋଇ ନ ପାରୁଁ । ତେବେ ସେ ଘଟନା ବିସ୍ମୃତ ନ ହେବାର କାରଣ ଏହି କି ଆମ୍ଭର ମନୋମଧ୍ୟରେ କିଏ ଯେପରି କହୁଅଛି ଯେ ଆମ୍ଭର ଜୀବନର ସୁଖ ପଦ୍ମମାଳୀ ଉପରେ ନିର୍ଭର କରେ ଓ ପଦ୍ମମାଳୀକୁ ବିପଦରୁ ରକ୍ଷା କରିବା ଆମ୍ଭର ଅଦୃଷ୍ଟର ବିଧାନ ଅଟେ ।’’

 

‘‘ଆପଣଙ୍କ କଥା ସମ୍ପୂର୍ଣ୍ଣ ହୃଦୟଙ୍ଗମ କରିପାରୁ ନାହିଁ ।’’

 

‘‘ଆପଣ ଆମ୍ଭଙ୍କୁ ପୁତ୍ତ୍ରାପେକ୍ଷା ଅଧିକ ସ୍ନେହ କରନ୍ତି; ଏହା ଆମର ବିଶ୍ୱାସ । ଆପଣଙ୍କୁ ଆମ୍ଭର ମନୋଽଭିପ୍ରାୟ ବ୍ୟକ୍ତ କରି କହିବାରେ ବାଧା ନାହିଁ । ପଦ୍ମମାଳୀର ରୂପ ଗୁଣରେ ଆମ୍ଭେ ମୁଗ୍‍ଧ ହୋଇଅଛୁଁ । ପଦ୍ମମାଳୀ ବ୍ୟତିରେକେ ଆମ୍ଭେ ଜୀବନରେ ସୁଖୀ ହୋଇ ପାରିବୁଁ ନାହିଁ ।’’

 

ମହନ୍ତଙ୍କର ଉଦ୍ଦେଶ୍ୟ ଏତେ ସହଜରେ ସାଧିତ ହେବ ତାହା ସେ ଆଶା କରି ନ ଥିଲେ-। ଏ କଥା ଶୁଣି ସେ ଅତିଶୟ ଆନନ୍ଦିତ ହୋଇ କହିଲେ,–

 

‘‘ପଦ୍ମମାଳୀ ଓ ଆପଣଙ୍କର ମିଳନ ବିଧାତାଙ୍କର ଅଭିପ୍ରେତ ବୋଲି ମୋହର ମଧ୍ୟ ବିଶ୍ୱାସ ହେଉଅଛି । ଆପଣ ଏବଂ ପଦ୍ମମାଳୀ ପରିଣୟସୂତ୍ରେ ବଦ୍ଧହୋଇ ପରମସୁଖୀ ହେଉନ୍ତୁ ଏହା ଆମ୍ଭର ଆଶୀର୍ବାଦ ।’’

 

‘‘ଆମ୍ଭର ଏକ ବିଷୟରେ ସନ୍ଦେହ ହେଉଅଛି । ଆମ୍ଭ କୁଳରେ କେହି ମହାନ୍ତି କନ୍ୟା ବିବାହ କରି ଅଛନ୍ତି କି ?’’

 

‘‘ସେ ବିଷୟରେ ଆପଣଙ୍କୁ କୌଣସି ଚିନ୍ତା କରିବାକୁ ହେବ ନାହିଁ । କଂସାରି, କପତୀପଦା ଓ ନୀଳଗିରିର ଆଦିପୁରୁଷ ଏକ ରାମଚନ୍ଦ୍ର ଭୁଜଙ୍ଗ ଓ ଜନାର୍ଦ୍ଦନ ଭୁଜଙ୍ଗ ଦୁଇ ସହୋଦର ଛୋଟନାଗପୁରରୁ ଆସିଥିଲେ । ରାମଚନ୍ଦ୍ର ସମ୍ୱଲପୁର ଜିଲାରେ କଳାହାଣ୍ଡି କିଲାର ଅଧିପତି ହେଲେ ଓ ଜନାର୍ଦ୍ଦନ କଂସାରି ରାଜବଂଶର ଆଦିପୁରୁଷ । ଜନାର୍ଦ୍ଦନଙ୍କର ପ୍ରପୌତ୍ତ୍ର ନାରାୟଣ ସିଂହ ଭୁଜଙ୍ଗ ମାନ୍ଧାତା ବିରାଟ ବସନ୍ତ ହରିଚନ୍ଦନ ଓ ଅର୍ଜ୍ଜୁନ ସିଂହ ଭୁଜଙ୍ଗ ମାନ୍ଧାତା ବିରାଟ ବସନ୍ତ ହରିଚନ୍ଦନ । ଅର୍ଜ୍ଜୁନ ସିଂହଙ୍କଠାରୁ ଆପଣଙ୍କର ଉତ୍ପତ୍ତି । ନାରାୟଣ ସିଂହ ଓଡ଼ିଶାର ମହାରାଜା ପ୍ରତାପ ରୁଦ୍ରଦେବଙ୍କର କରଲା ନାମ୍ନୀ କନ୍ୟାକୁ ବିବାହ ହୋଇ ଘୋଡ଼ାବେଟାଇରେ ବାସ କଲେ । ତାହାଙ୍କର ପୁତ୍ର ଉତ୍ତରେଶ୍ୱର ଦାସ ହରିଚନ୍ଦନ ପାଞ୍ଚଗଡ଼ (ବର୍ତ୍ତମାନ ଯାହାକୁ ନୀଳଗିରି ରାଜ୍ୟ ବୋଲାଯାଏ) ରାଜ୍ୟକୁ ନୀଳଗିରି ନାମକ ସନ୍ନ୍ୟାସୀଙ୍କର ଅନୁଗ୍ରହରେ ପ୍ରାପ୍ତ ହୋଇ ପାଞ୍ଚଗଡ଼ ନାମ ପରିବର୍ତ୍ତନ କରି ନୀଳଗିରି ନାମ ଦେଲେ । ନୀଳଗିରିର ଶେଷ ରାଜା ଗୋବିନ୍ଦଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ମଧୁସୂଦନ ପଟ୍ଟନାୟକଙ୍କର କନ୍ୟା ଚିତ୍ରାଦେବୀଙ୍କୁ ବିବାହ କରିଥିଲେ ଓ ଚିତ୍ରାଦେବୀ ବର୍ତ୍ତମାନ ନାବାଳକ ରାଜା କୃଷ୍ଣଚନ୍ଦ୍ରଙ୍କର ଜନନୀ । ଆପଣଙ୍କ କୁଳରେ ମହାନ୍ତି କନ୍ୟା ବିବାହ ପ୍ରଚଳିତ ଅଛି ।’’

 

‘‘ଆପଣଙ୍କଠାରୁ ଏ କଥା ଶ୍ରବଣ କରି ମୋହର ମନରୁ ଏକ ଗୁରୁତର ଭାବନା ଦୂର ହେଲା ।’’

 

ମହନ୍ତ ଏହିଠାରେ ଅବସର ପାଇ କହିଲେ,–

‘‘ପଦ୍ମମାଳୀର କୌଣସି ସମ୍ୱାଦ ପାଇଅଛନ୍ତି କି ?

‘‘ନା’’

 

ସେମାନେ ପାଞ୍ଚଗଡ଼କୁ ଫେରିଗଲାରୁ, ଦୁଷ୍ଟ ଦୁର୍ଯ୍ୟୋଧନ ପଦ୍ମମାଳୀ ବିବାହ କରିବାର ପ୍ରସ୍ତାବ କରି ଭଲଲୋକ ପଠାଇ ଥିଲା ।’’

 

ଏହା ଶୁଣି ପରୀକ୍ଷିତ ସିଂହଙ୍କର ଶୋଣିତ ଉଷ୍ଣ ହୋଇ ଉଠିଲା । ସେ କହିଲେ,–

‘‘ନିର୍ଲ୍ଲଜ୍ଜ ପାଷାଣ୍ଡର ଆଶା ଏତେଦୂର । ପଟୋୟାରୀ କି ଉତ୍ତର ଦେଲେ ?’’

 

‘‘ଭଲଲୋକ ଆସିବା ସମୟେ ପଦ୍ମମାଳୀ ସଙ୍କଟାପନ୍ନ ପୀଡ଼ାରେ ଗ୍ରସ୍ତ ଥିଲା । ଏପରି ଅବସ୍ଥାରେ ପଶ୍ଚାତ୍‌ ବିବେଚନା କରି ଉତ୍ତର ଦେବାର କହି, ପଟୋୟାରୀ ଭଲଲୋକକୁ ବିଦାୟ ଦେଲେ । କିନ୍ତୁ ଦୁଷ୍ଟ ଦୁର୍ଯ୍ୟୋଧନର ଉପଦ୍ରବ ଆଶଙ୍କା କରି ସେ ବର୍ତ୍ତମାନ ସପରିବାରରେ ମଠରେ ଅଛନ୍ତି । ମଠକୁ ଆସିଲାଦିନୁ, ପଦ୍ମମାଳୀର ପୀଡ଼ାର ଉପଶମ ହୋଇ ନ ଥିଲେହେଁ ବୃଦ୍ଧି ହୋଇ ନାହିଁ । ଆପଣ ଏ ସମୟେ ଏକଥର ମଠକୁ ବିଜେକଲେ ଉତ୍ତମ ହୁଅନ୍ତା ।’’

 

‘‘ଆପଣଙ୍କୁ ଅଧିକ କହିବାକୁ ହେବ ନାହିଁ, ଆମ୍ଭେ ଶୀଘ୍ର ମଠରେ ଉପସ୍ଥିତ ହେବୁଁ ।’’

ଏହା ଶୁଣି ମହନ୍ତ ଉଦ୍ଦେଶ୍ୟ ସଫଳ ଦେଖି ବିଦାୟ ଗ୍ରହଣ କଲେ ।

•••

 

ଊନବିଂଶ ପରିଚ୍ଛେଦ

ନିର୍ବନ୍ଧ

 

ଜଗବନ୍ଧୁ ପଟ୍ଟନାୟକ ପତ୍ନୀ ଓ କନ୍ୟା ସମଭିବ୍ୟାହାରରେ ଯଥାସମୟେ ଦେଉଳସାହି ମଠରେ ଉପନୀତ ହେଲେ । ମହନ୍ତ ତାହାଙ୍କୁ ଅନେକ ଦିନ ପରେ ଦେଖି ଆନନ୍ଦ ସହିତ ସାଦର ସମ୍ଭାଷଣ କଲେ । ପଦ୍ମମାଳୀର ରୋଗଶୀର୍ଣ୍ଣ ଅବସ୍ଥା ଦେଖି ପ୍ରଣୟୀ-ବିରହ ତାହାର ରୋଗର ମୂଳ ନିରାକରଣ କଲେ । ସେଠାରେ କିଛି ଦିନ ରହି, ପରୀକ୍ଷିତ ସିଂହଙ୍କର ସାକ୍ଷାତ୍ ଲାଭ କଲେ, ପୁନରାୟ ପୂର୍ବାବସ୍ଥା ପ୍ରାପ୍ତ ହେବା ବିଷୟରେ ତାଙ୍କର ଆଉ ସଂଶୟ ରହିଲା ନାହିଁ । ଏହା ଜାଣି ସେ କପତୀପଦା ରାଜବାଟିରେ ଉପସ୍ଥିତ ହୋଇଥିଲେ; ତାହା ପୂର୍ବ ପରିଚ୍ଛେଦରେ ଦେଖିଅଛୁଁ । ଅତିଥିମାନଙ୍କର, ମଠରେ ଆବାସ ଓ ପରିଚର୍ଯ୍ୟା ସକାଶେ ମହନ୍ତ ଉପଯୁକ୍ତ ବନ୍ଦୋବସ୍ତ କରିଥିଲେ ବୋଲିବା ବାହୁଲ୍ୟ । ଜୟନ୍ତୀକୁ ପୁନଃ ପ୍ରାପ୍ତ ହୋଇ ପଦ୍ମମାଳୀ ଅପାର ଆନନ୍ଦ ଲାଭକଲା । ଏତେ ଦିନରେ ଚିତ୍ତର ଗୁରୁତ୍ୱ ଲାଘବ କରିବା ସକାଶେ ସେ ଉପଯୁକ୍ତ ସଙ୍ଗିନୀ ପ୍ରାପ୍ତ ହେଲା । ପଦ୍ମମାଳୀର ଅବସ୍ଥା ଦେଖି ଜୟନ୍ତୀ ଅବିରଳ ଧାରାରେ ଅଶ୍ରୁମୁଞ୍ଚନ କଲା ।

 

ପଦ୍ମମାଳୀ କହିଲା,–‘‘ତୁମ୍ଭମାନଙ୍କୁ ଛାଡ଼ିଗଲା ଦିନରୁ ମୋହର କି ଏକ ଭୟ ମନରେ ହେଉଅଛି ଯେ ଯେତେ ଚେଷ୍ଟା କଲେ ସୁଦ୍ଧା ତାହାକୁ ଶାନ୍ତ କରି ପାରୁ ନାହିଁ । ପୁନର୍ବାର ଏଠାକୁ ଆସିଲୁଁ । ଭରସାକରେ ଯେ ତାହା ମନରୁ ଦୂର ହେବ ।’’

 

ଜୟନ୍ତୀ–‘‘ତୁମ୍ଭର ତ ଭୟର କୌଣସି କାରଣ ନାହିଁ । କାରଣ ତୁମ୍ଭେ ଯାହାଙ୍କଠାରେ ମନ ସମର୍ପି ଅଛ, ସେ ସ୍ପଷ୍ଟକରି କହି ଅଛନ୍ତି ଯେ ସେ ତୁମ୍ଭବିନା ଜୀବନରେ ସୁଖୀ ହେବେ ନାହିଁ ତହିଁର ନିଦର୍ଶନ ତୁମ୍ଭଙ୍କୁ ଦେଇଅଛନ୍ତି । ତୁମ୍ଭେ କିଛି ମୋପରି ହତଭାଗିନୀ ନୁହ, ଯାହାର ଏ ଜୀବନରେ କୌଣସି ଆଶା ଭରସା ନାହିଁ ।’’

 

ପଦ୍ମ–‘‘ତଥାପି ସେ କିଏ ଓ ତାହାଙ୍କଠାରୁ ମୋର ଦୂରତ୍ୱ ଅନୁଭବ କରି ମୋ ମନ କୌଣସି ପ୍ରକାରେ ଶାନ୍ତ ହେଉ ନାହିଁ । ସମୟେ ସମୟେ ଦୁର୍ଯ୍ୟୋଧନର କଥା ମନରେ ପଡ଼େ ଓ ତେତେବେଳେ ବୋଧହୁଏ ଯେ ସେ ଦୁଷ୍ଟ ଆମ୍ଭମାନଙ୍କର ମିଳନର ଏକ ପ୍ରଧାନ ଅନ୍ତରାୟ ।’’

 

ଜୟ–‘‘କପତୀପଦାର ରାଜା ଆସି ଅଛନ୍ତି । ତୁମ୍ଭେ ଶୀଘ୍ର ରାଣୀ ହେବ ! ଅକାରଣେ କେତେକ ଦୁଶ୍ଚିନ୍ତାକୁ ମନରେ ସ୍ଥାନ ଦେଇ କାହିଁକି ଆପଣାକୁ କଷ୍ଟ ଦେଉଅଛ । ଆସ ଏହି ସୁନ୍ଦର ମଲ୍ଲିକା ଓ ଯୂଇ ଫୁଲ ସବୁ ତୋଳି ମାଳ ରଚନା କରିବା ଓ ପୁଷ୍ପମାଲ୍ୟରେ ତୁମ୍ଭ ଦୁହିଙ୍କି ସଜିତ କରି ତହିଁର ଶୋଭା ଦେଖିବା ।

 

ପଦ୍ମମାଳୀ ଓ ଜୟନ୍ତୀ ପୁଷ୍ପୋଦ୍ୟାନରୁ ପ୍ରଭୁତ ପୁଷ୍ପ ଚୟନ କରି ମନୋହର ମାଲ୍ୟସବୁ ରଚନା କରି ନାନା ଖୁସି ଗଳ୍ପରେ ନିବିଷ୍ଟ ଥିବା ସମୟେ ପରୀକ୍ଷିତ ସିଂହ ସେଠାରେ ଉପସ୍ଥିତ ହେଲେ । ତାଙ୍କୁ ଦେଖି ଜୟନ୍ତୀ କହିଲା,- ‘‘ଆପଣ କି ନିଷ୍ଠୁର । ଦେଖନ୍ତୁ ଆମ୍ଭର ପ୍ରିୟସଖୀର କି ଦୁର୍ଦ୍ଦଶା କରି ଅଛନ୍ତି । ପରୀକ୍ଷିତ ସିଂହ ପଦ୍ମମାଳୀର ତଦାନୀନ୍ତନ ରୂପ ଦେଖି କହିଲେ,–

 

‘‘ଏତେଦୂର ହୋଇଥିଲା, ଆମ୍ଭଙ୍କୁ କାହିଁକି ସମ୍ବାଦ ଦେଲେ ନାହିଁ ।’’

 

ଜୟ–‘‘ଆପଣ ତ ଆମ୍ଭମାନଙ୍କଠାରୁ ପରିଚୟ ଗୋପନ ରଖିଥିଲେ, କିପରି ଆପଣଙ୍କୁ ସଂବାଦ ଦିଅନ୍ତେ ?’’

 

ପରୀ–‘‘ମହନ୍ତଙ୍କୁ ସମ୍ବାଦ ଦେଇଥିଲେ ଯଥେଷ୍ଟ ହୋଇଥାନ୍ତା ।’’

 

ଜୟ–‘‘ଯାହା ଅଦୃଷ୍ଟର ଭୋଗ ଥିଲା, ତାହା ହୋଇଅଛି । ଶୀଘ୍ର ଆପଣଙ୍କର ମଙ୍ଗଳକୃତ୍ୟ ଦେଖିଲେ ଖୁସି ହେବୁଁ ।’’

 

ପରୀ–‘‘ପିତାଙ୍କର ସ୍ୱର୍ଗଗମନର ଏକବର୍ଷ ଗତ ନ ହେଉଣୁ କିପରି ମଙ୍ଗଳକୃତ୍ୟ ହେବ-?’’

 

ଜୟ–‘‘ବିଧିମତେ ମଙ୍ଗଳକୃତ୍ୟ ନ ହେଲେ ପୁଷ୍ପ ବିବାହର ଦୋଷ କଣ ? ଏହା କହି ପଦ୍ମମାଳୀକୁ ଇଙ୍ଗିତ କରନ୍ତେ ସେ ପୁଷ୍ପ ମାଲ୍ୟ ଓ ଚନ୍ଦନରେ ପରୀକ୍ଷିତ ସିଂହଙ୍କୁ ଭୂଷିତ କଲା ଓ ପରୀକ୍ଷିତ ସିଂହ ପଦ୍ମମାଳୀର କବରୀ, କଣ୍ଠ ଓ ମଣିବନ୍ଧକୁ ପୁଷ୍ପଭୂଷିତ କରି କହିଲେ–‘‘ଦେଖ, କି ଅପୂର୍ବ ଶୋଭା ହୋଇଅଛି ।’’

 

ଜୟନ୍ତୀ–(ପଦ୍ମମାଳୀଙ୍କୁ ପରୀକ୍ଷିତ ସିଂହଙ୍କ ପାର୍ଶ୍ୱରେ ବସାଇ) ‘‘ଏ ଯୁଗଳରୂପକୁ ରାଧା-କୃଷ୍ଣ, ରାମ-ସୀତା, ଶିବ-ଦୁର୍ଗା କି ରତି-କନ୍ଦର୍ପ କାହା ସହିତ ତୁଳନା କରିବା ?’’

 

ଏହା କହି ଚତୁରା ପରିଚାରିକା ସେଠାରୁ ନିଷ୍କ୍ରାନ୍ତ ହେଲା ଓ ଆମ୍ଭେମାନେ ଏହିଠାରେ ଏ ଦୃଶ୍ୟ ଉପରେ ପଟ୍ଟକ୍ଷେପଣ କରିବୁଁ । ପରୀକ୍ଷିତ ସିଂହ ମଠରେ ସପ୍ତାହରୁ ଅଧିକ କାଳ ରହି ନ ପାରି, ସ୍ୱଂୟ ଦୁର୍ଗକୁ ପ୍ରତ୍ୟାବତ୍ତର୍ନ କରିବାକୁ ବାଧ୍ୟ ହେଲେ, କିନ୍ତୁ ପ୍ରତ୍ୟାବତ୍ତର୍ନ କରିବା ପୂର୍ବରୁ ଉଭୟ ପକ୍ଷ ମହାସମାରୋହରେ ଆଗାମୀ ମାର୍ଗଶୀର ମାସରେ ମଙ୍ଗଳକୃତ୍ୟର ନିର୍ବନ୍ଧ ସ୍ଥିର କଲେ । ପଦ୍ମମାଳୀ ପରୀକ୍ଷିତ ସିଂହଙ୍କଠାରୁ ବିଦାୟ ହେବା ପୂର୍ବରୁ କହିଲା,–

 

‘‘ଆପଣ ନିକଟରେ ଥିଲେ, ମୁଁ ହାତରେ ସ୍ୱର୍ଗ ପାଏ; କିନ୍ତୁ ଆପଣଙ୍କର ଅଦର୍ଶନରେ ସବୁ ଶୂନ୍ୟ ।’’

 

ପରୀ–‘‘ଏତେଦିନ ଗଲାଣି, ଆଉ ଅଳ୍ପଦିନ କୌଣସି ମତେ ଅତିବାହିତ ହେଲେ ଆମ୍ଭମାନଙ୍କର ମିଳନରେ ଆଉ କୌଣସି ବାଧା ରହିବ ନାହିଁ ।’’

 

ପଦ୍ମ–ମା ମନମଧ୍ୟରେ କିନ୍ତୁ କିଏ କହୁଅଛି ଯେ ଭବିଷ୍ୟତ୍ ସେପରି ନିରାପଦ ନୁହେଁ । ଦୁଷ୍ଟ ଦୁର୍ଯ୍ୟୋଧନ ଏ ନିର୍ବନ୍ଧ କଥା ଶୁଣି ଯେ କୌଣସି ଅନିଷ୍ଟ ନ ଘଟାଇବ, ତାହା କିଏ କହି ପାରେ-?’’

 

ପରୀ–‘‘ତାହାର କି ସାଧ୍ୟ ? ତଥାପି ଯଦି ଦୁଷ୍ଟ କୌଣସି ଅନର୍ଥ ଉତ୍ପତ୍ତି କରେ, ତାହାହେଲେ ସମୁଦାୟ ନୀଳଗିରି ରାଜ୍ୟକୁ ଧ୍ୱଂସ କରି ଦେବି ।’’

 

ଏହା କହି ପ୍ରେମିକଦ୍ୱୟ ବିଦାୟ ହେଲେ ।

•••

 

ବିଂଶ ପରିଚ୍ଛେଦ

ଦୁର୍ଯ୍ୟୋଧନର ମନ୍ତ୍ରଣା

 

ଅପରାହ୍‍ଣରେ ଦୁର୍ଯ୍ୟୋଧନ ବୃକ୍ଷ ବାଟିକାରେ ଉପବିଷ୍ଟ ହୋଇ ଅହିଫେନ ଧୂମ୍ର ସେବନଦ୍ୱାରା ଚିତ୍ତର ଆନନ୍ଦ ଉତ୍ପାଦନ କରୁଥିଲା । ନିକଟରେ ଏକବର୍ଷୀୟସୀ ବୃଦ୍ଧା ଉପବିଷ୍ଟ ଥିଲା-। ପାପୀୟସୀ ବୃଦ୍ଧାର ସହିତ ପାଠକ ପାଠିକାଙ୍କର ଘନିଷ୍ଠ ଆଳାପ କରାଇବାର ଆମର ପ୍ରବୃତ୍ତି ହେଉ ନାହିଁ ତଥାପି ବୃଦ୍ଧାର ଏକ ପ୍ରକାର ସ୍ଥୂଳ ପରିଚୟ ଦେବାର ଆବଶ୍ୟକ ହେଉଛି । ବୃଦ୍ଧା ବାରାଙ୍ଗନା ନୁହେଁ । ସେ ଏକକାଳେ କୁଳବଧୂ ଥିଲା । କିନ୍ତୁ ଅକାଳେ ବୈଧବ୍ୟ ଯନ୍ତ୍ରଣା ସହ୍ୟ କରି ନ ପାରି, ସେ ଏକ ପ୍ରତିବେଶୀର ଆଶ୍ୱାସ ପାଇ ଶଶୁରାଳୟ ପରିତ୍ୟାଗ କଲା । ଯାହା ଉପରେ ନିର୍ଭରକରି ସେ ଗୃହରୁ ବାହାର ହୋଇଥିଲା, କୁଳଟାକୁ ସଂରକ୍ଷଣ କରିବାର ତାର ଉପଯୁକ୍ତ ସଙ୍ଗତି ନଥିଲା । କୁଳଟା ଶୀଘ୍ର ସହାୟହୀନା ହେଲା । ଗ୍ରାସାଚ୍ଛାଦନର ଅନ୍ୟ ଉପାୟ ନ ଦେଖି, କୁଳଟା ଦୂଷ୍କ୍ରିୟାଶୀଳ କାମାନ୍ଧ ଯୁବକଙ୍କୁ ତାହାର ଯୌବନ ବିକ୍ରୟ କରିବାକୁ ଆରମ୍ଭ କଲା । କୁଳଟାର ଯୌବନ ସମ୍ପତି ଅତିଶୀଘ୍ର ନିଃଶେଷିତହେଲା । ଉପାୟ ବିହୀନା ହୋଇ, ଯେଉଁ ଯୁବକମାନେ ଏକସମୟେ ତାହାର ଯୌବନରେ ଉନ୍ନତ୍ତ ଥିଲେ, ତାହାକୁ ସେମାନଙ୍କର ଆଶ୍ରୟ ଗ୍ରହଣ କରିବାର ଆବଶ୍ୟକ ହେଲା । ଦୁର୍ଯ୍ୟୋଧନ ସେ ଯୁବକଙ୍କ ମଧ୍ୟରୁ ଏକଜଣ । ବୃଦ୍ଧା ଦୁର୍ଯ୍ୟୋଧନର ଦୁଷ୍ପ୍ରବୃତ୍ତି ଚରିତାର୍ଥ କରିବା ସକାଶେ ଅନେକ ରୂପବତୀ କୁଳକାମିନୀର ସର୍ବନାଶ କରିଥିଲା ଓ ତଦ୍ଦ୍ୱାରା ଦୁର୍ଯ୍ୟୋଧନକୁ ସନ୍ତୁଷ୍ଟ କରି ତାହାର ଏକପ୍ରକାର ଜୀବିକା ନିର୍ବାହ ହେଉଥିଲା ।

 

ଦୁର୍ଯ୍ୟୋଧନ ମାନ୍ତ୍ରୀରୁ ପ୍ରତ୍ୟାଗମନ କରି ବୃଦ୍ଧାକୁ ପଦ୍ମମାଳୀର ବୃତ୍ତାନ୍ତ କହିଥିଲା । ବୃଦ୍ଧା ଆଜି ଏକ ଆଶ୍ଚର୍ଯ୍ୟ ସମ୍ବାଦ ସହିତ ଉପାଗତ; ସେ କହିଲା,–

 

‘‘ଶୁଣି ନାହଁ କି ?”

‘‘କ’ଣ ?”

‘‘ସିଂହର ଶୀକାର ଶୃଗାଳ ନେଲା ।”

‘‘କିପରି ?”

 

‘‘ତୁମ୍ଭେ ନାକରେ ସୋରିଷ ତେଲ ଦେଇ ଶୋଇଥାଅ, ଆଉ ସେଆଡ଼େ ପଦ୍ମମାଳୀକୁ ଆଉ ଜଣେ ବାହା ହୋଇ ଯାଉ ।’’

 

‘‘କ’ଣ ? ଏତେ ବଡ଼ ସାଧ୍ୟ ? ମତେ ହତମାନ କରି ପଟୋୟାରୀ ଅନ୍ୟଲୋକର ସହିତ ଝିଅର ବାହା ଦେବ ? ତେବେ ଲକ୍ଷ୍ମଣ ପଣ୍ଡାକୁ ବେକୁବ୍ ପାଇ ତାହା ସହିତ ଟାପରା କରିଥିଲେ ? କାହା ସହିତ ପଦ୍ମମାଳୀର ବିବାହ ସ୍ଥିର ହୋଇ ଅଛି କିଛି ଜାଣ ?”

 

କାହା ସହିତ କହି ପାରିବି ନାହିଁ । ତେବେ ମୟୂରଭଞ୍ଜ କିଲ୍ଲାରେ ଖୁବ ବଡ଼ଲୋକ ଘରେ ମଙ୍ଗଳକୃତ୍ୟ ହେବାର ଶୁଣାଯାଏ ।”

 

ଏହା ଶୁଣି ଦୁର୍ଯ୍ୟୋଧନ କ୍ରୋଧରେ ଗଜର୍ନ କରି କହିଲା, ‘‘ଆଚ୍ଛା ଦେଖିବା କିପରି ଏ କିଲ୍ଳାରେ ଘର କରି ରହି ଅନ୍ୟ କିଲ୍ଲାରେ ଝିଅ ବାହା ହେବ ?”

 

ବୃଦ୍ଧା କହିଲା–“ରାଗ କର ନା, କ୍ରୋଧରେ ବୁଦ୍ଧି ନଷ୍ଟ ହୁଏ । ପଦ୍ମମାଳୀ କ’ଣ ଏଡ଼େ ରୂପସୀ । ତୁମ୍ଭେ ଘଣ୍ଟଶାଳୀ ଗଡ଼ନାୟକଙ୍କ ଝିଅଙ୍କୁ ଦେଖି ଅଛ କି ? ପଦ୍ମମାଳୀ ତାହା ପାଖରେ କଣ ?”

 

ଦୁର୍ଯ୍ୟୋ–“ଏ ତିନିଭୁବନରେ ଯେତେ ସୁନ୍ଦରୀ ଅଛନ୍ତି କେହି ତାହାର ଦାସୀ ହେବାର ଉପଯୁକ୍ତ ନୁହନ୍ତି ।”

 

ବୃଦ୍ଧା–ଘଣ୍ଟଶୀଳା ଗଡ଼ନାୟକଙ୍କ ଝିଅଟି ମଧ୍ୟ ଦେଖିବାକୁ ମନ୍ଦ ନୁହେଁ । ତାହାର ମଧ୍ୟ ଶ୍ରୀରାମପୁର ଦଳବେହେରାଙ୍କ ସହିତ ବିବାହ ସ୍ଥିର ହୋଇଅଛି ।”

 

ଦୁର୍ଯ୍ୟୋ–“ତାହା ହେଲେ ଆମ୍ଭେ ଏ ଦୁହିଙ୍କୁ ବଳପୂର୍ବକ ଆଣିବୁ; ଦେଖିବୁ କିଏ ଆମ୍ଭକାର୍ଯ୍ୟରେ ବାଧା ଦେବ । ଆଚ୍ଛା, ତୁ ବର୍ତ୍ତମାନ ଯା ଥରେ ରାଣୀଙ୍କ ସଙ୍ଗେ ଦେଖା କରିବାର ଆବଶ୍ୟକ ହେଉଛି । ଯଦି ମୁଁ ଏଇ ଦୁଇ ଟୋକିଙ୍କୁ ଆଣି ମୋ ଗୋଡ଼ତଳେ ପୋଇଲୀ କରି ନ ରଖେ ତେବେ ମୋ ନାମ ଦୁର୍ଯ୍ୟୋଧନ ଦାସ ନୁହେ ।

•••

 

ଏକବିଂଶ ପରିଚ୍ଛେଦ

ସ୍ୱଜାତି ପରହିଂସ୍ରକ

 

ଅପରାହ୍‍ଣ ଘ ୫ ଣ୍ଟା ସମୟରେ ନୀଳଗିରିର ରାଜପ୍ରସାଦର ଅନ୍ତଃପୁରସ୍ଥ ଏକ ପାଷାଣନିବନ୍ଧ ଚଉରୀରେ ରାଣୀ ଚିତ୍ରାଦେବୀ ଏକ ସାମାନ୍ୟ ଶଯ୍ୟାରେ ଶୟନ କରିଥିଲେ । ରାଣୀ ନିଦ୍ରାରେ ଶାୟିତ ନ ଥିଲେ । ଅପରାହ୍‍ଣରେ ରାଣୀ ମହାଭାରତ ଶ୍ରବଣ କରନ୍ତି । ରାଣୀ ଉନ୍ମୁକ୍ତ କବରୀର କେଶଦାମ ଏକ ଉପାଧାନ ଉପରେ ବିକ୍ଷିପ୍ତ କରି ବିଶ୍ରାମ ଉପଭୋଗ କରୁଥିଲେ । ପରିଚାରିକା ମାଧବୀ ଓ ମାଳତୀ ଦୁଇପଦ ସେବନ କରୁଥିଲେ ଓ କୋକିଳ; ତାହାର କୋକିଳଗଞ୍ଜି କଣ୍ଠ ସ୍ୱରରେ ମହାଭାରତ ପାଠ କରୁଥିଲା । ସଭାପର୍ବ ପାଠ ହେଉଥିଲା । ଧର୍ମପୁତ୍ର ଯୁଧିଷ୍ଠିର ଅକ୍ଷକ୍ରୀଡ଼ାରେ ରାଜ୍ୟଧନ ସମ୍ପତ୍ତି ସମୁଦାୟ ଖଳ ଶକୁନିଠାରେ ହାରିଲେ । ଆଉ କୌଣସି ସମ୍ପତ୍ତି ନ ଥିବାରୁ ଦୂତକ୍ରୀଡ଼ାରୁ ବିରତ ହେବାର ଇଚ୍ଛା ପ୍ରକାଶ କଲେ । ଖଳ ଶକୁନି ଦୁଷ୍ଟ ଦୁର୍ଯ୍ୟୋଧନ କର୍ତ୍ତୃକ ପ୍ରେଷିତ । ସେ କହିଲା,–“କି ମହାରାଜ, ମହାରାଣୀ ଦ୍ରୌପଦୀ ଅଛନ୍ତି । ଏଥର ଆପଣ ଜିଣିଲେ ଆପଣଙ୍କର ହାରିଥିବା ସମୁଦାୟ ସମ୍ପତ୍ତି ପୁନଃ ପ୍ରାପ୍ତ ହେବେ; ହାରିଲେ ଦ୍ରୌପଦୀ ଆପଣଙ୍କର ହେବେ ନାହିଁ ।’’ ସର୍ବସ୍ୱାନ୍ତ ମହାରାଜା ଯୁଧିଷ୍ଠିରଙ୍କୁ ଅଜଗରର ପ୍ରାୟ ଶକୁନିର ବାକ୍ୟ ଦଂଶନ କଲା-। ଦ୍ରୌପଦୀର ତାହାଙ୍କର ସ୍ୱତ୍ୱଅଛି । ସେହି ସ୍ୱତ୍ୱକୁ ଅକ୍ଷକ୍ରୀଡ଼ାରେ ପଣ କରିବାକୁ ଶକୁନି ଆହ୍ୱାନ କରୁଅଛି । କ୍ଷତ୍ରିୟପୁତ୍ର ହୋଇ ଏ ଆହ୍ୱାନରେ କିରୂପେ ବିରତ ହେବ । ଶନି ଷୋଳପଣରେ ରାଜାଙ୍କୁ ଅଧିକାର କଲାଣି । ରାଜା ଶକୁନିର ପ୍ରସ୍ତାବରେ ସମ୍ମତ ହେଲେ । ସଭାସଦ୍‍ମାନେ ଶକୁନିକୁ ମନେ ମନେ ସହସ୍ର ଧିକ୍‍କାର କଲେ । ଅର୍ଜୁନାଦି ଭ୍ରାତାମାନେ ଅଧୋବଦନ ହେଲେ । ବିଶାଳଭୁଜ ବୃକୋଦର କ୍ରୋଧରେ ଚକ୍ଷୁ କଟମଟକରି ଦନ୍ତ ନିପୀଡ଼ନ କଲେ । କିନ୍ତୁ ଧର୍ମପୁତ୍ର ଧର୍ମରାଜ ପିତୃତୁଲ୍ୟ ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିରଙ୍କ ଇଚ୍ଛାରେ ପ୍ରତିରୋଧ କରିବାକୁ ସାହାସୀ ହେଲା ନାହିଁ । ପଶାକାଠି ଗଡ଼ିଲା । ଯୁଧିଷ୍ଠିରଙ୍କର ଦୈବଦୁର୍ବିପାକ ହୋଇଥିଲା । ସେ ଦ୍ରୌପଦୀଙ୍କୁ ହାରିଲେ । ଦୁଷ୍ଟ ଦୁର୍ଯ୍ୟୋଧନ ପରାଜିତ ପଣ୍ଡୁ ପୁତ୍ରମାନଙ୍କର ଅବମାନନା ସମ୍ପୂର୍ଣ୍ଣ କରିବା ଅଭିପ୍ରାୟରେ ଦ୍ରୌପଦୀଙ୍କୁ ସଭାକୁ ଆଣିବା ସକାଶେ ଆଦେଶ କଲା । ଦୁଃଶାସନ ସ୍ତ୍ରୀଧର୍ମଗତା ପଞ୍ଚାଳ ସୁତାର ଉନ୍ମୁକ୍ତ କେଶ ଧାରଣ କରି ସଭାକୁ ଆଣିଲା । ଦୁର୍ଯ୍ୟୋଧନ ଦ୍ରୌପଦୀର ବସ୍ତ୍ରହରଣ କରିବାକୁ ଆଦେଶ କଲା । ସଭାସ୍ଥଲୋକେ ତଟସ୍ଥ । ଦୁଃଶାସନ ଦ୍ରୌପଦୀଙ୍କୁ ବିବସ୍ତ୍ରା କରିବାକୁ ଆରମ୍ଭ କଲା । ଦ୍ରୌପଦୀ ଉପାୟ ନ ଦେଖି ଆର୍ତ୍ତତ୍ରାଣଙ୍କୁ ସ୍ମରଣ କଲେ । ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ର ଯେତେ ଉନ୍ମୋଚନ କରେ, ବସ୍ତ୍ର ତେତିକି ବର୍ଦ୍ଧିତ ହୁଏ । ସଭାସ୍ଥଲୋକେ ‘ଜୟ ଧର୍ମ’ ବୋଲି ଉଚ୍ଚୈସ୍ୱରେ ଚିତ୍କାର କରି ଉଠିଲେ । ଦୁର୍ଯ୍ୟୋଧନ ପରାସ୍ତ ହେଲା । ଏହି ପର୍ଯ୍ୟନ୍ତ ପାଠ ହୋଇଥିଲା । ଏପରି ସମୟେ ଏକ ପରିଚାରିକା ଦୁର୍ଯ୍ୟୋଧନ ଛାମୁରେ ସାକ୍ଷାତ୍ କରି ଆସିଥିବାର ଜ୍ଞାପନ କଲା । ଦୁର୍ଯ୍ୟୋଧନ ନାମରେ ରାଣୀ ହଠାତ୍ ଚମକି ପଡ଼ିଲେ ଓ ଉତ୍‍ଥାନ କରି ଧାତ୍ରୀବେହେରାଦ୍ୱାରକୁ ଗମନ କଲେ । ଦୁର୍ଯ୍ୟୋଧନ ସେହି ସ୍ଥାନରେ ଅପେକ୍ଷା କରୁଥିଲା । ଦୁର୍ଯ୍ୟୋଧନ ମଧୁସୂଦନ ପଟ୍ଟନାୟକଙ୍କ ଗୃହରେ ଆବାଲ୍ୟ ପାଳିତ । ଅତଏବ ରାଣୀଙ୍କର ଦୁର୍ଯ୍ୟୋଧନ ସହିତ କଥୋପକଥନ କରିବାରେ ବାଧା ନ ଥିଲା । ଦୁର୍ଯ୍ୟୋଧନ କହିଲା,–

 

‘‘ଛାମୁର ମୁଲକ ଛାମୁ ବୁଝନ୍ତୁ । ମୁଁ ଆଉ ବୁଝି ପାରିବି ନାହିଁ ।’’

ରାଣୀ–‘‘କାହିଁକି କ’ଣ ହେଲା ?”

 

ଦୁର୍ଯ୍ୟୋଧନ–‘‘ଯଦି ଏକ ସାମାନ୍ୟ ପ୍ରଜା ମୋତେ ଅପମାନ କଲା ତେବେ ଆଉ ମୁଁ କିପରି ମୁଲକ ବୁଝିବି ?”

 

ରାଣୀ–“କିଏ କ’ଣ କଲା ? ଏତେଦୂର ସାହାସ କିଏ କରି ପାରେ ?”

 

ଦୁର୍ଯ୍ୟୋଧନ–“ଆଜ୍ଞା, ମୁଁ ଯାହା କହୁଅଛି । ଅପମାନରେ ମୋହର ମୁଣ୍ଡ ଛିଡ଼ି ପଡ଼ିଲାଣି-

 

ଲୋକଙ୍କଠାରେ ମୋତେ ମୁହଁ ଦେଖାଇବାକୁ ଲଜ୍ଜା ହେଉଅଛି ।”

ରାଣୀ–“ତୁମ୍ଭେ ଏତେକଥା କହୁ’ଛ; ଅସଲକଥା କ’ଣ କହୁନାହଁ ।”

 

ଦୁର୍ଯ୍ୟୋଧନ–“ଆଜ୍ଞା, ଗତସନର ଷୋଳପଣିରୁ ଟ୪୦ଙ୍କା ବାକୀଥିଲା । ଏ ସନର ଆଠପଣିରୁ କିଛି ଆଦାୟ ହୋଇ ନାହିଁ । ମୋହର ଅପରାଧ ମଧ୍ୟରେ ମୁଁ ଗତସନର ବାକୀ ଓ ଏସନର ଆଠପଣି ତଲବ କରିଥିଲି । ସେ କହେ ଯେ ବର୍ତ୍ତମାନ ତାହାର ଝିଅର ବିବାହ ଉପସ୍ଥିତ । ସେ କିଛି ଖଜଣା ଦେଇ ପାରିବ ନାହିଁ । ଏହା କହି ସେ ଯାହା ଭର୍ତ୍ସନା କଲା ତାହା କ’ଣ କହିବି । ଛାମୁଙ୍କୁ ମହାନ୍ତି ଝିଅ ଇତ୍ୟାଦି କେତେ କହିଲା । ସେ ଗୁଡ଼ାକ କହିବାର ଯୋଗ୍ୟ ନୁହେଁ ।’’

 

ରାଣୀ–“ଏଡ଼େ କଥା କହିବାର ଯୋଗ୍ୟ କିଏ ?”

ଦୁର୍ଯ୍ୟୋଧନ–“ଆଉ କିଏ, ପାଞ୍ଚଗଡ଼ର ଜଗୁପଟୋୟାରୀ ।”

ରାଣୀ–“କି ଜଗୁପଟୋୟାରୀର ଏଡ଼େ କଥା ।”

 

ଦୁର୍ଯ୍ୟୋଧନ–“ଆଜ୍ଞା, ତାହାର ପୁରୁଣା ଖାନ୍ଦାନୀଘର ବୋଲି ସେ କି ଆଉ ମନୁଷ୍ୟ ଚିହ୍ନୁଛି ? ପୁଣି କବତୀପଦା ରାଜା ଶୀଘ୍ର ଜୁଆଇଁ ହେବେ ଶୁଣା ଯାଉଅଛି ।”

 

ରାଣୀ–“ଆଚ୍ଛା, କାଲି ପାଇକ ପଠାଇ ପଟୋୟାରୀକୁ ଧରିଆଣ । ଗତବର୍ଷର ବାକୀ ଓ ହାଲ ଆଠପଣି ନ ଦେଲେ ତାହାକୁ ବେଡ଼ୀ ଦେଇ କଏଦ କରି ରଖ ଓ ତାହାର ସମ୍ପତ୍ତି କୋରକ କରି ଖଜଣା ଆଦାୟ କର ।”

 

ଦୁର୍ଯ୍ୟୋଧନ–“ଛାମୁର ଆଜ୍ଞା ପାଳନ କରିବାର ମୋହର କର୍ତ୍ତବ୍ୟ । ଛାମୁର କାର୍ଯ୍ୟ କରିବା ପାଇଁ ପିଆଦା କରିଥିଲି । କିନ୍ତୁ ତଦ୍ଦ୍ୱାରା କେବଳ ମୋହର ଅପମାନ ହେଲା । ଏବେ ହୁକୁମ ପାଇ, କାଲି ମୁଁ ଜଗୁପଟୋୟାରୀକୁ ହାଜର କରିବି । ଆଜ୍ଞା, ଆଉ ଗୋଟିଏ ନିବେଦନ, ହୁକୁମ ହେଲେ କହନ୍ତି ।”

 

ରାଣୀ–‘‘କ’ଣ କହ ?”

 

ଦୁର୍ଯ୍ୟୋଧନ–‘‘ଘଣ୍ଟଶୀଳା ପାଇକମାନେ ବିଦ୍ରୋହୀ ହୋଇ, ହରିବାବୁଙ୍କ ସହିତ ମିଳିତ ହେବେ ବୋଲି, ସ୍ଥିର କରିଅଛନ୍ତି ।’’

 

ରାଣୀ–‘‘ପଚାଶ ଜଣ ପାଇକ ପଠାଇ ଗଡ଼ନାୟକକୁ ଧରାଇ ଆଣ ।’’

•••

 

ଦ୍ୱାବିଂଶ ପରିଚ୍ଛେଦ

ପଦ୍ମମାଳୀର ହରଣ

 

ଦୁର୍ଯ୍ୟୋଧନ ଏ ଆଜ୍ଞା ପ୍ରାପ୍ତ ହୋଇ ମନେ ମନେ ବଡ଼ ଆହ୍ଲାଦ ସହିତ ଗୃହକୁ ଗଲା ଓ କହିଲା–‘‘ଦେଖିବା, ଦୁର୍ଯ୍ୟୋଧନ ଦାସକୁ ଜଗୁ ପଟୋୟାରୀ ଭୟ କରେ କି ନାହିଁ ।’’ ତତ୍ପର ଦିବସ ପାଇକମାନେ ଜଗବନ୍ଧୁ ପଟ୍ଟନାୟକକୁ ଧରି ଆଣିଲେ । ପଟୋୟାରୀ କହିଲେ ଯେ ଗତବର୍ଷର ବାକୀ ତାହାଙ୍କଠାରେ କିଛିମାତ୍ର ନାହିଁ ଓ ଏ ବର୍ଷର ଆଠପଣି, କନ୍ୟାର ବିବାହ ଉପସ୍ଥିତ ଥିବାରୁ ଏକେବାରେ ଷୋଳପଣିରେ ସମୁଦାୟ ଆଦାୟ କରିବେ । ଦୁର୍ଯ୍ୟୋଧନକୁ କନ୍ୟା ଦାନ ନ କରି ଅନ୍ୟତ୍ରରେ କନ୍ୟାର ମଙ୍ଗଳକୃତ୍ୟ ପଟୋୟାରୀ କରିଅଛନ୍ତି । ଏହା ଦୁର୍ଯ୍ୟୋଧନ କେବେହେଁ କ୍ଷମାକରି ନ ପାରେ । ଦୁଇ ତିନି ବା ତତୋଧିକ ବର୍ଷର ଖଜଣା ବାକୀ, ଅନ୍ୟାନ୍ୟ ପଟୋୟାରୀଙ୍କର ଉପରେ ଅଛି । କିନ୍ତୁ ଜଗବନ୍ଧୁ ତାହାର ପ୍ରାୟ କ୍ଷମତାବାନ ବ୍ୟକ୍ତିକୁ କନ୍ୟାଦାନ ନ କରି ଅନ୍ୟତ୍ରରେ କନ୍ୟା ଦେଉଥିଲା, ଏହା ସେ କେବେହେଁ ସହ୍ୟକରି ପାରିଲା ନାହିଁ । ଦୁର୍ଯ୍ୟୋଧନ ହୁକୁମ ପାଇଥିଲା କି ପଟୋୟାରୀ ଖଜଣା ନ ଦେଲେ ସେ ପଟୋୟାରୀକୁ କଏଦ କରି ରଖିବ । ଦୁର୍ଯ୍ୟୋଧନ କିଛିମାତ୍ର କୁଣ୍ଠିତ ନ ହୋଇ ପଟୋୟାରୀକୁ କାରାଗାରକୁ ପ୍ରେରଣ କଲା । ପଟୋୟାରୀଙ୍କୁ କାରାଗାରରେ ଆବଦ୍ଧ ରଖି, ଲକ୍ଷ୍ମଣ ପଣ୍ଡା, ଶାନ୍ତି ଦାସ ଓ ଭାଗୀରଥୀ ପଟ୍ଟନାୟକଙ୍କୁ ଡକାଇ ଦୁଇଶତ ପାଇକ ସଙ୍ଗରେ ଘେନି ପାଞ୍ଚଗଡ଼ ଲୁଟକରି ପଦ୍ମମାଳୀକୁ ବଳପୂର୍ବକ ନୀଳଗିରିକୁ ଆଣିବାକୁ ଆଦେଶ କଲା ।

 

ସନ ୧୮୩୫ ମସିହା ଜୁଲାଇ ମାସ ୧୫ ତାରିଖ ବୁଧବାର ଦିବସ ଦ୍ୱିପହର ସମୟରେ ଶାନ୍ତି ଦାସ ପ୍ରଭୃତି ଦୁଇଶ ପାଇକ ନେଇ ପାଞ୍ଚଗଡ଼ ଗ୍ରାମରେ ଉପସ୍ଥିତ ହେଲେ । ଗ୍ରାମର ପ୍ରଧାନ ବ୍ୟକ୍ତି ନୀଳଗିରି ଗଡ଼ରେ କାରାବାସ କରୁଥିଲେ । ତାହାଙ୍କର ହଳିୟା ମୂଲିୟା ଓ ଗ୍ରାମର ଅଧିକାଂଶ ରୟତମାନେ ବିଲକୁ ବଛା ଓ ବେଉଷଣ କରିବାକୁ ଯାଇଥିଲେ । ଯେ ଅଳ୍ପସଂଖ୍ୟକ ପୁରୁଷ ଗ୍ରାମରେ ଥିଲେ ସେମାନେ ଭୟରେ ପଳାୟନ କଲେ । ଲକ୍ଷ୍ମଣ ପଣ୍ଡା ଓ ଶାନ୍ତିଦାସ ପ୍ରଥମରେ ପଟୋୟାରୀଙ୍କ ଗୃହରେ ପ୍ରବେଶ କଲେ । ଗୃହରେ ଯେଉଁ ଭୃତ୍ୟମାନେ ଥିଲେ ସେମାନେ ବାଧା ଦେବା ବୃଥା ଜାଣି ପରିବାରସ୍ଥ ସ୍ତ୍ରୀଲୋକମାନଙ୍କୁ ନିଭୃତସ୍ଥାନରେ ଗୁପ୍ତ ହେବା ସକାଶେ କହିଦେଲେ । ପଦ୍ମମାଳୀ ଆହାରାନ୍ତେ ପୁରୋସେନାପତି ଗୃହକୁ ଭ୍ରମଣକରି ଯାଇଥିଲେ ଓ ଚିତ୍ରଲେଖା ଭୋଜନରେ ଉପବିଷ୍ଟ ହୋଇ ପ୍ରଥମ ଗ୍ରାସ ମୁଖକୁ ଉତ୍ତୋଳନ କରୁଥିଲେ; ଏପରି ସମୟରେ ଭୃତ୍ୟ ଏକଜଣ ଆସି କହିଲା–

 

‘‘ସାନ୍ତାଣି ! ଘର ମଧ୍ୟରେ ନୀଳଗିରି ପାଇକମାନେ ପଶିଲେଣି, ଆଉ ରକ୍ଷା ନାହିଁ । ଆପଣ କୌଣସି ଗୁପ୍ତ ସ୍ଥାନରେ ଲୁଚନ୍ତୁ ।’’

 

ଚିତ୍ରଲେଖା ହସ୍ତସ୍ଥିତ ଗ୍ରାସ ଭୋଜନପାତ୍ରରେ ରଖିଦେଲେ । ହସ୍ତ ପ୍ରକ୍ଷାଳନ କରିବାର ସମୟ ନାହିଁ । ଅଧୌତହସ୍ତେ ଉଠି ଏକ ଗୁପ୍ତ ପ୍ରକୋଷ୍ଠ ମଧ୍ୟରେ ଲୁକାୟିତ ରହି ପଦ୍ମମାଳୀକୁ ସଯତ୍ନେ ରକ୍ଷା କରିବା ସକାଶେ ଭୃତ୍ୟଙ୍କୁ ଆଦେଶ ଦେଲେ । ବିପକ୍ଷମାନେ ଗୃହ ମଧ୍ୟରେ ପ୍ରବେଶ କରି ସିନ୍ଦୂକ, ପେଟରା ଯାହା ପାଇଲେ ଭଗ୍ନକରି ଦ୍ରବ୍ୟାଦି ଆତ୍ମସାତ୍‌ କଲେ । ଆବାସ ମଧ୍ୟରେ କାହାକୁ ଦେଖି ନ ପାଇ, ନିରସ୍ତ ହୋଇ ପ୍ରତିବେଶୀମାନଙ୍କର ଘର ମଧ୍ୟରେ ପଦ୍ମମାଳୀ ଥିବ, ଏହା ଅନୁମାନ କରି ଏକ ଏକ କରି ପ୍ରତିବେଶୀଙ୍କ ଘରେ ପ୍ରବେଶ କଲେ ଓ ସେମାନଙ୍କର ସ୍ତ୍ରୀ କନ୍ୟାଙ୍କପ୍ରତି ଯଥେଚ୍ଛା ଅତ୍ୟାଚାର କରି ପରିଶେଷରେ ପୁରୁଷୋତ୍ତମ ସେନାପତିଙ୍କର ଗୃହରେ ପ୍ରବେଶ କଲେ । ସେନାପତି ରାଜସରକାରର ଲୌହକାର । ତାହାପ୍ରତି ବିଶେଷ ଅତ୍ୟାଚାର ନ କରି କେବଳ ପଦ୍ମମାଳୀକୁ ସେମାନଙ୍କର ହସ୍ତରେ ଅର୍ପଣ କରିବାକୁ ଶାନ୍ତିଦାସ ଓଗେର ଆଦେଶ କଲେ । ସେ ଆଦେଶ ପାଳନ କରିବାକୁ ସେନାପତିଙ୍କୁ ଅନିଚ୍ଛୁକ ଦେଖି ଶାନ୍ତି ଦାସ କହିଲା–

 

‘‘ଦେଖ ସେନାପତି, ଆମ୍ଭେମାନେ ଯେଉଁ ରାଜସରକାରର ଚାକର ତୁମ୍ଭେ ମଧ୍ୟ ସେହି ସରକାରର ଚାକର । ପଦ୍ମମାଳୀ ସକାଶେ ଆମ୍ଭେମାନେ ଏ ଉପଦ୍ରବ କରୁଅଛୁଁ । କେତେକ ଗୃହସ୍ଥଙ୍କର ସ୍ତ୍ରୀଲୋକଙ୍କର ହୁରୁମତ ନେଇ ସାରିଲୁଣି । ପଦ୍ମମାଳୀକୁ ଆମ୍ଭ ହସ୍ତେ ଦେବାକୁ ବିଳମ୍ୱ କଲେ ତୁମ୍ଭର ମଧ୍ୟ ସେହି ଦଶା ଘଟିବ ।’’

 

ସେନା–‘‘ତୁମ୍ଭେମାନେ ଯେ ଅତ୍ୟାଚାର କଲଣି ତାହାର ପ୍ରତିଫଳ ଅବଶ୍ୟ ପାଇବ । ପଦ୍ମମାଳୀର ସହାୟ ଭଗବାନ । ସେ ଆମ୍ଭ ଗୃହରେ ଅଛି । ତାହାକୁ ନେଇଯାଅ, କିନ୍ତୁ ଭଗବାନ ତାହାକୁ ରକ୍ଷା କରିବେ ।’’

 

ଆଉ ଅଧିକ କହିବାକୁ ହେବନାହିଁ । ଦୁରାତ୍ମାମାନେ ପଦ୍ମମାଳୀକୁ ଏକ ଚତୁର୍ଦ୍ଦୋଳାରେ ବସାଇ ନୀଳଗିରିକୁ ନେଇଗଲେ ।

•••

 

ତ୍ରୟୋବିଂଶ ପରିଚ୍ଛେଦ

ବଳବନ୍ତରାୟର ଅନୁଶୋଚନା

 

ଇତିହାସ ଲେଖକର କଠୋର ବ୍ରତ । ପୂର୍ବ ପରିଚ୍ଛେଦରେ ବର୍ଣ୍ଣିତ ଘଟନା ସମୂହକୁ ପାଠକେ ଦେଖିବେ ଯେ ଏକ ଦୁଷ୍ଟର ଅଭିଳାଷ ସାଧନ ସକାଶେ, ନିରୀହ, ନିରପରାଧ ବ୍ୟକ୍ତିଙ୍କର କି ସର୍ବନାଶ ହୋଇ ନ ଥିଲା । ଉକ୍ତ ଘଟନାରେ ସହୃଦୟ ପାଠକ ପାଠିକାଙ୍କର ହୃଦୟ ତରଳିତ ହୋଇପାରେ ଓ ସେମାନଙ୍କର ହୃଦୟତନ୍ତ୍ରୀ ବିକମ୍ପନର କାରଣ ଆମ୍ଭେମାନେ ହୋଇଥିଲେ ସବିନୟେ ସେମାନଙ୍କର କ୍ଷମା ପ୍ରାର୍ଥନା କରୁଁ । କିନ୍ତୁ ଆମ୍ଭମାନଙ୍କର ବ୍ରତ ପୂର୍ବରେ କହିଅଛୁଁ–କଠୋର ଇତିହାସର–ସତ୍ୟର ଏକବର୍ଣ୍ଣ ଅପଳାପ କରିବାର ଆମ୍ଭମାନଙ୍କର କ୍ଷମତା ନାହିଁ । ପାଠକ ପାଠିକା ଆମ୍ଭମାନଙ୍କ ପ୍ରତି ରୁଷ୍ଟ ହେଉନ୍ତୁ; ଆମ୍ଭେମାନେ ସବିନୟେ କରପୁଟେ ସେମାନଙ୍କଠାରେ କ୍ଷମା ପ୍ରାର୍ଥନା କରି, ଆମ୍ଭମାନଙ୍କର କର୍ତ୍ତବ୍ୟ କାର୍ଯ୍ୟ ପ୍ରତିପାଳନ କରିବୁଁ ।

ଜଗୁ ପଟୋୟାରୀ କାରାଗାରରେ; ତାହାଙ୍କର ରୟତମାନେ ଉତ୍ସନ୍ନ ହେଲେଣି; ତାଙ୍କର ପ୍ରାଣସମ ଦୁହିତା ଦୁର୍ଯ୍ୟୋଧନର ହସ୍ତଗତ; ପ୍ରତିକାରବିଧାନ କରିବା ସକାଶେ ଗ୍ରାମରେ କେହି ନାହିଁ । ପୂରୋ ସେନାପତି ସାମାନ୍ୟ କର୍ମକାର । ତାହାଦ୍ୱାରା ଏପରି ବିପଦ ସମୟରେ କି ହୋଇପାରିବ ? କିନ୍ତୁ ସର୍ବଦର୍ଶୀ ସର୍ବଜ୍ଞ ଭଗବାନ ଅନେକ ସମୟରେ ସାମାନ୍ୟ ବ୍ୟକ୍ତିକୁ ମହତ୍‌ କାର୍ଯ୍ୟ ସାଧନ କରିବାର ଉପାୟ କରିଦିଅନ୍ତି । ମିଶାଗ୍ୟାଥସ ଓ ଇଭାଣ୍ଡରର ଇତିହାସରୁ ଦେଖାଯାଏ ଯେ ମହା ମହା ତର୍କ ଚଞ୍ଚୁ ପଣ୍ଡିତ ପ୍ରବର ଯାହା କରିବାକୁ ଅକ୍ଷମ ହୋଇଥିଲେ ଏକ ସାମାନ୍ୟ ଚତୁଷ୍ପଦ ଜନ୍ତୁ ତାହା ସମ୍ପାଦନ କରିଥିଲା । ଏ ବିପଦକାଳରେ ପୁରୋ ସେନାପତି କି କରିବେ ତାହାଙ୍କର ବୁଦ୍ଧିକୁ ଦୃଷ୍ଟି ହେଲା ନାହିଁ । ଶୂନ୍ୟ ମନରେ ସେ ବସିଅଛନ୍ତି, ଏପରି ସମୟରେ ବାଞ୍ଛାନିଧି ବଳବନ୍ତରାୟ ଆସି ଦର୍ଶନ ଦେଲା । ବଳବନ୍ତରାୟ ଆସି କିଛିକ୍ଷଣ ଛିଡ଼ା ହେଲାରୁ ସେନାପତିଙ୍କ ଦୃଷ୍ଟି ତାହା ଉପରେ ପଡ଼ିଲା । ସେନାପତି ତାହାକୁ ଦେଖି କହିଲେ,–

‘‘କି ବଳବନ୍ତରା, କୁଆଡ଼େ ଆସିଲ ।’’

ବଳ–‘‘ମାନ୍ତ୍ରୀରୁ ଆସିଲାଦିନୁ ମୁଁ ଯେ ମନ କଷ୍ଟରେ ଅଛି ତାହା ଭଗବାନ ଜାଣନ୍ତି । ପଦ୍ମମାଳୀର ସେ ଦିନ ମୁଁ ଯେ ଅନିଷ୍ଟ କରିଥିଲି ତହିଁର ପ୍ରତିବଦଳରେ ତାହାର କୌଣସି ବିଶେଷ ଉପକାର ନ କରିବା ପର୍ଯ୍ୟନ୍ତ ମୋହର ମନ ଶାନ୍ତ ହେବ ନାହିଁ । ଦୁର୍ଯ୍ୟୋଧନର ପଛେ ପଛେ ମୁଁ ରହିଅଛି । ଆଜି କ’ଣ ହେବ ମୁଁ ଜାଣିବାକୁ ଆସିଥିଲି ଓ ସବୁ ଦେଖିଲି ।’’

ସେନା–(ଅନ୍ୟମନସ୍କେ) ‘‘ହୁଁ–’’

ବଳ–‘‘ସେ ଜାଗରଯାତ୍ରା ଦିନ ମୁଁ ଦୁଷ୍ଟ ଦୁର୍ଯ୍ୟୋଧନର ସାହାଯ୍ୟ କରି ନ ଥିଲେ ଆଜି ଏ ଦୁର୍ଘଟଣା ହୋଇ ନ ଥାନ୍ତା । ସେହିଦିନଠାରୁ ମୁଁ ଆପଣାକୁ ଦୁର୍ଯ୍ୟୋଧନଠାରୁ ଅଧିକ ଦୋଷୀ ବୋଲି ଜାଣିଅଛି । ପଦ୍ମମାଳୀର ଏ ବିପଦର ମୂଳ ମୁଁ । ମୁଁ କିପରି ପଦ୍ମମାଳୀକୁ ଏ ବିପଦରୁ ଉଦ୍ଧାର କରି ପାରିବି ? ପଦ୍ମମାଳୀକୁ ଯେପରି ଦୁର୍ଯ୍ୟୋଧନ ହସ୍ତରେ ଆଣିଦେଇ ମୁଁ ଏ ସବୁ ଉତ୍ପାତ ଘଟାଇଅଛି, ତାହାକୁ ଦୁର୍ଯ୍ୟୋଧନ ହସ୍ତରୁ ଉଦ୍ଧାର କରି ଆଣିଲେ ମୋ’ର ସବୁ ଦୋଷ ଖଣ୍ଡନ ହେବ; କିନ୍ତୁ ତାହାର ଉପାୟ କ’ଣ ?’’

ସେନା–‘‘ଉପାୟ ବଡ଼ ସହଜ ।’’

ବଳ–‘‘କ’ଣ କହ ।’’

ସେନା–‘‘ତୁ ଦୁର୍ଯ୍ୟୋଧନର ବଡ଼ ପ୍ରିୟ ବିଶ୍ୱାସୀ ଥିଲୁ; ତାହାର ସବୁ କଥା ତୋତେ ଜଣା ଅଛି । ପଦ୍ମମାଳୀକୁ ନେଇଗଲେ; କିନ୍ତୁ ତାହାକୁ କେଉଁଠାରେ ରଖିବେ ତାହା ତୁ ଜାଣୁ । ତୁ କେବଳ ଏତିକି ଦୃଷ୍ଟି ରଖିବୁ ଯେ ପଦ୍ମମାଳୀକୁ ଆମ୍ଭେ ପୁନରୁଦ୍ଧାର ନ କଲା ପର୍ଯ୍ୟନ୍ତ ଦୁଷ୍ଟ ଯେପରି ତାହାପ୍ରତି କୌଣସି ଅତ୍ୟାଚାର ନ କରେ । ମୁଁ ଏପରି ବନ୍ଦୋବସ୍ତ କରିବି ଯେ ପଦ୍ମମାଳୀକୁ ଆମ୍ଭେମାନେ ଦୁର୍ଯ୍ୟୋଧନ ହସ୍ତରୁ ଅତିଶୀଘ୍ର ଆଣି ପାରିବୁଁ ।’’

ବଳ–‘‘ପଦ୍ମମାଳୀକୁ ଦୁର୍ଯ୍ୟୋଧନ ଯେଉଁଠାରେ ରଖିବ ତାହା ମୁଁ ଜାଣେ । ମୁଁ ତୁମ୍ଭର କହିବା ମୁତାବକ ଏକ ହପ୍ତା ପର୍ଯ୍ୟନ୍ତ ଯେପରି ଦୁର୍ଯ୍ୟୋଧନ ପଦ୍ମମାଳୀର କୌଣସି ଅନିଷ୍ଟ କରି ନ ପାରେ ତହିଁର ଉପାୟ କରିବି ।’’

ସେନା–‘‘ଆଚ୍ଛା, ତୁ ଯା; ଏକ ହପ୍ତା ମଧ୍ୟରେ ମୁଁ ପଦ୍ମମାଳୀକୁ ଉଦ୍ଧାର କରିବାର ଉପାୟ କରୁ’ଛି ।’’

ବଳବନ୍ତରା ଉପରେ ନିର୍ଭର କରିବାକୁ କହି ସେ ତତ୍‌କ୍ଷଣାତ୍‌ ସେଠାରୁ ପ୍ରସ୍ଥାନ କଲା । ସେନାପତି ପଟୋୟାରୀଙ୍କର ପ୍ରତିବେଶୀ ଓ ଆବାଲ୍ୟ ବନ୍ଧୁ । ପରୀକ୍ଷିତ ସିଂହଙ୍କ ସହିତରେ ପଦ୍ମମାଳୀର ବିବାହର ନିର୍ବନ୍ଧପତ୍ର ହୋଇଥିଲା, ତାହା ସେ ଜାଣିଥିଲେ । ମଧ୍ୟ ସେ ଜାଣିଥିଲେ ଯେ ଏ ବିବାହର ମଧ୍ୟସ୍ଥ ମହନ୍ତ । ସେ ଅବିଲମ୍ବେ ପଟୋୟାରୀଙ୍କର ଏକ ଟାଙ୍ଗଣ ଆରୋହଣ କରି ମହନ୍ତଙ୍କ ନିକଟକୁ ଯାତ୍ରା କଲେ ଓ ଯିବା ସମୟରେ ବାଲେଶ୍ୱରର ଥାନାରେ ଏ ଘଟନାର ଏତଲା ଦେବାପାଇଁ ପଟୋୟାରୀଙ୍କର ଏକଜଣ ଭୃତ୍ୟକୁ ପଠାଇ ଦେଲେ ।

•••

 

ଚତୁର୍ବିଂଶ ପରିଚ୍ଛେଦ

ସେନାପତି ମଠରେ

 

ସେନାପତି ଦୁର୍ଗମ ଅରଣ୍ୟମାର୍ଗ ଦେଇ ଅଶ୍ୱାରୋହଣେ ଚାଲିଲେ । ଉଭୟ ପାର୍ଶ୍ୱରେ କଣ୍ଟକ ଓ ଜଙ୍ଗଲ ମଧ୍ୟରେ ଅପ୍ରଶସ୍ତ ବାଟ । ବାଟ ଦୁର୍ଗମ; କିନ୍ତୁ ତହିଁରେ ସେନାପତିଙ୍କର ଭ୍ରୂକ୍ଷେପ ନାହିଁ । ବନ୍ଧୁର ମାର୍ଗରେ କେଉଁଠାରେ ଅଶ୍ୱର ପଦସ୍ଖଳନ ହେବ ଓ ତଦ୍ଦ୍ୱାରା ଆରୋହୀ ଏବଂ ଜନ୍ତୁର ଅନିଷ୍ଟ ହେବ, ତହିଁରେ ତାହାଙ୍କର ଦୃଷ୍ଟି ନାହିଁ । ଅଶ୍ୱ ଦ୍ରୁତଗମନେ ଚାଲୁଅଛି । ଅପରାହ୍ନ ଘ୪ଣ୍ଟା ସମୟରେ ସେନାପତି ଯାତ୍ରା କରିଥିଲେ । ପାଞ୍ଚ କ୍ରୋଶ ପଥ ଆସିଲେଣି । ଆହୁରି ତିନି କ୍ରୋଶ ପଥ ବାକୀ ଅଛି; ସୂର୍ଯ୍ୟଦେବ ଅସ୍ତାଚଳ ଆରୋହଣ କରିଥିଲେ । ବାକୀ ତିନିକ୍ରୋଶ (ଆମ୍ଭମାନଙ୍କର ଦୁଇ ମାଇଲରେ ଯେ ଏକ କ୍ରୋଶ ହୁଏ ତାହା ନୁହେ) ଡାଳଭଙ୍ଗା କ୍ରୋଶ ତାହାଙ୍କର ସମ୍ମୁଖରେ ଥିଲା । ସନ୍ଧ୍ୟାର ଅନ୍ଧକାର ପୃଥିବୀକୁ କ୍ରମେ କ୍ରମେ ଆଚ୍ଛାଦନ କରୁଥିଲା । ବାକୀ ଥିବା ତିନିକ୍ରୋଶ ଏ କନ୍ଦର୍ଯ୍ୟ ଦୁର୍ଗମମାର୍ଗରେ ଏକଘଣ୍ଟାରେ ଅତିକ୍ରମ କରିବା ଦୁଃସାଧ୍ୟ । ସେନାପତି ସାହସରେ ନିର୍ଭର କରି ଅଶ୍ୱରକ୍ଷକକୁ ସଙ୍ଗେ ନ ନେଇ ଏକାକୀ ଆସିଥିଲେ । ଯାହାହେଉ, ଯେ କୌଣସି ପ୍ରକାରେ ହେଉ, ତାହାଙ୍କୁ ଦେଉଳସାହି ମଠରେ ପହୁଞ୍ଚିବାକୁ ହେବ । ଅଶ୍ୱର ଭଲ ମନ୍ଦ ଚିନ୍ତା କରିବାର ସମୟ ନାହିଁ । ପଟ୍ଟୋୟାରୀଙ୍କର ବଡ଼ ପ୍ରିୟ ତୁରଙ୍ଗମ, ସେନାପତି ଏହା ଜାଣିଥିଲେ; କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଆଉ ଉପାୟ ନ ଥିଲା । ଅଶ୍ୱବର ଅଶ୍ୱଲୀଳା ସମ୍ବରଣ କରୁ ଅଥବା ତା ତାହାଙ୍କର ଗ୍ରୀବା ଭଗ୍ନ ହୋଇ ସେ ଏହିଠାରେ ଅକୃତସଂସ୍କାର ହୋଇ ରହନ୍ତୁ, ଏ ସବୁ ତାହାଙ୍କର ଚିନ୍ତା କରିବାର ସମୟ ନ ଥିଲା । ଘୋଡ଼ା ଏ ପର୍ଯ୍ୟନ୍ତ ‘କଦମ’ ଆସୁଥିଲା; କିନ୍ତୁ ଏଣିକି ଆଉ ‘‘କଦମ’’ ଗଲେ ଚଳିବ ନାହିଁ । ସେନାପତି ଅଶ୍ୱର କୂକ୍ଷିରେ ସଜୋରେ ଦୁଇ ପଦାଘାତ ଓ ପୃଷ୍ଠରେ ଏକ କଶାଘାତ କଲେ; ତେଜି ଘୋଡ଼ା ଏ ଆଘାତରେ ଅଗ୍ନିସ୍ଫୁଲିଙ୍ଗନର ନ୍ୟାୟ ଲମ୍ଫ ପ୍ରଦାନ କରି ବିଦ୍ୟୁତ୍‌ ବେଗେ ଧାବିତ ହେଲା । ଅନ୍ଧକାରରେ ସେହି ଦୁର୍ଗମପଥ ତିନିକ୍ରୋଶ ଏକ ଘଣ୍ଟାରେ ଅତିକ୍ରମ କରି ଦେଉଳସାହୀ ମଠରେ ଉପସ୍ଥିତ ହେଲା; କିନ୍ତୁ ସେନାପତି ତାହା ପୃଷ୍ଠରେ ଅବତରଣ କରନ୍ତେ, ଭୂତଳଶାୟୀ ହୋଇ ପ୍ରାଣ ତ୍ୟାଗ କଲା ।

ସେନାପତି ମଠରେ ପ୍ରବିଷ୍ଟ ହେଲା ସମୟେ ମହନ୍ତ ମୃଗାସନରେ ଉପବିଷ୍ଟ ହୋଇ ସାୟଂ ସନ୍ଧ୍ୟା କରୁଥିଲେ । ସେନାପତି ଏହି ଅବସରରେ ହସ୍ତପଦ ପ୍ରକ୍ଷାଳନ କରି ଶ୍ରାନ୍ତି ଦୂର କଲେ-। ମହନ୍ତ ସନ୍ଧ୍ୟା ସମାପନ କରି ସେନାପତିଙ୍କୁ ଆଗତ ଦେଖି ସୋତ୍ସୁକେ ଜିଜ୍ଞାସା କଲେ,–

‘‘ସେନାପତି କି ଅଭିପ୍ରାୟରେ ଆସିଲ । ପାଞ୍ଚଗଡ଼ରୁ କେତେବେଳେ ବାହାରି ଥିଲ ? ତୁମ୍ଭର ସବୁ କୁଶଳ ତ ? ପଟ୍ଟୋୟାରୀ କିପରି ଅଛନ୍ତି ?’’

ଇତ୍ୟାଦି ପ୍ରଶ୍ନମାନ ଶୁଣି ସେନାପତି, ମହନ୍ତ ଆଉ ଅଧିକ ପ୍ରଶ୍ନ କଲା ପୂର୍ବରୁ ମହନ୍ତଙ୍କୁ ସମୁଦାୟ ଘଟନା ଆନୁପୂର୍ବିକ ବର୍ଣ୍ଣନା କଲେ । ମହନ୍ତ ସମୁଦାୟ ଶ୍ରବଣ କରି କ୍ଷଣକାଳ ନିର୍ବାକ ହୋଇ ରହିଲା ଉତ୍ତାରୁ କହିଲେ,–

‘‘କି !!! ଦୁଷ୍ଟର ଏଡ଼େ ସାହସ । ଫିରିଙ୍ଗୀ ତାହାର ବାଡ଼ିଆଡ଼େ ଅଛି, ତଥାପି କିଛିମାତ୍ର ଭୟ ନାହିଁ ।’’

ସେନା–‘‘ତାହା ହେଲେ ଏପରି କରନ୍ତା ।’’

ମ–‘‘ବର୍ତ୍ତମାନ ଉପାୟ କଣ । ବାଲେଶ୍ୱର ମେଜଷ୍ଟରଙ୍କ ନିକଟକୁ ଏତଲା ଦିଆ ହୋଇଅଛି କି ?

ସେନା–‘‘ଆଜି ମୁଁ ଆସିଲାବେଳେ ଏତଲା ଦେବା ପାଇଁ ଫକୀର ପରିଡ଼ାକୁ ପଠାଇଥିଲି; କିନ୍ତୁ ସେ ଏତଲାରେ କି ଫଳ ହେବ । ମେଜଷ୍ଟର ସାହେବ ଆସି ତଦାରଖ କରୁ କରୁ ତେଣେ ଆମ୍ଭେମାନେ ପଦ୍ମମାଳୀକୁ ହରାଇ ଥିବା । ପଦ୍ମମାଳୀ ବର୍ତ୍ତମାନ ଦୁଷ୍ଟର ହସ୍ତଗତା । ପଦ୍ମମାଳୀକୁ ଆପଣା ଅଧିକାରରେ ପାଇ ଦୁରାତ୍ମା ଯେ ତାହା ପ୍ରତି କୌଣସି ଅତ୍ୟାଚାର ନ କରିବ ଏହା କିଏ କହିବ ?’’

ମ–‘‘ଠିକ୍‌ କହିଲ । ଏବେ ଉପାୟ କ’ଣ ?’’

ସେ–‘‘ମୁଁ ତ କିଛି ଉପାୟ ନ ଦେଖି, ଆପଣଙ୍କ ପାଖକୁ ଆସିଲି ।’’ ମହନ୍ତ କ୍ଷଣକାଳ ନୀରବ ହୋଇ ଚିନ୍ତା କଲେ । ତତ୍ପରେ ହଠାତ୍‌ ମନ ମଧ୍ୟରେ ଏକ ଉପାୟ ପ୍ରବେଶ କଲା ପ୍ରାୟ, ମହନ୍ତ କହିଲେ,–ହଁ ‘‘ହୋଇଅଛି ।’’

ସେ–‘‘କ’ଣ ହୋଇଅଛି ?’’

ମ–‘‘ଉପାୟ ହୋଇଅଛି । ପରୀକ୍ଷିତ ସିଂହଙ୍କୁ ସମ୍ବାଦ ଦେବା, ସେ ଏହାର ପ୍ରତୀକାର କରିବେ ।’’

ମହନ୍ତ ତତ୍‌କ୍ଷଣାତ୍‌ କପତୀପଦାକୁ ଏକଜଣ ଦୂତ ପ୍ରେରଣ କଲେ । ସେନାପତି ସେ ରାତ୍ରି ମଠରେ ରହି ପ୍ରତ୍ୟୁଷେ ପାଞ୍ଚଗଡ଼କୁ ପ୍ରତ୍ୟାଗମନ କଲେ ।

•••

 

ପଞ୍ଚବିଂଶ ପରିଚ୍ଛେଦ

ଗଣ୍ଠି

 

ହରିବାକୁ ପରୀକ୍ଷିତ ସିଂହଙ୍କଠାରୁ ସାହାଯ୍ୟପ୍ରାପ୍ତ ହେବାରେ ନିରାଶ ହୋଇଥିଲେହେଁ ନୀଳଗିରିର ସିଂହାସନ ପ୍ରାପ୍ତ ହେବାର ଆଶା ସେ ଏକାବେଳକେ ପରିତ୍ୟାଗ କରି ନ ଥିଲେ । ନୀଳଗିରି କେତେକ ମୌଜାର ସରଦାର ତାହାଙ୍କର ପକ୍ଷ ଅବଲମ୍ବନ କରିଥିଲେ । ଭଗବାନ ବାବୁ ଓ ନନ୍ଦ ବାବୁ କଂସାରିରେ, ଥାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କଂସାରିର ସରଦାର କହ୍ନାଇ ବାବୁଙ୍କୁ ସମ୍ମତ କରାଇଥିଲେ । ନୀଳଗିରିସ୍ଥ ବରହମପୁରର ଭୂମିଜ ଓ କୁରମିଙ୍କର ସରଦାର ପାତ୍ରପରିଡ଼ା ଓ ଚୈତନ୍ୟ ଚୌଧୁରୀ ବିଦ୍ରୋହୀଙ୍କ ଦଳରେ ସମ୍ମିଳିତ ହୋଇଥିଲେ । ବିଦ୍ରୋହୀମାନେ ରାଉତୁରା ବାବୁ ପୃଥ୍ୱୀନାଥ ଭଞ୍ଜ ଦେବଙ୍କଠାରୁ ଦୁଇଶ ପାଇକର ସାହାଯ୍ୟ ପାଇବାର ଆଶା ପ୍ରାପ୍ତ ହୋଇଥିଲେ । ହରିବାବୁ ସମୁଦାୟ ସୈନ୍ୟ ଏକତ୍ର କରି ନୀଳଗିରି ଆକ୍ରମଣ କରିବାକୁ ପ୍ରସ୍ତୁତ ହେବା ପୂର୍ବରେ ମଧ୍ୟେ ମଧ୍ୟେ ଶଏ କି ପଚାଶ ପାଇକ ପଠାଇ ନୀଳଗିରିର ଏକ ଏକ ଗ୍ରାମ ଲୁଣ୍ଠନ କରି ପ୍ରଜାମାନଙ୍କର ଗୋ ମହିଷାଦି ଅଡ଼ାଇ ଆଣୁଥିଲେ ।

 

ବିଦ୍ରୋହୀମାନେ ନୀଳଗିରି ଆକ୍ରମଣର ଉଦ୍‌ଯୋଗ କରୁଥିବା ସମୟରେ ମହନ୍ତଙ୍କର ଦୂତ ପରୀକ୍ଷିତ ସିଂହଙ୍କ ନିକଟରେ ପ୍ରବେଶ କଲା । ପରୀକ୍ଷିତ ସିଂହ ପାଞ୍ଚଗଡ଼ର ଘଟନା ସମୁଦାୟ ଶ୍ରବଣ କରି ବିଦ୍ରୋହୀଙ୍କ ଦଳରେ ମିଳିତ ହୋଇ ହରିବାବୁଙ୍କୁ କହିଲେ,–

 

‘‘ହରିବାକୁ ଆମ୍ଭେ ତିନିଶତ ପାଇକ ଦେବୁଁ । ତୁମ୍ଭେ ରାଉତୁରା ବାବୁ ଓ କହ୍ନେଇ ବାବୁଙ୍କଠାରୁ ଯେତେ ପାଇକ ପାଇବାର ଆଶା ପାଇଅଛ ସେ ସମସ୍ତଙ୍କୁ ଏକତ୍ର କରାଅ, ଯେତେ ଶୀଘ୍ର ପାରୁଁ ଆମ୍ଭେମାନେ ନୀଳଗିରିକୁ ଯାତ୍ରା କରିବା । ମୁଁ ଓ ବଳି ବାବୁ କପତୀପଦାର ପାଇକଙ୍କର ଅଧିନାୟକ ହୋଇ ଯିବୁଁ ।’’

 

ହରିବାବୁ ଓ ଅନ୍ୟାନ୍ୟ ବିଦ୍ରୋହୀମାନେ, ପରୀକ୍ଷିତ ସିଂହ ସେମାନଙ୍କର ସହିତ ମିଳିତ ହୋଇଥିବାର ଶୁଣି ଅତିଶୟ ଆନନ୍ଦିତ ହେଲେ ଓ ତଦ୍ଦଣ୍ଡେ ପାଇକ ସଂଗ୍ରହ କରିବାପାଇଁ ଚତୁର୍ଦ୍ଦିଗେ ହୁଲିୟା ପ୍ରେରଣ କଲେ । ପରୀକ୍ଷିତ ସିଂହ ତାଙ୍କ ରାଜ୍ୟମଧ୍ୟରେ ‘ଗଣ୍ଠି’ ଦ୍ୱାରା ପାଇକ ସଂଗ୍ରହକରିବା ସକାଶେ ତାଙ୍କ ସୈନ୍ୟାଧ୍ୟକ୍ଷଙ୍କୁ ଆଦେଶ କଲେ । ଗଣ୍ଠି କ’ଣ ଏହା ପାଠକଙ୍କର ଜାଣିବାର ଆବଶ୍ୟକ । ଆମ୍ଭେ ଯେଉଁ ସମୟରେ ଇତିହାସ ଲେଖୁଅଛୁ ସେ ସମୟରେ ଯୁଦ୍ଧ ବିଗ୍ରହ ବିରଳ ନ ଥିଲା ଶୀଘ୍ର ସୈନ୍ୟ ସମାବେଶ କରିବାର ଆବଶ୍ୟକ ହେଲେ ‘ଗଣ୍ଠି’ ଚାଳିତ କରିବାର ରୀତି ପ୍ରଚଳିତ ଥିଲା । ଏକ ଖଣ୍ଡ ସିୟାରି ନଇର ଏକ ଅଗ୍ରରେ ଅଙ୍ଗାର ବଦ୍ଧ ଥାଏ । ତାହାକୁ ‘ଗଣ୍ଠି’ ବୋଲାଯାଏ । ଆମ୍ଭମାନଙ୍କର ଗଡ଼ଜାତର ପାର୍ବତ୍ୟ ପ୍ରଦେଶମାନଙ୍କୁ ସ୍କଟଲ୍ୟାଣ୍ଡର ହାଇଲ୍ୟାଣ୍ଡ ସ୍ଥାନୀୟ ଜ୍ଞାନ କରାଯାଇ ପାରେ । ସ୍କଟଲ୍ୟାଣ୍ଡର ହାଇଲ୍ୟାଣ୍ଡରେ ପ୍ରଚଳିତ (Firebrand) ପ୍ରଜ୍ୱଳିତ କାଷ୍ଠଖଣ୍ଡ ଯାହା, ଆମ୍ଭମାନଙ୍କର ‘‘ଗଣ୍ଠି’’ ତାହା, ତାହାକୁ ଅମାନ୍ୟ କରିବାକୁ କାହାର କ୍ଷମତା ନାହିଁ । ସିୟାରି ନଇରେ ଆବଦ୍ଧ ଅଙ୍ଗାରରୁ ବୁଝିବାକୁ ହେବ ଯେ ଯେଉଁ ବ୍ୟକ୍ତି ଗଣ୍ଠିକୁ ଅମାନ୍ୟ କରିବ, ତାହାର ଗୃହ ଭସ୍ମମାତ୍‌ କରାଯିବ ଓ ତାହାର ସମୁଚିତ ଦଣ୍ଡ ହେବ ।

 

ଆଜି ଶ୍ରୀରାମପୁର ଗ୍ରାମରେ ଗୋଟିଏ ମଙ୍ଗଳ ଉତ୍ସବର ଅନୁଷ୍ଠାନ ହୋଇଅଛି । ଦଳବେହେରା, ଗୋବିନ୍ଦ ସର୍ଦ୍ଦାର ସିଂହଙ୍କର ଆଜି ଶୁଭପରିଣୟ । ଆମ୍ଭମାନଙ୍କର ପରିଚିତ ଘଣ୍ଟଶୀଳା ଗଡ଼ନାୟକର ଦୁହିତା ଜୟନ୍ତୀ କନ୍ୟା । ବାଦ୍ୟକାର, ରୋସନେଇ, ବରଯାତ୍ରୀ, ପୁରୋହିତ ଇତ୍ୟାଦି ସମସ୍ତେ ପ୍ରସ୍ତୁତ; ଶଙ୍ଖ, ହୁଳହୁଳି ଧ୍ୱନିରେ ଦିଗନ୍ତ କମ୍ପିତ । ବର ଅନୁକୂଳ କରି ପାଲିଙ୍କିରେ ବସିବାକୁ ଯାଉଅଛି; କିନ୍ତୁ କି ସର୍ବନାଶ । ‘ଗଣ୍ଠି’ ଉପସ୍ଥିତ । ଗଣ୍ଠିବାହକ–‘ଭେଣ୍ଡିଆ ଟାଙ୍ଗର–ଏହି ସାଙ୍କେତିକ ଶବ୍ଦ ଉଚ୍ଚାରଣ କରି ‘‘ଗଣ୍ଠି’’ ଦଳବେହେରା ହସ୍ତକୁ ପ୍ରଦାନ କଲା । ସମସ୍ତେ ନିର୍ବାକ୍‍ ଓ ନିସ୍ତବ୍ଦ, ଗୋବିନ୍ଦ ସର୍ଦ୍ଦାର ସିଂହ ତତ୍‍କ୍ଷଣାତ୍‍ ବରବେଶ ଉନ୍ମୋଚନ କରି ପରବର୍ତ୍ତୀ ପାଇକାଳୀ ଗ୍ରାମ ଉଦ୍ଦେଶ୍ୟରେ ‘‘ଗଣ୍ଠି’’ ସହିତ ଧାବମାନ ହେଲେ । ‘ଭେଣ୍ଡିଆ ଟାଙ୍ଗର’ ଅର୍ଥ ସମସ୍ତେ ଯଥାସାଧ୍ୟ ଯତ୍ନବାନ୍‌ ହୋଇ ଭେଣ୍ଡିଆ ଟାଙ୍ଗରରେ ସମବେତ ହେବେ । ପରଦିବସ ସୂର୍ଯ୍ୟାସ୍ତ ପୂର୍ବରେ ଭେଣ୍ଡିଆ ଟାଙ୍ଗରରେ ତିନିଶତ ପାଇକ ଏକତ୍ର ହେଲେ । ରାଉତୁରା ବାବୁଙ୍କର ଦୁଇଶତ ଓ ହରିବାବୁଙ୍କର ସଂଗୃହୀତ ତିନିଶତ ଏହି ପ୍ରକାରେ ଅଷ୍ଟଶତ ପାଇକ ନୀଳଗିରି ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ କପତୀପଦାରେ ରହିଲେ । ବିଦ୍ରୋହୀମାନେ ପରୀକ୍ଷିତ ସିଂହକୁ ଏ ସମୁଦାୟ ସୈନ୍ୟର ଅଧିନାୟକ କଲେ ଓ ତାହାଙ୍କର ଆଦେଶ ଅନୁସାରେ ସେମାନେ ଚାଳିତ ହେବାକୁ ସମ୍ମତ ହେଲେ । ସେହି ରାତ୍ରିରେ ବିଦ୍ରୋହୀମାନେ ଏକତ୍ରିତ ହୋଇ ସେମାନଙ୍କର କାର୍ଯ୍ୟାବଳୀ ସ୍ଥିର କଲେ ।

 

ପରୀକ୍ଷିତ ସିଂହ କହିଲେ,–‘‘ବରହମପୁରର ପାତ୍ର ପରିଡ଼ା ଓ ଚୈତନ୍ୟ ଚୌଧୁରୀ ଆମ୍ଭମାନଙ୍କ ସହିତ ଯୋଗ ଦେଇଅଛନ୍ତି । କାଲି ପ୍ରତ୍ୟୁଷେ ଆମ୍ଭେମାନେ ସମୁଦାୟ ଫଉଜ ନେଇ ବରହମପୁରରେ ଛାଉଣି କରିବା । ନୀଳଗିରିଠାରୁ ବରହମପୁର ପାଞ୍ଚ କ୍ରୋଶରୁ ଅଧିକ ନୁହେ । ବରହମପୁରରେ ଅର୍ଦ୍ଧେକ ସୈନ୍ୟ ରହିବେ ଓ ବାକୀ ଅର୍ଦ୍ଧେକ ସୈନ୍ୟ ସନ୍ଧ୍ୟା ଉତ୍ତାରୁ ନୀଳଗିରି ଗଡ଼କୁ କୁଚ୍‌ କରିବେ; ଯେ ରାତ୍ରି ଦ୍ୱିପ୍ରହର ସମୟରେ ସେମାନେ ଗଡ଼ରେ ପହୁଞ୍ଚି ପାରିବେ । ନୀଳଗିରି ରାଜାଙ୍କର ସମୁଦାୟରେ ପାଞ୍ଚଶତ ପାଇକ, ତହିଁରେ ଅର୍ଦ୍ଧେକ ବିଦ୍ରୋହୀ ହୋଇଅଛନ୍ତି । ଆମ୍ଭେମାନେ ରାତ୍ରି କାଳରେ ଚଢ଼ାଉ କରିବା ଓ ଆମ୍ଭ ଫଉଜରୁ ଅର୍ଦ୍ଧେକ ଗଡ଼କୁ ଗଲେ ଯଥେଷ୍ଟ ହେବ ।’’ ବିଦ୍ରୋହୀମାନେ ପରୀକ୍ଷିତ ସିଂହଙ୍କର କଥାରେ ଏକବାକ୍ୟ ହୋଇ ତାହାଙ୍କୁ ସାଧୁବାଦ କଲେ ।

 

ବିଦ୍ରୋହୀମାନେ କପତୀପଦାରେ ସେମାନଙ୍କର ବନ୍ଦୋବସ୍ତ କରୁ ଥାଆନ୍ତୁ, ପାଠକେ, ଚାଲନ୍ତୁ, ନୀଳଗିରିରେ କି ଘଟନା ହେଉଅଛି ଦେଖିବା ।

•••

 

ଷଡ଼ବିଂଶ ପରିଚ୍ଛେଦ

ଘଣ୍ଟଶୀଳା ଅଭିଯାନ

 

ଘଣ୍ଟଶୀଳା ଗଡ଼ନାୟକ ଜୟନ୍ତୀର ମାଙ୍ଗଳିକ କାର୍ଯ୍ୟ ସମୁଦାୟ ସମ୍ପନ୍ନ କରି ବନ୍ଧୁ ବାନ୍ଧବ ସହିତ ବରର ପ୍ରତୀକ୍ଷାରେ ରହିଥିଲେ । ବର ଆସିଲେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କ୍ରମେ କ୍ରମେ ରାତ୍ରି ଦ୍ୱିପହର ଅତୀତ ହେଲା, ତଥାପି ବରପକ୍ଷର କୌଣସି ଚିହ୍ନ ପର୍ଯ୍ୟନ୍ତ ନାହିଁ । କାହିଁକି ବରର ଆସିବାର ବିଳମ୍ବ ହେଉଅଛି ଜାଣିବାପାଇଁ, ସେ ଏକଜଣ ଦ୍ରୁତଗାମୀ ଚୌକିଦାରକୁ ପ୍ରେରଣ କଲେ-। ଆଜ୍ଞା ମାତ୍ରେ ଛଞ୍ଚାଣ ଡିଆଁ ବାଘ ଏକ ଦୀର୍ଘ ବାଂଶ ଯଷ୍ଟି ଉପରେ ପ୍ରତ୍ୟେକ ପଦ ବିକ୍ଷେପେ ନିର୍ଭର କରି ଲମ୍ଫ ପ୍ରଦାନଦ୍ୱାରା ମାର୍ଗ ଅତିକ୍ରମ କରି ଚାଲିଲା । ପାଣମାନଙ୍କ ମଧ୍ୟରେ ଏପରି ଯଷ୍ଟିପରେ ନିର୍ଭର କରି, ବାଟ ଚାଲିବାରେ ଅଭ୍ୟସ୍ତ ବ୍ୟକ୍ତିମାନେ ଅଛନ୍ତି, ଯେ ଯେଉଁମାନେ ଏକରାତ୍ର ମଧ୍ୟରେ ଅବଲୀଲାକ୍ରମେ ଦଶକ୍ରୋଶ ଦୂରସ୍ଥ ଗ୍ରାମରେ ଚୋରୀ, ସିନ୍ଧି ଆଦି କରି ରାତ୍ରି ଶେଷ ହେବା ପୂର୍ବରୁ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି, ଏହା ଆମ୍ଭେ ଜାଣିଅଛୁଁ । ରାତ୍ର ପ୍ରଭାତ ପୂର୍ବରେ ଡିଆଁ ବାଘ ଫେରି ଆସି ଜ୍ଞାପନ କଲା, ଯେ ସର୍ଦ୍ଦାର ସିଂହ ଗଣ୍ଠିରେ ଯାଇଅଛନ୍ତି । ଏହା ଶୁଣି ଗଡ଼ନାୟକ ବିଷଣ୍ଣଚିତ୍ତରେ ବନ୍ଧୁବାନ୍ଧବମାନଙ୍କୁ ସ୍ୱ ସ୍ୱ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସକାଶେ କହିଲେ ।

 

ଦୁର୍ଯ୍ୟୋଧନ ରାଣୀଙ୍କର ଆଦେଶ ପାଇ ଶାନ୍ତି ଦାସ ଲକ୍ଷ୍ମର ପଣ୍ଡା ପ୍ରଭୁତିଙ୍କୁ ଏକଶତ ପାଇକ ସହିତ ପାଞ୍ଚଗଡ଼ ପ୍ରେରଣ କରି, ସ୍ୱୟଂ ଅର୍ଦ୍ଧଶତ ପଦାତିକ ସହିତ ଘଣ୍ଟଶୀଳା ଅଭିମୁଖେ ଯାତ୍ରା କଲେ । ପ୍ରତ୍ୟେକ ଗ୍ରାମରେ ଏକଗୋଟି ଭାଗବତ ଘର ଓ ମଣ୍ଡପ ଥାଏ । ସେଠାରେ ଅତିଥି ଅଭ୍ୟାଗତ ପ୍ରଭୃତି ସେ ଗ୍ରାମକୁ ଆସିଲେ ଆଶ୍ରୟ ପାଇଥାନ୍ତି । ଦୁର୍ଯ୍ୟୋଧନ ହସ୍ତୀ ଆରୋହଣରେ ଆସି ମଣ୍ଡପରେ ଅବତୀର୍ଣ୍ଣ ହେଲେ । ଡିଆଁ ବାଘ ଶୀଘ୍ର ଯାଇ, ତାଙ୍କର ଆଗମନ ବାର୍ତ୍ତା ଗଡ଼ନାୟକକୁ ପ୍ରଦାନ କଲା । ତାହା ଶୁଣି ଗଡ଼ନାୟକ ଦାସଙ୍କର ଏପରି ହଠାତ୍‌ ଆଗମନ ଶୁଭ ଲକ୍ଷଣ ନୁହେଁ, ନିଶ୍ଚୟ କରି ଚିନ୍ତାଶୀଳ ହେଲେ । ଯାହା ହେଉ ଯେତେବେଳେ ଅତିଥି ଗ୍ରାମରେ ଉପସ୍ଥିତ, ତାଙ୍କର ସତ୍କାର ଆବଶ୍ୟକ । ସୁତରାଂ ଗଡ଼ନାୟକ କନ୍ୟାର ବିବାହ ସକାଶେ ଯେଉଁ ରସଦ ସାମଗ୍ରି ମିଷ୍ଟାନ୍ନାଦି ପ୍ରସ୍ତୁତ କରାଇଥିଲେ, ତହିଁ ମଧ୍ୟରୁ ଯଥେଷ୍ଟ ପରିମାଣରେ ଚାଉଳ, ଡାଲି, ପରିବା, ଘୃତ, ଦୁଗ୍‍ଧ, ଦଧି, ମିଷ୍ଟାନ୍ନ, ଖସି ପ୍ରଭୃତି ଭାରରେ ସଜ୍ଜିତ କରି ଦୁର୍ଯ୍ୟୋଧନ ସମୀପକୁ ଗମନ କଲେ ଓ ଦଣ୍ଡବତ ହୋଇ କରଯୋଡ଼ି ଦଣ୍ଡାୟମାନ ହେଲେ । ଦୁର୍ଯ୍ୟୋଧନ ଦ୍ରବ୍ୟ ସମ୍ଭାର ପ୍ରତି ଲୋଲୁପ କଟାକ୍ଷ କରି ପ୍ରକାଶ୍ୟ ଭାବରେ କହିଲା,–

 

‘ଏ ସବୁ କ’ଣ ? ଏ ସବୁ କ’ଣ ହବ ?’’

 

ଗଡ଼ନାୟକ–(ହାତଯୋଡ଼ି) ‘‘ଆଜ୍ଞା, ଛାମୁରୁ ଆମ୍ଭ ମୌଜାକୁ ବିଜେ କରି ଅଛନ୍ତି, ଆମ୍ଭଙ୍କୁ କ’ଣ ମିଳି ପାରେ, ଏ ସାମାନ୍ୟ ରସିଦ ଆଣିଛନ୍ତି ।’’ ଏହା କହି ଭାରବାହକମାନଙ୍କ ପ୍ରତି ଇଙ୍ଗିତ କରନ୍ତେ, ସେମାନେ ରସିଦ ସାମଗ୍ରୀ ଖନ୍ଦାକୁ ନେଇ ଗଲେ । ଦୁର୍ଯ୍ୟୋଧନ ମନେ ମନେ ଆନନ୍ଦିତ ହେଲା । ଦୁର୍ଯ୍ୟୋଧନ କି ଉଦ୍ଦେଶ୍ୟରେ ଘଣ୍ଟଶୀଳା ଆସିଥିଲା, ତାହା ବୋଧହୁଏ ପାଠକ ମହାଶୟ ବିସ୍ମୃତ ହୋଇ ନାହାନ୍ତି; କିନ୍ତୁ ବର୍ତ୍ତମାନ ଗଡ଼ନାୟକକୁ କିଛି ନ କହି ସ୍ନାନ ଆହାର ବିଶ୍ରାମ ପରେ ଅପରାହ୍ନରେ ତାହାଙ୍କ ସହିତ ସାକ୍ଷାତ୍‌ କରିବାର ଆଦେଶ କରି, ବିଦାୟ ଦେଲେ ।

 

ଦୁର୍ଯ୍ୟୋଧନ ଗଡ଼ନାୟକ ପ୍ରଦତ୍ତ ରସିଦ ସାମଗ୍ରୀରେ ପ୍ରସ୍ତୁତ ନାନାବିଧି ଅନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ-ଚବ୍ୟ, ଚୋସ୍ୟ ଲେହ୍ୟ, ପେୟଦ୍ୱାରା ଉତ୍ତମରୂପେ ଉଦର ପୂର୍ତ୍ତି କରି, ସୁକୋମଳ ଶଯ୍ୟାରେ ଶୟନଦ୍ୱାରା ପଥଶ୍ରମ ଦୂର କଲା । ଅପରାହ୍ନରେ ସେ ଗ୍ରାମର ଓ ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମମାନଙ୍କର ପ୍ରଜାମାନେ ମଣ୍ଡପ ସମୀପସ୍ଥ ‘ଆମ୍ବ ବୁରେଇ’ରେ ସମବେତ ହେଲେ । କେହି କେହି ଆପଣାର ଦୁଃଖ ଗୁହାରି କରିବା ନିମନ୍ତେ, ଅଧିକାଂଶ କୌତୁହଳ ଚରିତାର୍ଥ କରିବା ସକାଶେ ଆସିଥିଲେ । ଦୁର୍ଯ୍ୟୋଧନ ଶୟନରୁ ଉତ୍‍ଥାନ କରି ହସ୍ତ ମୁଖ ପ୍ରକ୍ଷାଳନାନନ୍ତର, ତାହାର ଖାସ୍ ଅମଲା ଭଜହରି ଦାସକୁ ଆହ୍ୱାନ କଲା । ଭଜହରି ଉପସ୍ଥିତ ହୋଇ କହିଲା–

 

‘‘ଆଜ୍ଞା, ଶୁଣି ନାହାନ୍ତି କାଲି ବଡ଼ ମଜା ହୋଇ ଯାଇଅଛି ।’’

ଦୁର୍ଯ୍ୟୋଧନ–‘କିପରି ?’

 

ଭଜହରି–‘ଘଣ୍ଟଶୀଳା ଗଡ଼ନାୟକର ଝିଅର ଶ୍ରୀରାମପୁର ଦଳବେହେରା ଗୋବିନ୍ଦ ସର୍ଦ୍ଦାର ସିଂହର ସହିତ ବିବାହର ସମସ୍ତ ଆୟୋଜନ ହୋଇଥିଲା । ଖାଲି ବର ଆସିଲେ ହୁଏ । ରାତ୍ର ଦ୍ୱିପହର ହେଲା ତଥାପି ବରର ଦେଖା ନାହିଁ । ଗଡ଼ନାୟକ ଭାରୀ ଚିନ୍ତିତ ହୋଇ ଚୌକିଆ ପଠାଇ ବୁଝିଲେ ଯେ ବର ଗଣ୍ଠିରେ ଯାଇଅଛି ।’

 

ଦୁର୍ଯ୍ୟୋଧନ–(ଉଦ୍‌ବିଗ୍ନତା ସହିତ) ‘ଗଣ୍ଠି’ରେ ? ‘‘ଏହା ତ ବଡ଼ ଭଲ ଖବର ନୁହେଁ । ଶ୍ରୀରାମପୁର କପ୍ତିପଦାର ପାଇକାଳୀ ମୌଜା, ତେବେ କି ପରୀକ୍ଷିତ ସିଂହ ହରିବାକୁ ସହିତ ମିଳିତ ହୋଇ ଅଛନ୍ତି ?’’

 

ଭଜହରି–‘‘ସେ ଯାହାହେଉ ଏମାନେ ବଡ଼ ହରବରରେ ପଡ଼ିଲେ ବାହା ଭଣ୍ଡୁର ହୋଇଗଲା ।’’

 

ଦୁର୍ଯ୍ୟୋଧନ–‘‘ଏହା ଏକପ୍ରକାର ସୁଖର ଖବର, କାରଣ ସେହି କନ୍ୟା ସକାଶେ ଆମ୍ଭେମାନେ ଏଠାକୁ ଆସିଅଛୁଁ ।’’

 

ଭଜହରି–‘‘ଶୁଣା ଯାଉଅଛି ପିଲାଟି କୁଆଡ଼େ ଭାରୀ ସୁନ୍ଦର ।’’

ଦୁର୍ଯ୍ୟୋଧନ–‘‘ବୁଢ଼ୀ ରାମିଆମା ତାହାହେଲେ ଠିକ୍‌ କହିଥିଲା ।’’

 

ଭଜହରି–‘‘ଆହୁରି ଶୁଣି ନାହାନ୍ତି କି ? ପିଲାଟି କୁଆଡ଼େ ଏ ବିବାହରେ ଭାରୀ ନାରାଜ ଥିଲା ।’’

 

ଦୁର୍ଯ୍ୟୋଧନ–‘‘କିପରି ?’’

 

ଭଜହରି–‘ଘଣ୍ଟଶୀଳା ଗଡ଼ନାୟକ ଓ ଶ୍ରୀରାମପୁର ଦଳବେହେରା (ଗୋବିନ୍ଦ ସର୍ଦ୍ଦାର ସିଂହର ପିତା) ଆବାଲ୍ୟ ବନ୍ଧୁ । ସେମାନେ ପ୍ରତିଜ୍ଞାବଦ୍ଧ ଥିଲେ, ଯେ ସେମାନଙ୍କର ପୁତ୍ର କନ୍ୟା ଜାତ ହେଲେ ପରସ୍ପରଙ୍କର ବିବାହ ଦେଇ ସେମାନଙ୍କର ବନ୍ଧୁତ୍ୱ-ବନ୍ଧନକୁ ଦୃଢ଼ତର କରିବେ । କାଳକ୍ରମେ ଦଳବେହେରା ଏକଗୋଟି ପୁତ୍ର ଓ ଗଡ଼ନାୟକର ଏକଗୋଟି କନ୍ୟା ଜାତ ହେଲା । ଦଳବେହେରା ଓ ଗଡ଼ନାୟକଙ୍କର ଆନନ୍ଦର ସୀମା ରହିଲା ନାହିଁ; କିନ୍ତୁ ଦୈବ ବିଡ଼ମ୍ୱନା ଏପରି, ଯେ ଗଡ଼ନାୟକଙ୍କର ଝିଅ ଅନ୍ୟ ଏକ ଯୁବକଠାରେ ମୁଗ୍‍ଧ ହୋଇ ତାହାଠାରେ ଚିତ୍ତ ସମର୍ପଣ କରିଅଛି ।’

 

ଦୁର୍ଯ୍ୟୋଧନ–‘ଏ ତ ସାବିତ୍ରୀ ସତ୍ୟବାନ୍‌ କଥା ପରି; କିନ୍ତୁ ଆମ୍ଭେ ଏଠାକୁ ଯେଉଁ ଅଭିପ୍ରାୟରେ ଆସିଅଛୁଁ, ତାହା କ’ଣ ହେଉଅଛି ।’

 

ଭଜହରି–‘ହଜୁରକୁ ତାହା ଆଉ କି ବଡ଼କଥା ।’

ଦୁର୍ଯ୍ୟୋଧନ–‘ମୁଁ ଗୋଟିଏ ଉପାୟ ପାଞ୍ଚିଅଛି ତାହା କିପରି ହେବ ?’

ଭଜହରି–‘କ’ଣ ଆଜ୍ଞା କରନ୍ତୁ ।’

 

ଦୁର୍ଯ୍ୟୋଧନ–‘ଗଡ଼ନାୟକ ହରିବାବୁଙ୍କର ଗୁପ୍ତ ପରାମର୍ଶରେ ଲୁପ୍ତ ଥିବାର ଅଭିଯୋଗରେ ମୁଁ ତାହାକୁ ଗଡ଼କୁ ଘେନି ଯାଉଅଛି । ତୁମ୍ଭେ ପାଇକଙ୍କ ସହିତ ଏଠାରେ ରହ । ରାତି ସୁନ୍‌ସାନ୍‌ ହେଲେ ଗଡ଼ନାୟକ ଘର ଚଢ଼ାଉ କରି, ପିଲାଟିକୁ ନେଇ ସକାଳେ ଗଡ଼ରେ ପହୁଞ୍ଚିବ । ଡୁଲି ଓ ବେହେରା ଠିକ୍‌ କରି ରଖିଥିବ ।’

 

ଭଜହରି–‘ଏ ଭଲ ସୁନ୍ଦର ଉପାୟ ।’

ଦୁର୍ଯ୍ୟୋଧନ–‘ତାହାହେଲେ ତୁମ୍ଭେ ଯାଅ । ମୁଁ ପଛେ ଯାଉଅଛି ।

 

ଆମ୍ରକାନନରେ ଅନେକ ଲୋକ ଏକତ୍ରିତ ହୋଇଥିଲେ । ଏକ ସତରଞ୍ଜ ଉପରେ ଭଜହରି ସିରସ୍ତାର କାଗଜପତ୍ର ମେଲାଇ ଉପବିଷ୍ଟ ଥିଲେ । ଦୁର୍ଯ୍ୟୋଧନ ସେଠାକୁ ଆସନ୍ତେ, ଉପସ୍ଥିତ ପ୍ରଜାବୃନ୍ଦ ଉଠିକରି ମସ୍ତକାବନତ ହୋଇ ଦଣ୍ଡବତ କଲେ । ପୁଣି ଦୁର୍ଯ୍ୟୋଧନ ଆସନ ପରିଗ୍ରହ କଲାରୁ ସମସ୍ତେ ଉପବେଶନ କଲେ । ଦୁର୍ଯ୍ୟୋଧନ ଗଡ଼ନାୟକକୁ ଲକ୍ଷ୍ୟ କରି କହିଲେ–

 

‘କି ଗଜେନ୍ଦ୍ରା କାଲି କି ଦୁର୍ଘଟନା ହେବାର ଶୁଣାଯାଏ ?’

 

ଗଡ଼–‘ଆଜ୍ଞା ହଁ, ଝିଅଟିକୁ ଶ୍ରୀରାମପୁର ଦଳବେହେରାଙ୍କ ସହିତ ବିବାହ ଦେବାର ସବୁ ପ୍ରସ୍ତୁତ କରି ରଖିଥିଲୁ; ଶୁଣିଲୁ ଯେ ସେ ‘ଗଣ୍ଠି’ରେ ଗଲେଣି ।’

 

ଦୁର୍ଯ୍ୟୋଧନ–‘ଶ୍ରୀରାମପୁର କପ୍ତିପଦା ରାଜାଙ୍କର ଇଲାକା, ସେଠାରେ ‘‘ଗଣ୍ଠି’’ ଚାଲିଛି କାହିଁକି ?’

 

ଗଡ଼–‘ଆଜ୍ଞା, କିପରି କହିବି ?’

 

ଦୁର୍ଯ୍ୟୋଧନ–‘‘ମୋର ଅନୁମାନ ହେଉଅଛି ତୁମ୍ଭେ କଥା ଗୁପ୍ତ କରୁଅଛ । ତୁମ୍ଭକୁ ଅନେକ କଥା ଜଣା ଅଛି । ତୁମ୍ଭ ନିକଟକୁ ହରିବାବୁଙ୍କର ପାଇକ ଆସିଥିଲେ ?’’

 

ଗଡ଼–‘କୌ ହରିବାକୁ ?’

 

ଦୁର୍ଯ୍ୟୋଧନ–‘‘ଆଉ କୌ ହରିବାବୁ । ରାଜା ପରୀକ୍ଷିତ ସିଂହ ଭୁଜଙ୍ଗ ମାନ୍ଧାତା ବିରାଟ ବସନ୍ତ ହରିଚନ୍ଦନଙ୍କର ଭିଣୋଇ ବାବୁ ହରିହର ଭ୍ରମରବର ।’’

 

ଗଡ଼–(ଢୋକ ଗିଳି କରି) ‘ତାଙ୍କ ସହିତ ମୋର କି ସମ୍ପର୍କ ?’

ଦୁର୍ଯ୍ୟୋଧନ–‘‘କିଛି ନାହିଁ ? –ଭଜହରି ସେ ଭାଷା ଖଣ୍ଡ ଗଡ଼ନାୟକଙ୍କୁ ଦେଖାଅ ।’’

 

ଭଜହରି–(ବସ୍ତାନି ମଧ୍ୟରୁ ଏକଖଣ୍ଡ, ଭାଷା ବାହାରକରି ଓ ତାହା ଗଡ଼ନାୟକଙ୍କୁ ଦେଖାଇ), ‘ଏ ଲମ୍ବୋଦର ଗଜେନ୍ଦ୍ରା କିଏ ?’

 

ଗଡ଼–(ଶୁଷ୍କ କଣ୍ଠରେ ଢୋକ ଗିଳି) ‘ଆଜ୍ଞା, ମୁଁ ତ କିଛି କହି ପାରୁ ନାହିଁ ।’

 

ଦୁର୍ଯ୍ୟୋଧନ–‘ଭାଷାଖଣ୍ଡ ଶୁଣିଲେ, ବୋଧହୁଏ ତୁମ୍ଭର ସବୁ କଥା ସ୍ମରଣ ହେବ । ଆଚ୍ଛା ଭଜହରି ପଢ଼ିକରି ଶୁଣାଇଲ ।’

 

ଭଜହରି–‘(ପଠନ) ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣେ ଶରଣ–ଘଣ୍ଟଶୀଳା ଗଡ଼ନାୟକ ଶ୍ରୀ ଲମ୍ବୋଦର ଗଜେନ୍ଦ୍ରାଙ୍କର ବରହମପୁର ଭୂମିଜ ଓ କୁରୁମିଙ୍କ ସରଦାର ଶ୍ରୀପାତ୍ର ପରିଡ଼ା ଓ ଶ୍ରୀଚୈତନ୍ୟ ଚୌଧୁରୀଙ୍କୁ ଚିଟାଉ । ହରିବାବୁଙ୍କର ପାଇକ ଆସିଥିଲା । ସେ କହିଲା କି ମୟୂରଭଞ୍ଜର ରାଉତରାୟ ପୃଥ୍ୱୀନାଥ ଭଞ୍ଜ ଓ କଂସାରି ସର୍ଦ୍ଦାର କହ୍ନେଇ ବାବୁ ହରିବାବୁଙ୍କୁ ପାଇକ ଦେଇ ସାହାଯ୍ୟ କରିବାକୁ ଅଙ୍ଗୀକାର କରି ଅଛନ୍ତି, କେବଳ କାପ୍ତିପଦା ରାଜା ସମ୍ମତ ହୋଇ ନାହାନ୍ତି । ତଥାପି ହରିବାବୁ ଆଶା କରନ୍ତି, ଯେ ଏପରି ଘଟନା ହୋଇପାରେ, ଯହିଁରେ କାପ୍ତିପଦା ରାଜା ମଧ୍ୟ ସାହାଯ୍ୟ କରିବାକୁ ଦ୍ୱିଧା କରିବେ ନାହିଁ । ଆମ୍ଭମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ହରିବାବୁ ଲେଖିଅଛନ୍ତି । ଆମ୍ଭେମାନେ ଏପରି ଅରାଜକତା ମଧ୍ୟରେ ବାସ କରୁଅଛୁଁ, ଯେ ଆମ୍ଭମାନଙ୍କର ଗାଈ, ବଳଦ, ଝିଅ, ବୋହୂ, ପ୍ରାଣ ସୁଦ୍ଧା ନିରାପଦ ନୁହେ । ଏପରି ଅବସ୍ଥାରେ ହରିବାବୁଙ୍କ ସହିତ ଯୋଗଦାନ ବ୍ୟତିରେକେ ଗତ୍ୟନ୍ତର ନାହିଁ । ଏଣୁ ଆପଣଙ୍କୁ ଲେଖୁଅଛୁ ଯେ ଆପଣମାନେ ଆପଣମାନଙ୍କର ଭୂମିଜ ଓ କୁରୁମି ପାଇକଙ୍କସହିତ ପ୍ରସ୍ତୁତ ଥିବେ । ହରିବାବୁ ବରହମପୁରରେ ପହୁଞ୍ଚିଲେ, ତାଙ୍କ ସହିତ ବରହମପୁରକୁ ଆସିବେ । ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେପରି ଇଚ୍ଛା, ଇତି ସନ ୧୮୪୨ ସାଲ ମିଥୁନ ଦି୧୫ନ । ମୁଁ । ଘଣ୍ଟଶୀଳା । କି । ନୀଳଗିରି ।

 

ଦୁର୍ଯ୍ୟୋଧନ–‘ଏଥର ‘ଗଣ୍ଠି’ର ଅର୍ଥ କ’ଣ ବୁଝିଲ ?’

ଗଡ଼–(ନୀରବ)

 

ଦୁର୍ଯ୍ୟୋଧନ–‘ଅର୍ଥ–ପରୀକ୍ଷିତ ସିଂହ ହରିବାବୁଙ୍କୁ ସାହାଯ୍ୟ କରିବାକୁ ସ୍ୱୀକାର କରିଅଛନ୍ତି । ତୁମେ ନୀଳଗିରିର ପ୍ରଜା ହୋଇ ନୀଳଗିରିରେ ପୁରୁଷାନୁକ୍ରମେ ବସବାସ କରି, ବିଦ୍ରୋହୀଙ୍କ ସହିତ ଗୁପ୍ତ ଭାବରେ ଷଡ଼ଯନ୍ତ୍ର କରୁଅଛ ।’

 

ଗଡ଼–‘‘ଗଡ଼ନାୟକଙ୍କର ଧମନୀରେ ପ୍ରବାହିତ କ୍ଷତ୍ରିୟ ଶୋଣିତ ଉଷ୍ଣ ହେଲା; ସେ ନ କହି ରହି ପାରିଲେ ନାହିଁ ।’’

 

‘ଅତି ସର୍ବତ୍ର ବାଧ୍ୟତେ । ପ୍ରଜା ନେଇ ରାଜା । ଯେଉଁ ରାଜ୍ୟରେ ପ୍ରଜାମାନଙ୍କର ଧନ, ପ୍ରାଣ, ମାନ, ମହତ୍ତ୍ୱର ରକ୍ଷା ନାହିଁ ଈଶ୍ୱର କେଭେଁ ସେ ରାଜ୍ୟର ମଙ୍ଗଳ କରିବେ ନାହିଁ । ଆଉ ଯେଉଁ ଦୁଷ୍ଟ ସେ ସବୁର ମୂଳ, ତାହା ମୁଣ୍ଡରେ ରାଧାଚଡ଼କ ପଡ଼ିବ ।’

 

ଦୁର୍ଯ୍ୟୋଧନ–‘ଏ ବଦ୍‌ମାୟେସକୁ ହାତକଡ଼ି ଦେଇ ନଜରବନ୍ଦିରେ ରଖ । ରାଣୀ ସ୍ୱୟଂ ଏପରି ରାଜଦ୍ରୋହିର ବିଚାର କରିବେ । ହାତୀ କଶିବାକୁ ହୁକୁମ ଦିଅ ।’

•••

 

ସପ୍ତବିଂଶ ପରିଚ୍ଛେଦ

ଅପୂର୍ବ ମିଳନ

 

ବାଞ୍ଛାନିଧି ବଳବନ୍ତରାୟ ଦୁର୍ଯ୍ୟୋଧନ ଦାସର ଅତ୍ୟନ୍ତ ପ୍ରିୟ ଓ ବିଶ୍ୱାସୀ ଅନୁଚର ଥିଲା-। ଦୁର୍ଯ୍ୟୋଧନ ଅକାରଣେ ତାହା ପ୍ରତି ଯେଉଁ କୁବ୍ୟବହାର କରିଥିଲା ସେଥି ସକାଶେ ସେ ମନେ ମନେ ଅତିଶୟ ଅନୁଶୋଚନା କରିଥିଲା । ଉଭୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ଘଟିଥିଲା । ଏହା ସମସ୍ତେ ଜାଣି ପାରିଥିଲେ ଓ ତାହା ଶୀଘ୍ର ବିଦୂରିତ ହେବ ବୋଲି ଆଶା କରିଥିଲେ । ପୁରୁଷୋତ୍ତମ ସେନାପତି ନିକଟରେ ପଦ୍ମମାଳୀର ସହାୟତା କରିବାପାଇଁ ପ୍ରତିଶ୍ରୁତି ହୋଇ ବଳବନ୍ତରାୟ ଏକଦିନ ହଠାତ୍‌ ଦୁର୍ଯ୍ୟୋଧନ ଦାସର ଉଦ୍ୟାନବାଟିକାର ଦର୍ଶନ ଦେଲା । ସେ ଜାଣିଥିଲା ଯେ ଦୁର୍ଯ୍ୟୋଧନ ତାହାର ଦୁଷ୍ପ୍ରକୃତି ଚରିତାର୍ଥ କରିବା ସକାଶେ ଯେଉଁ ରମଣୀମାନଙ୍କୁ ବଳରେ ହେଉ ବା ଛଳରେ ହେଉ ଆନୟନ କରେ, ସେମାନଙ୍କୁ ସେହି ଗୃହରେ ରଖିଥାଏ ଓ ବୁଦ୍ଧା ରାମିଆ ମା’କୁ ସେମାନଙ୍କର ରକ୍ଷିକା ନିଯୁକ୍ତ କରେ । ଉଦ୍ୟାନ ମଧ୍ୟରେ ଉନ୍ନତ ପ୍ରାଚୀରବେଷ୍ଟିତ ତିନୋଟି ଖଞ୍ଜାଘର । ପ୍ରଥମଟିରେ ରନ୍ଧନଶାଳା ଓ ଭୃତ୍ୟମାନଙ୍କର ଆବାସ ଗୃହ; ଅନ୍ୟ ଦୁଇଟି ଶୁଦ୍ଧାନ୍ତଃପୁର ବା ଜନାନା ମହଲ ।

ଉଦ୍ୟାନର ମାଳୀ ଅନେକ ଦିନ ପରେ ବଳବନ୍ତରାୟକୁ ଦେଖି କହିଲା,–

‘କି ହୋ ବଳବନ୍ତରା । ଅନେକ ଦିନରେ ଦେଖା ଦେଲ ।’

ବଳ–‘‘ମୁଁ ଏଠାରେ ନ ଥିଲି ପାଞ୍ଚଗଡ଼ ଯାଇଥିଲି । ସେଠାରେ ଶୁଶିଲି ଯେ ଲକ୍ଷ୍ମଣ ପଣ୍ଡା ଶାନ୍ତି ଦାସମାନେ ପଟୋୟାରୀ ଝିଅକୁ ବଳପୂର୍ବକ ଆଣି ଅଛନ୍ତି ।’’

ମାଳୀ–‘‘ହଁ ତାହାକୁ ଭିତର ଖଞ୍ଜାରେ ରଖୁ ଅଛନ୍ତି ସେ ତ ପିଲାଟି ଏପରି କାନ୍ଦୁଛି ଯେ ଶୁଣିଲେ ପାଷାଣ ବିଦୀର୍ଣ୍ଣ ହେବ ।’’

ବଳ–‘ତା ପାଖରେ କିଏ ଅଛି ?’

ମାଳୀ–‘ଆଉ କି ସେହି କୁଟୁଣୀ ରାମିଆ ମା ।’

ବଳ–‘ତାହା ହେଲେ ତ ପିଲାଟି କଥା ସଇଲା ।’

ମାଳୀ–‘ଖାଲି ତାହାରି । କାଲି ପୁଣି ଭଜହରି ଆଉ ଗୋଟିଏ ପିଲାକୁ କେଉଁଆଡ଼ୁ ଆଣିଛି ।’

ବଳ–‘ଏହା ଧର୍ମ ସହିଲେ ହୁଏ ।’

ମାଳୀ–‘ସବୁ ଭଗବାନଙ୍କ ଇଚ୍ଛା ।’

ବଳ–‘ଦେଖ ଭାଇ ! ଏ ପାପ ଯେ କରେ ସେ ଏକା ଦୋଷୀ ନୁହେଁ । ଯେଉଁମାନେ ଦେଖିକରି ସେଥିରେ ବାଧା ଦିଅନ୍ତି ନାହିଁ, ସେମାନେ ମଧ୍ୟ ଦୋଷୀ । ବୁଢ଼ୀ କୌଠି ଥାଏ ?’

ମାଳୀ–‘ଭିତରେ ଖଞ୍ଜାରେ ଦିନଯାକ ଥାଏ । ରାତି ଦଶଟା ବାଜିଲେ ଖିଆପିଆ ସଇଲେ ବୁଢ଼ୀ ପାଖକୁ ଯାଏ ।’

ବଳ–‘ଏ ପିଲାକୁ ଏଠାରୁ ଉଦ୍ଧାର କଲେ ବଡ଼ ପୁଣ୍ୟ ହେବ ତୁମ୍ଭେ ଟିକିଏ ସାହାଯ୍ୟ କଲେ, ସହଜରେ ହୋଇ ପାରିବ । ଯେ ପିଲାଟିକୁ ଆଣି ଅଛନ୍ତି ସେ କିଏ, ମୁଁ ଟିକିଏ ଦେଖି ଆସେ-।’

ଏହା କହି ବଳବନ୍ତରା ଖଞ୍ଜା ଭିତରେ ପ୍ରବେଶ କଲା । ପ୍ରଥମ ଖଞ୍ଜା ପାର ହୋଇ ଦ୍ୱିତୀୟରେ ଉପସ୍ଥିତ ହେଲା । ପୂର୍ବେ କହିଅଛୁଁ, ସମସ୍ତେ ଜାଣନ୍ତି ବଳବନ୍ତରା ଦୁର୍ଯ୍ୟୋଧନର ବିଶ୍ୱାସୀ ଅନୁଚର । ସୁତରାଂ ତାହାର ସର୍ବତ୍ର ଅବାରିତ ଦ୍ୱାର । ସେ ତୃତୀୟ ଖଞ୍ଜାକୁ ଯିବାବେଳେ ଦେଖିଲା, ଯେ ଦ୍ୱାର ଭିତରରୁ ଆବଦ୍ଧ । ଦ୍ୱିତୀୟ ଖଞ୍ଜାର ପ୍ରତ୍ୟେକ ଗୃହ ଏକ ଏକ କରି ଦେଖୁ ଦେଖୁ ଗୋଟିଏ ଗୃହରେ ସେ ଯାହା ଦେଖିଲା, ଦେଖି ନିର୍ବାକ୍‌ ଓ ନିସ୍ତବ୍‍ଧ । ଦେଖି ସେ ଭାବିଲା ଯେ ସେ ସ୍ୱପ୍ନ ଦେଖୁଅଛି, ନା ତାହାର ମସ୍ତିଷ୍କ ବିକୃତି ପ୍ରାପ୍ତ ହୋଇଅଛି ? ଯାହାକୁ ଦେଖିଲା ସେ ମଧ୍ୟ ବାଞ୍ଛାନିଧିକୁ ଦେଖି ନିର୍ବାକ୍‌ । ଉଭୟେ କିଛିକ୍ଷଣ ନିସ୍ତବ୍‍ଧ ରହିଲା ଉତ୍ତାରୁ ବାଞ୍ଛାନିଧି କହିଲା,–

‘‘ଜୟନ୍ତୀ !’’

ଜ–‘ବାଞ୍ଛାନିଧି–ସତ୍ୟ କି ଦେବତାମାନେ ମୋର ଦୁଃଖରେ ଦୁଃଖୀ ହୋଇ ମୋତେ ଏ ଅକୂଳ ସମୁଦ୍ରରୁ ଉଦ୍ଧାର କରିବାପାଇଁ, ମୋର କାମନାର ନିଧି ବାଞ୍ଛାନିଧିକୁ ପଠାଇଲେ ? ସତ୍ୟ କି ମୋର ଏତେ ଦିନର ତପସ୍ୟାର ଫଳ ଫଳିଲା ?’

ଉତ୍ତରରେ ବଳବନ୍ତରା ଜୟନ୍ତୀକୁ ଆପଣା କ୍ରୋଡ଼କୁ ନେଇ ତାହାର ଫୁଲ୍ଲାରବିନ୍ଦବତ୍‌ ମୁଖକୁ ଚୁମ୍ବନ କଲା । ଉଭୟର ବକ୍ଷକୁ ବକ୍ଷ ଓ ମୁଖକୁ ମୁଖ ସ୍ପର୍ଶ କଲାରୁ ଉଭୟେ ଅପାର ସୁଖ ଅନୁଭବ କଲେ । ଜୟନ୍ତୀ ତାହାର ସହିତ ଗୋବିନ୍ଦସର୍ଦ୍ଦାର ସିଂହର ବିବାହର ଆୟୋଜନ-ତାଙ୍କର ଗଣ୍ଠିରେ ଗମନ–ଦୁର୍ଯ୍ୟୋଧନ ଦ୍ୱାରା ତାଙ୍କର ପିତାର ଲାଞ୍ଛନା– ଓ ପରିଶେଷରେ ଭଜହରି କର୍ତ୍ତୃକ ତାହାର ଅପହରଣ, ସମୁଦାୟ ଆନୁପୂର୍ବିକ ବର୍ଣ୍ଣନା କଲା । ସମୁଦାୟ ଶୁଣି ବାଞ୍ଛାନିଧି କହିଲା–

‘‘କଷ୍ଟ ନ ପାଇଲେ ସୁଖ ହୁଏ ନାହିଁ । ସବୁ ଭଗବାନଙ୍କ ଖେଳ । ତୁମ୍ଭଙ୍କୁ ମୁଁ, କିମ୍ବା ମୋତେ ତୁମ୍ଭେ, ଆଉ ଦେଖିବ, ଏପରି ଆଶା କରିଥିଲ କି ?’’

ଜୟନ୍ତୀ–‘‘ମୁଁ ତୁମ୍ଭଙ୍କୁ ପାଇଲିଣି; ମୋର ଆନନ୍ଦର ସୀମା ନାହିଁ ।’’

ବଳ–‘‘ତୁମ୍ଭର ତ ସୁଖର ସୀମା ନାହିଁ; କିନ୍ତୁ ଆଉ ଗୋଟିଏ ପ୍ରାଣୀର କି କଷ୍ଟ ହେଉଅଛି ଜାଣ କି ?’’

ଜୟନ୍ତୀ–‘‘କାହାର ?’’

ବଳ–‘‘ଆର ଖଞ୍ଜାରେ କିଏ ଅଛି ଜାଣ ?’’

ଜୟନ୍ତୀ–‘‘ନା; ଖାଲି ସବୁବେଳେ ଗୋଟିଏ ପିଲାର କାନ୍ଦିବା ଶବ୍ଦ ଶୁଣୁଅଛି, ଆଉ ସେ ବୁଢ଼ୀଟା ସବୁବେଳେ ତାକୁ ଜଗିକରି ରହିଅଛି ।’’

ବଳ–‘ସେ ପିଲାଟି କିଏ ଜାଣ ? ପାଞ୍ଚଗଡ଼ର ଜଗବନ୍ଧୁ ପଟୋୟାରୀଙ୍କର ଝିଅ ।’

ଜୟନ୍ତୀ–‘‘ପଦ୍ମମାଳୀ’’

ବଳ–(ଆଶ୍ଚର୍ଯ୍ୟାନ୍ୱିତ ହୋଇ) ‘କି ତୁମ୍ଭେ ପଦ୍ମମାଳୀକୁ ଚିହ୍ନ ? କିପରି ଚିହ୍ନିଲ ?’ ଜୟନ୍ତୀ ପଦ୍ମମାଳୀ ସହିତ ଦେଉଳ ସାହି ମଠରେ ଦୁଇଥର ସାକ୍ଷାତ୍‌ ଓ ପରୀକ୍ଷିତ ସିଂହଙ୍କ ସହିତ ପଦ୍ମମାଳୀର ଭାବ ପରିଣୟ ବୃତ୍ତାନ୍ତ ଓ ସେମାନଙ୍କର ସୌଖ୍ୟ ବିବୃତ କଲା । ଶୁଣି ବଳବନ୍ତରା ପୁନଶ୍ଚ କହିଲା,–

‘ଏ ସବୁ ବିଧାତାଙ୍କର ଖେଳ ।’

ବଳବନ୍ତରା ସେ ଗୃହର ଚତୁର୍ଦ୍ଦିଗ ନିରୀକ୍ଷଣ କରି ଏକ ଜଳାକବାଟି ଦେଖି ତାହାର ଅପର ପାଖରେ କ’ଣ ଅଛି ପାଚାରିଲା । ଜୟନ୍ତୀ କହିଲା ବାରି ଅଛି ଓ ସେ ବାରି ଏ ଉଭୟ ଖଞ୍ଜାର । ବାଞ୍ଛାନିଧି ଜଳାକବାଟି ଫିଟାଇ ଦେଖିଲା ଯେ ତାହାର ଗମନାଗମନର ପଥ ଶକ୍ତ କାଷ୍ଠ ଦଣ୍ଡମାନଙ୍କଦ୍ୱାରା ନିରୁଦ୍ଧ ରହିଅଛି । ରାତ୍ରରେ ବୃଦ୍ଧା ସ୍ୱୀୟ ଆବାସକୁ ଯାଏ ମାଳୀଠାରୁ ଶୁଣିଥିଲା । ଜୟନ୍ତୀ ତାହା ସମର୍ଥନ କରି କହିଲା ଯେ ଯିବା ସମୟରେ ବୃଦ୍ଧା ପଦ୍ମମାଳୀର ଖଞ୍ଜାକୁ ତାଲାଦ୍ୱାରା ନିବଦ୍ଧ କରିଯାଏ । ବଳବନ୍ତରା କହିଲା,–‘ଯେତେବେଳେ ଭଗବାନ ତୁମ୍ଭର ଓ ଆମ୍ଭର ଏ ଅପୂର୍ବ ମିଳନ କରାଇ ଅଛନ୍ତି, ତୁମ୍ଭମାନଙ୍କୁ ଏ ବିପଦରୁ ଉଦ୍ଧାର କରିବା ସକାଶେ ସୁଦ୍ଧା ସହାୟ ହେବେ ସନ୍ଦେହ ନାହିଁ । ମୁଁ ସବୁବେଳେ ଏଠାକୁ ଯିବା ଆସିବା କଲେ, ଚାକର ପୂଜାରିମାନଙ୍କର ସନ୍ଦେହ ଉଦ୍ରେକ ହୋଇପାରେ, ଏଣୁ ଯେତେବେଳେ ମୁଁ ସୁବିଧା ଦେଖିବି ଆସିବି । ବୁଢ଼ୀ ମଧ୍ୟ ଭାରୀ ଚତୁରା ଓ ଅତି ସତର୍କତା ସହିତ କାର୍ଯ୍ୟ କରେ, ଏଣୁ ଅତି ସାବଧାନ ହୋଇ ଆସିବାକୁ ହେବ । କାଲି ସନ୍ଧ୍ୟା ଉତ୍ତାରୁ ଅନ୍ଧକାର ହେଲେ ଆସିବି ।’ ଏହା କହି, ଆଉ ଥରେ ଜୟନ୍ତୀର ମୁଖ ଚୁମ୍ବନ କରି ବିଦାୟ ଗ୍ରହଣ କଲା । ଜୟନ୍ତୀର ଚିତ୍ତ ଅନେକ ପରିମାଣରେ ଲଘୁତା ଲାଭ କଲା; କିନ୍ତୁ ପଦ୍ମମାଳୀର ଅବସ୍ଥା ମନେକରି ଏକେବାରେ ନିଶ୍ଚିନ୍ତ ହୋଇ ପାରିଲା ନାହିଁ ।

•••

 

ଅଷ୍ଟାବିଂଶ ପରିଚ୍ଛେଦ

ବଳବନ୍ତରା’ର ପ୍ରାୟଶ୍ଚିତ୍ତ

 

ପରଦିବସ ସନ୍ଧ୍ୟାରେ ଅନ୍ଧକାର ପୃଥିବୀକୁ ଆଚ୍ଛନ୍ନ କଲାରୁ, ବାଞ୍ଛାନିଧି ଜୟନ୍ତୀର ଖଞ୍ଜାରେ ଉପସ୍ଥିତ ହେଲା ଓ ଉଭୟେ ଅତି ଆନନ୍ଦରେ କାଳାତିପାତ କଲେ । ବୃଦ୍ଧାର ଗୃହ-ଗମନର ସମୟ ହେଲାରୁ ବଳବନ୍ତରା ପାର୍ଶ୍ୱସ୍ଥ ଗୃହରେ ଲୁକ୍‍କାୟିତ ରହିଲା । ବୃଦ୍ଧା ପଦ୍ମମାଳୀର ଖଞ୍ଜାରୁ ବାହାରି ତାହାକୁ ତାଲାଦ୍ୱାରା ବନ୍ଦ କଲା । ତତ୍ପରେ ଜୟନ୍ତତୀର ନିକଟକୁ ଆଗମନ କରି କହିଲା,–

 

‘‘କିଲୋ ଝିଅ କ’ଣ କରୁଛୁ ?’’

 

ଜ–‘‘କରିବି ଆଉ କଣ ? ଭାବୁଛି ବିଧାତା ମୋ ପରି ହତଭାଗ୍ୟ ନାରୀ କାହିଁକି ସର୍ଜନା କଲେ ।’’

 

ବୃ–‘‘ହତଭାଗ୍ୟ’’ କାହିଁକି ? ଦାସଙ୍କର ସୁଆଗୀ ହେବୁ ଏ ଭାଗ୍ୟ କଣ କମ ?’’

 

ଜ–‘‘ଏହାକୁ ଭାଗ୍ୟ ଯେଉଁମାନେ ମନେ କରନ୍ତି ସେମାନେ କରନ୍ତୁ; କିନ୍ତୁ ଆଜି ରାତିରେ ଯଦି ମୋର ପ୍ରାଣ ବାହାରି ଯାନ୍ତା ତା ହେଲେ ମୁଁ ବଞ୍ଚନ୍ତି ।’’

 

ବୃ–‘‘କାହିଁକି ଏଠାରେ କି ତୋର କିଛି କଷ୍ଟ ହେଉଛି ? ଏହା ଦାସେ ଶୁଣିଲେ ମୋର ଆଉ ପ୍ରାଣ ରହିବ ନାହିଁ ।’’

 

ଜ–‘‘ଏ ନିର୍ଜ୍ଜନ ସ୍ଥାନରେ ଗୋଟିଏ ବିଲେଇ ଛୁଆ ପର୍ଯ୍ୟନ୍ତ ଦେଖିବାକୁ ନାହିଁ । କଷ୍ଟ କଥା ପୁଣି ପଚାରୁ ଅଛ ।’’

 

ବୃ–‘‘ଆଚ୍ଛା ହେଉ ଏହାର ଗୋଟାଏ ଉପାୟ କରିବି ।’’

 

ଏହା କହି ବୃଦ୍ଧା ପ୍ରସ୍ଥାନ କଲା । ସେ ଗଲାରୁ ବଳବନ୍ତରା ଜୟନ୍ତୀ ସହିତ ପୁନର୍ମିଳିତ ହେଲା । ତତ୍ପରେ ଏକଖଣ୍ଡ ପ୍ରସ୍ତର ଆଣି ତକ୍ତପୋଷ ଉପରେ ରଖିଲା, ଯେପରି ଜୟନ୍ତୀ ତାହାର ସାହାଯ୍ୟରେ ବାତାୟନ ଉପରକୁ ସହଜରେ ଯାଇ ପାରିବ । ବାତାୟନକୁ ଫିଟାଇ ଏକଖଣ୍ଡ କାଷ୍ଠ ଦଣ୍ଡର ଏପରି ମୂଳ ଚ୍ଛେଦ କଲା ଯେ ତାହା ସହଜରେ ସ୍ଥାନ ଚ୍ୟୁତ ଓ ପୁନରାୟ ସ୍ୱସ୍ଥାନରେ ରକ୍ଷିତ ହୋଇ ପାରିବ । କାଷ୍ଠ ଦଣ୍ଡକୁ ଉନ୍ମୁକ୍ତ କରି ଏକ ରଜ୍ଜୁ ନିର୍ମିତ ସୋପାନଦ୍ୱାରା ବଳବନ୍ତରା ଓ ଜୟନ୍ତୀ ଭୂପୃଷ୍ଠେ ଅବତୀର୍ଣ୍ଣ ହେଲେ । ପଦ୍ମମାଳୀର ବାରିଦ୍ୱାରକୁ ଆସି ଦେଖିଲେ ଯେ ସେ ଦ୍ୱାର ଭିତରକୁ ରୁଦ୍ଧ ହୋଇ ନାହିଁ । ଖଞ୍ଜା ଭିତରେ ପ୍ରବେଶ କରି ଦେଖିଲେ ଯେ ପଦ୍ମମାଳୀର କକ୍ଷଦ୍ୱାର ଉନ୍ମୁକ୍ତ । ଗୃହସ୍ଥିତ ଏକ କ୍ଷୀଣାଲୋକ ପ୍ରଦୀପ ଜ୍ୟୋତିରେ ଦେଖିଲେ ଯେ ମଳିନବସନା ଶୀର୍ଣ୍ଣକଳେବରା ପଦ୍ମମାଳୀ ଶାୟିତ ଅବସ୍ଥାରେ ଥିଲା । ଗୃହ ମଧ୍ୟରେ ମନୁଷ୍ୟ ଛାୟା ପଡ଼ନ୍ତେ ସେ ମୁଖ ଟେକି ଚାହିଁଲା । ଦେଖିଲା ଯେ ଏକ ସ୍ତ୍ରୀ ଓ ଏକ ପୁରୁଷ ଗୃହମଧ୍ୟକୁ ଆସୁ ଅଛନ୍ତି । ତାହା ଦେଖି ସହସା ତାହାର ଚିତ୍ତରେ ଭୟ ଜାତ ହେଲା । ଅବିରଳ କ୍ରନ୍ଦନ କରି ଚକ୍ଷୁର ଜ୍ୟୋତି କ୍ଷୀଣ ହୋଇଥିଲା । ପଦ୍ମମାଳୀ ପ୍ରଥମେ ଜୟନ୍ତୀକୁ ଚିହ୍ନି ପାରିଲା ନାହିଁ; କିନ୍ତୁ ଯେତେବେଳେ ଜୟନ୍ତୀ–‘‘ଦେଇ’’ ବୋଲି ସମ୍ବୋଧନ କଲା, କଣ୍ଠସ୍ୱର ଶୁଣି ତାହାର ପୂର୍ବ ସ୍ମୃତି ଜାଗ୍ରତ ହେଲା ଓ ‘ଜୟନ୍ତୀ ନାମଟି ତାହାର ମୁଖରୁ ନିସଃରିତ ହେଲା । ବଳବନ୍ତରା ଏହି ଅବସରରେ ଭୂମିରେ ସାଷ୍ଟାଙ୍ଗ ନିପତିତ ହୋଇ କହିଲା ‘ଦେଇ, ମୋତେ କ୍ଷମା କରନ୍ତୁ । ମୁଁ ଏ ସବୁ ଅନର୍ଥର ମୂଳ, ଯଦି ଆପଣଙ୍କୁ ଏ ବିପଦରୁ ଉଦ୍ଧାର କରି ନ ପାରେ, ତେବେ ଏ ଜୀବନକୁ ବିସର୍ଜନ ଦେଇ, ପାପର ସମୁଚିତ ପ୍ରାୟଶ୍ଚିତ୍ତ କରିବ-। ଅଭିପ୍ରାୟ ଏଠାକୁ ଆସିଅଛି ।

 

ଜୟନ୍ତୀ ବଳବନ୍ତରାୟ ପରିଚୟ ଦିଅନ୍ତେ ପଦ୍ମମାଳୀ କହିଲା,-‘ଜୟନ୍ତୀ ମୋର ପ୍ରାଣସଖୀ, ଆପଣ ତାହାର ପ୍ରିୟଜନ । ଆପଣ ଉଠନ୍ତୁ, ଆପଣ ମୋର କି ଅନିଷ୍ଟ କରିଅଛନ୍ତି ଯେ ସେଥି ସକାଶେ ମୁଁ ଆପଣଙ୍କୁ କ୍ଷମା କରିବି ।’ ବଳବନ୍ତରା ଉପବିଷ୍ଟ ହୋଇ କହିଲା,-‘ମୁଁ ଆପଣଙ୍କ ଦାସାନୁଦାସ । ମୋତେ ‘ଆପଣ’ କହନ୍ତୁ ନାହିଁ । ଜାଗରଯାତ୍ରା ଦିନ ମୁଁ ଦୁଷ୍ଟ ଦୁର୍ଯ୍ୟୋଧନର ସହାୟତା କରି ନ ଥିଲେ ଆଜି ଏ କଷ୍ଟ ଦେଖିବାକୁ ହୁଅନ୍ତା ନାହିଁ । ସେନାପତି ଆପଣଙ୍କୁ ଏଠାରୁ ଉଦ୍ଧାର କରିବା ଅଭିପ୍ରାୟରେ ମହନ୍ତଙ୍କ ନିକଟକୁ ଯାଇଅଛନ୍ତି । ସେମାନେ ଶୀଘ୍ର ଆପଣଙ୍କୁ ଏଠାରୁ ଘେନିଯିବେ; କିନ୍ତୁ ଯେତେଦିନ ସେମାନେ ଆସୁ ନାହାନ୍ତି, ଦୁଷ୍ଟ ଦୁର୍ଯ୍ୟୋଧନ ଯେପରି ଆପଣଙ୍କର କିଛି ଅନିଷ୍ଟ କରି ନ ପାରେ ତାହା ମୁଁ ଦେଖିବି ।’

 

ପଦ୍ମ–‘ଆପଣ ଜଣେ ମହାନୁଭବ ବ୍ୟକ୍ତି; ଜାଗରଯାତ୍ରା ଦିନ ଯେଉଁ ଦୁର୍ଘଟନା ହୋଇଥିଲା ତାହା ଅଜ୍ଞାନ ଅବସ୍ଥାରେ କରିଥିବାରୁ ଆପଣ କେଭେ ଦୋଷୀ ହୋଇ ପାରନ୍ତି ନାହିଁ । ସେନାପତି ମୋତେ ଉଦ୍ଧାର କରିବାପାଇଁ ଯତ୍ନ କରୁ ଅଛନ୍ତି ଶୁଣି ମୁଁ ଯତ୍ପରୋନସ୍ତି ସୁଖୀ ହେଲି । ଭଗବାନ ତାଙ୍କର ଉଦ୍ୟମ ସଫଳ କରନ୍ତୁ । ଆପଣ ବର୍ତ୍ତମାନ ମୋର ଯେଉଁ ଉପକାର କଲେ ସେଥିସକାଶେ ମୁଁ ଆଜୀବନ ଆପଣଙ୍କଠାରେ ଋଣୀ ରହିଲି ।’

 

ବଳ–‘ମୁଁ ଜଣେ ଅତି ତୁଚ୍ଛ ବ୍ୟକ୍ତି । ମୋତେ ‘ଆପଣ କହି କେବଳ ମୋତେ ଲଜ୍ଜା ଦେଉ ଅଛନ୍ତି ତାହା ନୁହେଁ; ମୋ ମନରେ ଅତିଶୟ କଷ୍ଟ ହେଉଅଛି । ମୁଁ ବର୍ତ୍ତମାନ ଆପଣଙ୍କର ଯେ ଯତ୍‌କିଞ୍ଚିତ ସାହାଯ୍ୟ କରୁଅଛି, ତାହା ଏକବାରେ ଉଲ୍ଲେଖର ଯୋଗ୍ୟ ନୁହେଁ । ଯଦି ଆପଣଙ୍କର ଯତ୍‌କିଞ୍ଚିତ ଉପକାର କରିପାରେ ତାହାହେଲେ ମୁଁ ଆପଣାକୁ ଚରିତାର୍ଥ ଜ୍ଞାନ କରିବି ଏବଂ ଯଦି କେଭେ ସେପରି ସୁଯୋଗ ହୁଏ, ତାହାର ପୁରସ୍କାର ଛାମୁରେ ମାଗିବି ।’

 

ପଦ୍ମ–‘ତୁମ୍ଭ ମନରେ ଯଦି କଷ୍ଟ ହୁଏ, ତାହାହେଲେ ମୁଁ ଆଉ ତୁମ୍ଭକୁ ଆପଣ କହିବି ନାହିଁ-। ଅନ୍ତରର ବଳବନ୍ତରା ଉଚ୍ଚୈଃସ୍ୱରରେ ତାହାର ମନୋଭାବ ଏହିପରି ବ୍ୟକ୍ତ କଲା,–ଅହୋ ! କି ଦୁଦ୍ଦୈବ, ଯେଉଁ ମହାମୂଲ୍ୟ ରତ୍ନ ରାଜମୁକୁଟରେ ବସିବାର ଉପଯୁକ୍ତ ଓ ସେଠାରେ ବସିଲେ ମୁକୁଟର ସମ୍ୟକ୍‌ ଶୋଭା ଓ ମୂଲ୍ୟ ବର୍ଦ୍ଧନ କରିବ; ତାହା ଦୁର୍ଯ୍ୟୋଧନ ପରି ଶୁକର କଣ୍ଠରେ ଧାରଣ କରିବ ଏହା କି କେଭେ ସଦ୍ୟ ହୋଇପାରେ ?’ ପଦ୍ମମାଳୀକୁ ନିର୍ଦ୍ଦେଶ କରି କହିଲା–‘ଦେଇ ! ଆପଣ ନିଶ୍ଚିନ୍ତ ରହନ୍ତୁ । ଦୁର୍ଯ୍ୟୋଧନ କେଭେ ଆପଣଙ୍କର କିଛି ଅନିଷ୍ଟ କରିପାରିବ ନାହିଁ । ମୁଁ ଶୁଣି ଆସିଲି ଯେ ହରିବାବୁ କାପ୍ତିପଦା ରାଜାଙ୍କଠାରୁ ପାଇକ ସାହାଯ୍ୟ ପାଇ ନୀଳଗିରିକୁ ଆସୁଅଛନ୍ତି । ରାଜା ମଧ୍ୟ ସ୍ୱୟଂ ଆସୁଅଛନ୍ତି । ଏହା ନିଶ୍ଚୟ ମହନ୍ତଙ୍କର କାର୍ଯ୍ୟ । ସେମାନେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଅତିଶୟ ସାବଧାନ ହୋଇ ରହିବାକୁ ହେବ । ଆମ୍ଭମାନଙ୍କର ସତର୍କତାରେ ଯେପରି କୌଣସି ତ୍ରୁଟି ନ ହୁଏ ।’ ଏହା କହି ଏକ ତୀକ୍ଷ୍ଣ ଧାର କଟାରୀ ବସ୍ତ୍ର ମଧ୍ୟରୁ ଫିଟାଇ ଜୟନ୍ତୀ ହସ୍ତକୁ ଦେଇ ତାହାକୁ କହିଲା,- ‘ଆବଶ୍ୟକ ହେଲେ ବ୍ୟବହାର କରିବ ।’

 

ଜୟନ୍ତୀ–‘ମୁଁ ଘଣ୍ଟଶୀଳା ଗଡ଼ନାୟକର ଝିଅ । ବଳବନ୍ତରା ପରୀକ୍ଷିତ ସିଂହଙ୍କ ନିକଟରେ ସହଜରେ ପରିଚିତ ହେବାପାଇଁ କୌଣସି ନିଦର୍ଶନ ମାଗିଲାରୁ, ପଦ୍ମମାଳୀ ନିଜ ହସ୍ତରୁ ଏକ ଅଙ୍ଗୁରୀୟ ଉନ୍ମୋଚନ କରି ତାହାକୁ ଦେଲା । ତଦନନ୍ତର ବାଞ୍ଛାନିଧି ପଦ୍ମମାଳୀକୁ ଭୂମିଷ୍ଠ ହୋଇକରି ବିଦାୟ ହେଲା ଓ ଆସିବା ପୂର୍ବରୁ ପୂର୍ବକଥିତ ପ୍ରସ୍ତରକୁ ସ୍ୱସ୍ଥାନରେ ରଖି ଦେଲା ।

•••

 

ଊନତ୍ରିଂଶ ପରିଚ୍ଛେଦ

ରାଣୀଙ୍କର ପଳାୟନ

 

ଆଜି ପ୍ରାତଃକାଳରେ ନବରରେ ଖବର ହେଲା ଯେ ହରିବାବୁ ପ୍ରାୟ ଏକ ସହସ୍ର ପାଇକ ସହିତ ନୀଳଗିରି ରାଜ୍ୟ ଲୁଣ୍ଠନ କରିବା ଓ ବଳପୂର୍ବକ ଗଦି ଦଖଲ କରିବା ଆଶାରେ ଆସି ବରହମପୁରରେ କାଲିଠାରୁ ଛାଉଣି କରି ଅଛନ୍ତି ଓ ସୁଯୋଗକ୍ରମେ ଗଡ଼ ଆକ୍ରମଣ କରବେ, ରାଣୀ ଏ ସମ୍ବାଦ ଶ୍ରବଣରେ ଅତିଶୟ ଭୀତା ହୋଇ, ଶିବଚରଣ ପଟ୍ଟନାୟକ ଓ ଦୁର୍ଯ୍ୟୋଧନ ଦାସକୁ ଅବିଳମ୍ବେ ଡକାଇ, ହରିବାବୁଙ୍କୁ ପ୍ରତିରୋଧ କରିବା ସକାଶେ ପାଇକ ସଂଗ୍ରହ କରିବାର ଆଦେଶ କଲେ ଓ ତାହାଙ୍କୁ ଓ ତାହାଙ୍କର ନାବାଳକ ପୁତ୍ର ଦୁହିଙ୍କୁ ଅବିଳମ୍ବେ ବାଲେଶ୍ୱର ପଠାଇ ଦେବାର ବନ୍ଦୋବସ୍ତ କରିବାକୁ କହିଲେ । ରାଣୀ ଏପରି ଅବସ୍ଥାରେ ଗଡ଼ତ୍ୟାଗ କରି ଗଲେ ପାଇକମାନେ ଉତ୍ସାହଭଙ୍ଗ ହେବେ ଓ ସେମାନଙ୍କୁ ଏକତ୍ର କରିବା ଦୁରୂହ ହେବାର ଆଶଙ୍କା କରି, ଦୁର୍ଯ୍ୟୋଧନ ରାଣୀଙ୍କର ଚିତ୍ତ ପରିବର୍ତ୍ତନ କରିବାରେ ଅନେକ ଚେଷ୍ଟା କଲା; କିନ୍ତୁ ତାହାଙ୍କୁ ଅବିଚଳିତ ଦେଖି ଦୁର୍ଯ୍ୟୋଧନ ତାହାଙ୍କର ଆଦେଶ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ ହେଲା । ରାଣୀ ଶୀଘ୍ର ଆହାରାଦି ସମାପନକରି ତାହାଙ୍କର ଦୁଇ ପୁତ୍ରଙ୍କ ସହିତ ବାଲେଶ୍ୱର ପଳାୟନ କଲେ ।

 

ଦୁର୍ଯ୍ୟୋଧନ ପାଇକ ସଂଗ୍ରହ କରିବା ସକାଶେ ଚତୁର୍ଦ୍ଦିଗେ ହୁରିଆ ପ୍ରେରଣ କଲା ଓ ପାଇକ ସଂଗ୍ରହ ହେଲେ ଶିବଚରଣ ପଟ୍ଟନାୟକ ଦୁଇଶତ ପାଇକ ସହିତ ପଦ୍ମତଳା ଘାଟିଠାରେ ବିଦ୍ରୋହୀଙ୍କୁ ପ୍ରତିରୋଧ କରିବାର ଓ ଦୁର୍ଯ୍ୟୋଧନ ଅବଶିଷ୍ଟପାଇକଙ୍କ ସହିତ ଗଡ଼ ରକ୍ଷା କରିବାର ସ୍ଥିର ହେଲା । ସନ୍ଧ୍ୟା ଉତ୍ତାରୁ ନିକଟସ୍ଥ କେତେକ ପାଇକାଳୀ ମୌଜାରୁ ଦଶ, କୋଡ଼ିଏ, ପଚିଶ କରି ପାଇକମାନେ ଆସିବାକୁ ଆରମ୍ଭ କଲେ; କିନ୍ତୁ ଦୂରସ୍ଥ ମୌଜାମାନଙ୍କରୁ ହୁରିଆମାନେ ରାତ୍ର ଦ୍ୱିପ୍ରହର ପର୍ଯ୍ୟନ୍ତ ଫେରି ନ ଥିଲେ । ପରଦିବସ ଗଣନାରେ ଦେଖାଗଲା ଯେ ତିନିଶତରୁ କିଞ୍ଚିଦଧିକ ପାଇକ ସଂଗୃହୀତ ହୋଇଅଛନ୍ତି । ଅପରାହ୍ନରେ ଶିବଚରଣ ପଟ୍ଟନାୟକ ପ୍ରାୟ ଦୁଇଶତ ପାଇକ ଘେନି ସର୍ବୋଚ୍ଚସ୍ଥାନ ଅଧିକାର କରି ଶତ୍ରୁପକ୍ଷର ଆଗମନର ପ୍ରତୀକ୍ଷାରେ ରହିଲେ । ଦୁର୍ଯ୍ୟୋଧନ ତାହାର ଅଧୀନ ପାଇକମାନଙ୍କୁ ଗଡ଼ର ବିଭିନ୍ନ ସ୍ଥାନରେ ସ୍ଥାପନ କଲା । ବୋଲିବା ବାହୁଲ୍ୟ ଯେ ତାହାର ଉଦ୍ୟାନବାଟିକାର ରକ୍ଷୀ-ପାଇକଙ୍କୁ ଦ୍ୱିଗୁଣିତ କରି ଦେଲା ।

 

ସେହି ଦିନ ସନ୍ଧ୍ୟା ସମୟରେ ଦୁର୍ଯ୍ୟୋଧନ ମନେ ମନେ ବିଚାର କଲା ଯେ ଆଜି କେତେକ ଦିବସ ହେଲା ପଦ୍ମମାଳୀ ଗଡ଼କୁ ଆସିଲାଣି । ଏହି କେତେକ ଦିବସରେ ତାହାର ଚିତ୍ତର କେତେଦୂର ପରିବର୍ତ୍ତନ ହୋଇଥିଲା, ତାହା ସେ ଜାଣିବାକୁ ଉତ୍ସୁକ ହେଲା । ହରିବାକୁଙ୍କର ଆକ୍ରମଣ ସମ୍ବାଦରେ ସେ ଭୀତ ହୋଇଥିଲା ଓ ଆକ୍ରମଣର ଫଳାଫଳ କ’ଣ ହେବ ତାହା ସେ ସ୍ଥିର କରି ପାରି ନ ଥିଲା । ତଦ୍ଦ୍ୱାରା ପଦ୍ମମାଳୀ ତାହାର ହସ୍ତରୁ ସ୍ଖଳିତ ହେବାର ମଧ୍ୟ ସଂଶୟ ଥିଲା । ଏହିପରି ମନରେ ସାତପାଞ୍ଚ ବିଚାର କରୁଥିବା ସମୟେ ବୃଦ୍ଧା ତାହା ନିକଟରେ ଉପସ୍ଥିତ ହେଲା । ତାହାକୁ ଦେଖି ଦୁର୍ଯ୍ୟୋଧନ ଜିଜ୍ଞାସା କଲା–‘‘ଖବର କିପରି ?’’

 

‘‘ସବୁ ଭଲ; ଆଉ କିଛି ଦିନରେ ସବୁ ଠିକ୍‌ ହୋଇ ଯିବ ।’’

‘‘ଆଉ କିଛିଦିନ ସବୁର ହୋଇ ପାରିବ ନାହିଁ । ଆଜି ରାତ୍ରରେ ମୁଁ ସେଠାକୁ ଯିବି ।’’

 

‘‘ଆଜି ଯିବାର ହରକତ କିଛି ନାହିଁ, ତେବେ ପିଲା ଯୋଡ଼ିକ ଏକା ରହିବାରୁ ସେମାନଙ୍କର କିଛି କଷ୍ଟ ହେଉଅଛି । ଯଦି ଆଜ୍ଞା କରନ୍ତି, ସେମାନଙ୍କୁ ଏକ ଖଞ୍ଜାରେ ରଖନ୍ତି; ତାହା ହେଲେ ବଡ଼ ଭଲ ହୁଅନ୍ତା ।’’

 

‘ତାହାହେଲେ ହରକତ କଣ । ତାଙ୍କ ସହିତ ଆଉ କାହାରି ତ ସାକ୍ଷାତ୍‌ ହୋଇ ନାହିଁ ।’

‘‘କାଉ ଛୁଆଟିର ସୁଦ୍ଧା ନୁହେ ।’’

 

ଦୁର୍ଯ୍ୟୋଧନ ଅହିଫେନ ଖରଚ ସକାଶେ ଏକ ରଜତଖଣ୍ଡ ବୃଦ୍ଧାକୁ ପୁରସ୍କାର ଦିଅନ୍ତେ ସେ ଆନନ୍ଦେ ସେଠାରୁ ପ୍ରସ୍ଥାନ କଲା । ସେଠାରୁ ଉଦ୍ୟାନବାଟିକାକୁ ଆସି ଜୟନ୍ତୀକୁ କହିଲା,–‘ଦେଖ ଝିଅ’ ! ଦାସେ କିପରି ଭଲଲୋକ । ଯେପରି ଶୁଣିଲେ ଯେ ଏକା ରହି ତୋହର କଷ୍ଟ ହେଉଅଛି, ତତ୍‌କ୍ଷାଣାତ୍‌ ହୁକୁମ ଦେଲେ କି ଜଣେ ସଙ୍ଗିନୀ ଦିଅ । ଆ ଦେଖିବୁ ଆର ଖଞ୍ଜାରେ କିପରି ପିଲାଟି ଅଛି ।’ ଜୟନ୍ତୀ ବୃଦ୍ଧାର ଅନୁଗନ କରି ଶୀଘ୍ର ପଦ୍ମମାଳୀ ସହିତ ହେଲା । ବୃଦ୍ଧାର ଆଜି ରାତ୍ରିରେ ଘରକୁ ଆସିବାର ବିଳମ୍ବ ହେବ ଏହି ସଂବାଦ ବୃଦ୍ଧକୁ ଦେବାପାଇଁ ବୃଦ୍ଧା ସ୍ୱୀୟ ଆବାସକୁ ଗଲା ।

•••

 

ତ୍ରିଂଶତ୍‌ ପରିଚ୍ଛେଦ

ପରୀକ୍ଷିତ ସିଂହଙ୍କର ଶିବିର

 

ବିଦ୍ରୋହୀଦଳ ବରହମପୁରରେ ପହୁଞ୍ଚିଲାରୁ ସେଠାକାର ଭୂମିଜ ଓ କୁରୁମିଙ୍କର ସର୍ଦ୍ଦାର ପତ୍ରପରିଡ଼ା ଓ ଚୈତନ୍ୟ ଚୌଧୁରୀ ସେମାନଙ୍କର ପାଇକ ସହିତ ତାଙ୍କ ଦଳରେ ମିଳିତ ହେଲେ । ତତ୍ପରେ ସେମାନେ କାର୍ଯ୍ୟାବଳୀ ସ୍ଥିର କଲେ । ସିଦ୍ଧାନ୍ତ ହେଲା ଯେ ସେମାନଙ୍କର ଫୌଜ ଦୁଇ ଦଳରେ ବିଭକ୍ତ ହୋଇ ଏକଦଳ ହରିବାବୁଙ୍କର ଅଧୀନରେ କଂସାରି ମାର୍ଗ ଅବଲମ୍ବନ କରି ଅଗ୍ରସର ହୋଇ, ପଦ୍ମତଳା ଘାଟି ନିକଟରେ ଶିବିର ସ୍ଥାପନ କରିବ ଓ ଅନ୍ୟଦଳ ପରୀକ୍ଷିତ ସିଂହଙ୍କର ଆଜ୍ଞାବର୍ତ୍ତୀ ହୋଇ କପତୀପଦା ମାର୍ଗ ଦେଇ ଏକେବାରେ ନୀଳଗିରି ଗଡ଼ ଆକ୍ରମଣ କରିବ । ତଦନୁସାରେ ପରୀକ୍ଷିତ ସିଂହଙ୍କର ପାଇକମାନେ ରାତ୍ରିର ଅନ୍ଧକାରରେ ଗଡ଼ ଆକ୍ରମଣ କରିବାର ଅଭିପ୍ରାୟରେ ଗଡ଼ର ତିନି ମାଇଲ ଦୂର ସ୍ଥାନେ ଏକ ଆମ୍ର କାନନରେ ବିଶ୍ରାମ ଲାଭ କଲେ । ସନ୍ଧ୍ୟା ଗଡ଼ି ଗଲାଣି । ଅନ୍ଧକାର ଶନୈଃ ଶନୈଃ ପୃଥିବୀକୁ ଆଚ୍ଛାଦନ କରୁଅଛି । ଆମ୍ରକାନନର ସ୍ଥାନେ ସ୍ଥାନେ ପାଇକମାନେ ଧୁନି ପ୍ରଜ୍ୱଳିତ କରି ରନ୍ଧନ କାର୍ଯ୍ୟରେ ବ୍ୟସ୍ତ । ପରୀକ୍ଷିତ ସିଂହଙ୍କର ଶିବିର ସମ୍ମୁଖରେ ଏକ ପ୍ରଜ୍ୱଳିତ ଧୁନିର ନିକଟରେ ଏକ ସଶସ୍ତ୍ର ପ୍ରହରୀ ପାଦଚାରଣ କରୁଅଛି । ପ୍ରହରୀଟି ଆମ୍ଭମାନଙ୍କର ପରିଚିତ ନ ହେଲେହେଁ ଆମ୍ଭମାନଙ୍କର ସମ୍ପୂର୍ଣ୍ଣରୂପେ ଅପରିଚିତ ନୁହେଁ । ଏ ସେହି ଦୁର୍ଭାଗା ଶ୍ରୀରାପୁରର ଦଳବେହେରା ଓ ଜୟନ୍ତୀର ନିର୍ବନ୍ଧୀକୃତ ପତି-ଗୋବିନ୍ଦ ସର୍ଦ୍ଦାର ସିଂହ । ଯାହାକୁ ବରବେଶ ପରିତ୍ୟାଗ କରି ‘ଗଣ୍ଠି’ ବହନ କରିବାର ଆମ୍ଭେମାନେ ଦେଖିଥିଲୁଁ । ସର୍ଦ୍ଦାର ସିଂହ ଶୁଣିଥିଲା ଯେ ଜୟନ୍ତୀ ତାହାର ବାଗ୍‌ଦତ୍ତା ପନ୍ନୀ ଥିଲେହେଁ ତାହାର ଚିତ୍ତ ପ୍ରକୃତରେ ବାଞ୍ଛାନିଧି ବଳବନ୍ତରା ପ୍ରତି ଆସକ୍ତ ଥିଲା । ଗୋବିନ୍ଦ ଜୟନ୍ତୀକୁ ଅବଶ୍ୟ ଦେଖିଥିଲା ଓ ଜୟନ୍ତୀ ଜଣେ ସୁନ୍ଦରୀ ରମଣୀମାନଙ୍କ ମଧ୍ୟରେ ଗଣ୍ୟା ଜାଣିଥିଲା, ତଥାପି ସରଳ ଓ ସାଧୁ ଚିତ୍ତବିଶିଷ୍ଟ ଯୁବକ ଜୟନ୍ତୀ ଅନ୍ୟଠାରେ ଚିତ୍ତ ସମର୍ପଣ କରିଅଛି ଜାଣି, ତାହାକୁ ପ୍ରତ୍ୟାଖ୍ୟାନ କରିବାକୁ ପ୍ରସ୍ତୁତ ଥିଲା; କିନ୍ତୁ ଦୈବର ନିର୍ବନ୍ଧ ଅନ୍ୟପ୍ରକାର । ପ୍ରହରୀ ଧୀର ପାଦବିକ୍ଷେପେ ଇତସ୍ତତଃ ବିଚରଣ କରୁ କରୁ ଦେଖିଲା ଯେ ଏକବ୍ୟକ୍ତି ତାହାର ନିକଟବର୍ତ୍ତୀ ହେଉଛି । ସେ ବ୍ୟକ୍ତି ପଚାଶ କଦମ ମଧ୍ୟରେ ଆସିଲାରୁ ପ୍ରହରୀ ଚିତ୍କାର କରି କହିଲା–

 

‘‘କିଏ ଆସିବାର ? ଛିଡ଼ା ହୁଅ, ସାଙ୍କେତିକ ଶବ୍ଦ କହ, ନୋହିଲେ ଗୁଳିଦ୍ୱାରା ବକ୍ଷ ବିଦ୍ଧ କରିବି ।’’

 

‘‘ଆମ୍ଭେ ଏଠାରେ ସମ୍ପୂର୍ଣ୍ଣ ଅପରିଚିତ, ସାଙ୍କେତିକ ଶବ୍ଦ ମଧ୍ୟ ଜ୍ଞାତ ନୋହୁଁ ।’’

‘‘ତେବେ ଏଠାକୁ ଆସିବାର ଅଭିପ୍ରାୟ କ’ଣ ?’’

‘‘ରାଜା ପରୀକ୍ଷିତ ସିଂହଙ୍କ ସହିତ ସାକ୍ଷାତ୍‌ ।’’

‘‘ତୁମ୍ଭେ କି ନୀଳଗିରିର ପାଇକ ?’’

‘‘ହଁ’’

‘‘ନୀଳଗିରିର ପାଇକ ! ଏଠାକୁ ଆସିବାର ଉଦ୍ଦେଶ୍ୟ କ’ଣ କିଛି ବୁଝିପାରୁ ନାହିଁ ?’’

 

‘‘ତୁମ୍ଭେ ବୁଝି ପାରିବ ନାହିଁ; କିନ୍ତୁ ତୁମ୍ଭର ରାଜା ସାହେବ ବୁଝିବେ । କେବଳ ବୁଝିବେ ନାହିଁ, ବୁଝିକରି ମହା ଆପ୍ୟାୟିତ ହେବେ ।’’

 

‘‘ତୁମ୍ଭର ନାମ କଣ ?’’

‘ବାଞ୍ଛାନିଧି ବଳବନ୍ତରାୟ ।’

 

(ଆଶ୍ଚର୍ଯ୍ୟ ହୋଇ) ‘ତୁମ୍ଭେ ଶତ୍ରୁ ପକ୍ଷୀୟ; ଏପରି ଯୁଦ୍ଧ ବିଗ୍ରହ ସମୟରେ, ତୁମ୍ଭଙ୍କୁ କିପରି ପ୍ରତ୍ୟୟ କରିବି ।’

 

‘ଆମ୍ଭ ନିକଟରେ ଏପରି ନିଦର୍ଶନ ଅଛି ଯାହା ଦେଖିଲେ ଓ ଏପରି ସମ୍ବାଦ ଆମ୍ଭେ ଜାଣୁ ଯାହା ଶୁଣିଲେ, ତୁମ୍ଭର ରାଜାସାହେବ ପରମ ପରିତୋଷ ଲାଭ କରିବେ ।’

 

‘ଆଚ୍ଛା ଆସ ଓ ତୁମ୍ଭର ନିଦର୍ଶନ ଦେଖାଅ ।’

 

ବାଞ୍ଛାନିଧି ପ୍ରହରୀ ନିକଟକୁ ଆସି ଏକ ଅଙ୍ଗୁରୀୟ ପ୍ରଦର୍ଶନ କଲା । ତହିଁରେ ପରୀକ୍ଷିତ ସିଂହଙ୍କର ନାମାଙ୍କିତ ଦେଖି ପ୍ରହରୀ ପ୍ରତିହାରୀକି ଡକାଇ ଅଙ୍ଗୁରୀୟ ରାଜାଙ୍କ ଛାମୁରେ ପ୍ରେରଣ କଲା । ପ୍ରତିହାରୀ ଅତିଶୀଘ୍ର ଫେରିଆସି ବଳବନ୍ତରାକୁ ସଙ୍ଗରେ ଘେନି ଶିବିର ମଧ୍ୟରେ ପ୍ରବେଶ କଲା ଓ ତାହାକୁ ସେଠାରେ ପହୁଞ୍ଚାଇ ବାହାରକୁ ଆଗମନ କଲା ।

 

ପରୀକ୍ଷିତ ସିଂହ ବାରାଣସୀ ଶଯ୍ୟାପରି ଆସୀନ ଥିଲେ । ପଟ୍ଟମଣ୍ଡପ ବିଲମ୍ବିତ ଏକ ଲୌହ-ଶୃଙ୍ଖଳା ଏକ ଲୌହ ଶୃଙ୍ଖଳାବଦ୍ଧ ପିତଳ ପ୍ରଦୀପର ଉଜ୍ଜ୍ୱଳ ଆଲୋକରେ ଶିବିର ଆଲୋକିତ । ବଳବନ୍ତରା ଭୂମିଷ୍ଠ ହୋଇ ଦଣ୍ଡବତ କରି ଛିଡ଼ା ହୁଅନ୍ତେ ରାଜା ଜିଜ୍ଞାସା କଲେ ‘‘ତୁମ୍ଭେ ଏ ମୁଦି କୌଠୁ ପାଇଲ ?’’

 

ବଳ–‘‘ଦେଈ ଦେଲେ ।’’

ପରୀ–‘‘ସେ କିପରି ଅଛନ୍ତି ?’’

 

ବଳ–‘‘ଏ ପର୍ଯ୍ୟନ୍ତ ଭଲ ଅଛନ୍ତି; କିନ୍ତୁ ଶୀଘ୍ର ସେଠାରୁ ଉଦ୍ଧାର ନ ହେଲେ ଅନିଷ୍ଟ ଜାତ ହେବ; କାରଣ ଆଜି ରାତ୍ରରେ ଦୁର୍ଯ୍ୟୋଧନ ତାଙ୍କ ଖଞ୍ଜାକୁ ଯିବ ବୋଲି ମୁଁ ଶୁଣିଅଛି, ତେଣୁ କ୍ଷଣମାତ୍ର ବିଳମ୍ବ ନ କରି ଛାମୁରେ ହାଜର ହେଲି ।’’

 

ପରୀ–‘‘ଏହାର ଉପଯୁକ୍ତ ପୁରସ୍କାର ପ୍ରାପ୍ତ ହେବ ।’’

 

ବଳ–‘‘ମୋର ପୁରସ୍କାର ଆବଶ୍ୟକ ନାହିଁ । ଦେଈଙ୍କର ଉଦ୍ଧାର ନ କଲେ ମୁଁ ପ୍ରାଣ ବିସର୍ଜନ କରିବି ପ୍ରତିଜ୍ଞା କରିଅଛି; କିନ୍ତୁ ଛାମୁଙ୍କର ଆଉ ବିଳମ୍ବ ହେଲେ ହେବ ନାହିଁ ।’’

 

ପରୀ–‘‘ଦେଈଙ୍କୁ କେଉଁଠାରେ ରଖି ଅଛନ୍ତି–ତାହା ଅବଶ୍ୟ ତୁମ୍ଭଙ୍କୁ ଜଣା ଅଛି ।’’

 

ରାଜା–‘‘ଆଜ୍ଞା, ହଁ । ଆଉ ପଟୋୟାରୀଙ୍କୁ ଓ ଘଣ୍ଟଶୀଳା ଗଡ଼ନାୟକଙ୍କୁ ଜେଲଖାନାରେ କଏଦ କରି ରଖି ଅଛନ୍ତି ।’’

 

ପରୀ–‘‘ଘଣ୍ଟଶୀଳା ଗଡ଼ନାୟକର ଦୋଷ କଣ ?’’

 

ବଳ–ତାଙ୍କର ଝିଅ ସୁନ୍ଦରୀ । ଦେଈଙ୍କୁ ଓ ଗଡ଼ନାୟକ ଝିଅକୁ ଭିତର ଖଞ୍ଜାରେ ରଖିଥିଲେ; କିନ୍ତୁ ବର୍ତ୍ତମାନ ଏକ ଖଞ୍ଜାରେ ରଖିଥିବେ । ଛାମୁରୁ ବିଳମ୍ବ କଲେ ଆମ୍ଭେମାନେ ସବୁ ହରାଇବା । ନୀଳଗିରି ଉଆସ ଅଧମାଇଲ ଦୂରରେ ଦୁର୍ଯ୍ୟୋଧନର ଗୋଟିଏ ବଗିଚା ଘର ଅଛି । ସେଠାରେ ପିଲାମାନଙ୍କୁ କୋଲୁପ ତାଲା ବନ୍ଦ କରି ରଖିଅଛନ୍ତି । ରାତି ଦଶ ଘଣ୍ଟା ବେଳେ ଦୁର୍ଯ୍ୟୋଧନର ସେଠାକୁ ଯିବାର କଥା ଅଛି । ଶିବଚରଣ ପଟ୍ଟନାୟକ ପ୍ରାୟ ଦୁଇଶ ପାଇକ ନେଇ ପଦ୍ମତଳା ଘାଟି ଜଗିବାକୁ ଯାଇଅଛନ୍ତି । ଗଡ଼ରେ ସବୁ ହୋଇ ଏକଶ ପାଇକ ଅଛନ୍ତି କି ନାହିଁ । ଛାମୁ ସଙ୍ଗରେ ଦୁଇଶ ପାଇକ ନେଲେ ଯଥେଷ୍ଟ ହେବ ।’’

 

ଏହା ଶୁଣି ପରୀକ୍ଷିତ ସିଂହ ବଳୀବାବୁଙ୍କୁ ଡକାଇ ତତ୍‌କ୍ଷାଣାତ୍‌ ନୀଳଗିରି ଗଡ଼ଅଭିମୁଖେ ଯାତ୍ରା କରିବାପାଇଁ ଶିବିର ଭଙ୍ଗ କରିବାର ଓ ବାଞ୍ଛାନିଧି ବଳବନ୍ତରା’କୁ ଏକ ସର୍ଦ୍ଦାର ପଦରେ ନିଯୁକ୍ତ କରି ଉପଯୁକ୍ତ ପରିଚ୍ଛେଦ ଓ ଅସ୍ତ୍ର ଶସ୍ତ୍ର ଦେବାର ଆଦେଶ ପ୍ରଦାନ କଲେ ।

•••

 

ଏକତ୍ରିଂଶ ପରିଚ୍ଛେଦ

ପଦ୍ମାମାଳୀର ଉଦ୍ଧାର

 

ବୃଦ୍ଧା ଦୁର୍ଯ୍ୟୋଧନର ସମ୍ମତି ପ୍ରାୟ ହୋଇ ଜୟନ୍ତୀକୁ ପଦ୍ମମାଳୀ ଖଞ୍ଜାରେ ଛାଡ଼ିଦେଇ ଆପଣା ଆବାସକୁ ଗମନ କଲା । ବାଳିକାଦ୍ୱୟ ଏକତ୍ର ହେଲାରୁ ଅତିଶୟ ଆନନ୍ଦିତ ହେଲେ ବୋଲିବା ବାହୁଲ୍ୟ । କ୍ରମେ ରାତି ଅଧିକା ହେଲା । ଯେତେବେଳେ ଚତୁର୍ଦ୍ଦିଗ ନିସ୍ତବ୍‍ଧ ହେଲା, ଦୁର୍ଯ୍ୟୋଧନ ବୃଦ୍ଧା ସହିତ ସେମାନଙ୍କର ଖଞ୍ଜାରେ ଉପସ୍ଥିତ ହେଲା । ପଦ୍ମମାଳୀ ତାହାକୁ ଦେଖି ଅତିଶୟ ଭୀତ ହେଲା; କିନ୍ତୁ ଜୟନ୍ତୀ ସାହସ ଦେଇ ନିର୍ଭୟ ହେବାକୁ କହିଲା । ଦୁର୍ଯ୍ୟୋଧନ ପଦ୍ମମାଳୀକୁ ଲକ୍ଷ୍ୟ କରି କହିଲା–

‘‘ସୁନ୍ଦରି ! ବୁଭୁକ୍ଷିତ ବ୍ୟକ୍ତି ସୁଭକ୍ଷ ଓ ପିପାସିତ ସୁପେୟ ନିକଟରେ ଦେଖି; କିନ୍ତୁ ଭକ୍ଷଣ ବା ପାନ କରିବାକୁ ନ ପାରିଲେ ଯେପରି କଷ୍ଟ ସହ୍ୟ କରେ; ମୋର ମଧ୍ୟ ସେହିପରି କଷ୍ଟ ହେଉଅଛି । ଆଜ୍ଞା କର ତୁମ୍ଭର ଚରଣତଳେ ସେବକ ଭୃତ୍ୟ ହୋଇ ପରମସୁଖରେ ରହିବି ।’’

ପଦ୍ମମାଳୀ–‘‘ମାନ୍ତ୍ରୀରେ ଥରେ ଆପଣ ଆମ୍ଭଙ୍କୁ ଅପହରଣ କରି ଆଣି ଏହିପରି ଚାଟୁବାକ୍ୟ ପ୍ରୟୋଗ କରିଥିଲେ ? ସେତେବେଳେ ଯେ ଉତ୍ତର ଦେଇଥିଲୁ ସ୍ମରଣ ଥିବ; ପୁନଶ୍ଚ ଆପଣ କ୍ଷମତାର ଅପବ୍ୟବହାର କରି, ଆମ୍ଭର ପିତାଙ୍କୁ କଏଦ କରି ରଖି ଆମ୍ଭର ଗ୍ରାମ ଲୁଟ ତରାଜ କରି, ଆମ୍ଭଙ୍କୁ ହସ୍ତଗତ କରି ଅନ୍ୟପ୍ରକାର ଉତ୍ତର ଆଶା କରିଥିଲେ, ଆପଣଙ୍କୁ ନିରାଶ ହେବାକୁ ହେବ, ଏହା ଆମ୍ଭେ କହିବାକୁ ବାଧ୍ୟ ।’’

ଦୁ–‘‘ମନ୍ମଥ ଶରରେ ଆମ୍ଭେ ଏପରି ଦହ୍ୟମାନ ହେଉଅଛି, ଯେ ଯେଉଁ ଉପାୟ ଆମ୍ଭେ ଅବଲମ୍ବନ କରିଅଛୁ ତାହା ସମୀଚୀନ କି ନା ଏହା ବିଚାର କରିବାର ଆମ୍ଭର ଅବସର ନାହିଁ । ତାହା ଅନ୍ୟାୟ ହୋଇଥିଲେ ଆମ୍ଭେ ତୁମ୍ଭର କ୍ଷମା ପ୍ରାର୍ଥନା କରୁଅଛୁଁ । ଆମ୍ଭପ୍ରତି ବାରେ କୃପାକଟାକ୍ଷ କର ।’’

ପ–‘‘ଆମ୍ଭେ ଅସହାୟା ବାଳିକା । ଆପଣଙ୍କର ହସ୍ତଗତା ହୋଇଥିଲେ ହେଁ ଆପଣଙ୍କର ଇଚ୍ଛାନୁଯାୟୀ ଉତ୍ତର ଆମ୍ଭେ କେଭେ ଦେଇ ପାରୁ ନା । ତ୍ରେତାଯୁଗର ରାକ୍ଷସ ରାବଣ ସୀତା ଦେବୀଙ୍କୁ ଅପହରଣ କରି, ତାଙ୍କର ଅସମ୍ମତିରେ ତାଙ୍କର ଅଙ୍ଗ ସ୍ପର୍ଶ କରି ନ ଥିଲା, କିମ୍ବା ସବଂଶରେ ନିଧନ ପ୍ରାପ୍ତ ହେବା ପର୍ଯ୍ୟନ୍ତ ସୀତା ଦେବୀଙ୍କୁ କେଭେ ବିରକ୍ତ କରି ନ ଥିଲା । ଆପଣ ଆମ୍ଭଙ୍କୁ ଏହି କେତେକ ଦିବସ ହେଲା ଆଣି ଅଛନ୍ତି । ଆମ୍ଭର ପିତାମାତା, ପ୍ରିୟଜନମାନଙ୍କର ସ୍ମୃତି ଆମ୍ଭ ମନରେ ମଳିନ ହୋଇନାହିଁ । ଏଥି ମଧ୍ୟରେ ଆପଣ ଆମ୍ଭପ୍ରତି ନିର୍ଯ୍ୟାତନା ଆରମ୍ଭ କଲେଣି-।’’

ଦୁ–‘‘ସେ ସବୁ ପୋଥି କଥା ବିଶ୍ୱାସ ଯୋଗ୍ୟ ନୁହେଁ । ତୁମ୍ଭଙ୍କୁ ପ୍ରାପ୍ତ ନ ହୋଇ ଆମ୍ଭର ଏତେଦୂର କଷ୍ଟ ହେଉଅଛି ଯେ ଆମ୍ଭେ ଜ୍ଞାନ ବିବେକଶୂନ୍ୟ ମନୁଷ୍ୟ ପରି ଆଚରଣ କଲେ ଆମ୍ଭଙ୍କୁ ଦୋଷୀ କରିବ ନାହିଁ ।’’

ପ–‘‘ଆପଣ ପଶୁବତ୍‌ ଆଚରଣ କଲେ ସ୍ୱୟଂ ଭଗବାନଙ୍କର ଆସନ ଟଳିବ । ସେ ତହିଁର ବିହିତ ବିଧାନ କରିବେ । ଏହା ସତ୍ୟ ଥିବାର ଆପଣ ବାରେ ଅନୁଭବ କରିଅଛନ୍ତି ।’’

ଏ ବ୍ୟଙ୍ଗରେ ଦୁର୍ଯ୍ୟୋଧନ କ୍ରୋଧରେ ପଜ୍ଜ୍ୱଳିତ ହୋଇ ଉଠିଲା । ତାହାର ଶରୀର କମ୍ପିତ ହେଲା ଓ ମାଦକସେବିତ ରକ୍ତବର୍ଣ୍ଣ ଚକ୍ଷୁଦ୍ୱୟରୁ ଅଗ୍ନିସ୍ପୁଲିଙ୍ଗ ନିର୍ଗତ ହେଲା । କ୍ରୋଧାତିଶଯ୍ୟରେ ତାହାର ମୁଖରୁ ବାକ୍ୟ ନିର୍ଗତ ହେଲା ନାହିଁ । ଅତି କଷ୍ଟରେ ଜଡ଼ିତ କଣ୍ଠରେ ସେ କହିଲା–‘‘ଆଚ୍ଛା ତୋର ଭଗବାନ ଏଠାରେ କେଉଁଠି ଅଛି ଦେଖିବା ?’’ –ଏହା କହି ସେ ପଦ୍ମମାଳୀ ନିକଟକୁ ଆସିବା ସକାଶେ ଅଗ୍ରସର ହେଲା । ଏପରି ସମୟରେ ଜୟନ୍ତୀ ତାହାର ସ୍ଥାନରୁ ଉତ୍‍ଥିତ ହୋଇ, ବସ୍ତ୍ର ମଧ୍ୟରୁ ଏକ ତୀକ୍ଷ୍ଣଧାର କଟାରୀ ବାହାର କରି ଓ ତାହା ଦୁର୍ଯ୍ୟୋଧନକୁ ଦେଖାଇ କହିଲା,–

‘‘ଦୁରାତ୍ମନ୍ ! ଆଉ ଏକପାଦ ଅଗ୍ରସର ହେଲେ ଏ ସୁତୀକ୍ଷ୍ଣ କଟାରୀକୁ ତୋର ଛାତିରେ ପୋତିବି । ମୁଁ ଘଣ୍ଟଶୀଳା ଗଡ଼ନାୟକର ଝିଅ ।’’

ଦୁର୍ଯ୍ୟୋଧନ ଜୟନ୍ତୀକୁ ଇତିପୂର୍ବେ କେଭେ ଦେଖି ନ ଥିଲା । ତାହାର ସେ ମୂର୍ତ୍ତି ଦେଖି ଭୀତ ଓ ଚମକିତ ହେଲା । ଜୟନ୍ତୀ କୃଶାଙ୍ଗୀ ନୁହେ ଏହା ପୂର୍ବରେ କଥିତ ହୋଇଅଛି । ତାହାର ଉଜ୍ଜ୍ୱଳ ଶ୍ୟାମ କାନ୍ତି, ସୁନ୍ଦର ସୁଗୋଲ ମୁଖଚ୍ଛବି ଓ ବୀରକନ୍ୟା ସଦୃଶ ହସ୍ତରେ ସୁତୀକ୍ଷ୍ଣ କଟାରୀ ଉତ୍ତୋଳିତ ଦେଖି ଦୁର୍ଯ୍ୟୋଧନ ବିଚାର କଲା ଯେ, ସ୍ୱୟଂ ଜଗନ୍ମାତା ମା ବାଳିକା ପଦ୍ମମାଳୀକୁ ରକ୍ଷା କରିବା ସକାଶେ ଭୂମି ବିଦୀର୍ଣ୍ଣ କରି ଆବିର୍ଭୂତ ହେଲେ କି ? ଦୁର୍ଯ୍ୟୋଧନ ତାହାକୁ କହିଲା–

‘‘ତୁମ୍ଭେ ଘଣ୍ଟଶୀଳା ଗଡ଼ନାୟକର ଝିଅ । ତୁମ୍ଭେ କାହିଁକି ଏଡ଼େ ରାଗ ହେଉଅଛ ?’’

‘‘ମୁଁ ଘଣ୍ଟଶୀଳା ଗଡ଼ନାୟକର ଝିଅ । ମୋହର ପିତାଙ୍କୁ ଅପମାନିତ କରି ତାହାଙ୍କୁ କାରାବଦ୍ଧ କରି ଶୃଗାଳ ପରି ମତେ ଚୋରାଇ ଆଣିଅଛୁ, ମୁଁ ଅବସର ଲୋଡ଼ୁଥିଲି, ଆଜି ବିଧାତା ସେ ସୁଯୋଗ ଘଟାଇଅଛି, ଏହି ତୀକ୍ଷ୍ଣଧାର କଟାରୀକୁ ତୋର କଳୁଷିତ ଶୋଣିତରେ ରଞ୍ଜିତ କରି ତୋତେ ସମୁଚିତ ଫଳ ଦେବି ।’’ କିନ୍ତୁ କିଛି କାର୍ଯ୍ୟରେ ପରିଣତ କରିବାକୁ ହେଲା ନାହିଁ; କାରଣ ଭୀରୁ ଦୁର୍ଯ୍ୟୋଧନ ଏହା ଶୁଣି ଇତସ୍ତତଃ କରିବା ସମୟେ ଏକ କୋଳାହଳ ଶୁଣାଗଲା ଏବଂ ଦେଖୁ ଦେଖୁ ଖଞ୍ଜା ମନୁଷ୍ୟ ଦ୍ୱାରା ପୂର୍ଣ୍ଣ ହୋଇ ଗଲା । ପ୍ରଜ୍ୱଳିତ ମଶାଲ ଆଲୋକରେ ଦେଖାଗଲା ଯେ ପରୀକ୍ଷିତ ସିଂହ ଅଗ୍ରେ ଓ ତାଙ୍କ ପଛେ ବାଞ୍ଛାନିଧି ବଳବନ୍ତରା । ପରୀକ୍ଷିତ ସିଂହ ଦୁର୍ଯ୍ୟୋଧନ ପଦ୍ମମାଳୀ ଓ ଜୟନ୍ତୀକୁ ତଦବସ୍ଥାଗତ ଦେଖି ଦୁର୍ଯ୍ୟୋଧନ ବାଳିକା ପ୍ରତି ଅତ୍ୟାଚାର କରିବାକୁ ଉଦ୍ୟତ ହେଉଥିଲା ବୁଝି ପାରିଲେ ଓ ତାଙ୍କର ଆସିବାରେ ଏକ ମୁହୂର୍ତ୍ତ ବିଳମ୍ବ ହୋଇ ନ ଥିଲା, ଏଥି ସକାଶେ ଜଗଦୀଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ଦୁର୍ଯ୍ୟୋଧନକୁ ସମ୍ବୋଧନ କରି କହିଲେ–

‘‘ଦୁଷ୍ଟ ! ଶିବରାତ୍ରି ଦିନ ଯେଉଁ ଶାସ୍ତି ଦେଇଥିଲୁଁ ତଦ୍ଦ୍ୱାରା ସମୁଚିତ ଶିକ୍ଷାଲାଭ କରି ତୋର ଅବଲମ୍ବିତ ଅସତ୍ପଥ ପରିତ୍ୟାଗ କରିବୁ ଆଶା କରିଥିଲୁଁ କିନ୍ତୁ ଦେଖୁଅଛି ତାହା ହୋଇ ନାହିଁ-। ତୁ ଯେଉଁ ପାପରାଶି ଅର୍ଜନ କରିଅଛୁ ସେଥିପାଇଁ ଦୀର୍ଘକାଳ ପ୍ରାୟଶ୍ଚିତ୍ତ କରିବାର ଆବଶ୍ୟକ ।’’ ଏହା କହି ଅନୁଚରକୁ କହିଲେ ‘‘ବଳବନ୍ତରା ଏହାକୁ ଉପଯୁକ୍ତ ପ୍ରହରୀ ସହିତ କପତୀପଦା ଦୁର୍ଗକୁ ଅବିଳମ୍ବେ ପ୍ରେରଣ କର ।’’

ଆଜ୍ଞାମାତ୍ରେ ବଳବନ୍ତରା ଦୁର୍ଯ୍ୟୋଧନକୁ ରଜ୍ଜୁଦ୍ୱାରା ଦୃଢ଼ରୂପେ ବନ୍ଧନ କରି ଓ ତାହାର ପୃଷ୍ଠଦେଶରେ ଦୁଇ ବଜ୍ରମୁଷ୍ଟି ପ୍ରଦାନ କରି କହିଲା,–

‘‘ଦୁଷ୍ଟ-ନିରପରାଧ ମତେ ଅକାରଣେ ପ୍ରହାର କରି ମୋର ଯେଉଁ କ୍ଷୋଭ ଜାତ କରିଥିଲୁ, ଆଜି ତାହାର ପ୍ରତିଶୋଧ ହେଲା ।’’ ଏହା କହି ଦୁର୍ଯ୍ୟୋଧନକୁ ସେ ସ୍ଥାନରୁ ନେଇ ନିଷ୍କ୍ରାନ୍ତ ହେଲା ।

ପରୀକ୍ଷିତ ସିଂହ ନଅରରୁ ଶିବିକା ଅଣାଇ ପଦ୍ମମାଳୀ ଓ ଜୟନ୍ତୀକୁ ସଙ୍ଗରେ ନେଇ ବରହମପୁର ଗମନ କଲେ ଓ ଗମନ ସମୟେ ଦୁର୍ଯ୍ୟୋଧନର ଆବାସରେ ଅଗ୍ନିପ୍ରଦାନ କଲେ । ବଳୀବାବୁ ଗଡ଼ ଲୁଣ୍ଠନ କରିବାରେ ବ୍ୟସ୍ତ ରହିଲେ । ପ୍ରଭାତ ନ ହେଉଣୁ ବାଲେଶ୍ୱରରୁ ଏକଦଳ ପଲ୍‌ଟନ ସିପାହୀ ଓ ସୁବେଦାର ଗଡ଼କୁ ଆସୁଥିବାର ସମ୍ବାଦ ପ୍ରାପ୍ତ ହୋଇ ବଳୀବାବୁ ଆପଣା ପାଇକଙ୍କୁ ଘେନି ବରହମପୁର ଲେଉଟି ଆସିଲେ ।

•••

 

ଉପସଂହାର

 

ଗଡ଼ରେ ଇଂରେଜଫୌଜ ପହୁଞ୍ଚିଲା ସମୟେ ବିଦ୍ରୋହୀମାନେ ବରହମପୁରକୁ ପଳାୟନ କରିଥିଲେ । ଫୌଜ ପଶ୍ଚାତ୍ ପଶ୍ଚାତ୍ ରାଣୀ ଓ ଶ୍ରୀଯୁକ୍ତ ରିକେଟ୍‍ସ ସାହେବ ଉପସ୍ଥିତ ହେଲେ । ସାହେବ ମହୋଦୟ ଗଡ଼ରେ ଶାନ୍ତିସ୍ଥାପନ କରି, ସେହି ଦିବସ ରାତ୍ରରେ ବିଦ୍ରୋହୀଙ୍କର ଅନୁଧାବନ କଲେ । ବରହମପୁରରୁ ପ୍ରାୟ ଏକ ମାଇଲ ବାଟରେ ଏକ ପ୍ରଜ୍ଜ୍ୱଳିତ ଧୁନିର ଚତୁର୍ଦ୍ଦିଗରେ ବିଦ୍ରୋହୀଙ୍କର ଏକଦଳ ପାଇକ ସତର୍କ ହୋଇ ମାର୍ଗରକ୍ଷା କରୁଥିଲେ । ଇଂରେଜଙ୍କ ସେନା ସେଠାରେ ପହୁଞ୍ଚି ଅସାବଧାନତା ପୂର୍ବକ କେତେ ଗୋଟା ଗୁଳି ବିପକ୍ଷ ପାଇକଙ୍କ ଉପରେ ନିକ୍ଷେପ କଲେ । ସେମାନେ ଇଂରେଜ ସେନା ସମାଗତ ଜାଣି ହରିବାବୁଙ୍କୁ ତଦ୍‍ବିଷୟ ଜ୍ଞାପନ କଲେ । ଗୁଳି ମଧ୍ୟରୁ ଏକଗୋଟି ଶିବିର ପ୍ରହରୀ ଗୋବିନ୍ଦ ସର୍ଦ୍ଦାର ସିଂହଙ୍କ ବକ୍ଷ ଭେଦ କଲାରୁ ସେ ପଞ୍ଚତ୍ୱ ପ୍ରାପ୍ତ ହେଲେ । ଇଂରେଜ ସେନା ଉପସ୍ଥିତ ଦେଖି ବିଦ୍ରୋହୀମାନେ ବ୍ୟସ୍ତ ହୋଇ ପଳାୟନ କଲେ । ପ୍ରଶଂସିତ ସାହେବ ବିଦ୍ରୋହୀଙ୍କ ପଛରେ ଧାବନ କରି ଦେଖିଲେ, ଯେ ବିଦ୍ରୋହୀମାନେ ପଳାୟନ କରିଅଛନ୍ତି । ସେମାନେ ପଳାୟନର ବ୍ରସ୍ତତାରେ ପଦ୍ମମାଳୀର ଶୂନ୍ୟ ଶିବିକା ଓ ତିନୋଟି ଅଶ୍ୱ ଛାଡ଼ି ଯାଇଥିଲେ । ବିଦ୍ରୋହୀଙ୍କର ଅନୁଧାବନ କରିବା ଦୁଃସାଧ୍ୟ ଜାଣି ରିକେଟ୍‍ସ ସାହେବ ନୀଳଗିରିକୁ ଫେରି ଆସିଲେ ଓ ସେଠାରେ ଶାନ୍ତିସ୍ଥାପନ କରି ବାଲେଶ୍ୱରକୁ ପ୍ରତ୍ୟାଗମନ କଲେ ।

 

ପାଞ୍ଚଗଡ଼ର ଉପଦ୍ରବ ଅନୁସନ୍ଧାନ କରି ସାହେବ ମହୋଦୟ ଶାନ୍ତି ଦାସକୁ ବ୩ର୍ଷ କାରାଦଣ୍ଡାଜ୍ଞା ପ୍ରଦାନ କଲେ । ଭାଗୀରଥୀ ପଟ୍ଟନାୟକକୁ ଟ ୨୫୦୦ ଙ୍କା ଜରୀମାନା କିମ୍ବା ତଦ୍‍ପରିବର୍ତ୍ତେ ବ ୨ ର୍ଷ କାରାବାସ ଦଣ୍ଡ ବିଧାନ କଲେ ଓ ମୌଜା ପାଞ୍ଚଗଡ଼କୁ ନୀଳଗିରି ରାଜ୍ୟର ଅଧିକାରଚ୍ୟୁତ କରି ଖାସମାହାଲର ଅନ୍ତର୍ଭୁକ୍ତ କଲେ । ଯଥାସମୟେ ବିଦ୍ରୋହୀଙ୍କର ବିଚାର ଆରମ୍ଭହେଲା । ଶ୍ରୀଯୁକ୍ତ ରିକେଟ୍‍ସ ସାହେବ ବହୁ ଆୟାସ ଓ କ୍ଳେଶ ସ୍ୱୀକାର କରି ପ୍ରକୃତ ତଥ୍ୟର ଅନୁସନ୍ଧାନ କଲେ । ତାହାଙ୍କ ବିଚାରରେ ହରିବାବୁ ଓ ବଳୀବାବୁ ପ୍ରତ୍ୟେକେ ବ ୨ ର୍ଷ କାରାବାସ, ପରୀକ୍ଷିତ ସିଂହ ମା ୬ ସର କାରାବାସ ଓ ମୟୂରଭଞ୍ଜର ରାଜା ଟ ୫୦୦ ଙ୍କା ଜରୀମାନାର ଯୋଗ୍ୟ ହେଲେ । ସାହେବ ମହୋଦୟ ବିଦ୍ରୋହୀମମାନଙ୍କୁ ଉପରୋକ୍ତ ଦଣ୍ଡବିଧାନ କରିବାପାଇଁ ଗଭର୍ଣ୍ଣମେଣ୍ଟଙ୍କର ମଞ୍ଜୁରୀ ପ୍ରାର୍ଥନା କଲେ । ମାନ୍ୟବର ଗଭର୍ଣ୍ଣର ସାହେବ ଉପର ଲିଖିତ ଦଣ୍ଡମାନ ମନୋନୀତ କଲେ, କେବଳ ପରୀକ୍ଷିତ ସିଂହଙ୍କର ଦଣ୍ଡସମ୍ବନ୍ଧେ ପୁନର୍ବିଚାରର ଆଦେଶ କଲେ । ଗଭର୍ଣ୍ଣମେଣ୍ଟଙ୍କର ଏ ଆଦେଶ ଆସିଲାରୁ ମହନ୍ତ ହରିହର ଦାସ ସାହେବ ମହୋଦୟଙ୍କୁ ଗୋପନଭାବରେ କି କଥା କହିଲେ ଯେ ସାହେବ ମହୋଦୟ ଈଷତ୍ କ୍ରୋଧାନ୍ୱିତ ହୋଇ ମହନ୍ତଙ୍କୁ କହିଲେ–

 

‘‘ଓହୋ ଏସାବାବ ଥା, ଆପ୍ ହାମ୍‍ କୁ ଆଗେସେ କାହେ ନେହି ବୋଲେ । ହାମ୍ ବଡ଼ା ନାଖୋସ୍ ହୁଆ ।’’

 

ରିକେଟ୍‍ସ ସାହେବ ପଦ୍ମମାଳୀ ଓ ପରୀକ୍ଷିତ ସିଂହଙ୍କର ଉପାଖ୍ୟାନ ଶ୍ରବଣ କରି ପରୀକ୍ଷିତ ସିଂହ ସମ୍ବନ୍ଧେ ତାହାଙ୍କର ଦଣ୍ଡାଜ୍ଞା ରହିତ କର ମହାସମାରୋହରେ ଉଭୟଙ୍କର ମଙ୍ଗଳକୃତ୍ୟ ସମ୍ପାଦନ କରାଇଲେ । ନବଦମ୍ପତୀ ମହାସମାରୋହରେ କପତୀପଦାକୁ ପ୍ରତ୍ୟାଗମନ କଲେ ଓ ସେଠରେ ପ୍ରଜାମାନେ ଅନେକ ଦୀର୍ଘକାଳବ୍ୟାପୀ ମହୋତ୍ସବରେ ଉନ୍ମତ୍ତ ହୋଇଥିଲେ ।

 

ପଦ୍ମମାଳୀ ନୀଳଗିରିରୁ ଉଦ୍ଧାର ହେଲାଦିନୁ ଜୟନ୍ତୀ ପଦ୍ମମାଳୀର ପରିଚର୍ଯ୍ୟାରେ ନିଯୁକ୍ତ ହୋଇଥିଲା ଓ ବାଞ୍ଛାନିଧି ବଳବନ୍ତରା ପରୀକ୍ଷିତ ସିଂହଙ୍କର ଅନୁଚର ମଧ୍ୟରେ ପ୍ରଧାନ କର୍ମ ପ୍ରାପ୍ତ ହୋଇଥିଲା । ପରୀକ୍ଷିତ ସିଂହ ଏକ ଦିନ ପଦ୍ମମାଳୀର ସହିତ ନାନାଦି ହାସ୍ୟରଙ୍ଗ କରୁଥିବା ସମୟେ ପଦ୍ମମାଳୀ ତାହାଙ୍କୁ କହିଲା,–

 

‘‘ଆପଣ କେବଳ ଆପଣାର ସୁଖ ଜାଣନ୍ତି’’

‘‘କାହିଁକି ?’’

 

‘‘ଏହି ଯେ ଦୁଇଟି ପ୍ରାଣୀ ଆମ୍ଭମାନଙ୍କର ଦୁଃଖ ସମୟରେ ଏତେ ସାହାଯ୍ୟ କରିଥିଲେ ସେମାନଙ୍କୁ ସୁଖୀ କରିବା ପାଇଁ ଆପଣ ଆଜି ପର୍ଯ୍ୟନ୍ତ କିଛି ଚେଷ୍ଟା କଲେ ନାହିଁ ।’’

 

‘‘ପଦ୍ମମାଳୀ; ତୁମ୍ଭେ କ’ଣ, କହୁଛ, କୋଉଁ ଦୁଇଜଣ ?’’

‘‘କାହିଁକି, ଜୟନ୍ତୀ ଓ ବଳବନ୍ତରା ।’’

‘‘ସେମାନଙ୍କର କ’ଣ ସେମାନଙ୍କର ତ ଏଠାରେ କୌଣସି କଷ୍ଟ ହେଉ ନାହିଁ ?’’

‘‘ଆତ୍ମସ୍ୱାର୍ଥୀ ଲୋକ ଏପରି କହିଥାଏ ।’’

 

‘‘ତୁମ୍ଭ କଥା ତ ମୁଁ ବୁଝିପାରୁ ନାହିଁ । ରମଣୀମନ ବୁଝିବା ସହଜ ନୁହେଁ । ତୁମ୍ଭମାନଙ୍କୁ ବିଧାତା ସ୍ତ୍ରୀ ଲୋକ ନ କରି ନ ଥିଲେ ତୁମ୍ଭେମାନେ ଯେ କ’ଣ କରନ୍ତ ତାହା କିଏ କହିପାରେ ?’’

 

‘‘ଯଥାର୍ଥ ରମଣୀମନ କେଉଁ ପୁରୁଷ ବୁଝିଥାଏ ।’’

‘‘ହେଉ, ତାହା ହେଲା; ଏବେ କ’ଣ କହୁଥିଲ ?’’

‘‘ଜୟନ୍ତୀର କଥା ।’’

‘‘ଜୟନ୍ତୀର କି କଥା ?’’

‘‘ସେ ବଳବନ୍ତରା’କୁ ଭଲ ପାଏ ।’’

 

ପରୀକ୍ଷିତ ସିଂହଙ୍କର ଜ୍ଞାନଚକ୍ଷୁ ବିକାଶ ପାଇଲା । ସେ ଅତିଶୀଘ୍ର ସମାରୋହ ସହିତ ଜୟନ୍ତୀ ଓ ବଳବନ୍ତରାର ମଙ୍ଗଳକୃତ୍ୟ କରାଇଲେ ଓ ଜୟନ୍ତୀ ଏବଂ ବଳବନ୍ତରା ପରସ୍ପରଙ୍କ ସହବାସରେ ପରମସୁଖୀ ହେଲେ ।

 

ପାଠକେ ବିଚାରିବେ ଯେ ଦୁର୍ଯ୍ୟୋଧନର କ’ଣ ହେଲା ? ଦୁର୍ଯ୍ୟୋଧନ କିଛିକାଳ କପତୀପଦାର କାରାଗାରରେ ବାସ କରି ମାନସିକ ଓ ଶାରୀରିକ କଷ୍ଟର ଆତିଶଯ୍ୟରେ ଅଚିରାତ୍ ପଞ୍ଚତ୍ୱ ପ୍ରାପ୍ତ ହେଲାୋ କିନ୍ତୁ ସାଧାରଣଙ୍କର ବିଶ୍ୱାସ ଥିଲା ଯେ ଦୁର୍ଯ୍ୟୋଧନ ଗୃହଦାହରେ ଦଗ୍‍ଧ ହୋଇଥିଲା । କାରଣ ଦୁର୍ଯ୍ୟୋଧନର ଆବାସ ଭସ୍ମାବଶେଷ ମଧ୍ୟରୁ ଦୁଇଗୋଟି ଶବ ମିଳିଥିଲା । ଏକଗୋଟି ପୁରୁଷର ଅନ୍ୟଟି ସ୍ତ୍ରୀ ଲୋକର । ପୁରୁଷଟି ଦୁର୍ଯ୍ୟୋଧନର ଏକ ଭୃତ୍ୟ ଥିଲା ଓ ତାହାର ଶବକୁ ଲୋକ ଦୁର୍ଯ୍ୟୋଧନର ବୋଲି ଭ୍ରମ କରିଥିଲେ ।

 

ସ୍ତ୍ରୀ ଲୋକଟି–ରାମିୟା ମା ।

Image